Unknown

 

 

 

 

 

 

 

 

 

 

ରାମଚନ୍ଦ୍ର

ଚିନ୍ତାମଣି ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

ତ୍ରେତା ଯୁଗରେ ଲଙ୍କାର ରାକ୍ଷସରାଜ ରାବଣ ଶିବଙ୍କ ବରରେ ଜଗତରେ ଅଜେୟ ହୋଇ ଅତ୍ୟନ୍ତ ପ୍ରତାପୀ ହୋଇ ଉଠିଲା । ତାହା ଭୟରେ ତ୍ରିଭୁବନ ଥରହର ହୋଇ କମ୍ପିବାକୁ ଲାଗିଲା । ତାହାର ଅସହ୍ୟ ପ୍ରଭାବ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ ଆତଙ୍କପ୍ରଦ ହେଲା । ସତ୍ୟ, ଧର୍ମ ସହାୟହୀନ ହୋଇ କାନ୍ଦିବାକୁ ଲାଗିଲେ । ରାବଣ ସ୍ୱର୍ଗ ଜୟ କରି ଦେବତାମାନଙ୍କୁ ବିଶେଷ ପୀଡ଼ା ଦେଲା–ସେମାନଙ୍କୁ ଆଣି ନାନା ଇତର କାର୍ଯ୍ୟରେ ଖଟାଇଲା । ପ୍ରଭୁର ପ୍ରତାପଠାରୁ ଭୃତ୍ୟର ପ୍ରତାପ ଅଧିକ ବଳିଯାଏ । ରାବଣର ଅନୁଚର ଦୁଷ୍ଟ ରାକ୍ଷସମାନେ ତପୋବନରେ ଅତ୍ୟାଚାର କରି ମୁନିଋଷିମାନଙ୍କୁ ବହୁତ ଯନ୍ତ୍ରଣା ଦେଲେ । ସେମାନେ ଯଜ୍ଞକୁଣ୍ଡରେ ଅମେଧ୍ୟ ନିକ୍ଷେପ କରି ଯଜ୍ଞଭଙ୍ଗ କଲେ–ତପସ୍ୟାରେ ବ୍ୟାଘାତ ଜନ୍ମାଇଲେ । ସେମାନଙ୍କ ଦୌରାତ୍ମ୍ୟରେ ଯଜ୍ଞ-ତପସ୍ୟା ବନ୍ଦ ହେଲା-ଧର୍ମ ନିଷ୍ପ୍ରଭ ହୋଇଆସିଲା । ଦେବତାମାନେ ଶକ୍ତିରେ ରାବଣର ସମକକ୍ଷ ନ ହୋଇ ବୈକୁଣ୍ଠପତି ବିଷ୍ଣୁଙ୍କ ଶରଣାପନ୍ନ ହେଲେ । ଦୁଷ୍ଟର ଉପଦ୍ରବ, ଶିଷ୍ଟର ଲାଞ୍ଛନା ଏବଂ ଧର୍ମର ବିପ୍ଳବ ଘଟିଲେ ଭଗବାନ ଦୁଷ୍ଟଦମନ, ଶିଷ୍ଟତାରଣ ଏବଂ ଧର୍ମରକ୍ଷା ସକାଶେ ପୃଥିବୀରେ ଅବତୀର୍ଣ୍ଣ ହୁଅନ୍ତି-। ସ୍ୱୟଂ ଶ୍ରୀକୃଷ୍ଣ ଶ୍ରୀମୁଖରେ କହିଅଛନ୍ତି–

 

‘‘ପରିତ୍ରାଣାୟ ସାଧୁନାଂ ବିନାଶୟ ଚ ଦୁଷ୍କୃତାଂ

ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।’’

 

ଅର୍ଥାତ୍‌‘‘ସାଧୁମାନଙ୍କର ରକ୍ଷା, ପାପୀମାନଙ୍କର ସଂହାର ଅତ୍ତ ଧର୍ମର ଉଦ୍ଧାର ସାଧନ ସକାଶେ ଆମ୍ଭେ (ଶ୍ରୀକୃଷ୍ଣ) ପ୍ରତି ଯୁଗରେ ଅବତାର ଗ୍ରହଣ କରୁଁ ।’’ ବିଷ୍ଣୁ ଦେବତାମାନଙ୍କୁ ଆଶ୍ୱାସନା ଦେଇ କହିଲେ, ‘‘ରାବଣ ନର, ବାନର ଛଡ଼ା ଆଉ କାହା ହାତରେ ମରିବ ନାହିଁ, ଆମ୍ଭେ ଯାଇ ମର୍ତ୍ତ୍ୟପୁରରେ ନର ରୂପରେ ଆବିର୍ଭୂତ ହୋଇ ତାକୁ ସବଂଶରେ ସଂହାର କରିବୁ । ତୁମ୍ଭେମାନେ ବାନର ରୂପରେ ଜାତ ହୋଇ ଆମ୍ଭଙ୍କୁ ସାହାଯ୍ୟ କରିବ ।’’ ଏହି ପ୍ରତିଶ୍ରୁତି ଅନୁସାରେ ଭଗବାନ ବିଶ୍ୱପତି ବିଷ୍ଣୁ ଅଯୋଧ୍ୟା ନଗରୀରେ କ୍ଷତ୍ରିୟ କୁଳରେ ଜନ୍ମଗ୍ରହଣ କରିଥିଲେ । ଧର୍ମବୈରୀ ରାକ୍ଷସକୁଳ ନିପାତ କରି ପୃଥିବୀର ପାପଭାର ଉଶ୍ୱାସ କରିବା ଏହି ଅବତାରର ଉଦ୍ଦେଶ୍ୟ ।

 

ଦେବ-ଋଷି ଅଧ୍ୟୁଷିତ, ତୀର୍ଥ-ପୂତ ଭାରତଭୂମିର ଉତ୍ତର ପଶ୍ଚିମରେ ଅଯୋଧ୍ୟା ନାମରେ ଗୋଟିଏ ରମଣୀୟ ରାଜ୍ୟ ଅଛି । ପୂର୍ବେ ସେଠାରେ ସୂର୍ଯ୍ୟବଂଶୀୟ ରାଜାମାନେ ରାଜତ୍ୱ କରୁଥିଲେ । ଶୀତ-ପୂତ-ସ୍ୱଚ୍ଛ-ତୋୟା ସରଯୂ ନଦୀ ସେହି ରାଜ୍ୟରେ ମାତୃସ୍ତନ୍ୟ ପୀୟୂଷଧାରା ପ୍ରାୟ ପ୍ରବାହିତ ହୁଏ । ହରିଶ୍ଚନ୍ଦ୍ର, ଦିଲୀପ, ସଗର, ଭଗୀରଥ, ରଘୁ ଓ ଅଜ ପ୍ରଭୃତି ବହୁ ବିଶ୍ରୁତକୀର୍ତ୍ତି, ପ୍ରଜା-ପ୍ରାଣ, ଧାର୍ମିକ, ଦୟାଳୁ, ଦାତା, ଦେବଚରିତ୍ର, ସୁପ୍ରସିଦ୍ଧ, ଆଦର୍ଶ ନରପତି ସେ ରାଜ୍ୟର ରାଜସିଂହାସନ ପବିତ୍ର ଏବଂ ଅଳଙ୍କୃତ କରିଥିଲେ । ସେମାନେ ଦୈବୀଶକ୍ତିର ଗୋଟିଏ ଗୋଟିଏ ସଜୀବ ମୂର୍ତ୍ତି ଥିଲେ ଏବଂ ଧର୍ମବଳରେ ଅସାଧ୍ୟ ସାଧନ କରିଥିଲେ । ସେମାନଙ୍କ କୀର୍ତ୍ତି ସେମାନଙ୍କ ପ୍ରାତଃସ୍ମରଣୀୟ ପବିତ୍ର ନାମକୁ ଅମର ଉଜ୍ଜ୍ୱଳ ସ୍ୱର୍ଣ୍ଣାକ୍ଷରରେ କାଳବକ୍ଷରେ ଲିପିବଦ୍ଧ କରି ରଖିଅଛି ଏବଂ ସୃଷ୍ଟିର ଶେଷ ଦିନଯାଏ ରଖିଥିବ । ସଂସାରରେ ସେମାନେ ଦୁଃଖକୁ ଏକା ସବୁଠାରୁ ବଡ଼ ସୁଖ ମଣୁଥିଲେ । ବହୁ ଶୋକ ମଧ୍ୟରେ ଆଶ୍ୱସ୍ତି ଥିଲା ପରି ମହାଦୁଃଖ ମଧ୍ୟରେ ସେମାନେ ମହାସୁଖ ଉପଭୋଗ କରୁଥିଲେ । ଅଯୋଧ୍ୟା ରାଜ୍ୟଟି ସେମାନଙ୍କର ପୁଣ୍ୟସ୍ମୃତିରେ ପରିପ୍ଲୁତ । ସେମାନଙ୍କର ରାଜଧର୍ମ ଏବଂ ରାଜନୀତି ଦୁଗ୍‌ଧ ଘୃତ ପରି ପ୍ରଜାର ପ୍ରାଣ ପୁଷ୍ଟିକର ଥିଲା । ସେହି ମହାପ୍ରାଣ ମହାପୁରୁଷମାନେ ରାଜୋପାଧିର ଭୂଷଣମଣି ଏବଂ ସମଗ୍ର ଭାରତର ରତ୍ନ ଦୀପ ତୁଲ୍ୟ । ସେହି ଦୀପର ସ୍ନିଗ୍‌ଧ ଶୀତଳ କିରଣ ପ୍ରଭାରେ ଆଜି ସୁଦ୍ଧା ଭାରତର ଦଶଦିଗ ସମୁଜ୍ଜ୍ୱଳ । ସେମାନଙ୍କ ମାନବ-ପ୍ରାଣରେ ଋଷିତ୍ୱ ଏବଂ ଦେବତ୍ୱ ଅପ୍ରତିହତ ପ୍ରଭାବ ବିସ୍ତାର କରିଥିଲା । ସେମାନଙ୍କ ରାଜ୍ୟ ତପୋବନରେ ପରିଣତ ହୋଇଥିଲା । ସେହି ବଂଶୀୟ ରାଜା ହରିଶ୍ଚନ୍ଦ୍ର ଜଣେ ଅସାଧାରଣ ଧର୍ମବୀର, ସତ୍ୟବୀର, ଦାନବୀର ଓ ତ୍ୟାଗବୀର ଥିଲେ । ସେ ସସାଗରା ପୃଥିବୀ ବିଶ୍ୱାମିତ୍ର ମହର୍ଷିଙ୍କୁ ଦାନ କରି, ନିଜର ସ୍ତ୍ରୀପୁତ୍ର ଏବଂ ନିଜକୁ ବିକ୍ରୟ କରି ସେହି ମହାଦାନର ଦକ୍ଷିଣା ପରିଶୋଧ କରିଥିଲେ । ସତ୍ୟରକ୍ଷା ଓ ଧର୍ମରକ୍ଷା ସକାଶେ ସେ ରାଜା ହୋଇ ସୁଦ୍ଧା ଚଣ୍ଡାଳର ଭୃତ୍ୟତ୍ୱ ନିର୍ବିକାର ଚିତ୍ତରେ ଗ୍ରହଣ କରିଥିଲେ । ମହାରାଜା ରଘୁ ଧନୁର୍ବେଦର ଉପମୂର୍ତ୍ତି । ସେ ଦେବରାଜ ଇନ୍ଦ୍ରଙ୍କୁ ଜୟ କରି କୀର୍ତ୍ତିଲକ୍ଷ୍ମୀଙ୍କୁ ନିଜର କାନ୍ଧରେ ବସାଇଥିଲେ । ସେ ଜଣେ ଦିଗ୍‌ବିଜୟୀ ମହାଶକ୍ତିଧର କ୍ଷତ୍ରିୟପୁଙ୍ଗବ । ସେ ସେତୁବନ୍ଧ ରାମେଶ୍ୱର ପର୍ଯ୍ୟନ୍ତ ସମସ୍ତ ଦେଶ ଜୟ କରିଥିଲେ । ସେ ଗଜସେତୁରେ ସୁବର୍ଣ୍ଣ ରେଖା ନଦୀ ପାରିହୋଇ ମହେନ୍ଦ୍ରଗିରି ଉପରେ ତ୍ରିରାତ୍ର ଅବସ୍ଥାନପୂର୍ବକ ଅସୀମ ସାହସୀ କଳିଙ୍ଗରାଜାଙ୍କୁ ଯୁଦ୍ଧରେ ଜୟ କରିଥିଲେ । ମହାତ୍ମା ରଘୁ ସତତ ମହାଦାନବ୍ରତ ଗ୍ରହଣ କରିଥିଲେ । ସେ ସର୍ବସ୍ୱ ଦାନ କରି ଲକ୍ଷେ ରାଜାର ମହୁଡ଼ମଣି ହୋଇ ସୁଦ୍ଧା ମୃତ୍ତିକା ପାତ୍ରରେ ଜଳ ପାନ କରୁଥିଲେ । ଧର୍ମ ନିମନ୍ତେ ଏହାଠାରୁ ବଳି ତ୍ୟାଗ, ଧୈର୍ଯ୍ୟ ଓ ସହିଷ୍ଣୁତାର ମୂଲ୍ୟବାନ୍‌ ଆଦର୍ଶ ଆଉ କଅଣ ହୋଇପାରେ ?

 

ସେହି ସୂର୍ଯ୍ୟବଂଶରେ ଦଶରଥ ନାମରେ ଜଣେ ପୁଣ୍ୟଶ୍ଳୋକ, ପ୍ରଭାବଶାଳୀ ରାଜା ଜନ୍ମଗ୍ରହଣ କରିଥିଲେ । ସେ ଅଜ ରାଜାଙ୍କର ପୁତ୍ର ଏବଂ ଦାନପୂତ ରଘୁ ରାଜାଙ୍କର ପୌତ୍ର । ସେ ଲୋକରକ୍ଷୀ କ୍ଷତ୍ରିୟରାଜବାଞ୍ଛିତ ସମସ୍ତ ଶୁଭଗୁଣରେ ଧୁରନ୍ଧର ଥିଲେ । ରାଜଲକ୍ଷ୍ମୀ ଓ ରାଜନୀତି ତାଙ୍କୁ ଆଶ୍ରୟ କରି ଧନ୍ୟ ହୋଇଥିଲେ । ବିପଦ ବେଳେ ସ୍ୱୟଂ ଦେବରାଜ ଇନ୍ଦ୍ର ତାଙ୍କର ସାହାଯ୍ୟ ଲୋଡ଼ୁଥିଲେ । ତାଙ୍କ ସୁଶାସନରେ ବାଘଛାଗ ଏକ ତୁଠରେ ପାଣି ପିଉଥିଲେ । ତାଙ୍କର ଏକହସ୍ତ ଦାନରେ ଏବଂ ଅପର ହସ୍ତ ପ୍ରକୃତିସେବାରେ ସର୍ବଦା ବିନିଯୁକ୍ତ ଥିଲା । ତାଙ୍କର ଦେବମୂର୍ତ୍ତି ଦେଖି ଅପରାଧୀର ଆତ୍ମା ଥରିଉଠେ, ସେ ଅବାଧରେ ସତ୍ୟ ପ୍ରକାଶ କରି ପକାଏ । ମହେଷ୍ୱାସ ଦଶରଥ ପ୍ରଜାଙ୍କର ଧନ, ଧର୍ମ ଏବଂ ପ୍ରାଣର ସତର୍କ ପ୍ରହରୀ ଥିଲେ । ସେ ନିଜ ପ୍ରାଣଠାରୁ ପ୍ରଜାପ୍ରାଣକୁ ଅଧିକ ମୂଲ୍ୟବାନ୍‌ ମଣୁଥିଲେ ଏବଂ ପ୍ରଜାକୁଳର ଶକ୍ତିସମଷ୍ଟିରେ ନିଜର ରାଜଶକ୍ତି ଗଠନ କରି ନେଉଥିଲେ । ରାଜଭଣ୍ଡାରକୁ ସେ ପ୍ରଜାଙ୍କର ଗଚ୍ଛିତ ସମ୍ପତ୍ତି ଓ ନିଜକୁ ସେହି ସମ୍ପତ୍ତିର ରକ୍ଷକ ବୋଲି ମଣୁଥିଲେ । ତାଙ୍କର ରାଜସିଂହାସନ ସତ୍ୟ, ଧର୍ମରୂପ ଉଜ୍ଜ୍ୱଳ ମଣିମାଣିକ୍ୟ ସ୍ତୂପ ଉପରେ ପ୍ରତିଷ୍ଠିତ ଥିଲା । ରାଜଚକ୍ରବର୍ତ୍ତୀ ଦଶରଥଙ୍କର କୌଣସି ପାର୍ଥିବ ସୁଖର ଅଭାବ ଥିଲା ନାହିଁ; ମାତ୍ର ଅନପକ୍ୟ ହେତୁ ସେ ସୁଖକୁ ସୁଖ ମଧ୍ୟରେ ଗଣନା କରୁ ନ ଥିଲେ । ସନ୍ତାନଲାଭ ଚିନ୍ତା ତାଙ୍କ ରାଜଜୀବନର ସମସ୍ତ ସୁଖକୁ ନିବିଡ଼ ଭାବରେ ଆଚ୍ଛନ୍ନ କରି ରଖିଥିଲା ।

 

ଦିନେ ଦଶରଥ ପାରିଧି କରିବା ସକାଶେ ବନକୁ ଯାଇଥିଲେ । ମୃଗ ଅନ୍ୱେଷଣ କରୁଁ କରୁଁ ସେ କ୍ରମେ ଯାଇ ଘୋର ଅରଣ୍ୟରେ ପ୍ରବେଶ କଲେ । ଅଦୂରରେ ଅନ୍ଧଋଷିଙ୍କର ଆଶ୍ରମ ଥିଲା-। ସେହି ସମୟରେ ଋଷିକୁମାର ସିନ୍ଧୁ ଜଳ ନେବା ପାଇଁ କଳସୀ ଘେନି ଜଳାଶୟକୁ ଆସିଥିଲେ । ସେ କଳସୀ ବୁଡ଼ାଇବାବେଳେ କଳସୀ ଭିତରୁ ଭକ୍‌ଭକ୍ ହୋଇ ଶବ୍ଦ ବାହାରିଲା । ଦଶରଥ ସେହି ଶବ୍ଦକୁ ମୃଗର ଜଳ ପିଇବା ଶବ୍ଦ ମନେ କରି ବାଣ ନିକ୍ଷେପ କଲେ । ଅଦ୍ଭୁତ ଶବ୍ଦଭେଦୀ ବିଦ୍ୟାରେ ସେ ମହା ବିଚକ୍ଷଣ ଥିଲେ । ସେ ଶବ୍ଦକାରୀକୁ ନଦେଖି କେବଳ ଶବ୍ଦ ଲକ୍ଷ୍ୟ କରି ବାଣ ମାରିଲେ, ସେ ବାଣ ଯାଇ ଶବ୍ଦକାରୀ ଉପରେ ପଡ଼େ । ତାଙ୍କର ସେ ବାଣ ଯାଇ ସିନ୍ଧୁ ମୁନିଙ୍କର ବକ୍ଷ ଭେଦ କଲା । ଦାରୁଣ ଆଘାତ ଯନ୍ତ୍ରଣାରେ ମୁନି ପ୍ରାଣତ୍ୟାଗ କଲେ । ତହୁଁ ଦଶରଥ ନିଜର ଭ୍ରମ ବୁଝିପାରି ବିଶେଷ କ୍ଷୁବ୍‌ଧ ଏବଂ ଅନୁତପ୍ତ ହୋଇ ଅନ୍ଧମୁନିଙ୍କୁ ଯାଇ ଦୀନଭାବରେ ଏ ଦୁଃସମ୍ୱାଦ ଜଣାଇଲେ-। ବୃଦ୍ଧ ତପସ୍ୱୀ ପୁତ୍ରଶୋକରେ ଅଧୀର ହୋଇ ମୃତ୍ୟୁ ପୂର୍ବରୁ ଦଶରଥଙ୍କୁ ଶାପ ଦେଇ କହିଲେ–‘‘ମୋର ଆଉ ମୃତ୍ୟୁର ବିଳମ୍ବ ନାହିଁ, ମୁଁ ଯେପରି ପୁତ୍ରଶୋକରେ ମରୁଅଛି, ତୁମ୍ଭେ ସେହିପରି ପୁତ୍ରଶୋକରେ ମରିବ ।’’ ଦଶରଥ ଏଥିରେ ଦୁଃଖିତ ନ ହୋଇ ବରଂ ଆନନ୍ଦ ପ୍ରକାଶ କରି କହିଲେ-‘‘ମହର୍ଷେ, ଆପଣଙ୍କର ଅଭିଶାପ ମୋ ପକ୍ଷରେ ବର ତୁଲ୍ୟ ହେଲା । ମୁଁ ନିରପତ୍ୟ; କିନ୍ତୁ ଆପଣଙ୍କ ଶାପରେ ପୁତ୍ରବାନ୍‌ ହେବି । ମରେଁ ପଛେ ମାତ୍ର ପୁତ୍ରମୁଖ ଦେଖି ମରିବି, ଏହା ମୋର ଅଳ୍ପ ସୌଭାଗ୍ୟ ନୁହେଁ ।’’ ମୁନି ଏହା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଧ୍ୟାନରେ ନିଯୁକ୍ତ ହେଲେ । ତ୍ରିକାଳଜ୍ଞ ଯୋଗୀ ଯୋଗବଳରେ ଜାଣିପାରିଲେ–ଅମରତ୍ରାସ ରାକ୍ଷସ ରାବଣକୁ ସଂହାର କରିବା ସକାଶେ ସ୍ୱୟଂ ବୈକୁଣ୍ଠେଶ୍ୱର ବିଷ୍ଣୁ ଦଶରଥଙ୍କ ପୁତ୍ରରୂପରେ ଅବତୀର୍ଣ୍ଣ ହେବେ । ଏହି ଭବିଷ୍ୟତ୍‌ ଘଟଣା ଅବଗତ ହୋଇ ଅକ୍ରୋଧୀ ମୁନିଙ୍କର କ୍ରୋଧ କୁଆଡ଼େ ମିଳାଇଗଲା । ସେ ଆହ୍ଲାଦିତ ହୋଇ ମନେ ମନେ ରାଜାଙ୍କୁ ପ୍ରଶଂସା କରି କହିଲେ–‘‘ଧନ୍ୟ ତୁମ୍ଭେ ଦଶରଥ, ତୁମ୍ଭର ଜୀବନ ଧନ୍ୟ, ଜନ୍ମ ସାର୍ଥକ ! କେତେ ଜନ୍ମ ତପସ୍ୟା କରି କେତେ ପୁଣ୍ୟ ସଞ୍ଚୟ କରିଥିଲ ରାଜା ! ଯେ ଜଗତର ପିତା, ତୁମ୍ଭେ ତାଙ୍କର ପିତା ହେବ–ଏ ସୌଭାଗ୍ୟ ସାମାନ୍ୟ ନୁହେଁ ।’’ ଅନ୍ଧ ମୁନି ଏ କଥା ସ୍ପଷ୍ଟ ପ୍ରକାଶ ନ କରି ପ୍ରକାରାନ୍ତରରେ କହିଲେ, ‘‘ରାଜ୍ୟଧର, ତୁମ୍ଭେ ଋଷ୍ୟଶୃଙ୍ଗ ଋଷିଙ୍କ ଦ୍ୱାରା ପୁତ୍ରେଷ୍ଟିଯଜ୍ଞର ଅନୁଷ୍ଠାନ କର–ନିଶ୍ଚୟ ସୁପୁତ୍ର ଲାଭ କରିବ ।’’ ଦଶରଥ ‘ଯେ ଆଜ୍ଞା’ କହି ମୁନିଙ୍କର ଚରଣାର୍ଚ୍ଚନା କଲେ । ଅନନ୍ତର ସସ୍ତ୍ରୀକ ଅନ୍ଧ ମୁନି ପ୍ରାଣତ୍ୟାଗ କଲେ । ଦଶରଥ ସେହି ମୁନି, ମୁନିପତ୍ନୀ ଓ ମୁନିପୁତ୍ରଙ୍କର ଶବ ଅଗ୍ନି ସଂସ୍କାର କରି ରାଜଧାନୀକୁ ଫେରିଗଲେ ।

 

ଯଥା ସମୟରେ ଯଜ୍ଞାନୁଷ୍ଠାନ ହେଲା । ମହାପ୍ରାଜ୍ଞ, ମହର୍ଷି ଋଷ୍ୟଶୃଙ୍ଗ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଅଗ୍ନିରେ ଆହୁତି ପ୍ରଦାନ କଲେ । ଭଗବାନ ଆସି ସେହି ଯଜ୍ଞଚରୁରେ ମିଶିକରି ରହିଲେ । ଯଜ୍ଞ ଯଥାବିଧି ସାଙ୍ଗ ହେଲା ପରେ ଦଶରଥ ସେହି ଚରୁ ନେଇ ତାଙ୍କର କୌଶଲ୍ୟା, କୈକେୟୀ ଓ ସୁମିତ୍ରା ନାମିତା ତିନିରାଣୀଙ୍କୁ ଖାଇବାକୁ ଦେଲେ । ଦଶରଥଙ୍କର ସାତଶ ପଚାଶ ରାଣୀ ମଧ୍ୟରେ ଏହି ତିନିଜଣ ପାଟରାଣୀ ଥିଲେ । ଚରୁ ଭକ୍ଷଣ କରି ସେମାନେ ଗର୍ଭବତୀ ହେଲେ-। ଯଥାସମୟରେ କୌଶଲ୍ୟାଙ୍କ ଗର୍ଭରୁ ରାମଚନ୍ଦ୍ର, କୈକେୟୀଙ୍କ ଗର୍ଭରୁ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ନାମରେ ଦଶରଥଙ୍କର ଚାରିପୁତ୍ର ଜନ୍ମଗ୍ରହଣ କଲେ । ଏକ ବିଷ୍ଣୁ ଚାରିମୂର୍ତ୍ତିରେ ଆବିର୍ଭୂତ ହେଲେ, ନିରାକାର ଆକାରବନ୍ତ ହେଲେ–ଦଶରଥ ଅପୁତ୍ରକ ଦୋଷରୁ ମୁକ୍ତ ହେଲେ । ରାଜକୁମାର ଜନ୍ମ ଉପଲକ୍ଷରେ ଅଯୋଧ୍ୟା ନଗରୀରେ ନାନା ପ୍ରକାର ମଙ୍ଗଳ ମହୋତ୍ସବ ଲାଗିଲା । ରାଜସଂସାର ଓ ନାଗରିକମାନଙ୍କ ପ୍ରାଣରେ ଆନନ୍ଦ ଆଉ ଧରିଲା ନାହିଁ । ସେହି ଆନନ୍ଦାମୃତ ଧାରା ଉଛୁଳି ପଡ଼ି ସରଯୁ ଜଳରେ ମିଶିଲା । ସେହିଦିନୁ ପୁଣ୍ୟସଲିଳା ସରଯୁ ଅମୃତସଲିଳା ହେଲା ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ଚାରି ଭାଇଙ୍କର ରୂପ-ପ୍ରଭାରେ ରାଜପୁରୀ ଆଲୋକିତ ହୋଇ ଉଠିଲା । ସେମାନଙ୍କର ଶରୀର ଭିନ୍ନ ଭିନ୍ନ; ମାତ୍ର ମନ, ପ୍ରାଣ, ହୃଦୟ ଏକ ଥିଲା । ଯେପରି ଗୋଟିଏ ମୃଣାଳରେ ଚାରୋଟି ପଦ୍ମ ଫୁଟିଥିଲା କିମ୍ୱା ଗୋଟିଏ ତାରରେ ଚାରୋଟି ସ୍ୱର ବାଜି ଉଠୁଥିଲା । ଚାରିଭାଇ ଶୁକ୍ଳପକ୍ଷର ଚନ୍ଦ୍ର ପରି ବଢ଼ିବାକୁ ଲାଗିଲେ । ସେମାନଙ୍କ ବୟୋବୃଦ୍ଧି ସଙ୍ଗେ ସଙ୍ଗେ ପିତାମାତାଙ୍କର ଆନନ୍ଦ ଚକ୍ରବୃଦ୍ଧି କଳନ୍ତର ପରି ବହୁଗୁଣିତ ହୋଇଉଠିଲା । ଜ୍ୟେଷ୍ଠ ରାମଚନ୍ଦ୍ର କନିଷ୍ଠତ୍ରୟଙ୍କୁ ପ୍ରାଣାଧିତ ସ୍ନେହ କରୁଥିଲେ । ଅନୁଜମାନେ ମଧ୍ୟ ଅଗ୍ରଜଙ୍କର ଆଜ୍ଞାନୁବର୍ତ୍ତୀ ଥିଲେ । ପ୍ରଧାନତଃ ଲକ୍ଷ୍ମଣ ରାମଚନ୍ଦ୍ରଙ୍କର ଏବଂ ଶତ୍ରୁଘ୍ନ ଭରତଙ୍କର ଏକାନ୍ତ ବାଧ୍ୟ ଓ ଅନୁଗତ ଥିଲେ । ପରସ୍ପରର ହୃଦୟ–ଦର୍ପଣରେ ପରସ୍ପରର ମୂର୍ତ୍ତି ଏବଂ ହର୍ଷବିଷାଦର ଛାୟା ପ୍ରତିଫଳିତ ହେଉଥିଲା । ଏମନ୍ତକି ଜଣେ ପୀଡ଼ିତ ହେଲେ ସମସ୍ତଙ୍କ ପ୍ରାଣରେ ଯନ୍ତ୍ରଣା ଅନୁଭୂତ ହେଉଥିଲା । ତଥା ଜଣଙ୍କର ଆନନ୍ଦରେ ସମସ୍ତଙ୍କ ପ୍ରାଣ ଭିତରେ ଆନନ୍ଦର ଚିହ୍ନ ଫୁଟି ଉଠୁଥିଲା । ଦଶରଥ ପୁତ୍ରମାନଙ୍କୁ ମୁହୂର୍ତ୍ତେ ସୁଦ୍ଧା ଦୃଷ୍ଟି ଉହାଡ଼ରେ ରଖୁ ନ ଥିଲେ । ବିଶେଷତଃ ପ୍ରିୟଦର୍ଶନ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କୁ ସେ ସମଧିକ ସ୍ନେହ କରୁଥିଲେ । ପୁତ୍ରମାନେ ମଧ୍ୟ ପିତାଙ୍କୁ ଦେବତା ତୁଲ୍ୟ ପୂଜାଭକ୍ତି କରୁଥିଲେ । ପିତାମାତାଙ୍କର ସ୍ନେହାମୃତ ଧାରାରେ ଅଭିଷିକ୍ତ ହୋଇ କୁମାରଗଣ କ୍ରମେ କ୍ରମେ ବଢ଼ିଉଠିଲେ । ସେମାନଙ୍କର ବାଲ୍ୟଜୀବନ ବିବିଧ କ୍ରୀଡ଼ାକୌତୁକରେ ଅତିବାହିତ ହେଲା ।

ଅନନ୍ତର ରାଜକୁମାରଗଣ ବଶିଷ୍ଠଙ୍କ ନିକଟରେ ବିଦ୍ୟା ଶିକ୍ଷା କରିବାକୁ ଲାଗିଲେ । ବଶିଷ୍ଠ ଋଷି ସୂର୍ଯ୍ୟବଂଶୀୟ ରାଜାମାନଙ୍କର ମନ୍ତ୍ରୀ ଓ କୁଳପୁରୋହିତ ଥିଲେ । ସେ କୁମାରମାନଙ୍କୁ ଯଥାରୀତି ଶସ୍ତ୍ର ଏବଂ ଶାସ୍ତ୍ରବିଦ୍ୟା ଶିକ୍ଷା ଦେବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ସେମାନେ ସକଳ ବିଦ୍ୟାରେ ବିଶାରଦ ହୋଇ ଉଠିଲେ । ବିଶେଷତଃ ରାମଚନ୍ଦ୍ର ପୂର୍ବାପେକ୍ଷା ଶ୍ରୁତିଧର ହେତୁ ସ୍ୱଳ୍ପ ସମୟ ମଧ୍ୟରେ ପାଶୋରା ପାଠ ପରି ସକଳ ବିଦ୍ୟା ଆୟତ୍ତ କରି ପକାଇଲେ । ତାଙ୍କର ଯୋଗ୍ୟତା, ପ୍ରତିଭା ଓ ତେଜସ୍ୱିତା ପ୍ରଖର ହୋଇ ଫୁଟିଉଠିଲା । ନିଖିଳ ସଦ୍‌ଗୁଣ, ସଦ୍‌ଭାବ ଓ ସଦାଚାର ତାଙ୍କୁ ମହଦାଶ୍ରୟ ମଣି କ୍ରମେ କ୍ରମେ ଆସି ତାଙ୍କର ଶରଣାପନ୍ନ ହେଲେ । ଅଗ୍ନିରେ ମଳିନତା ଥାଇପାରେ; ମାତ୍ର ତାଙ୍କ ଚରିତ୍ରରେ କୌଣସି ଦୋଷ ବା କଳଙ୍କ ଥିଲା ନାହିଁ । ରାଜନୀତି, ଧର୍ମନୀତି, ସମାଜ-ନୀତି, ବ୍ୟବହାର ନୀତି, ଗାର୍ହସ୍ଥ୍ୟ ନୀତି, କୌଳିକ ନୀତି ପ୍ରଭୃତି ତାବତୀୟ ଶୁଭନୀତି ତାଙ୍କ ଶରୀରର ଅଳଙ୍କାର ତୁଲ୍ୟ ହୋଇ ରହିଲେ । ତାଙ୍କ ସୌମ୍ୟରୂପର ଅଦ୍ଭୁତ ମୋହିନୀ ଶକ୍ତି ଥିଲା; ତାଙ୍କୁ ଦେଖିଲାକ୍ଷଣି ଶୋକୀର ଶୋକ, ଦୁଃଖୀର ତାପ କେଉଁଆଡ଼େ ହରିଯାଉଥିଲା । ସେ କ୍ରମେ ଇତର ମହତ୍‌ ସମସ୍ତଙ୍କର ଅତୁଳ ପ୍ରୀତିଭାଜନ ହୋଇ ଉଠିଲେ ।

ବାଲ୍ୟାବସ୍ଥାରେ ରାମଚନ୍ଦ୍ରଙ୍କର ବୀର ଯଶ ଚୌଦିଗରେ ବ୍ୟାପ୍ତ ହୋଇଗଲା । ତାଙ୍କର ଅସ୍ତ୍ର ଲକ୍ଷ୍ୟ ମୁନିଶାପ ତୁଲ୍ୟ ଅବ୍ୟର୍ଥ । ଧନୁର୍ବିଦ୍ୟାରେ ସେ ଧନୁର୍ବେଦର ଗୁରୁସ୍ଥାନୀୟ । ଦୁର୍ବଳ ପ୍ରତି ସେ ବାଣ ପ୍ରୟୋଗ କରନ୍ତି ନାହିଁ । ପ୍ରତ୍ୟୁତ ପ୍ରବଳ ପୀଡ଼ନରୁ ଦୁର୍ବଳକୁ ରକ୍ଷା କରିବା ବିଷୟରେ ତାଙ୍କର ବାଣ ସର୍ବଦା ଉନ୍ମୁଖ ଥାଏ । ତାଙ୍କର ଅମିତ ତେଜ ବିକ୍ରମର କାହାଣୀ ଶୁଣି ଦୁଷ୍ଟ ରାଜାମାନେ ଶଙ୍କିତ ହୋଇ ଉଠିଲେ; ଚୋର, ଖଣ୍ଟ ଓ ଦସ୍ୟୁବର୍ଗ ମହାଭୟରେ ରାଜ୍ୟ ଛାଡ଼ି ପଳାଇଗଲେ । ବିଶ୍ୱରେ ଆଦର୍ଶ ଦେଖାଇବା ପାଇଁ ରାମଚନ୍ଦ୍ରଙ୍କର ଜନ୍ମ, ତାଙ୍କର ପ୍ରତି କଥାରେ ପ୍ରତି କାର୍ଯ୍ୟରେ ପୂର୍ଣ୍ଣ ମାନବର ଆଦର୍ଶ, ପୂର୍ଣ୍ଣ ରାଜନୀତିର ଶୁଭାଦର୍ଶ ପ୍ରଭୃତି ବିବିଧ ମହାଦଶ ରୂପ ଧରି ବାହାରି ଆସିବାକୁ ଲାଗିଲା । ରାଜଧର୍ମ ତାଙ୍କ ଦ୍ୱାରା ଅଳଙ୍କୃତ ହୋଇ କୃତାର୍ଥ ହେଲା ।

କ୍ରମେ ରାମଚନ୍ଦ୍ର ବାଲ୍ୟସୀମା ଅତିକ୍ରମ କରି କୈଶୋରରେ ପଦାର୍ପଣ କଲେ । ତାଙ୍କର ଚିନ୍ତାଶକ୍ତି, ଧାରଣାଶକ୍ତି ପ୍ରଭୃତି ବହୁମୁଖୀ ହୋଇଉଠିଲା । ଜ୍ଞାନଲାଭ-ତୃଷ୍ଣା ବଳବତୀ ହୋଇଉଠିଲା । ନାନାବିଧ ଉଚ୍ଚ ଚିନ୍ତାରେ ସେ ସର୍ବଦା ଅବହିତ ରହିଲେ । ସୁଖଦୁଃଖ, ପାପପୁଣ୍ୟ, ଜନ୍ମମରଣ ପ୍ରଭୃତିର ଦୁରୁହ ରହସ୍ୟ ଭେଦ କରିବାକୁ ଅକ୍ଷମ ହୋଇ ତାଙ୍କର ହୃଦୟ ଘାଣ୍ଟି ହେବାକୁ ଲାଗିଲା । ସନ୍ଦେହ କ୍ରମେ ଘନୀଭୂତ ହୋଇ ଉଠିଲା । ବିରୁଦ୍ଧମତବାଦୀ ଶାସ୍ତ୍ରପୁରାଣ ସେ ସନ୍ଦେହ ଭାଙ୍ଗିବାକୁ କ୍ଷମ ହୋଇପାରିଲା ନାହିଁ । ସେଥିରେ ସାର ସୂକ୍ଷ୍ମ ତତ୍ତ୍ୱ ଖୋଜି ବାହାର କରିବା ଅସମ୍ଭବ ପରି ବୋଧ ହେଲା । ମୁଁ କିଏ, କେଉଁଠୁ ଆସିଛି, କାହିଁକି ଆସିଛି ପୁଣି କେଉଁଠିକି ଯିବି, ମୋର କିଏ, ମୁଁ ବା କାହାର–ଏ ସମସ୍ତର ଗଭୀର ସମସ୍ୟା କିଛି ବୁଝିହେଲା ନାହିଁ । ଚିତ୍ତ ଉଚ୍ଚାଟ ହେବାକୁ ଲାଗିଲା; ସୁତରାଂ ସଂସାର ପ୍ରତି ବୈରାଗ୍ୟ ଜାତ ହେଲା । ତତ୍ତ୍ୱଜ୍ଞାନ ଜିଜ୍ଞାସା ଅପୂର୍ଣ୍ଣ ରହିଲେ ଭାବୁକ ମନରେ ଏହିପରି ଭାବାନ୍ତର ଘଟିବା ସ୍ୱାଭାବିକ । ସଂସାରରେ ଦୁଇ ପ୍ରକାର ବାତୁଳ ଦେଖାଯାନ୍ତି–ଯେ ଛିନ୍ନମତି, ସେ ବାତୁଳ, ଆଉ ଯେ ଯେଡ଼େ ଭାବୁକ, ସେ ତେଡ଼େ ବାତୁଳ-। ଯାହାର ଜ୍ଞାନ ଯେତେ ଅଧିକ, ତାହାର ସନ୍ଦେହ ବି ତେତେ ଅଧିକ । ସଦ୍‌ଗୁରୁ ବ୍ୟତୀତ ସନ୍ଦେହ କେହି ଭାଙ୍ଗିପାରେ ନାହିଁ । ପରିପକ୍ୱ ବୁଦ୍ଧି ବୃଦ୍ଧମାନେ ରାମଚନ୍ଦ୍ରଙ୍କର ଏହି ସନ୍ଦେହ ଭଞ୍ଜନ କରିବା ପାଇଁ ନାନା ଯୁକ୍ତିତର୍କର ଆଶ୍ରୟ ଗ୍ରହଣ କଲେ; ମାତ୍ର କୃତକାର୍ଯ୍ୟ ହୋଇପାରିଲେ ନାହିଁ । ସେମାନଙ୍କ କଥାରେ ତତ୍ତ୍ୱପିପାସୁ ରାମଙ୍କର ଆତ୍ମା ପରିତୃପ୍ତ ହେଲା ନାହିଁ । ଶେଷରେ ବଶିଷ୍ଠ ମହର୍ଷି ନାନାବିଧ ଜ୍ଞାନୋପଦେଶ ଦ୍ୱାରା ଯୋଗବଳରେ ତାଙ୍କର ସନ୍ଦେହ ମୋଚନ କଲେ । ତାଙ୍କର ସେହି ଜ୍ଞାନଗର୍ଭ ଉପଦେଶ ଯୋଗ ବଶିଷ୍ଠ ରାମାୟଣରେ ବର୍ଣ୍ଣିତ ହୋଇଅଛି । ସେ ଗ୍ରନ୍ଥ ଖଣ୍ଡିକୁ ରାମାୟଣର ଗୀତା ନାମରେ ଅଭିହିତ କରାଯାଇପାରେ । ତାହା ବ୍ୟତୀତ ରାମାୟଣ ଅସମ୍ପୂର୍ଣ୍ଣ । ରାମାୟଣ ବିକଶିତ କମଳ-କୁସୁମ, ଯୋଗବାଶିଷ୍ଠ ତାହାର ସ୍ୱର୍ଗୀୟ ସୌରଭ । ରାମଚନ୍ଦ୍ର ମର୍ତ୍ତ୍ୟରେ ମାନବ ରୂପରେ ଜନ୍ମ ଲଭିଥିବାରୁ ତାଙ୍କର ଐଶ୍ୱରୀୟ ବିଭୂତି ଉପରେ ମାନବ-ସ୍ୱଭାବ-ସୁଲଭ ଗୋଟାଏ ଆତ୍ମବିସ୍ମୃତିର ପରଳ ଘୋଟିଯାଇଥିଲା । ବଶିଷ୍ଠ ମହର୍ଷିଙ୍କ ତତ୍ତ୍ୱ ଉପଦେଶ ଓ ତପୋବଳରେ ତାହା ଅନ୍ତର୍ହିତ ହୋଇଗଲା, ଈଶ୍ୱର ବିଭୂତି ଉଜ୍ଜ୍ୱଳ ଭାବରେ ପ୍ରକାଶିତ ହୋଇ ଉଠିଲା; ସୃଷ୍ଟିର ସକଳ ରହସ୍ୟ ତାଙ୍କ ମନରେ ପଡ଼ିଗଲା । ସବୁ ଯେ ତାଙ୍କରି ଲୀଳା, ତାହା ସେ ବୁଝିପାରିଲେ–ମନରୁ ସମସ୍ତ ସଂଶୟ ତୁଟିଗଲା ।

ଦିନେ ମହାତପା ମହର୍ଷି ବିଶ୍ୱାମିତ୍ର ଆସି ଦଶରଥଙ୍କୁ କହିଲେ–‘‘ମହାରାଜ, ସିଦ୍ଧାଶ୍ରମରେ ଦୁଷ୍ଟ ରାକ୍ଷସକୁଳର ଉପଦ୍ରବ ଅସହ୍ୟ ହୋଇଅଛି । ସୁବାହୁ, ମାରୀଚ ନାମରେ ଦୁଇଟା ରାକ୍ଷସ ଆମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି । ଋଷିମାନେ ଯଜ୍ଞାରମ୍ଭ କଲେ, ହୋମଧୂମର ଆଘ୍ରାଣ ପାଇ ସେ ଦୁହେଁ ଦଳବଳ ସହ ଆସି ଯଜ୍ଞକୁଣ୍ଡରେ ରକ୍ତମାଂସ ପ୍ରଭୃତି ଅମେଧ୍ୟ ନିକ୍ଷେପ କରି ଯଜ୍ଞ ଭଙ୍ଗ କରୁଅଛନ୍ତି । ମୁଁ ସମ୍ପ୍ରତି ଯଜ୍ଞରେ ଦୀକ୍ଷିତ ହୋଇଅଛି, ତୁମ୍ଭେ ରାମଚନ୍ଦ୍ରଙ୍କୁ ମୋ ସଙ୍ଗରେ ପଠାଅ, ସେ ରାକ୍ଷସ ସଂହାର କରି ମୋର ଯଜ୍ଞ ରକ୍ଷା କରିବେ ।’’ ଦଶରଥ ଏହା ଶୁଣି ବିସ୍ମୟବୋଳା ମୃଦୁ ହାସ୍ୟରେ କହିଲେ-‘‘ଋଷିବର, ଆପଣ ଏ କିପରି କଥା କହୁଛନ୍ତି ? ମୋର ରାମ ବର୍ତ୍ତମାନ ପନ୍ଦର ବର୍ଷର ବାଳକ ସେ ଯୁଦ୍ଧର କଅଣ ଜାଣେ ? ତାହାର ଶିଥିଳ ମୁଷ୍ଟି ଦୃଢ଼ ହୋଇନାହିଁ, ହାତରେ ଜ୍ୟାଘର୍ଷଣର ଚିହ୍ନ ବସି ନାହିଁ; ସେ କି ମହା ମାୟାବୀ ମହାବଳୀ ରାକ୍ଷସ-ସଂହାରରେ ସମର୍ଥ ହେବ ? ଆପଣଙ୍କର ଆଦେଶ ହେଲେ ମୁଁ ମୋର ପ୍ରଧାନ ସେନାପତିମାନଙ୍କ ସହ ଅକ୍ଷୌହିଣୀସଂଖ୍ୟକ ବିରାଟ ବାହିନୀ ଘେନି ରାକ୍ଷସ-ବଧାର୍ଥେ ଏହିକ୍ଷଣି ଅଭିଯାନ କରିବି ।’’ ବିଶ୍ୱାମିତ୍ର ହସି ହସି କହିଲେ, ‘‘ନୃପବର, ତୁମ୍ଭେ ରାମଚନ୍ଦ୍ରଙ୍କୁ ପୁତ୍ର ଭାବରେ ଦେଖୁଥିବାରୁ ଏପରି ଦୁର୍ବଳ ଉକ୍ତି କରୁଅଛ । ରାକ୍ଷସ-ବଧ ସକାଶେ ଯେ ତାଙ୍କର ଜନ୍ମ, ଏହା ତୁମ୍ଭେ ଜାଣ ନାହିଁ । ତୁମ୍ଭର ଅମୂଲ୍ୟ ପିତୃସ୍ନେହ ତାଙ୍କର ଅସୀମ ଶକ୍ତିସାମର୍ଥ୍ୟକୁ ତୁମ୍ଭ ଦୃଷ୍ଟିରେ କ୍ଳୀବ କରି ରଖିଅଛି, ତହୁଁ ତୁମ୍ଭେ ଅନନ୍ତକୁ ସାନ୍ତ ବୋଲି ମଣୁଅଛ । ସ୍ୱୟଂ ତୁମ୍ଭର ଯୁଦ୍ଧ ଯାତ୍ରା କରିବାର ଆବଶ୍ୟକ ନାହିଁ । ଆମ୍ଭେ ମୁନିଋଷିମାନେ ଭିକାରୀବ୍ରାହ୍ମଣ, ତୁମ୍ଭ ବିରାଟ ବାହିନୀ ପୋଷିବାକୁ ଆମ୍ଭର ସମ୍ବଳ ବା କାହିଁ ? ତୁମ୍ଭେ କିଛିମାତ୍ର ଭୟ କର ନାହିଁ, ରାମଚନ୍ଦ୍ର ମୋ ଦ୍ୱାରା ସଂରକ୍ଷିତ ହୋଇ ରାକ୍ଷସ ବଧ କରିବେ । ସେଥିରେ ତାଙ୍କର ଯଶ, ଧର୍ମ, ପୌରୁଷ ବହୁଗୁଣ ବଢ଼ିଉଠିବ । ତପୋବନବାସୀ ମୁନିଋଷିମାନଙ୍କର ଆଶୀର୍ବାଦ ଓ ତପୋବଳ ଯାହାଙ୍କୁ ବଜ୍ର କବଚ ଘେରି ରହିବ, ତାଙ୍କର ଲୋମ ସ୍ପର୍ଶ କରିବାକୁ କେଉଁ ଦୁଃସାହାସୀ ବା ସମର୍ଥ ହେବ ?’’ ଶେଷ କଥାଟି ବିଶ୍ୱାମିତ୍ର ଟିକିଏ ଜୋରରେ କହିବାରୁ ଦଶରଥ ଶଙ୍କିତ ହୋଇ ମନେ ମନେ ଭାବିଲେ–ମହାକ୍ରୋଧୀ ବିଶ୍ୱାମିତ୍ର କ୍ରୁଦ୍ଧ ହେଲେ ଶାପାନଳରେ ଅଯୋଧ୍ୟାକୁ ଭସ୍ମ କରିଦେଇ ପାରନ୍ତି, ତାଙ୍କୁ ବିରକ୍ତ କରିବା ନିରାପଦ ନୁହେଁ । ସ୍ୱୟଂ ବିଧାତା ପୁରୁଷ ପରି ଯେ ଗୋଟାଏ ସ୍ୱତନ୍ତ୍ର ସୃଷ୍ଟି ରଚନା କରିଛନ୍ତି, ପୁଣି ଅଲୌକିକ ତପସ୍ୟା ପ୍ରଭାବରେ ବ୍ରହ୍ମର୍ଷି ପଦବୀକୁ ଉନ୍ନୀତ ହୋଇଛନ୍ତି, ସେହି ଅଦ୍ଭୁତକର୍ମ ମହାପୁରୁଷଙ୍କର ଅସାଧ୍ୟ ବା କଅଣ ? ଦୁଷ୍ଟ ଅସୁରଙ୍କୁ ବଧ କରିବା ତାଙ୍କ ପକ୍ଷରେ ଅସମ୍ଭବ ନୁହେଁ, ବରଂ ଅତି ସହଜ । ସେ ତାହା ନ କରି ରାମଚନ୍ଦ୍ରଙ୍କୁ ଯଶ ଦେବା ସକାଶେ ଉପଯାଚକ ହୋଇ ଆସିଛନ୍ତି, ଏହା ପରମ ସୌଭାଗ୍ୟର ବିଷୟ-। ଏତଦ୍ଦ୍ୱାରା ତପପ୍ରାଣ ଋଷିଙ୍କର ରାମଚନ୍ଦ୍ର ପ୍ରତି ଅତୁଳ ଅନୁଗ୍ରହ ସୂଚିତ ହେଉଛି । ସୁତରାଂ ଏ ମାହେନ୍ଦ୍ର ସୁଯୋଗ ଉପେକ୍ଷା କରିବା ଶ୍ରେୟସ୍କର ନୁହେଁ ।’’ ମହାମନସ୍ୱୀ ଦଶରଥ ଏହିପରି ଭାବି କୃତାଞ୍ଜଳି ହୋଇ ବିଶ୍ୱାମିତ୍ରଙ୍କୁ କହିଲେ, ‘‘ମହର୍ଷେ ! ମୋର ଦୁର୍ବଳତା କ୍ଷମା କରନ୍ତୁ । ବାସ୍ତବରେ ଆପଣଙ୍କ ପରି ସିଦ୍ଧତପା ମହାତ୍ମା ଯାହାର ପୃଷ୍ଠରକ୍ଷୀ, ସେ କେଉଁ କାର୍ଯ୍ୟରେ ଅକ୍ଷମ ? ଆପଣ ରାମଚନ୍ଦ୍ର, ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇଯାଇ ତପୋବନ ନିରାପଦ କରନ୍ତୁ ।’’ ଏହା କହି ଦଶରଥ ପ୍ରତିହାରୀଦ୍ୱାରା ରାମଚନ୍ଦ୍ରଙ୍କୁ ଡାକି ପଠାଇଲେ । ବିଶ୍ୱାମିତ୍ର ସିଦ୍ଧମନୋରଥ ହୋଇ ଦଶରଥଙ୍କୁ ଭୂରି ଭୂରି ପ୍ରଶଂସା ସହ ଆଶୀର୍ବାଦ କରିବାକୁ ଲାଗିଲେ ।

କୌଶଲ୍ୟା ଏ ସମ୍ୱାଦ ଶୁଣି ଆନନ୍ଦରେ ଆତ୍ମବିସ୍ମୃତ ହୋଇଗଲେ । ତାଙ୍କର ସର୍ବଗୁଣଧର ପ୍ରିୟପୁତ୍ର ରାମଚନ୍ଦ୍ର ଆଜି ପ୍ରଥମ ଯୁଦ୍ଧଯାତ୍ରା କରିବେ, ବୀରକନ୍ୟା, ବୀରପତ୍ନୀ, ବୀରଜନନୀ ପକ୍ଷରେ ଏହାଠାରୁ ବଳି ଆନନ୍ଦ ଆଉ କଅଣ ଅଛି ? ସେ ରାମଚନ୍ଦ୍ରଙ୍କୁ ବୀରବେଶରେ ସଜାଇବାକୁ ଲାଗିଲେ । ମସ୍ତକରେ ମହାର୍ହ ମଣିମୟ ବୀର କିରୀଟ ପିନ୍ଧାଇଦେଲେ, ଦେହରେ ରତ୍ନସାଞ୍ଜୁ ପିନ୍ଧାଇ ତାହା ଉପରେ ବୀର ଅଳଙ୍କାର, ନାନାବିଧ ଅସ୍ତ୍ରଶସ୍ତ୍ର ଖଞ୍ଜିଲେ । କଟିରେ ଅସିକୋଷ ଲମ୍ବାଇଦେଲେ, ପୃଷ୍ଠରେ ଶରପୂର୍ଣ୍ଣ ନିଃସଙ୍ଗ ବାନ୍ଧିଦେଇ ହାତରେ ଧନୁଶର ଧରାଇଦେଲେ । ପୁତ୍ରର ବୀରବେଶ ଦେଖି ବୀରମାତା ହୃଦୟରେ ଆନନ୍ଦ ଓ ସନ୍ତୋଷର ଉତ୍ତାଳ ତରଙ୍ଗ ଖେଳିଗଲା । ସେ ରାମଚନ୍ଦ୍ରଙ୍କୁ କୋଳରେ ବସାଇ ତାଙ୍କର ଶିରଶ୍ଚୁମ୍ୱନ କଲେ । ଅନନ୍ତର ରକ୍ଷାମନ୍ତ୍ରରେ ଆଶୀର୍ବାଦ କରି ପୁତ୍ରକୁ ପିତୃ ସମୀପକୁ ପଠାଇଦେଲେ ।

ରାମଚନ୍ଦ୍ର, ଲକ୍ଷ୍ମଣ ବୀରବେଶରେ ଆସି ପିତାଙ୍କର ପଦବନ୍ଦନା କଲେ । ତହୁଁ ଦଶରଥ ପୁତ୍ରଦୁହିଙ୍କୁ ବିଶ୍ୱାମିତ୍ରଙ୍କ ହସ୍ତରେ ସମର୍ପଣ କଲେ ଏବଂ ଋଷିଙ୍କ ଆଜ୍ଞାନୁବର୍ତ୍ତୀ ହେବା ସକାଶେ ସେମାନଙ୍କୁ ଆଦେଶ ପ୍ରଦାନ କଲେ । ରାମ ଲକ୍ଷ୍ମଣ ପ୍ରଥମ ସମରଯାତ୍ରା କଲେ । ପୁରୋଧା ବିପ୍ରଗଣ ମଙ୍ଗଳମନ୍ତ୍ର ଆବୃତ୍ତି କଲେ । ବିଶ୍ୱାମିତ୍ର ଆଗରେ ଚାଲିଲେ, ରାମ ଲକ୍ଷ୍ମଣ ଗୁରୁ ପଛରେ ଚେଲା ପରି ତାଙ୍କର ଅନୁଗମନ କଲେ ।

Image

 

ତୃତୀୟ ପରିଚ୍ଛେଦ

 

ରାମ, ଲକ୍ଷ୍ମଣ ଓ ବିଶ୍ୱାମିତ୍ର ଗଭୀର ଅରଣ୍ୟ ମଧ୍ୟରେ ଯାଉଁ ଯାଉଁ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହିଲେ–‘‘ମହାରାଜକୁମାର, ତୁମ୍ଭେ ବଳା, ଅତି ବଳାନାମ୍ନୀ ଦୁଇଟି ମହାବିଦ୍ୟା ମୋଠାରୁ ଶିକ୍ଷାକର-। ସେହି ବିଦ୍ୟା ପ୍ରଭାବରେ କ୍ଷୁଧାତୃଷାର ବାଧା ଜଣାଯାଏ ନାହିଁ । ବହୁକାଳଯାଏଁ ନିରାହାର ରହିଲେ ସୁଦ୍ଧା ବଳହାନି ହୁଏ ନାହିଁ, ଏହା ଶିଖିଲେ ତୁମ୍ଭେ ଅସୁରକୁଳର ଅଧର୍ଷଣୀୟ ହେବ ।’’ ରାମଚନ୍ଦ୍ର ଏହା ଶୁଣି ଆନନ୍ଦପ୍ରକାଶପୂର୍ବକ ତାପସପ୍ରବର ବିଶ୍ୱାମିତ୍ରଙ୍କ ପାଦମୂଳରେ ପ୍ରଣାମ କରି କହିଲେ–‘‘ଗୁରୁଦେବ, ଆପଣଙ୍କ ଆଜ୍ଞା ଏ ସେବକର ଶିରୋଧାର୍ଯ୍ୟ ।’’ ଅନନ୍ତର ରାମ ଲକ୍ଷ୍ମଣ ଦୁହେଁ ସ୍ନାନ କରିଆସି ଶୁଦ୍ଧପୂତ ମନରେ ଉକ୍ତ ମହୋପକାରିଣୀ ଶୁଭବିଦ୍ୟା ଶିକ୍ଷାକଲେ । ତାଡ଼କା ବନ ନିକଟରେ ଉପସ୍ଥିତ ହୋଇ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହିଲେ–‘‘ବତ୍ସ, ଅବହିତ ହୁଅ । ଏଠାରୁ ଅଳ୍ପ ଦୂରରେ ତାଡ଼କାନାମ୍ନୀ ଦୁରନ୍ତା ରାକ୍ଷସୀର ବାସ । ସେହି ଦୁଷ୍ଟା ଯୋଗୁଁ ତପୋବନ ଶ୍ମଶାନ ହୋଇଅଛି । ପାମରୀ ଯେ କେତେ ଯୋଗୀ, ତପସ୍ୱୀଙ୍କୁ ଆହାର କରିଛି, ସେଥିର ସଂଖ୍ୟା ନାହିଁ । ପାପୀୟସୀର କ୍ଷୁଧା ବି ସାମାନ୍ୟ ନୁହେଁ, ତପଃକ୍ଷୀଣ ବପୁ ତପସ୍ୱିବର୍ଗହିଁ ତାହାର ପ୍ରିୟ ଫଳାହାର । ଦଶଜଣ ତପସ୍ୱୀ ତାହାର ବାଳଭୋଗକୁ ନିଅଣ୍ଟ । ସେ ଦେବ, ଦାନବ, ଯକ୍ଷ, ରାକ୍ଷସ ସମସ୍ତଙ୍କର ଅଜେୟ । ଦୁବୃର୍ତ୍ତାର ବିକଟ ରଡ଼ି ଶୁଣିଲେ ପିଣ୍ଡରୁ ପ୍ରାଣ ଛାଡ଼ିଯାଏ । ତୁମ୍ଭେ ସେହି ବ୍ରହ୍ମଘାତିନୀକୁ ସଂହାର କରି ଅତୁଳ ଧର୍ମ ଓ ଯଶଶ୍ରୀରେ ମଣ୍ଡିତ ହୁଅ ।’’ ରାମଚନ୍ଦ୍ର ଏହା ଶୁଣି ଧନୁଷ୍ଟଙ୍କାର କଲେ । ସେହି ନିର୍ଘାତ ଶବ୍ଦ ପ୍ରଳୟ କାଳର ଘଡ଼ଘଡ଼ି ତୁଲ୍ୟ ରାକ୍ଷସୀର କର୍ଣ୍ଣପଟହ ଛିନ୍ନଭିନ୍ନ କରିଦେଲା । ତହୁ ସେ ମହାକ୍ରୋଧରେ ଗର୍ଜିଉଠି ଧୂଳିରେ ଅନ୍ଧକାର ସୃଷ୍ଟି କରି ଝଡ଼ ଗତିରେ ଧାବମାନ ହେଲା । ପ୍ରଥମେ ସେ ବିଶ୍ୱାମିତ୍ରଙ୍କୁ ଆକ୍ରମଣ କରିବାକୁ ଆସିଲା; ମାତ୍ର ଋଷି ହୁଙ୍କାର ଶଦ୍ଧରେ ତାକୁ ସ୍ତମ୍ଭୀଭୂତ କରିଦେଲେ । ଦୁଷ୍ଟା ସେଆଡ଼ୁ ଫେରି ରାମଚନ୍ଦ୍ରଙ୍କ ଆଡ଼କୁ ଧାଇଁଲା । ରାମଚନ୍ଦ୍ର ତାହାର ବୀଭତ୍ସ ବିକୃତ ରୂପ ଦେଖି ହସି ଉଠିଲେ ଏବଂ ତତ୍‌କ୍ଷଣାତ୍‌ ତୀକ୍ଷ୍‌ଣାସ୍ତ୍ର ପ୍ରୟୋଗ କରି ତାହାର ତାଳତରୁ ସଦୃଶ ବନ୍ଧୁରୁ ଧୂସର ପ୍ରକାଣ୍ଡ ବାହୁଦ୍ୱୟ ଛେଦନ କଲେ । ତହିଁପରେ ରାମପ୍ରାଣ ବୀରଚୂଡ଼ା ଲକ୍ଷ୍ମଣଙ୍କ ଅବ୍ୟର୍ଥ ଅସ୍ତ୍ରରେ ତାଡ଼କାର ନାସାକର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଲା । ତହୁଁ ମାୟାବିନୀ ମାୟା ବିସ୍ତାର କରି ପ୍ରସ୍ତର ବୃଷ୍ଟି କରିବାକୁ ଲାଗିଲା । ତାହାର ଭୀଷଣ ଗର୍ଜନରେ ଅରଣ୍ୟ ପ୍ରକୃତି ଥରହର ହୋଇ ବିକମ୍ପିତ ହେଲା । ଏହି ସମୟରେ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହିଲେ–ରାଜନନ୍ଦନ, ସନ୍ଧ୍ୟା ଆଗତ ପ୍ରାୟ, ସନ୍ଧ୍ୟା ହେଲେ ଦୁଷ୍ଟା ସମଧିକ ବଳ ଲାଭ କରିବ । ସନ୍ଧ୍ୟାବେଳେ ରାକ୍ଷସମାନେ ଦୁର୍ଦ୍ଧର୍ଷ ହୋଇଉଠନ୍ତି । ଅତଏବ ତୁମ୍ଭେ ବିଳମ୍ବ ନ କରି ପାପିଷ୍ଠା ରାକ୍ଷସୀର ପ୍ରାଣ ସଂହାର କର ।’’ ଗୁରୁବତ୍ସଳ ରାମ ଗୁରୁ-ଆଜ୍ଞାରେ ସଂହାରାସ୍ତ୍ର ପ୍ରୟୋଗ କଲେ । ରାକ୍ଷସୀ ବିଦ୍ଧବକ୍ଷା ହୋଇ ବଜ୍ରାଘାତରେ ପ୍ରକାଣ୍ଡ ତରୁ ପ୍ରାୟ ତଳେ ପଡ଼ି ପ୍ରାଣତ୍ୟାଗ କଲା-। ରାମଚନ୍ଦ୍ରଙ୍କ ଜୀବନରେ ଏହା ପ୍ରଥମ ଯୁଦ୍ଧ । ଏ ଯୁଦ୍ଧ ଜୟକୁ ମୁନିଋଷିମାନେ ତାଙ୍କ ଭାବୀ ଜୀବନର ଶୁଭ ସୂଚନା ମଣିଲେ । ସେମାନେ ଆଶୀର୍ବାଦ କରି କହିଲେ–‘‘ଆଜି ବିଜୟଲକ୍ଷ୍ମୀ ତୁମ୍ଭଙ୍କୁ ଆଶ୍ରୟ କଲେ, ସେ ଆଜୀବନ ତୁମ୍ଭ ପାଖରେ ଅଚଳା ହୋଇ ରହିବେ ।’’ ବିଶ୍ୱାମିତ୍ର ଅତୀବ ସନ୍ତୁଷ୍ଟ ହୋଇ ରାମଙ୍କର ମଙ୍ଗଳ କାମନା କଲେ । ସେ ରାମଚନ୍ଦ୍ରଙ୍କୁ ‘‘ଦଣ୍ଡଚକ୍ର, କାଳଚକ୍ର, ଧର୍ମଚକ୍ର, ବିଷ୍ଣୁଚକ୍ର, ବଜ୍ରାସ୍ତ୍ର, ବ୍ରହ୍ମାସ୍ତ୍ର, ବ୍ରହ୍ମଶିଳା, ଐଶିକ’’ ପ୍ରଭୃତି ଭୂବନ-ବିଜୟୀ ମହାସ୍ତ୍ରମାନ ପ୍ରଦାନ କଲେ । ପ୍ରୟୋଗ ଓ ସମ୍ୱରଣ ମନ୍ତ୍ର ସହ ରାମଚନ୍ଦ୍ର ତାହା ସବୁ ପରିଗ୍ରହଣ କରି କୃତାଞ୍ଜଳିପୁଟରେ କୃତଜ୍ଞତା ଜ୍ଞାପନ କଲେ ଏବଂ ଗୁରୁପଦତଳେ ଭକ୍ତିରେ ଅଭିବାଦନ କଲେ । ବିପୁଳ ଆନନ୍ଦରେ ତାଙ୍କର ହୃଦୟ ଉଦ୍ଦେଳିତ ହୋଇଉଠିଲା । ବୀର ପକ୍ଷରେ ବୀରଭୂଷଣ ଅସ୍ତ୍ରଲାଭ ସିନା ଚୂଡ଼ାନ୍ତ ପୁରସ୍କାର । ସେ ବିନୟ ପ୍ରକାଶ କରି କହିଲେ–‘‘ଗୁରୁଦେବ, ଆପଣଙ୍କର ଏ ଦୁର୍ଲଭ ମହାଦୟାର ପ୍ରତିଦାନ ଏ ସେବକ କଅଣ ଦେଇପାରିବ । ଖାଲି ସେବା, ଭକ୍ତି ଏହାର ପ୍ରତିଦାନ ନୁହେଁ, ତାହାଠାରୁ ବଳି ଆଉ ଯଦି କିଛି ଥାଆନ୍ତା, ତେବେ ଅବା ତାହା ତୁଲ୍ୟ ହୋଇପାରନ୍ତା । ବିଶ୍ୱାମିତ୍ର ଏ କଥାରେ ଏକାବେଳକେ ମୁଗ୍‌ଧ ହୋଇଯାଇ କହିଲେ–‘‘ନୃପାତ୍ମଜ, ଏଭଳି ଭକ୍ତି, ବିନୟ, ସୌଜନ୍ୟ, ଶିଷ୍ଟାଚାର ତୁମ୍ଭରିଠାରେ ଏକା ସମ୍ଭବ । ତୁମ୍ଭେ ମହାବଂଶ ଅଳଙ୍କୃତ କରିଅଛ, ତୁମ୍ଭର କଥା ସୁଦ୍ଧା ମହା ମୂଲ୍ୟବାନ୍‌ ।

 

ଏଥିଉତ୍ତରୁ ସମସ୍ତେ ଯାଇ ସିଦ୍ଧାଶ୍ରମରେ ଉପସ୍ଥିତ ହେଲେ । ଅହୋ, କି ନିବିଡ଼ ଭୟଙ୍କର ବନ । ସର୍ବଦା ନୀରବ, ନିସ୍ତବ୍‌ଧ । ସେଠାରେ ସମସ୍ତେ ଯେପରି ମୌନ । ସେହି ମୌନର ନୀରବ ବାଣୀ ବ୍ୟକ୍ତ ହୋଇ ଉଠୁଅଛି । ଶାଳ, ତାଳ ପ୍ରଭୃତି ଉତ୍ତୁଙ୍ଗ ବୃକ୍ଷମାନ ଏକଗୋଡ଼ିଆ ଭୂତ ପରି ପତ୍ରଛତ୍ର ଧରି ଠେସାଠେସି ହୋଇ ଠିଆ ହୋଇଛନ୍ତି । ସ୍ଥାନେ ସ୍ଥାନେ ଅନ୍ଧାର ବାଟ ହୁଡ଼ିଲା ପରି ଏଣେ ତେଣେ ଘୂରି ବୁଲୁଅଛି । ନିର୍ଝରର ଝର୍ଝର ଶବ୍ଦରେ ବନ ମୁଖରିତ-। ସତେ ଯେପରି ଜଳତରଙ୍ଗଯନ୍ତ୍ରର ମଧୁର ନିକ୍ୱଣ ଝଙ୍କାରିତ ହୋଇଉଠୁଅଛି । ରାମଚନ୍ଦ୍ର ବନ ଦେଖି ପରମାନନ୍ଦ ଉପଭୋଗ କଲେ । ସିଦ୍ଧାଶ୍ରମବାସୀ ଋଷିବୃନ୍ଦ ତାଙ୍କୁ ଦେଖି ଦେହରେ ନବଶକ୍ତି ଲାଭ କଲା ଭଳି ମଣିଲେ । ସେମାନେ ଉପଯୁକ୍ତ ଆଶ୍ରୟ ପାଇ ବିପୁଳ ଉତ୍ସାହରେ ଯଜ୍ଞରେ ଦୀକ୍ଷିତ ହେଲେ । ବିଶ୍ୱାମିତ୍ରଙ୍କ ଇଙ୍ଗିତକ୍ରମେ ରାମଚନ୍ଦ୍ର ଓ ଲକ୍ଷ୍ମଣ ଧନୁର୍ବାଣ ଧରି ସେମାନଙ୍କ ରକ୍ଷାରେ ନିଯୁକ୍ତ ରହିଲେ । ଯଜ୍ଞଧୂମରାଶି ଆକାଶରେ ଦିଶିଲାକ୍ଷଣି ମାରୀଚ ଓ ସୁବାହୁ ନାମକ କାମଗତି ରାକ୍ଷସଦ୍ୱୟ ଦଳବଳ ସହ ଶୂନ୍ୟରେ ରହି ତପୋବନ ଉପରେ ରୁଧିର ବୃଷ୍ଟି କଲେ । ତହୁଁ ରାମ ଲକ୍ଷ୍ମଣ ଦୁଇ ଭାଇ ସେହି ରାକ୍ଷସ-ବାହିନୀକୁ ଲକ୍ଷ୍ୟ କରି ବାଣ ପ୍ରହାର କଲେ । ସୁବାହୁ ରାମ-ବାଣରେ ବିଦ୍ଧ ହୋଇ ଭୂପତିତ ହେଲା ଏବଂ ରୁଦ୍ରଦର୍ଶନ ମାରୀଚକୁ ହାବୁଡ଼ା ଶର ଧକା ମାରି ମାରି ନେଇ ଶତ ଯୋଜନ ଦୂରବର୍ତ୍ତୀ ସମୁଦ୍ରଗର୍ଭରେ ନିକ୍ଷେପ କଲା । ସେହିଦିନୁ ଭୟରେ ସେ ଆଉ ସିଦ୍ଧାଶ୍ରମ ମାଡ଼ିଲା ନାହିଁ । ଏହି ମାରୀଚ ମୃତା ଅସୁରୀ ତାଡ଼କାର ପୁତ୍ର । ସୁବାହୁ, ମାରୀଚ ଉଭୟ ଦଳପତିର ମୃତ୍ୟୁ ଦେଖି ତାଙ୍କ ଅନୁଚରମାନେ ପ୍ରାଣଭୟରେ ବ୍ୟାକୁଳ ହୋଇଉଠିଲେ । ସେଥିମଧ୍ୟରୁ ଅଧିକାଂଶ ରାମଲକ୍ଷ୍ମଣଙ୍କ ଶରରେ ବିଶିଷ୍ଟ ଅତିଥି ହୋଇ ଉପଯୁକ୍ତ ସତ୍କାର ପାଇ ଯମ ରାଜାଙ୍କ ନଅରକୁ ଗଲେ ଏବଂ ଅବଶିଷ୍ଟ ବିକଳାଙ୍ଗ ଛତ୍ରଭଙ୍ଗ ହୋଇ ପ୍ରାଣ ଘେନି ଯେ ଯେଉଁଆଡ଼କୁ ପାରିଲା ସେଆଡ଼କୁ ପଳାଇଯାଇ ଆତ୍ମରକ୍ଷା କଲେ । ସିଦ୍ଧାଶ୍ରମ ନିଷ୍କଣ୍ଟକ ହେଲା, ହାଙ୍ଗର, ମଗର ଉପଦ୍ରବରୁ ପବିତ୍ର ତୀର୍ଥର ପୁନରୁଦ୍ଧାର ହେଲା । ସିଦ୍ଧାଶ୍ରମବାସୀ ତପୋଧନବୃନ୍ଦ ରାମଚନ୍ଦ୍ରଙ୍କ ମସ୍ତକରେ ଆଶୀର୍ବାଦ ବର୍ଷଣ କଲେ । ରାମଚନ୍ଦ୍ର ଜୟଶ୍ରୀମଣ୍ଡିତ ହୋଇ ପ୍ରସନ୍ନତା ଲାଭ କଲେ । ସେ ଲକ୍ଷ୍ମଣ ସହ ସିଦ୍ଧାଶ୍ରମରେ ମୁନିମାନଙ୍କ ସହବାସରେ କେତେ ଦିନ ଅତିବାହିତ କଲେ-

 

ଦିନେ ବିଶ୍ୱାମିତ୍ର ରାମଙ୍କୁ କହିଲେ-‘‘ଅଯୋଧ୍ୟା ସୁନ୍ଦର, ମିଥିଳାର ରାଜର୍ଷି ଜନକ ଯଜ୍ଞ କରିବେ ଆମ୍ଭେ ସିଦ୍ଧାଶ୍ରମବାସୀ ଋଷିବର୍ଗ ସେହି ଯଜ୍ଞରେ ନିମନ୍ତ୍ରିତ ହୋଇଅଛୁ । ଆଜି ସମସ୍ତେ ମିଥିଳା ଯାତ୍ରା କରିବୁ । ତୁମ୍ଭେ ଦୁଇ ଭାଇ ମଧ୍ୟ ଆମ୍ଭମାନଙ୍କ ସଙ୍ଗରେ ଚାଲ । ସେଠାରେ ଯଜ୍ଞ ଓ ଆଶ୍ଚର୍ଯ୍ୟ ଧନୁ ଦେଖିବ । ତାହା ଦେଖିବା ତୁମ୍ଭମାନଙ୍କର ପ୍ରୟୋଜନୀୟ । ଜନକ ରାଜା ଗୋଟିଏ ଧନୁ ରଖି ସେ ଧନୁରେ ଯେ ଗୁଣ ଦେବ, ତାକୁ ସ୍ୱୀୟ କନ୍ୟା ସୀତାଙ୍କୁ ପ୍ରଦାନ କରିବେ ବୋଲି ପଣ କରିଛନ୍ତି । ତାହା ଶିବଙ୍କର ଧନୁ । ସେ ଧନୁରେ ଦେବତା, ଯକ୍ଷ, ରକ୍ଷ, ନର, କିନ୍ନର କେହି ଗୁଣ ଚଢ଼ାଇପାରନ୍ତି ନାହିଁ । ବହୁ ଦେଶରୁ ରାଜା ରାଜପୁତ୍ରମାନେ ଆସି ସେହି ସୁକଠୋର ଅଗ୍ନି ପରୀକ୍ଷାରେ ବ୍ୟର୍ଥକାମ ହୋଇ ବାହୁଡ଼ିଗଲେଣି । ତୁମ୍ଭେ କି ସେହି ଅଦ୍ଭୁତ ଧନୁ ଦେଖିବ ନାହିଁ ।’’ ଧନୁ ନାମ ଶୁଣି ରାମଚନ୍ଦ୍ରଙ୍କର କୌତୁହଳ ଜାତ ହେଲା । ସେ ଯିବାକୁ ସମ୍ମତ ହେବାରୁ ମୁନିମାନେ ତାଙ୍କୁ ସଙ୍ଗରେ ଘେନି ମିଥିଳାଭିମୁଖରେ ଶୁଭଯାତ୍ରା କଲେ । ଆଶ୍ରମବାସୀ ମୃଗଗୁଡ଼ିକ ତାଙ୍କର ସ୍ନେହମାୟା ତେଜି ନ ପାରି ପଛେ ପଛେ ଚାଲିଲେ । ପକ୍ଷୀଗୁଡ଼ିକ ହର୍ଷକାକଳି କରି କରି ମୁଣ୍ଡ ଉପରେ ଉଡ଼ି ଉଡ଼ି ଚାଲିଲେ । ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖି ରାମଚନ୍ଦ୍ର ମୁଗ୍‌ଧ ହୋଇଗଲେ । ସେ ମନେ ମନେ କହିଲେ–‘‘ଧନ୍ୟ ଋଷି, କୋଟି ଧନ୍ୟ ତୁମ୍ଭର ତପୋବଳ । ବନର ପଶୁପକ୍ଷୀ ମଧ୍ୟ ତୁମ୍ଭମାନଙ୍କ ସାଧୁ ସଦୟ ସରଳ ବ୍ୟବହାରରେ ବଶୀଭୂତ ହୋଇ ଆତ୍ମବିକ୍ରୟ କରିଅଛନ୍ତି–ଏହା ଅପେକ୍ଷା ଚରିତ୍ରର ଉଚ୍ଚତମ ଆଦର୍ଶ ଆଉ କଅଣ ହୋଇପାରେ ?’’

 

ରାମଚନ୍ଦ୍ର ଓ ଲକ୍ଷ୍ମଣ ମୁନିମାନଙ୍କ ଗହଣରେ କାନନ-କମଳାର ଶୋଭା ଦେଖି ଦେଖି ଅଗ୍ରସର ହେବାକୁ ଲାଗିଲେ । ଆହା, କି ନେତ୍ର-ଶୀତଳ ରମଣୀୟ ଦୃଶ୍ୟ ! ଯେମନ୍ତ କି ଶୋଭା ଉପରେ ଅତି ଶୋଭା, ତାହା ଉପରେ ମହାଶୋଭା ଢଳି ପଡ଼ିଅଛି । ସେହି ଶୋଭାରାଶି ମଧ୍ୟରେ ଅରଣ୍ୟ ପ୍ରକୃତିର ମହତ୍ତ୍ୱ ଖେଳି ବୁଲୁଅଛି । ଯେଉଁଆଡ଼କୁ ଚାହିଁଲେ ସେଆଡ଼େ ଆଖି ଲାଖି ରହୁଅଛି, ସହଜରେ ସେଠାରୁ ଗୋଡ଼ କାଢ଼ିବାକୁ ମଙ୍ଗୁ ନାହିଁ । ରାମଲକ୍ଷ୍ମଣ ଦୁଇଭାଇଙ୍କର ମନନେତ୍ର ସେହି ଶୋଭା-ସାଗରରେ ସନ୍ତରଣ କରି ଚାଲିଲା । ରାମଚନ୍ଦ୍ର କହିଲେ–‘‘ଲକ୍ଷ୍ମଣ, ଏହି ଅରଣ୍ୟପ୍ରକୃତି ପୃଥିବୀର ଆଦି ସଭ୍ୟତାର ଜନ୍ମଭୂମି । ଶାସ୍ତ୍ର, ନ୍ୟାୟ, ଧର୍ମ, ବେଦାନ୍ତ, ଦର୍ଶନ, ବିଜ୍ଞାନ ପ୍ରଭୃତି ମାନବ–ସଭ୍ୟତାର ଯାବତୀୟ ଉପାଦାନ ଏହିଠାରୁ ଯାଇ ଜଗତରେ ବ୍ୟାପ୍ତ ହୋଇଅଛି । ଏହି ଅରଣ୍ୟର ମହିମାରେ ଜଗତ ମହିମାନ୍ୱିତ । ମାତୃପ୍ରତିମ, ମହୋପକାରିଣୀ ଏହି ବନଲକ୍ଷ୍ମୀ ସମସ୍ତଙ୍କର ନମସ୍ୟା ।’’ ରାମଚନ୍ଦ୍ର ହାତ ଯୋଡ଼ି କାନନ-ପ୍ରକୃତିଙ୍କୁ ନମସ୍କାର କଲେ । ତାଙ୍କ ଦେଖାଦେଖି ଲକ୍ଷ୍ମଣ ମଧ୍ୟ ଶ୍ରଦ୍ଧା-ଭକ୍ତିପୂତ ଚିତ୍ତରେ ଦେବୀଙ୍କ ଉଦ୍ଦେଶ୍ୟରେ ଦଣ୍ଡବତ କଲେ । ଅନନ୍ତର ସମସ୍ତେ ପତିତପାବନୀ ଗଙ୍ଗା ନଦୀ ପାରି ହୋଇ ଗୌତମ–ଆଶ୍ରମରେ ଯାଇ ଉପସ୍ଥିତ ହେଲେ । ସେଠାରେ ଗୌତମ ଋଷିଙ୍କ ପତ୍ନୀ ଅହଲ୍ୟା ପତିଶାପରେ ପାଷାଣ ହୋଇ ପଡ଼ିରହିଥିଲେ । ରାମଚନ୍ଦ୍ରଙ୍କ ପଦସ୍ପର୍ଶମାତ୍ରେ ସେ ଶାପମୁକ୍ତା ହୋଇ ନିଜ ରୂପ ଧରି ଉଭା ହେଲେ-। ପାଷାଣ ଦିବ୍ୟ ନାରୀମୂର୍ତ୍ତିରେ ପରିଣତ ହେଲା, ମୁହୂର୍ତ୍ତକ ମଧ୍ୟରେ ସ୍ୱପ୍ନରାଜ୍ୟର ଦ୍ୱାର ଯେପରି କିଏ ଖୋଲି ଦେଇଗଲା । ସମସ୍ତେ ଦେଖିଲେ–ଅନିନ୍ଦ୍ୟା ସୁନ୍ଦରୀ ଅହଲ୍ୟା ବିଧାତା-ସୃଷ୍ଟି ସୌନ୍ଦର୍ଯ୍ୟର ଶେଷ ସୀମା । ମୁନିମାନେ ମନେ ମନେ କହିଲେ–‘‘ଦେବେନ୍ଦ୍ର ମୋହିତ ହେବା ଭଳି ରୂପ ଏକା ।’’ ବିନା ଦୋଷରେ ଦଣ୍ଡିତ ହେତୁ ସତୀଙ୍କର ମୁଖ ମ୍ଳାନ ହେଲେହେଁ ମେଦୁର । ଅହଲ୍ୟା ରାମଚନ୍ଦ୍ରଙ୍କୁ ପ୍ରଦକ୍ଷିଣ ଓ ମୁନିମାନଙ୍କୁ ପ୍ରଣାମ କରି ପତିଙ୍କ ସଙ୍ଗେ ମିଳନାର୍ଥେ ଶୀଘ୍ର ପ୍ରସ୍ଥାନ କଲେ-। ତହୁଁ ରାମଚନ୍ଦ୍ର, ଲକ୍ଷ୍ମଣ ଓ ମୁନିମାନେ ମିଥିଳାଭିମୁଖରେ ଯାତ୍ରା କଲେ ।

Image

 

ଚତୁର୍ଥ ପରିଚ୍ଛେଦ

 

ବିଶ୍ୱପିତା ବିଷ୍ଣୁ ଅଯୋଧ୍ୟାରେ ଜନ୍ମଗ୍ରହଣ କଲା ପରେ ଲୋକମାତା ଲକ୍ଷ୍ମୀ ଆସି ମିଥିଳା ରାଜ୍ୟରେ ଆବିର୍ଭୂତା ହେଲେ । ମହାକାର୍ଯ୍ୟ ସାଧନ ଯେ ମହାଶକ୍ତି ସାପେକ୍ଷ, ଏହା ବୋଲିବା ବାହୁଲ୍ୟମାତ୍ର । ବିଷ୍ଣୁଙ୍କ ଶକ୍ତିରେ ପ୍ରକୃତିରୂପିଣୀ ଲକ୍ଷ୍ମୀଙ୍କର ଶକ୍ତି ନ ମିଶିଲେ ଦୁଷ୍ଟଦମନ, ଶିଷ୍ଟପାଳନ ଓ ଧର୍ମସଂରକ୍ଷଣ ପ୍ରଭୃତି ଦୁରୁହ ମହତ୍‌ କାର୍ଯ୍ୟ କରି ହେବ ନାହିଁ । ପ୍ରକୃତି ଓ ପୁରୁଷ ଉଭୟର ଶକ୍ତି ମିଶିଲେ ସେହି ମହାଶକ୍ତିକୁ କେହି ଅତିକ୍ରମ କରିପାରେ ନାହିଁ । ବର୍ତ୍ତମାନ ଯାହାକୁ ତ୍ରିହୁତ୍‌ କହନ୍ତି, ତାହାର ପୌରାଣିକ ନାମ ମିଥିଳା ଥିଲା । ପୂର୍ବେ ସେଠାରେ ଜନକ ନାମରେ ଜଣେ ରାଜର୍ଷି ରାଜପଣ କରୁଥିଲେ । ଦିନେ ସେହି ଜନକ ରାଜା ଯଜ୍ଞଶାଳା ନିର୍ମାଣ କରିବା ସକାଶେ ଖଣ୍ଡେ ଭୂମି କର୍ଷଣ କରୁଁ କରୁଁ ଫାଳ ମୁନ ବାଜି ମାଟି ଭିତରୁ ଗୋଟାଏ ପେଡ଼ି ବାହାରିଲା । ସେହି ପେଡ଼ି ଭିତରେ ଗୋଟିଏ ସଦ୍ୟଜାତ ସୁନ୍ଦରୀ ଶିଶୁ କନ୍ୟା ଶାୟିତା । ଶିଶୁର ଦେହରୁ ଉଜ୍ଜ୍ୱଳ ଜ୍ୟୋତି ନିର୍ଗତ ହେଉଅଛି । ସେହି ଜ୍ୟୋତିରେ ଦିଗ ଆଲୋକିତ ହୋଇ ଉଠୁଅଛି । ସେ ଦେବଶିଶୁ କି ନରଶିଶୁ କିମ୍ୱା ଜ୍ୟୋତିର୍ଗଠିତ ପୁଷ୍ପ, ପ୍ରଥମ ଦୃଷ୍ଟିରେ ଜନକ କିଛି ସ୍ଥିର କରିପାରିଲେ ନାହିଁ । ଏତେ ସୌନ୍ଦର୍ଯ୍ୟ ଯେ ମନୁଷ୍ୟ ଦେହରେ ସମ୍ଭବ ହୋଇପାରେ, ଏହା ବିଶ୍ୱାସ କରି ହେଲା ନାହିଁ । ସତେ ଯେପରି ରତ୍ନଜ୍ୟୋତିରେ ଚନ୍ଦ୍ରଜ୍ୟୋତ୍ସ୍ନାର ସୁଷମା ମିଶାଇ ସ୍ୱପ୍ନ ଛାଞ୍ଚରେ ମୂର୍ତ୍ତି ଗଢ଼ା ହୋଇଛି ଅଥବା ଏହା ଅକରନିର୍ମିତ ଲାବଣ୍ୟପ୍ରତିମା, ବିଧାତା-ବିନ୍ଧାଣିର ବହୁ ଯୁଗବ୍ୟାପୀ ସୌନ୍ଦର୍ଯ୍ୟ-କଳ୍ପନା ପ୍ରାଣ ପାଇ ରୂପ ଧାରଣ କରିଅଛି । ମହର୍ଷି ଜନକ ରାଜା କନ୍ୟାଟିକୁ ଦେଖି ବିସ୍ମୟରେ ଅଭିଭୂତ ହୋଇଗଲେ । ପରେ ଧ୍ୟାନପରାୟଣ ହୋଇ ଯୋଗବଳରେ ଜାଣିପାରିଲେ ଯେ–ବିଷ୍ଣୁପ୍ରିୟା ଲକ୍ଷ୍ମୀ ବୈକୁଣ୍ଠପୁର ଛାଡ଼ି ଧରାଧାମରେ ଅବତୀର୍ଣ୍ଣ ହୋଇଅଛନ୍ତି । ତହୁଁ ସେ ମହାନନ୍ଦରେ ବିହ୍ୱଳ ହୋଇ କନ୍ୟାଟିକୁ କୋଳରେ ଧରି ଘରକୁ ଆସିଲେ । ଲଙ୍ଗଳର ଫାଳକୁ ସୀତା ବୋଲି କହନ୍ତି । କନ୍ୟାଟି ଫାଳରୁ ଜାତ ହୋଇଥିବାରୁ ତାହାର ନାମ ସୀତା ରଖାଗଲା । ସୀତା ଜନକ ରାଜାଙ୍କ ଅନ୍ତଃପୁରରେ କନ୍ୟାଠାରୁ ବଳି ସ୍ନେହ ଓ ଯତ୍ନରେ ପ୍ରତିପାଳିତ ହେଲେ । ରାଜଦମ୍ପତିଙ୍କ ଅସୀମ ଆଦର ସରାଗ ମଧ୍ୟରେ ପୃଥିବୀ-କନ୍ୟା ସୀତା ଆଶାୟୀର ଆଶାଇତା ପରି କ୍ରମଶଃ ବଢ଼ିବାକୁ ଲାଗିଲେ । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତାଙ୍କ ଅନିନ୍ଦ୍ୟ ରୂପଗୁଣର ସ୍ନିଗ୍‌ଧ ସୌରଭ ଚାରିଆଡ଼େ ମହକି ଉଠିଲା । କ୍ରମେ ସେ ବିବାହଯୋଗ୍ୟ ବୟସରେ ପଦାର୍ପଣ କଲେ । ଜନକ ଏ ରୂପ ବିଦୁଷୀ, ଗୁଣବତୀ ଦେବକନ୍ୟାକଳ୍ପା କନ୍ୟାକୁ କାହାକୁ ସମ୍ପ୍ରଦାନ କରିବେ, କନ୍ୟାର ଅନୁରୂପ ବର ବା ଭୂମଣ୍ଡଳରେ କିଏ, କିଛି ସ୍ଥିର କରି ନପାରି ପ୍ରତିଜ୍ଞା କଲେ, ଯେ ଶିବଧନୁ ଭାଙ୍ଗିବ, ସୀତାଙ୍କୁ ସେ ତାହାରି ହାତରେ ସମର୍ପଣ କରିବେ । ଏଭଳି ପ୍ରତିଜ୍ଞା ବାସ୍ତବରେ ଅସଙ୍ଗତ ନୁହେଁ । ଶୋଭାର ଉପଯୁକ୍ତ ବର ଶୌର୍ଯ୍ୟ, ଏ ବିଧିନିର୍ବନ୍ଧ ସବୁଯୁଗରେ ଚଳି ଆସୁଅଛି । ଶୋଭା-ସାମ୍ରାଜ୍ୟର ପାଟେଶ୍ୱରୀ ସ୍ୱର୍ଣ୍ଣାଙ୍ଗୀ ବିଦ୍ୟୁତ୍‌ ଶୀତଳ କରକାକୁ ଛାଡ଼ି ପ୍ରଚଣ୍ଡ ଅଗ୍ନିଗର୍ଭ ବଜ୍ରକୁ ବରଣ କରିଅଛି, ବନସ୍ପତି ଜେମା ସୁହାସୀ ସୁକୁମାରୀ କୁସୁମସୁନ୍ଦରୀ ଦାରୁ ଭେଦଦକ୍ଷ କଠୋରହୃଦୟ ଭ୍ରମର ପାଦରେ ଆତ୍ମଦାନ କରିଅଛି । ଶୌର୍ଯ୍ୟ ବିନା ଶୋଭାକୁ ସୁଖୀ କରିବ କିଏ ? କୋମଳାଙ୍ଗୀ ସୂର୍ଯ୍ୟମୁଖୀ ସୂର୍ଯ୍ୟଦର୍ଶନରେ ସୁଖୀ ହୁଏ ବୋଲି ସିନା ନିର୍ନିମେଷ ନେତ୍ରରେ ଦିନସାରା ସୂର୍ଯ୍ୟଙ୍କୁ ଚାହିଁ ରହିଥାଏ ! ସେହିଦିନଠାରୁ ଶିବଙ୍କର ମହାଧନୁ ଜନକ ରାଜାଙ୍କ ଘରେ ସୁରକ୍ଷିତ ହୋଇ ପୁଜିତ ହେଉଥିଲା ।

 

ମିଥିଳାପତି ଋଷିପ୍ରାଣ ଜନକଙ୍କ ଧନୁର୍ଭଙ୍ଗ ପଣ ଶୁଣି ଅନେକ ରାଜା ଓ ରାଜପୁତ୍ର ବୀର୍ଯ୍ୟ ପରୀକ୍ଷା ସକାଶେ ମିଥିଳା ରାଜଧାନୀକୁ ଧାଡ଼ି ଦେବାକୁ ଲାଗିଲେ; ମାତ୍ର ଧନୁଭଗ୍ନରେ ଅକୃତକାର୍ଯ୍ୟ ହୋଇ ଦାରୁଣ ଲଜ୍ଜାର ଭାର ମୁଣ୍ଡରେ ବହି ଫେରିଯିବାକୁ ବାଧ୍ୟ ହେଲେ । ବିଶେଷତଃ ତତ୍କାଳିକ ମହାପ୍ରତାପୀ, ମହା ତେଜସ୍ୱୀ ରାଜା ସହସ୍ରବାହୁ ଅର୍ଜୁନ, ଦିଗ୍‌ବିଜୟୀ ଶ୍ରେଷ୍ଠ ଅମର-ତ୍ରାସ ରାକ୍ଷସରାଜ ରାବଣ, ଲବଣ, ବାଣ ପ୍ରଭୃତି ଉଗ୍ରତେଜା ବୀରମାନେ ଅପମାନ ଓ ଭଗ୍ନବାସନାର ଅସହ୍ୟ ଜ୍ୱାଳା ଘେନି ହେଠ ବଦନରେ ପଳାଇଯାଇଥିଲେ । ଶେଷରେ ରାମଚନ୍ଦ୍ର, ଓ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ସଙ୍ଗରେ ଯାଇ ମିଥିଳାରେ ଉପସ୍ଥିତ ହେଲେ । ବିଦେହ-ରାଜ ସେମାନଙ୍କର ଉପଯୁକ୍ତ ସତ୍କାର କଲେ । ପରେ ବିଶ୍ୱାମିତ୍ରଙ୍କଠାରୁ ରାମଲକ୍ଷ୍ମଣଙ୍କର ପରିଚୟ ଅବଗତ ହୋଇ କହିଲେ–‘‘ବଡ଼ ବଡ଼ ଜଗଜ୍ଜେତା ବୀରମାନେ ଯେଉଁ ଧନୁ ଟେକିବାକୁ ସମର୍ଥ ହୋଇପାରି ନାହାନ୍ତି, ବାଳକ ରାମଚନ୍ଦ୍ରଙ୍କଠାରୁ ବା ଅଧିକ କଅଣ ଆଶା କରାଯାଇପାରେ ?’’ ମହାଜ୍ଞାନୀ, ଉଗ୍ରତପା ବିଶ୍ୱାମିତ୍ର ମୃଦୁ ହସି କହିଲେ–‘‘ସାନ ବଡ଼ ବିଚାର ବଡ଼ ଦୁରୂହ ସମସ୍ୟା ରାଜର୍ଷି । ଖୁବ୍‌ ସାନ ଦ୍ୱାରା ଖୁବ୍‌ ବଡ଼ କାର୍ଯ୍ୟ ହୋଇପାରେ, ପକ୍ଷାନ୍ତରରେ ଖୁବ୍‌ ବଡ଼ ଦ୍ୱାରା ଖୁବ୍‍ ସାନ କାର୍ଯ୍ୟ ବି ହୋଇପାରେ ନାହିଁ । ଶରୀରର ଆକୃତି ସାନ ବଡ଼ର ପରିମାପକ ନୁହେଁ–ସେଥିର ସ୍ୱତନ୍ତ୍ର ମାପକାଠି ଅନେକ ଅଛି-। କ୍ଷୁଦ୍ର ମଣିକଣିକାରେ କକ୍ଷ ଆଲୋକିତ ହୁଏ; ମାତ୍ର ପ୍ରକାଣ୍ଡ ପ୍ରସ୍ତରସ୍ତୂପଦ୍ୱାରା ତାହା ହୋଇପାରେ ନାହିଁ । ଅତି କ୍ଷୁଦ୍ର ମହୁମାଛି ଦେବଦୁର୍ଲଭ ମଧୁ ସଞ୍ଚୟ କରିବାକୁ କ୍ଷମ ସିନା, ବଡ଼ ବଡ଼ ପକ୍ଷୀର ତ ତାହା ସାଧ୍ୟ ନୁହେଁ । ପୁଣି ପ୍ରକାଣ୍ଡକାୟ ହାତୀ ଗୋଡ଼ରେ ପିମ୍ପୁଡ଼ି ମରେ ନାହିଁ । ଏହା ସବୁ ଦେଖି ସାନ ବଡ଼ ନିରୂପଣ କରିବା ସହଜ କି ? ଯେ ଖୁବ୍‌ ସାନ, ସେହି ଏକା ଖୁବ୍‌ ବଡ଼-। ଯେଉଁ କାର୍ଯ୍ୟ କେତେ ଜଣମାତ୍ର କରି ନ ପାରିଲେ ବୋଲି ଯେ ତାହା କେହି କରିପାରିବେ ନାହିଁ–ଏରୂପ ଅନୁମାନ ଠିକ୍‌ ନୁହେଁ । ତୁମ୍ଭେ ସନ୍ଦେହ ନ କରି ସେହି ମହାଧନୁ ଆନୟନ କର, ରାମଚନ୍ଦ୍ର ନିଶ୍ଚୟ ତୁମ୍ଭର ପ୍ରତିଜ୍ଞା ପୂର୍ଣ୍ଣ କରିବେ । ହେ ଜନକରାଜା, ତୁମ୍ଭେ ମୋତେ ବିଶ୍ୱାସ କର, ମୋ କଥାର ସତ୍ୟାସତ୍ୟ ଆଉ କ୍ଷଣକ ପରେ ବୁଝିପାରିବ ।’’ ଜନକ ରାଜର୍ଷି ଅତୀବ ଆହ୍ଲାଦିତ ହୋଇ କହିଲେ–‘‘ମହାପୁରୁଷଙ୍କ ମହାବାକ୍ୟ ବ୍ୟର୍ଥ ହୁଏ ନାହିଁ ।’’ ଅନନ୍ତର ତାଙ୍କ ଆଜ୍ଞାରେ ଧନୁମଞ୍ଜୁଷା ଯନ୍ତ୍ରଚାଳିତ ହୋଇ ସଭା ମଧ୍ୟକୁ ଆନୀତ ହେଲା । ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କ ଇଙ୍ଗିତାଦେଶ ପାଇ ତେଡ଼େ ବଡ଼ ମହାଧନୁକୁ ପେଡ଼ି ମଧ୍ୟରୁ ଫୁଲମାଳ ପରି ଅକ୍ଳେଶରେ ଉଠାଇଆଣିଲେ । ପରେ ସେଥିରେ ଗୁଣ ଚଢ଼ାଇ ଆକର୍ଷଣ କରନ୍ତେ ସେହି ପ୍ରକାଣ୍ଡ ଧନୁ ପ୍ରଚଣ୍ଡ ମଡ଼ ମଡ଼ ଶବ୍ଦରେ ଦୁଇ ଖଣ୍ଡ ହୋଇଗଲା । ତାହା ଦେଖି ଜନକରାଜା ଆଶ୍ୱସ୍ତ ହୋଇ ଆନନ୍ଦରେ ରାମଚନ୍ଦ୍ରଙ୍କୁ ଆଶୀର୍ବାଦ କଲେ । ନାଗରିକମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଦଶରଥଙ୍କୁ ଏହି ଶୁଭସମ୍ୱାଦ ଦେଇ ତାଙ୍କୁ ଆଣିବା ସକାଶେ ସେହିକ୍ଷଣି ରାଜଦୂତ ପ୍ରେରିତ ହେଲା । ଏଣେ ନଗର ମଣ୍ଡଣି ଓ ବିବାହର ଆୟୋଜନ ଲାଗିଲା । ମିଥିଳା ଉତ୍ସବ ବେଶରେ ସଜ୍ଜିତ ହୋଇ ଅମରାପୁରୀକୁ ପରିହାସ କରିବାକୁ ଲାଗିଲା । ରାଜପାରିଷଦ ଓ ପରିକରବୃନ୍ଦ ଉତ୍ସବକୁ ସର୍ବାଙ୍ଗସୁନ୍ଦର କରିବା ସକାଶେ ଶତହସ୍ତ ହୋଇ କାର୍ଯ୍ୟରେ ପ୍ରବୃତ୍ତ ହେଲେ ।

 

ଯଥାସମୟରେ ଦଶରଥ ଭରତ ଓ ଶତ୍ରୁଘ୍ନ ସହ ଆସି ମିଥିଳାରେ ଉପସ୍ଥିତ ହେଲେ । ତହୁଁ ବିବାହର ଦିନ ଧାର୍ଯ୍ୟ ହେଲା । ବିବିଧ ବାଦ୍ୟ ଓ ଶଙ୍ଖ ହୁଳହୁଳି ଶବ୍ଦରେ ରାଜପୁରୀ କମ୍ପିଉଠିଲା । ଶୁଭଲଗ୍ନରେ ରାମ ସୀତାଙ୍କର ବିବାହ ହୋଇଗଲା । ଜନକ ରାଜାଙ୍କ ଘରେ ଆଉ ଗୋଟିଏ କନ୍ୟା ଥିଲା । ତାହାର ନାମ ଉର୍ମିଳା । ରାଜଭ୍ରାତା କୁଶଧ୍ୱଜଙ୍କର ମାଣ୍ଡବୀ ଓ ଶ୍ରୁତକୀର୍ତ୍ତି ନାମ୍ନୀ ଦୁଇଟି କନ୍ୟା ଥିଲେ । ସେମାନଙ୍କୁ ଯଥାକ୍ରମେ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ବିବାହ କଲେ । ଏକ ଦିନରେ ଏକସ୍ଥାନରେ ଚାରିଭାଇଙ୍କର ବିବାହ ହୋଇଗଲା । ବରକନ୍ୟାଙ୍କର ଦୁଇଟି ହୃଦୟ, ଦୁଇଟି ମନ, ଦୁଇଟି ପ୍ରାଣକୁ ବିବାହରୂପ ମହାସଂସ୍କାର ଏକ କରିଦିଏ । ଗ୍ରନ୍ଥିବନ୍ଧନ ରୂପ ସତ୍ୟର ବନ୍ଧନ, ଧର୍ମର ବନ୍ଧନ, ଆତ୍ମାର ବନ୍ଧନ ଜୀବନରେ ଆଉ ଫିଟେ ନାହିଁ । ଏହି ମହାମିଳନ ସଂସାରୀର ସଂସାରଯାତ୍ରା ଓ ମାନବ-ଜୀବନର ଲକ୍ଷ୍ୟ ସିଦ୍ଧି ପକ୍ଷରେ ପରମ ସହାୟ ।

 

କେତେ ଦିନ ଯାଏଁ ମିଥିଳା ରାଜଧାନୀ ଉତ୍ସବ ଆନନ୍ଦରେ ହସିବାକୁ ଲାଗିଲା । ଦଶରଥ ଓ ଜନକ ଦୁଇ ରାଜା ଦୀନଦରିଦ୍ରମାନଙ୍କୁ ଯଦ୍ଦୁଚ୍ଛା ଦାନ କରିବାକୁ ଲାଗିଲେ । ଜନକରାଜା କନ୍ୟାଜାମାତାଙ୍କୁ ବହୁବିଧ ରତ୍ନାଳଙ୍କାର, ଗଜ, ବାଜା, ରଥ ପ୍ରଭୃତି ବିରାଟ ଯୌତୁକସମ୍ଭାର ପ୍ରଦାନ କଲେ । ପିତା, ମାତା ଓ ଆତ୍ମୀୟ ବନ୍ଧୁଜନମାନେ କନ୍ୟାମାନଙ୍କୁ ସ୍ୱାମିଭକ୍ତି, ଗୁରୁସେବା, ଧର୍ମନୀତି, ବ୍ୟବହାରନୀତି, ଗାର୍ହସ୍ଥ୍ୟନୀତି, ସ୍ୱାସ୍ଥ୍ୟନୀତି ପ୍ରଭୃତି ବହୁ ଉପଦେଶ ପ୍ରଦାନ କଲେ । ଅନନ୍ତର ଦଶରଥ ଜନକ ରାଜାଙ୍କଠାରୁ ବିଦାୟ ଘେନି ପୁତ୍ର ଓ ପୁତ୍ରବଧୂମାନଙ୍କ ସହ ଅଯୋଧ୍ୟାଭିମୁଖରେ ଯାତ୍ରା କଲେ । ପୁତ୍ର-ଗୌରବରେ ତାଙ୍କର ପିତୃହୃଦୟ ପରିପୂର୍ଣ୍ଣ, ସୁତରାଂ ମହା ଉଲ୍ଲାସରେ, ମହା ସମାରୋହରେ ପଥ ଅତିକ୍ରମ କରିବାକୁ ଲାଗିଲେ । ବୀରବାଦ୍ୟ କୋଳାହଳରେ ଗଗନପବନ କମ୍ପି ଉଠିଲା; ମାତ୍ର ସେ ଉନ୍ମାଦ ଶବ୍ଦ କ୍ଷତ୍ରିୟହନ୍ତା ପରଶୁରାମଙ୍କ ଦୃପ୍ତ ପ୍ରାଣରେ ସହ୍ୟ ହେଲା ନାହିଁ । ସେ କ୍ରୋଧରେ ଅଧୀର ହୋଇ ଧନୁ କୁଠାର ଧରି ଆସି ବାଟ ଓଗାଳିଲେ ଏବଂ ତୀବ୍ରକଣ୍ଠରେ ରାମଚନ୍ଦ୍ରଙ୍କୁ କହିଲେ–‘‘ମୁଁ କ୍ଷତ୍ରିୟକୁଳର ଯମ ପରଶୁରାମ । ଏହି ପୃଥିବୀକୁ ମୁଁ ଏକୋଇଶ ଥର ନିଃକ୍ଷତ୍ରିୟ କରିଅଛି । ଜୀର୍ଣ୍ଣ ଧନୁଖଣ୍ଡେ ଭାଙ୍ଗି ତୋର ଏତେ ଅହଙ୍କାର ଯେ, ତୁ ମୋ ଆଗରେ ବିଜୟ-ଗୌରବରେ ମତ୍ତ ହୋଇ ଏଡ଼େ ସାହସରେ ବାଦ୍ୟ ବଜାଇ ଯାଉଅଛୁ ? ‘‘ ଆଛା, ଭାଙ୍ଗିଲୁ ଏହି ଧନୁ, ତୁ କେଡ଼େ ବୀର ଆଜି ସେଥିର ପରୀକ୍ଷାହେବ ।’’ ଏହା କହି ଗୋଟାଏ ବିଶାଳ ଧନୁ ରାମଚନ୍ଦ୍ରଙ୍କ ଆଡ଼କୁ ବଢ଼ାଇଦେଲେ । ରାମଚନ୍ଦ୍ର କିଛି ନ କହୁଣୁ ଲକ୍ଷ୍ମଣ କହିଲେ–‘‘ତପିବର, ଏତେ କୋପ କାହିଁକି ? କୋପ ପରା ତପର ବିରୋଧୀ ? ଆଉ ଏତେ ପ୍ରୌଢ଼ି ବାଢ଼ିବାର ବା ଉଦ୍ଦେଶ୍ୟ କଅଣ ? ତୁମ୍ଭେ ପୃଥିବୀକୁ କ୍ଷତ୍ରିୟଶୂନ କରିପାରିଥିବ; ମାତ୍ର ତାହା ରଘୁକୁଳଚୂଡ଼ା ରାମଚନ୍ଦ୍ରଙ୍କ ଜନ୍ମ ପୂର୍ବରୁ ।’’ ଲକ୍ଷ୍ମଣ ଏହା କହି ଟିକିଏ ହସିଦେଲେ । ମହାକ୍ରୋଧୀ ପରଶୁରାମଙ୍କୁ ଆଉ ସମ୍ଭାଳେ କିଏ-? ଏବେ ତ ଲକ୍ଷ୍ମଣଙ୍କର ବିଦ୍ରୂପୋକ୍ତି ତାଙ୍କ ହୃଦୟରେ ହାତୁଡ଼ିର ଆଘାତ ବସାଇଦେଇଥିଲା, ତାହା ଉପରେ ଏହି ତାଚ୍ଛଲ୍ୟବ୍ୟଞ୍ଜକ ହାସ୍ୟ ସେହି ଆହତ ସ୍ଥାନରେ ବିଷ ବିରୁଡ଼ିର ହୁକ ବିନ୍ଧିଦେଲା-। ସେହି ତୀବ୍ର ବିଷ ଋଷିଙ୍କର ମର୍ମେ ମର୍ମେ ଚରିଗଲା । କ୍ରୋଧରେ ତାଙ୍କର ଓଷ୍ଠାଧର ପାଣ୍ଡୁରତା ଭଳି ଥରିବାକୁ ଳାଗିଲା । ତାଙ୍କ ମୁହଁରୁ କଥା ବାହାରିପାରିଲା ନାହିଁ । ସେ ରକ୍ତନେତ୍ରରେ ରାମଚନ୍ଦ୍ରଙ୍କୁ ଚାହିଁରହିଲେ, ରାମଚନ୍ଦ୍ର ତାଙ୍କ ହାତରୁ ଧନୁ ଟାଣିଆଣିଲେ ଏବଂ ସେଥି ସଙ୍ଗେ ସଙ୍ଗେ ପରଶୁରାମଙ୍କଠାରୁ ବିଷ୍ଣୁତେଜ ହରଣ କଲେ । ତତ୍‌କ୍ଷଣାତ୍‌ ଅଗ୍ନିତୁଲ୍ୟ ତେଜସ୍ୱୀ ପରଶୁରାମ ନିସ୍ତେଜ ହୋଇ ପଡ଼ି ମନେମନେ ଭାବିଲେ–‘‘ବାସ୍ତବରେ ରାମଚନ୍ଦ୍ର ସାମାନ୍ୟ ବ୍ୟକ୍ତି ନୁହନ୍ତି ।’’ ରାମଚନ୍ଦ୍ର ଧନୁରେ ବାଣ ସଂଯୋଗ କରି କହିଲେ- ‘‘ବିପ୍ରବର, ମୋର ବାଣ ଅବ୍ୟର୍ଥ , ଏଥିରେ କାହାକୁ ସଂହାର କରିବି ? ତୁମ୍ଭେ ତପୋକ୍ଷୀଣ ବପୁ ବୃଦ୍ଧ ବ୍ରାହ୍ମଣ, ସୁତରାଂ ଅବଧ୍ୟ । ଏହି ବାଣରେ ତୁମ୍ଭର ସ୍ୱର୍ଗପଥ ରୁଦ୍ଧ କରିବି ।’’ ଏହା କହି ବାଣଦ୍ୱାରା ପରଶୁରାମଙ୍କର ସ୍ୱର୍ଗପଥ ରୁଦ୍ଧ କଲେ । ପରଶୁରାମ ହୀନପୁଣ୍ୟ ହୋଇ ପରାଜୟ ସ୍ୱୀକାରପୂର୍ବକ ପୁନଶ୍ଚ ତପସ୍ୟାଦ୍ୱାରା ପୁଣ୍ୟ ସଞ୍ଚୟକରିବା ସକାଶେ ମହେନ୍ଦ୍ର ପର୍ବତକୁ ଗମନ କଲେ । ପୁତ୍ରର ବିଜୟଗୌରବରେ ଦଶରଥଙ୍କର ଛାତି ଫୁଲିଉଠିଲା । ସେ ନିଜର ବୟସ ହଜାର ବର୍ଷ ପଛକୁ ଘୁଞ୍ଚି ଆସିଲା ପରି ମଣିଲେ । ସେ ଅତୁଳ ଉଲ୍ଲାସରେ ପ୍ରମତ୍ତ ହୋଇ ଦୁଇଗୁଣ ଉତ୍ସାହରେ ବାଦ୍ୟରୋଳ ଉଠାଇ ମହାଆଡ଼ମ୍ବରରେ ଆସି ଅଯୋଧ୍ୟାରେ ଉପସ୍ଥିତ ହେଲେ । ଅଯୋଧ୍ୟା ନଗରୀ ଆନନ୍ଦରେ ଉଦ୍‌ବେଳିତ ହୋଇଉଠିଲା । ରାଜମହିଷୀମାନେ ଆସି ଆନନ୍ଦରେ ବଧୂମାନଙ୍କୁ ବରଣ କରି ଅନ୍ତଃପୁରକୁ ଘେନିଗଲେ । ଏହି ବିବାହ ଉପଲକ୍ଷରେ ଅଯୋଧ୍ୟା ରାଜଧାନୀରେ ବହୁଦିନବ୍ୟାପୀ ବିବିଧ ଉତ୍ସବ ଲାଗି ରହିଥିଲା ।

Image

 

ପଞ୍ଚମ ପରିଚ୍ଛେଦ

 

ରାଜକୁମାରମାନେ ରୂପଗୁଣବତୀ ସହଧର୍ମଣୀ ପାଇ ପରମ ପରିତୋଷ ଲାଭ କଲେ । ରାଜକୁମାରୀଗଣ ଉପଯୁକ୍ତ ଦେବସ୍ୱାମୀ ଲାଭ କରି ଜୀବନ ସାର୍ଥକ ମଣିଲେ । ରାମ ଓ ସୀତାଙ୍କ ହୃଦୟରେ ପବିତ୍ର ଦାମ୍ପତ୍ୟ-ପ୍ରେମ ଉଛୁଳିପଡ଼ି ଦୁଇ ହୃଦୟକୁ ମିଶାଇ ଦେଲା; ରାମ ଓ ସୀତାଙ୍କ ମଧ୍ୟରେ ପାର୍ଥକ୍ୟ ରହିଲାନାହିଁ । ଦୁହିଙ୍କର ପ୍ରାଣ, ମନ, ଆତ୍ମା ଏକ ହୋଇଗଲା । ସତେ ଯେପରି ବିଧାତା ଗୋଟିଏ ଫୁଲର ଅଧକରେ ରାମଙ୍କୁ ଓ ଅନ୍ୟ ଅଧକରେ ସୀତାଙ୍କୁ ଗଢ଼ିଥିଲା । ସୀତା ଯେପରି ରାମଙ୍କର ନୟନମଣି ହୋଇଉଠିଲେ, ରାମ ବି ସେହିପରି ସୀତାଙ୍କର ହୃଦୟ-ହାର ହୋଇଉଠିଲେ । ଜଳରେ ଜଳ ମିଶିଲା ପରି ଦୁଇଟି ହୃଦୟ ମିଶିଯାଇ ବାରିହେଲା ନାହିଁ । ଦର୍ପଣ ଭିତରେ ପ୍ରତିବିମ୍ୱ ପରି ଦୁହେଁ ଦୁହିଁଙ୍କ ପ୍ରାଣ ଭିତରେ ଅଲକ୍ଷ୍ୟ ଭାବରେ ପଶିଯାଉଥିଲେ । ଉଭୟେ ଉଭୟଙ୍କୁ ସ୍ୱ ସ୍ୱ ସୌଭାଗ୍ୟ-ଦେବତାଙ୍କର ଶୁଭାଶୀର୍ବାଦର ଫଳ ବୋଲି ମଣୁଥିଲେ । ସୀତା ସତୀତ୍ୱର ମୃର୍ତ୍ତିମତୀ ଦେବୀ । ସୁନ୍ଦରପଣରେ ତାଙ୍କର ତୁଳନା ବିଧାତା ସୃଷ୍ଟିରେ ଥିଲା ନାହିଁ । ତାଙ୍କର ପତି-ଭକ୍ତି ଜଗତର ଆଦର୍ଶ । ପତିଙ୍କୁ ସେ ଦେବତା ପରି ପୂଜା କରୁଥିଲେ । ସେ ରାଜକନ୍ୟା, ରାଜବଧୂ ଓ ଭାବୀ ରାଜରାଣୀ ହୋଇ ସୁଦ୍ଧା ମନରେ ଗର୍ବ ଅଭୁଭବ କରୁ ନ ଥିଲେ । ସତୀ-କୁଳେଶ୍ୱରୀ ସୀତା ମହାର୍ହ ମଣିମାଣିକ୍ୟଖଚୀ ଆସନ ଉପେକ୍ଷା କରି ପତିଙ୍କ ପାଦ ମୂଳରେ ନିଜର ଆସନ ବାଛି ନେଇଥିଲେ । ତାଙ୍କର ପବିତ୍ର ଶୁଭାଦର୍ଶ ଆର୍ଯ୍ୟଶାସ୍ତ୍ରପୁରାଣକୁ ଜ୍ୟୋତିର୍ମୟ କରି ରଖିଅଛି ।

 

ସୀତା ସ୍ୱୟଂ ଲକ୍ଷ୍ମୀଦେବୀଙ୍କର ଅବତାର । ସେ ଅଯୋଧ୍ୟାରେ ପାଦ ଦେଲା ଦିନୁ ଅଯୋଧ୍ୟାର ଶ୍ରୀସମ୍ପଦ ବହୁଗୁଣ ବଢ଼ିଉଠିଲା । ଶଶୁର ଓ ଶାଶୁମାନଙ୍କୁ ସେ ଝିଅ ପରି ସେବା ଶୁଶ୍ରୂଷା କରିବାକୁ ଲାଗିଲେ । ଗୁରୁଜନମାନେ ତାଙ୍କ ବ୍ୟବହାରରେ ପରମ ସନ୍ତୋଷ ଲାଭ କଲେ । ସଦୟ ବ୍ୟବହାରରେ ସେ ଦାସଦାସୀ ଓ ଆଶ୍ରିତ, ପୋଷିତବର୍ଗର ମନ କିଣିନେଲେ । ତାଙ୍କର ମହିମାମୟୀ ମୂର୍ତ୍ତି ନିକଟରେ ସମସ୍ତଙ୍କର ମସ୍ତକ ଭକ୍ତିରେ ସ୍ୱତଃ ଅବନତ ହୋଇଗଲା । ତାଙ୍କ କଥାରେ କି ମଧୁ ଥିଲା କେଜାଣି, ତାହା ଶୁଣିଲେ କ୍ଷୁଧାତୁରର କ୍ଷୁଧା ଓ ଶୋକାର୍ତ୍ତର ଶୋକ ହରିଯାଉଥିଲା । ତାଙ୍କର ସରଳ, ମଧୁର, ଶୀତଳ, ନିର୍ମାୟ ବ୍ୟବାହାରରେ ସମସ୍ତେ ମୁଗ୍‌ଧ ଓ ସନ୍ତୁଷ୍ଟ ହେଲେ । ଦୟାବତୀ ସୀତାଙ୍କ ହୃଦୟ-ଦ୍ୱାର ଦୀନ ଦୁଃଖୀମାନଙ୍କ ସକାଶେ ଚିର ଅବାରିତ ଥିଲା । ଦରିଦ୍ରଙ୍କ ପ୍ରତି ସେ ଯେପରି ଦୟା କରନ୍ତି, ମନୁଷ୍ୟ ସେପରି ଦୟା କରିପାରେ ନାହିଁ । ମନୁଷ୍ୟ କଥା କିଏ ପଚାରେ, ତାଙ୍କ ସ୍ନେହରେ ହିଂସ୍ର ପଶୁପକ୍ଷୀ ସୁଦ୍ଧା ବଶୀଭୂତ ହୋଇଥିଲେ । ଅନାଥ, ଅକ୍ଷମର ସେ ଜନନୀରୂପା । କାହାରି ଦୁଃଖ-କଷ୍ଟର କଥା ଶୁଣିଲେ ସେ କାନ୍ଦିପକାଉଥିଲେ ଏବଂ ତତ୍‌କ୍ଷଣାତ୍‌ ତାହାର ପ୍ରତିକାର କରୁଥିଲେ । ଅସହାୟା ଅବଳାମାନଙ୍କ ଉପରେ ତାଙ୍କର କରୁଣା ବହୁ ଧାରାରେ ବର୍ଷିତ ହେଉଥିଲା । ତାଙ୍କର ଚକ୍ଷୁ ଯେଉଁଠି ଯାହା ଅପୂର୍ଣ୍ଣ ଦେଖେ, ହସ୍ତ ସେହିକ୍ଷଣି ତାହା ପୂର୍ଣ୍ଣ କରିଦିଏ; ତାଙ୍କର ଶୁଭ କଳ୍ପନା ସଙ୍ଗେ ସଙ୍ଗେ ଆକାର ଧରିଯାଏ । ଦୁଃଖୀ ରଙ୍କୀମାନେ ତାଙ୍କୁ ମାତୃ ସମ୍ୱୋଧନ କରନ୍ତି । ସେମାନେ କହନ୍ତି–‘‘ଜଗତରେ ରାଜବଧୂ କେତେ ନାହାନ୍ତି; ମାତ୍ର ସୀତାଙ୍କ ପରି ଦୟାବତୀ ରାଜବଧୂ କୋଟିକେ ଗୋଟିଏ ଦୁର୍ଲ୍ଲଭ !’’ ବାସ୍ତବରେ ସବୁ ଫୁଲରେ ସୁବାସ ଥାଏ ନାହିଁ କିମ୍ୱା ସବୁ ଫଳରେ ମଧୁରତା ଥାଏ ନାହିଁ । ସୀତା ଆଦର୍ଶ ନାରୀ, ଆଦର୍ଶ ଗୃହିଣୀ ଓ ଆଦର୍ଶ ଦେବୀ । ସେ ବାହାରେ ରାଜରାଣୀ; କିନ୍ତୁ ଭିତରେ ତପସ୍ୱିନୀ । ଲୋକ ସେବାକୁ ସେ ଦେଶ ସେବାଠାରୁ ମହତ୍ତର ମଣୁଥିଲେ । କ୍ରୋଧ, ହିଂସା, ଗର୍ବ, ଅଭିମାନ ତାଙ୍କ ପବିତ୍ର ଅଙ୍ଗକୁ ସ୍ପର୍ଶ କରିପାରି ନ ଥିଲା । ପରିହାସରେ ସୁଦ୍ଧା ସେ କାହାରି ପ୍ରତି କୁବାକ୍ୟ ପ୍ରୟୋଗ କରୁ ନଥିଲେ । ସତ୍ୟ, ଧର୍ମ, ନ୍ୟାୟ, ପତିବ୍ରତ୍ୟ, ଦୟା, କ୍ଷମା, ପ୍ରଭୃତି ତାଙ୍କ ସ୍ୱଭାବ-ସୁନ୍ଦର ଅଙ୍ଗର ଅଳଙ୍କାରସ୍ୱରୂପ ଥିଲା । ତାଙ୍କର ଚରିତ୍ର ଅଗ୍ନିତୁଲ୍ୟ ସମୁଜ୍ଜ୍ୱଳ ଓ ଗଙ୍ଗାଜଳ ତୁଲ୍ୟ ନିର୍ମଳ ଥିଲା । ଦାନ ତାଙ୍କର ବ୍ରତ ଓ ତ୍ୟାଗ ତାଙ୍କର ତପସ୍ୟା । ଆଦର୍ଶ ନାରୀତ୍ୱର ପରିପୂର୍ଣ୍ଣ ବିକାଶ ତାଙ୍କରି ପବିତ୍ର ଜୀବନରେ ଏକା ସୁଲଭ ହୋଇଥିଲା । ଏତେ ସଦ୍‌ଗୁଣ ଥିଲା ବୋଲି ସେ ଅବଧି ବିଶ୍ୱପୂଜିତ ରହିଅଛନ୍ତି ।

ସୀତା ଯେପରି ରାମଚନ୍ଦ୍ରଙ୍କର ମନ ଜାଣି ସେବା କରୁଥିଲେ, ରାମଚନ୍ଦ୍ର ମଧ୍ୟ ସେହିପରି ଅର୍ଦ୍ଧାଙ୍ଗିନୀ ସହଧର୍ମିଣୀର ଯାହା ପ୍ରାପ୍ୟ, ତାହା ବହୁଗୁଣ କରି ସୀତାଙ୍କୁ ପ୍ରଦାନ କରୁଥିଲେ । ସେ ସର୍ବଦା ଗୁଣବତୀ ଦେବୀ ପତ୍ନୀଙ୍କ ପ୍ରାଣରେ ପ୍ରଣୟର ମଧୁର ମହୋତ୍ସବ ଲଗାଇ ରଖିଥିଲେ । ରାମଚନ୍ଦ୍ର ସୀତା ଉଭୟଙ୍କ ମଙ୍ଗଳ ମିଳନ ଚନ୍ଦ୍ର ସଙ୍ଗେ ଜ୍ୟୋତ୍ସ୍ନା କିମ୍ୱା ଫୁଲ ସଙ୍ଗେ ସୌରଭ ମିଳନ ତୁଲ୍ୟ ସର୍ବାଂଶରେ ରାଜଯୋଟକ ହୋଇଥିଲା । ସେ ମହାମିଳନ ସୁବର୍ଣ୍ଣ ସଙ୍ଗରେ ଦୀପ୍ତିର, ଶୌର୍ଯ୍ୟ ସଙ୍ଗେ ଶକ୍ତିର ଅଥବା ଜ୍ଞାନ ସଙ୍ଗେ ପ୍ରତିଭାର ନତୁବା ପ୍ରେମ ସଙ୍ଗରେ ପ୍ରୀତିର ସଂଯୋଗ ପରି ଅମୃତମୟ । ସୀତା ରାମଚନ୍ଦ୍ରଙ୍କର ଖାଲି ସହଧର୍ମିଣୀ ନୁହନ୍ତି–ପ୍ରଧାନ ସଚିବ । ଜଟିଳ ରାଜକାର୍ଯ୍ୟ ଓ ସାଂସାରିକ ଅନେକ କାର୍ଯ୍ୟରେ ସ୍ୱାମୀଙ୍କୁ ସେ ଉପଯୁକ୍ତ ପରାମର୍ଶ ପ୍ରଦାନ କରୁଥିଲେ । ସୀତାଙ୍କ ଶୁଶ୍ରୂଷାରେ ରାମଚନ୍ଦ୍ର କଠୋର ରାଜକାର୍ଯ୍ୟର ଦୁଃସହ ଯନ୍ତ୍ରଣା ଭୁଲିଯାଉଥିଲେ । ଜଗତରେ ସୀତାଙ୍କ ପରି ସ୍ତ୍ରୀ ଧନ୍ୟ, ଆଉ ରାମଚନ୍ଦ୍ରଙ୍କ ପରି ସ୍ୱାମୀ ଧନ୍ୟ ! ପବିତ୍ର ଦାମ୍ପତ୍ୟ ପ୍ରେମର ଷୋଳ କଳାଯାକ ତାଙ୍କରିଠାରେ ପ୍ରକାଶ ପାଇଥିଲା ।

ରାଜନ୍ୟଭୂଷଣ ଅଯୋଧ୍ୟା-ସୁନ୍ଦର ରାମଚନ୍ଦ୍ରଙ୍କର ଅତୁଳ ପିତୃବାତ୍ସଲ୍ୟ ଜଗତକୁ ସ୍ତମ୍ଭିତ କରି ରଖିଅଛି । ବିନୟସୌଜନ୍ୟାଦି ଶୁଭଗୁଣରେ ସେହି ଏକା ତାଙ୍କର ତୁଳନା ଅଟନ୍ତି । ସେ ଭାବୀ ରାଜ୍ୟେଶ୍ୱର ହୋଇ ସୁଦ୍ଧା ତାଙ୍କର ଜଣେ ସାମାନ୍ୟ ପ୍ରଜାଠାରୁ ନିଜକୁ ଦୀନ ମଣୁଥିଲେ । ବିବାହ ପରେ ସେ ବୃଦ୍ଧ ପିତାମାତାଙ୍କ ସେବା ଓ ଜନ-ସେବାରେ ଆତ୍ମନିୟୋଗ କଲେ । ପିତାମାତଙ୍କ ଆଶୟରୁ ଅଭିପ୍ରାୟ ବୁଝି ସେ କାର୍ଯ୍ୟ କରୁଥିଲେ । ପିତାମାତାଙ୍କ ଆଦେଶକୁ ସେ ଅନୁଗ୍ରହ ବୋଲି ମଣୁଥିଲେ । ପୁତ୍ର ଓ ପୁତ୍ରବଧୂଙ୍କ ସେବାରେ ସନ୍ତୁଷ୍ଟ ହୋଇ ବୃଦ୍ଧ ରାଜାରାଣୀ ସେମାନଙ୍କ ପ୍ରତି ଅଜସ୍ର ଆଶୀର୍ବାଦ ବର୍ଷଣ କରୁଥିଲେ । ରାମଚନ୍ଦ୍ର ଓ ସୀତା ସୁଦ୍ଧା ବୃଦ୍ଧ ଗୁରୁଜନମାନଙ୍କ ସେବାର ସୌଭାଗ୍ୟ ଲାଭ କରି ନିଜକୁ କୃତାର୍ଥ ମଣୁଥିଲେ । ଦଶରଥ ଚାରିପୁତ୍ରଙ୍କୁ ସମାନ ଭାବରେ ସ୍ନେହାଦର କରନ୍ତି । ଅଧିକନ୍ତୁ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କଠାରେ ତରୁଣାବସ୍ଥାରେ ମହାଜନ ସୁଲଭ ବିଶିଷ୍ଟ ସଦ୍‌ଗୁଣାବଳୀର ଶୁଭ ସଙ୍କେତ ଦେଖି ଅପାର ଆନନ୍ଦ ଉପଭୋଗପୂର୍ବକ ଅନିର୍ବଚନୀୟ ଆତ୍ମଗୌରବ ଅନୁଭବ କରୁଥିଲେ । କେବଳ ଏତିକି ନୁହେଁ– ନିଜକୁ ସୌଭାଗ୍ୟଧର ମଣୁଥିଲେ । ସେ ସମୟ ସମୟରେ ରାଜକାର୍ଯ୍ୟର ଅନେକ ଗୁରୁଭାର ରାମଚନ୍ଦ୍ରଙ୍କ ହସ୍ତରେ ଅର୍ପଣ କରୁଥିଲେ । ସୁଚତୁର ରାଜନୀତି ବିଚକ୍ଷଣ ରାମଚନ୍ଦ୍ର ସେ ସମସ୍ତ କାର୍ଯ୍ୟ ନିର୍ଦ୍ଦୋଷ ଭାବରେ ନିର୍ବାହ କରି ପିତାଙ୍କୁ ଚମତ୍କୃତ କରି ଦେଉଥିଲେ । ସେ ଯେଉଁ କାର୍ଯ୍ୟ କରନ୍ତି, ସେଥିର ଚୂଡ଼ାନ୍ତ ନ କରି କ୍ଷାନ୍ତ ହୁଅନ୍ତି ନାହିଁ-। ତରୁଣ ରାମଚନ୍ଦ୍ର ରାଜନୀତି ସମ୍ପର୍କୀୟ ନାନା କାର୍ଯ୍ୟରେ ପିତାଙ୍କୁ ସାହାଯ୍ୟ କରି ଏବଂ ପ୍ରତିକାର୍ଯ୍ୟରେ ତାଙ୍କୁ ସନ୍ତୁଷ୍ଟ କରି ପିତାଙ୍କର ଅଧିକତର ସ୍ନେହଭାଜନ ହୋଇ ଉଠିଲେ । ସେ ଦେବପଦ ମୂଳରେ ପୁଷ୍ପ ପ୍ରାୟ ପିତୃ-ପଦ ତଳେ ବସି ପ୍ରତ୍ୟହ ରାଜନୀତି ଶିକ୍ଷା କରିବାକୁ ଲାଗିଲେ-

କେକୟ ରାଜ୍ୟର ରାଜା ଭରତଙ୍କର ମାତାମହ ଅଟନ୍ତି । ସେ ଦୌହିତ୍ରଙ୍କୁ ଦେଖିବା ସକାଶେ ଇଚ୍ଛା କରି ଭରତଙ୍କୁ ନେବା ପାଇଁ ସ୍ୱୀୟ ପୁତ୍ରଙ୍କୁ ପଠାଇଲେ । ଭରତ ପିତାଙ୍କଠାରୁ ଅନୁମତି ନେଇ ସ୍ୱୀୟ ମାତୁଳଙ୍କ ସହିତ କେକୟ ରାଜ୍ୟାଭିମୁଖରେ ଯାତ୍ରା କଲେ । ଶତ୍ରୁଘ୍ନ ତାଙ୍କର ଚିର-ଅନୁଗତ, ସୁତରାଂ ସେ ସୁଦ୍ଧା ପିତୃପଦ ବନ୍ଦନପୂର୍ବକ ଅଗ୍ରଜଙ୍କର ସହଯାତ୍ରୀ ହେଲେ ।

Image

 

ଷଷ୍ଠ ପରିଚ୍ଛେଦ

 

ଦଶରଥ ନ’ସହସ୍ର ବର୍ଷ ରାଜତ୍ୱ କରି ବୃଦ୍ଧାବସ୍ଥା ହେତୁ ଅତି ଅବସନ୍ନ ହୋଇପଡ଼ିଲେ । ସକଳ ବିଦ୍ୟାବିଶାରଦ, ସର୍ବଗୁଣ-ବିଚକ୍ଷଣ ରାମଚନ୍ଦ୍ରଙ୍କୁ ଅଯୋଧ୍ୟାର ରାଜସିଂହାସନରେ ବସାଇ ସେ ବିଶ୍ରାମ ନେବାକୁ ଇଚ୍ଛାକଲେ । ଦିନେ ସେ ପାତ୍ର, ମିତ୍ର, ମନ୍ତ୍ରୀ, ପାରିଷଦ, ପୁରୋହିତ, ଜ୍ଞାତି, କୁଟୁମ୍ୱ ଓ ରାଜ୍ୟର ବିଶିଷ୍ଟ ପ୍ରଜାମାନଙ୍କୁ ଆହ୍ୱାନ କରି ସମସ୍ତଙ୍କ ଆଗରେ ନିଜର ଅଭିପ୍ରାୟ ବ୍ୟକ୍ତ କଲେ । ରାମଚନ୍ଦ୍ରଙ୍କ ରାଜା ହେବା ପ୍ରସ୍ତାବ ଶୁଣି ସମସ୍ତେ ଅତୀବ ଆନନ୍ଦ ସହ ତାହା ଅନୁମୋଦନ କଲେ । ତହୁଁ ଅଭିଷେକର ଶୁଭଦିନ ଧାର୍ଯ୍ୟ ହେଲା । ଅଯୋଧ୍ୟା ଉତ୍ସବ ବେଶରେ ସଜ୍ଜିତ ହେଲା । ରାଜୋଚିତ ଆଡ଼ମ୍ବରରେ ସମସ୍ତ ଆୟୋଜନ ଲାଗିଲା । ରାଜ୍ୟରେ ଆନନ୍ଦର ଢେଉ ଖେଳି ବୁଲିଲା-। ଦେଖୁଁ ଦେଖୁଁ ଅଭିଷେକ ଦିବସ ନିକଟରୁ ନିକଟତମ ହୋଇ ଆସିଲା, ରାତି ପାହିଲେ ଅଭିଷେକ ହେବ । ରାମ ରାଜା ହେବେ, ସମସ୍ତଙ୍କ ମୁହଁରେ ଏହି କଥା ଘୂରି ବୁଲିଲା । ଯେ ଯାହାକୁ ଦେଖିଲା, କହିଲା- ରାମ ରାଜା ହେବେ । ପିଲାମାନେ କରତାଳି ଦେଇ ରାମ ରାଜା ହେବେ ବୋଲି ଗୀତ ସ୍ୱରରେ ଗାଇବୁଲିଲେ । ପଶୁ ପକ୍ଷୀମାନେ ରବ ଛଳରେ ରାମ ରାଜା ହେବେ ବୋଲି କହି ଆନନ୍ଦ ପ୍ରକାଶ କଲେ । ଦେବାଳୟର ବାଦ୍ୟ ଭିତରେ ରାମ ରାଜା ହେବେ, ଏହି ଶବ୍ଦ ଧ୍ୱନିତ ହେଲା । ପ୍ରତିଧ୍ୱନି ଛଳରେ ଦେଉଳ କହିଲା–ରାମ ରାଜା ହେବେ । ନଦୀ କଳ କଳ ଶବ୍ଦରେ ବାୟୁକମ୍ପିତ ବନସ୍ପତିର ପତ୍ର ମରମର ଶବ୍ଦରେ, ନିର୍ଝରିଣୀ ଝରଝର ଶବ୍ଦରେ କହିଲେ, ରାମ ରାଜା ହେବେ । ଅଯୋଧ୍ୟା ଆନନ୍ଦମୟ, ଗଗନ ଆନନ୍ଦମୟ, ପବନ ଆନନ୍ଦମୟ ! ଯହିଁ ଦେଖ, ତହିଁ ଆନନ୍ଦର ଉଚ୍ଛୁଳା ବନ୍ୟା ବହୁଧାରାରେ ବହିଯାଉଅଛି । କିନ୍ତୁ, ହାୟ, କିଏ ଜାଣିଥିଲା, ଏ ଆନନ୍ଦ ଏଡ଼େଚାଣ୍ଡେ ପୁଣି ବିଷାଦରେ ପରିଣତ ହେବ । କିଏ ଜାଣିଥିଲା, ଫୁଲଟି ଫୁଟି ଆସୁଁ ଆସୁଁ ଦୁଷ୍ଟ କୀଟର କାଳତୁଣ୍ଡରେ ତାହାର ବୃନ୍ତ କର୍ତ୍ତିତ ହେବ । କିଏ ଜାଣିଥିଲା ଉଷାର ମୁକୁଟ ଜ୍ୟୋତି ପ୍ରକାଶ ନ ପାଉଣୁ ସୂର୍ଯ୍ୟାସ୍ତର ତିମିର କାଳିମା ଘୋଟି ଆସିବ । ନିଷ୍ଠୁରା ନିୟତିର ଅସାଧ୍ୟ କଅଣ ? ସେ ଅସମ୍ଭବ ସମ୍ଭବ କରିପାରେ ।

 

କୈକେୟୀଙ୍କ ବାଲ୍ୟଧାତ୍ରୀ ମନ୍ଥରା କୈକେୟୀଙ୍କ ସଙ୍ଗରେ ଅଯୋଧ୍ୟାକୁ ଆସିଥିଲା । ସେହି ଦିନୁ ସେ କୈକେୟୀଙ୍କ ଅନ୍ତଃପୁରରେ ସ୍ୱାଧୀନା ଦାସୀରୂପେ ବାସ କରିଥିଲା । ମନ୍ଥରା ଅଜ୍ଞାତକୁଳଶୀଳା । ତାହାର ବୟସର କଳନା ନାହିଁ । ସେ ଏତେ ବୁଢ଼ୀ ଯେ, ତାହା ପିଠିରେ କୁଜ ପଡ଼ିଯାଇଥିଲା । ସଂସାରରେ ଯେତେ ଦୋଷ ଦୁର୍ଗୁଣ ଅଛି, ସେ ସବୁ ଏକତ୍ର କରି ବିଧାତା ସେହି ଉପାଦାନରେ ମନ୍ଥରାକୁ ଗଢ଼ିଥିଲା । ଦୁଷ୍ଟବୁଦ୍ଧିରେ ସେ ସ୍ୱୟଂ ମୂର୍ତ୍ତିମତୀ ଦୁଷ୍ଟା ସରସ୍ୱତୀଙ୍କର ଗୁରୁସ୍ଥାନୀୟା । ଗୁଣ ଯେଉଁପରି, ରୂପ ମଧ୍ୟ ସେହିପରି । ସ୍ଥୂଳରେ ଏତିକି କହିଲେ ଯଥେଷ୍ଟ ହେବ ଯେ ମନ୍ଥରା ମାନବସୃଷ୍ଟିର ବ୍ୟଙ୍ଗ ବିଦ୍ରୂପ ସଂସ୍କରଣ । ହଠାତ୍‌ ଦୃଷ୍ଟିରେ ସେ ସିଂହଳ ସୁନ୍ଦରୀ, କି କିଷ୍କିନ୍ଧ୍ୟାର ଅପ୍‌ସରା ସହଜରେ ବାରି ହୁଏ ନାହିଁ । ତାହା ସ୍ୱଭାବର ବୈଚିତ୍ର୍ୟ ଏହି ଯେ, ସେ କାହାରି ସୁଖ ସହିପାରେ ନାହିଁ । ଯେ କୌଣସି ଲୋକର ସୁଖ ଦେଖିଲେ ସେ ଅସହ୍ୟ ଯନ୍ତ୍ରଣାରେ କାନ୍ଦି ପକାଏ । ଜଗତରେ ସେ କେବଳ ନିଜର ଓ ନିଜ ଭର୍ତ୍ତ୍ରୀ କୈକେୟୀର ସୁଖ ବାଞ୍ଛାକରେ । କୁଟିଳତା, ପରଶ୍ରୀକାତରତା, ଈର୍ଷା, ଅଭିମାନ ପ୍ରଭୃତି ନାରକୀୟ କୁପ୍ରବୃତ୍ତି ସମୂହ ଗୋବରରେ ଅଂଶେଇ ପରି ତାହାର ଶିରା ପ୍ରଶିରା ଏବଂ ରକ୍ତକଣିକାରେ ସଲ ସଲ ହେଉଥିଲେ । ଦୁର୍ବୁଦ୍ଧି ଭାରରେ ସେ ନଇଁପଡ଼ିଥିଲା । ତାହାର କୁଜଟି ନିଖିଳ ଦୁଷ୍ଟବୁଦ୍ଧିର ପ୍ରକାଣ୍ଡ ବୁକୁଚା । ଘରଭଙ୍ଗା ବିଦ୍ୟାରେ ମନ୍ଥରା ଅସାଧାରଣ ପାରଦର୍ଶିନୀ । ସେ ବିନା ପଣରେ ବଳେ ବଳେ ବିଦ୍ୱେଷର ପରାମର୍ଶ ଯାଚିବୁଲେ । ଏ ଯୁଗରେ ବି ସେହିପରି ମନ୍ଥରା ସଂସାରରେ ପ୍ରଚୁର ଅଛନ୍ତି । ଅନ୍ୟର ଉନ୍ନତି ଦେଖିଲେ ସେମାନଙ୍କର ଆଖି ଫୁଟିଯାଏ–ଛାତି ଫାଟିଯାଏ । ପର ଘରର ଶାନ୍ତିସୁଖ ମନ୍ଥନ କରି ସେମାନେ ମନ୍ଥରା ବୋଲାନ୍ତି ।

 

ସେହି ମନ୍ଥରା ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ କଥା ଶୁଣି ଯନ୍ତ୍ରଣାରେ ଥରି ଉଠିଲା । ସତେ ଯେପରି କିଏ ତାହା କଲିଜାରେ ତତଲା ତେଲ ଢାଳିଦେଲା । ସେ ବ୍ରହ୍ମତାଳୁରେ ନାଗସାପ ଦଂଶନ କଲା ପରି ମଣିଲା । ତହୁଁ ଦୁଷ୍ଟା ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ଧାଇଁ ଯାଇ କୈକେୟୀଙ୍କୁ ରାମଚନ୍ଦ୍ରଙ୍କ ରାଜା ହେବା କଥା ଜଣାଇଲା । ସେ ତାହା ଶୁଣି ଆନନ୍ଦରେ ଅଧୀର ହୋଇ କହିଲେ–‘‘ଆଜି ଶୁଭଯୋଗରେ ରାତି ପାହିଥିଲା । ମୋର ପ୍ରାଣର ପୁତ୍ର ରାମଚନ୍ଦ୍ର ରାଜା ହେବ, ଏହାଠାରୁ ବଳି ବାଞ୍ଛିତ ଶୁଭସମ୍ବାଦ ଆଉ କଅଣ ହୋଇପାରେ ? ରାମଚନ୍ଦ୍ର ତାହାର ଗର୍ଭଧାରିଣୀ ମା କୌଶଲ୍ୟାଠାରୁ ମୋତେ ଅଧିକ ଭକ୍ତି କରେ । ମୋର ଗର୍ଭଜାତ ପୁତ୍ର ଭରତ ମୋତେ ତାହା ପରି ସେବା କରିପାରେ ନାହିଁ । ଦୀର୍ଘଜୀବୀ ହେଉ ବତ୍ସ ମୋର । ମନ୍ଥରା, ତୁ ଯେଉଁ ପ୍ରିୟ ସମ୍ୱାଦ ଦେଲୁ, ତାହାର ଉପଯୁକ୍ତ ପୁରସ୍କାର ତୋତେ କଅଣ ଦେବି ? ବର୍ତ୍ତମାନ ଏହି ରତ୍ନହାର ଛଡ଼ାକ ନେଇଥା, ରାମ ରାଜା ହେଲେ ତୁ ଯାହା ମାଗିବୁ ମୁଁ ତାହା ଦେଇ ତୋତେ ଖୁସି କରିବି ।’’ କୈକେୟୀ ଏହା କହି କଣ୍ଠରୁ ମହାମୂଲ୍ୟ ରତ୍ନହାର ବାହାର କରି ମନ୍ଥରା ଉପରକୁ ଫିଙ୍ଗିଦେଲେ । ମନ୍ଥରା ଭାବିଥିଲା-କୈକେୟୀ ଏହି ଅପ୍ରିୟ ସମ୍ୱାଦ ଶୁଣି ଗୋଟାଏ ପ୍ରଳୟ କାଣ୍ଡ ଘଟାଇବ; ମାତ୍ର ଫଳରେ ସେଥିରେ ବିପରୀତ ଦେଖି ମୁଣ୍ଡରେ ବଜ୍ର ପଡ଼ିଲା ପରି ବ୍ୟଥା ଅନୁଭବ କଲା । ତାହାର ମ୍ଳାନ ମୁଖର ଛଳ ଛଳ ନେତ୍ରରେ ମନର ସେହି ଗୋପନ ବ୍ୟଥା ଫୁଟିଉଠିଲା । ସେ କାନ୍ଦୁ କାନ୍ଦୁ ସମ୍ଭାଳିଗଲା । କୈକେୟୀ ଉପରେ ତାହାର ଭାରୀ ରାଗ ହେଲା; ସେ ମନେ ମନେ କହିଲା, ‘‘ମର୍‍ ପୋଡ଼ାମୁହିଁ ସ୍ୱାନକପାଳି ।’’ ଅତଃପର କିଛିକ୍ଷଣ ଦୀନଦୃଷ୍ଟିରେ କୈକେୟୀଙ୍କ ମୁହଁକୁ ଚାହିଁରହି କହିଲା–‘‘ହାୟ ମୋ ଫଟା କପାଳ, ବିଧାତା ରଜାଘରେ ବି ଏଭଳି ହୁଣ୍ଡୀ ଅଲାଗୀ ଝିଅ ଜନ୍ମଦିଏ ! ପୋଡ଼ିଯାଉ ସେ ବିଧାତାର ବୁଦ୍ଧି ! ମୋତେ ତ ତାଟଙ୍କା ଲାଗୁଛି ଲୋ ମା, କୁମ୍ଭୀର ନେଇ ମଝି ନଈରେ କଲାଣି, ତୁମେ ପରା ପହଁରୁଛ ବୋଲି ଭାବିଛ ? କହନ୍ତି ପରା, ବିପଦବେଳେ ବିପରୀତ ବୁଦ୍ଧି ହୁଏ, ତୁମର ତାହାହିଁ ହୋଇଅଛି । ରାମ ରାଜା ହେଲେ ତୁମର ଲାଭ କଅଣ ? ତାହାର ମା କୌଶଲ୍ୟା ରାଜମାତା ହେବ, ଆଉ ତୁମେ ତାର ସେବାଦାସୀ ନ ହେଲେ କୃପାଦାସୀ ହୋଇ ରହିବ ସିନା ! ସଉତୁଣୀର ସୌଭାଗ୍ୟରେ ଖୁସି ହୁଏ କିଏ ? ମଞ୍ଜାରିର ବଢ଼ନ୍ତି ଦେଖି ମୂଷାର ଆନନ୍ଦ, ଏ କି ଅପୂର୍ବ କଥା ଗୋ ମାରାଣୀ ! ପୁଣି ସଉତୁଣୀ ପୁଅକୁ ବା କଲ୍ୟାଣ କିଏ କରେ ? ସେ ରାଜା ହେଲେ ଯେ ରାଜଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ ଦୁହେଁ ଏକାବେଳକେ ତୁମ୍ଭଙ୍କୁ ଛାଡ଼ପତ୍ର ଦେବେ, ଏହା କଅଣ ବୁଝିପାରୁ ନାହଁ ? ତୁମେ ସଉତୁଣୀର ଅନ୍ନପୋଷ୍ୟା ହେବ, ମାଇପି ଜନ୍ମ ପାଇ ଏ ଅପମାନ ତୁମ ଦେହ କିମିତି ସହିଛି ? ମୋ ଦେହ ତ ପିଣି ପିଣି ହୋଇ ବିନ୍ଧି ଫାଟିଯାଉଛି ଗୋ ! ଭୂତ ଡାଆଣୀ ଲାଗିଲା ପରି ତୁମ୍ଭେ କଅଣଗୁଡ଼ାଏ ବକିଯାଉଛ, ଟିକିଏ ଏଣିକି ତେଣିକି ଚାହୁଁ ନାହଁ କି ଆଗପଛ ଭାବୁ ନାହଁ–ଭିତରେ ଭିତରେ ତୁମର ଯେ ଅବନତିର ସୂତ୍ରପାତ ହେଉଛି, ତୁମ୍ଭେ ବୁଦ୍ଧିମତୀ ହୋଇ ଏହା କଅଣ ବୁଝିପାରୁ ନାହଁ ? ନିଜର ମଙ୍ଗଳ ଯେବେ ଚାହଁ, ତେବେ ମୋ କଥା ମାନ, କୌଶଳରେ ରାଜାଙ୍କୁ ମଙ୍ଗାଇ ଭରତକୁ ରାଜା କର ଆଉ ରାମକୁ ବଣକୁ ପଠାଅ ।’’ ମନ୍ଥରା, ପାପୀୟସୀ, ଛିଡ଼ିପଡ଼ୁ ତୋର ପାପ ଜିହ୍ୱା ! ତୁ ବିଶୁଦ୍ଧ ଗଙ୍ଗାଜଳକୁ କଳୁଷିତ କରୁଅଛୁ, ତୋର ଏ ପାପର ଉପଯୁକ୍ତ ଫଳ ତୁ ଭୋଗ କରିବୁ । ତୋ ପାଇଁ ଗୋଟାଏ କେଡ଼େ ବଡ଼ ସଂସାର ଛାରଖାର ହୋଇଯିବ, ଗୋଟାଏ ନିଷ୍କଳଙ୍କ ମହାବଂଶରେ କଳଙ୍କ-କାଳିମା ଲିପ୍ତ ହେବ । ତୋର ଏ ଦୁଷ୍କରଣୀ–ଏ ବୀଭତ୍ସ କଳଙ୍କ ଯୁଗେ ଯୁଗେ ରହିଥିବ । ଚନ୍ଦ୍ରସୂର୍ଯ୍ୟ ଆତଯାତ ହେଉଥିବାଯାଏ ତୋର ଏ କଳଙ୍କ ଅମର ହୋଇ ରହିବ । ଜଗତର ତିରସ୍କାର ଓ ଶାପାନଳ ଅଜସ୍ର ତୋର ମସ୍ତକରେ ବର୍ଷିତ ହେବ । ଆର୍ଯ୍ୟପୁରାଣ ତୋର କଳଙ୍କ-ଗାଥା ଚିରକାଳ ଗାଉଥିବ ।

 

କଥାରେ କହନ୍ତି–ସାତ କଥାରେ ସତୀ ବି ଭୁଲିଯାଏ । ସ୍ୱଭାବ-ମୁଖରା ମନ୍ଥରା ଏହିପରି ନାନା କୂଟ ବାକ୍ୟ-ଜାଲରେ କୈକେୟୀଙ୍କୁ ଆଛନ୍ନ କରି ପକାଇଲା । ଦୈବ ଯୋଗକୁ କୈକେୟୀଙ୍କୁ ଦୁର୍ବୁଦ୍ଧି ଘୋଟିଲା । ସେ ରାଜରାଣୀ ହୋଇ ସୁଦ୍ଧା ଛାର ଦାସୀଟାର କୁଶିକ୍ଷାରେ ପଡ଼ି ନିଜର ମହତ୍ତ୍ୱ ପାଶୋରିଗଲେ । ସେ ମନ୍ଥରାକୁ ହିତୈଷିଣୀ ଜ୍ଞାନ କରି ତାହା କଥାକୁ ବେଦବାକ୍ୟ ତୁଲ୍ୟ ବିଶ୍ୱାସ କଲେ । କି ଉପାୟରେ କାର୍ଯ୍ୟ ସାଧନ କରିବେ, ଏହି ଚିନ୍ତା ତାଙ୍କୁ ଘାରି ପକାଇଲା । ସେ ମନ୍ଥରାକୁ ପରାମର୍ଶ ମାଗିଲେ । କୁଟିଳ ଲୋକଙ୍କୁ କୂଟ କୌଶଳର ଅଭାବ ହୁଏ ନାହିଁ । ତହୁଁ ମନ୍ଥରା ଆନନ୍ଦରେ ଗଦ୍‌ଗଦ୍‌ ହୋଇ କହିଲା–‘‘କିଛି ଚିନ୍ତା ନାହିଁ, ସହଜରେ କାର୍ଯ୍ୟୋଦ୍ଧାର ହେବ । ରାଜା ଦଶରଥ ତସର କୀଟ ପରି ନିଜର କର୍ମଜାଲରେ ନିଜେ ବନ୍ଦୀ ହେବେ । ତୁମ୍ଭେ ଶମ୍ୱରାସୁର ଯୁଦ୍ଧରେ ଅସ୍ତ୍ର-ସଞ୍ଜୀବନୀ ବିଦ୍ୟାବଳରେ ଦଶରଥଙ୍କର ଅସ୍ତ୍ରବ୍ରଣ ଆରୋଗ୍ୟ କରିଥିଲ । ଆଉ ଥରେ ତାଙ୍କୁ ନଖବ୍ରଣରୁ ମୁକ୍ତ କରିଥିଲ । ସେଥିର ପୁରସ୍କାରସ୍ୱରୂପ ଦଶରଥ ତୁମ୍ଭଙ୍କୁ ଦୁଇଟି ବର ଯାଚିଥିଲେ । ବର୍ତ୍ତମାନ ତୁମ୍ଭେ ସେହି ବର ମାଗି ଏକ ବରରେ ଭରତକୁ ରାଜା କର ଆଉ ଅନ୍ୟ ବରରେ ରାମଙ୍କୁ ଚଉଦବର୍ଷ ବନକୁ ପଠାଅ ।’’ ଏ ପରାମର୍ଶ କୈକେୟୀଙ୍କର ମନୋନୀତ ହେଲା; ସୁତରାଂ ତାହାହିଁ କରିବା ଧାର୍ଯ୍ୟ ହେଲା ।

Image

 

ସପ୍ତମ ପରିଚ୍ଛେଦ

 

ମନ୍ଥରାର କୁମନ୍ତ୍ରଣାରେ କୈକେୟୀ କ୍ରୋଧାଗାର ମଧ୍ୟରେ ଯାଇ ମୁହଁ ମାଡ଼ି ଶୋଇରହିଲେ । ଦଶରଥ ତାଙ୍କୁ ଅନ୍ତଃପୁର ମଧ୍ୟରେ ନ ଦେଖି ଖୋଜି ଖୋଜି ଯାଇ ସେହିଠାରେ ପହଞ୍ଚିଲେ । କୈକେୟୀଙ୍କର କ୍ରୋଧ ବା ଅଭିମାନର କାରଣ ସେ କିଛି ବୁଝି ନ ପାରି କିଂକର୍ତ୍ତବ୍ୟବିମୂଢ଼ ହୋଇ ରହିଲେ । ନିଜର ବ୍ୟବହାର ମଧ୍ୟରେ ଖୋଜି ସୁଦ୍ଧା ସେଭଳି ଅପରାଧର ହେତୁ କିଛି ପାଇଲେ ନାହିଁ । ତହୁଁ ନାନାପ୍ରକାର ପ୍ରବୋଧ ବାକ୍ୟ ଓ ପ୍ରଲୋଭନ ବାକ୍ୟରେ ତାଙ୍କୁ ସାନ୍ତ୍ୱନା କରିବାକୁ ଚେଷ୍ଟା କଲେ । ସେ ଅନେକ ରାଣନିୟମ ପକାଇ କୈକେୟୀଙ୍କୁ କ୍ରୋଧର କାରଣ ପଚାରିଲେ । କୈକେୟୀ ସ୍ୱାମୀଙ୍କର ଚାଟୁବାଣୀରେ ଆଶ୍ୱସ୍ତ ହୋଇ କହିଲେ–‘‘ମୋର କ୍ରୋଧର ଅନ୍ୟ କିଛି କାରଣ ନାହିଁ, ତୁମ୍ଭ ନିକଟରେ ମୋର ଦୁଇଟି ବର ପ୍ରାପ୍ୟ ଅଛି, ସେହି ଦୁଇଟି ପାଇଲେ ମୁଁ ସନ୍ତୁଷ୍ଟ ହେବି ।’’ ଦଶରଥ କହିଲେ, ‘‘ସେହି କଥା ତ ମୋତେ କହିଥିଲେ ହୋଇଥାନ୍ତା, ଏହି ସାମାନ୍ୟ ବିଷୟରେ ଇତର ରମଣୀ ପରି ଏତେ ବିଚଳିତ ହୋଇଉଠିଲ କାହିଁକି ? ତୁମ୍ଭର ଦୁଇଟି ବର ତୁମ୍ଭେ ଯେତେବେଳେ ଇଚ୍ଛା, ତେତେବେଳେ ନେଇପାର । ମୁଁ ଯାହା ଦେଇଛି, ତାହାକୁ କାହିଁକି ବା ଫେରାଇନେବି ? ସୂର୍ଯ୍ୟବଂଶୀୟ ରାଜାମାନେ ଦତ୍ତାପହାରୀ ନୁହନ୍ତି, ମହିଷି । କି ବର ମାଗିବ ମାଗ, ଏହିକ୍ଷଣି ତୁମ୍ଭର ଇଚ୍ଛା ପୂର୍ଣ୍ଣ କରିବି, ଏହା ମୋର ତ୍ରିବାର ସତ୍ୟ ।’’ କୈକେୟୀ ଏହାଶୁଣି କହିଲେ-‘‘ଗୋଟିଏ ବରରେ ଭରତ ଅଯୋଧ୍ୟାର ରାଜା ହେବ, ଅନ୍ୟ ବରରେ ରାମ ଚଉଦବର୍ଷ ବନବାସ କରିବ ।’’ ଦଶରଥ ଏ କଥା ସତ୍ୟ କି ସ୍ୱପ୍ନ ହଠାତ୍‌ କିଛି ବାରିପାରିଲେ ନାହିଁ । ଆତ୍ମବିସ୍ମୃତି ତାଙ୍କୁ ଆଚ୍ଛନ୍ନ କରି ପକାଇଲା । ଆକାଶ ତାଙ୍କ ମୁଣ୍ଡ ଉପରେ ଆସି ଅଜାଡ଼ିପଡ଼ିଲା, ପୃଥିବୀ ଗୋଡ଼ତଳୁ ଖସିଗଲା । କଲିଜାରେ କିଏ ଯେପରି ହାତୁଡ଼ିର ଆଘାତ ବସାଇଦେଲା । ସେହି ଦାରୁଣ ଆଘାତରେ ତାଙ୍କ ଜୀବନରେ ଗୋଟାଏ ବିରାଟ ଫାଙ୍କ ହୋଇଗଲା । ଚାରିଆଡ଼େ ତାଙ୍କୁ ଶୂନ୍ୟ ଦେଖାଗଲା । ତାଙ୍କ ଶରୀର ଶୁଷ୍କ ଓ ମଳିନ ହୋଇଗଲା । ସତେ ଯେପରି ଦେଖୁଁ ଦେଖୁଁ ତାଙ୍କର ବୟସ ଶଏ ବର୍ଷ ବଢ଼ିଗଲା । ସ୍ତବ୍‌ଧବିସ୍ମୟ ଦୃଷ୍ଟିରେ ସେ କୈକେୟୀଙ୍କ ମୁଖକୁ ଏକଧ୍ୟାନରେ ଚାହିଁ ରହି ମୂର୍ଚ୍ଛିତ ହେଲେ । ସ୍ୱାମୀଙ୍କର ଏ ପ୍ରକାର ଅବସ୍ଥା ଦେଖି ସୁଦ୍ଧା କୈକେୟୀଙ୍କ କଠୋର ହୃଦୟରେ କିଛିମାତ୍ର ଭାବାନ୍ତର ଜାତ ହେଲା ନାହିଁ । ସେ ନିର୍ବିକାର ଚିତ୍ତରେ ବସି ରହିଲେ-। ମାୟା, ମମତା ବା ଆଶଙ୍କାର ଅସ୍ପଷ୍ଟ ଛାୟା ସୁଦ୍ଧା ତାଙ୍କ ଚକ୍ଷୁ ମୁଖରେ ପଡ଼ିବାର ଦେଖାଗଲା ନାହିଁ-

 

କେତେକ କ୍ଷଣ ପରେ ଦଶରଥ ସଂଜ୍ଞା ଲାଭ କରି ଦୀର୍ଘନିଶ୍ୱାସ ଛାଡ଼ି କୈକେୟୀଙ୍କୁ ତୀବ୍ର ତିରସ୍କାରପୂର୍ବକ କହିଲେ–‘‘ଧିକ୍‌ ପାପୀୟସୀ, ମୁଁ ନ ଜାଣି ତୋ ଭଳି କାଳସର୍ପିଣୀକୁ ଦୁଗ୍‌ଧଶର୍କରା ଦେଇ ପୋଷିଥିଲି, ତୋହରି ଦଂଶନରେ ମୁଁ ପ୍ରାଣ ହରାଇବି । ବହୁବିବାହର ବିଷମୟ ଫଳ ମୁଁ ହାତେ ହାତେ ପାଇଲି । ରାମ ତୋତେ ଭରତଠାରୁ ଅଧିକ ଭକ୍ତି କରେ, ତୁ ତାହାର ଅମଙ୍ଗଳ ଉଚ୍ଚାରଣ କଲାବେଳେ ତୋର ପାପ-ଜିହ୍ୱା ଯାହା ଛିଡ଼ି ନ ପଡ଼ିଲା । ତୁ ସ୍ତ୍ରୀ ହୋଇ ସ୍ୱହସ୍ତରେ ସ୍ୱାମୀ-ହତ୍ୟା କଲୁ । ତୁ ପାପିଷ୍ଠା ଚିର ପବିତ୍ର ଉଜ୍ଜ୍ୱଳ ରଘୁକୁଳକୁ କଳଙ୍କିତ କଲୁ ! ସ୍ୱହସ୍ତରେ କାଳୀ ପ୍ରସ୍ତୁତ କରି ନିଜେ ବୋଳିହେଲୁ, ପୁଣି ମୋ ମୁହଁରେ ବି ସେହି କାଳୀ ବୋଳିଦେଲୁ ! କି ଅଦ୍ଭୁତ ଦୁଷ୍କରଣୀ ତୋର ? କି ପାପରେ ବିଧାତା ତୋହ ପରି ପେତୁଣୀ ମୋ ଭାଗ୍ୟରେ ଘଟାଇଥିଲା ? କିମ୍ୱା ଏହା କେଉଁ ଦୁଷ୍ଟ ଅପଦେବତାର ଅଭିଶାପ, ତାହା କିଏ କହିପାରିବ ? ଦଶରଥ ଏହିପରି ଯେତେ ଭର୍ତ୍ସନା କଲେ ସୁଦ୍ଧା କୈକେୟୀ ସେଥିପ୍ରତି ଭ୍ରୂକ୍ଷେପ କଲେ ନାହିଁ । ‘‘ଭରତ ରାଜା ହେଉ, ରାମ ବନକୁ ଯାଉ’’–ସେ କେବଳ ଏହି କଥା ଘୋଷି ହେବାକୁ ଲାଗିଲେ ।

 

ଅନନ୍ତର କୈକେୟୀ ଦୂତଦ୍ୱାରା ରାମଚନ୍ଦ୍ରଙ୍କୁ ଡକାଇଆଣି ତାଙ୍କୁ ପିତୃସତ୍ୟ ଓ ନିଜର ବରଲାଭ ବିଷୟ କହିଲେ । ରାମଚନ୍ଦ୍ର ସବୁ ଶୁଣି ନିର୍ବିକାର ଚିତ୍ତରେ ପିତୃସତ୍ୟ ପାଳନ ସକାଶେ ବନକୁ ଯିବାକୁ ସ୍ୱୀକୃତ ହେଲେ । ତାଙ୍କ ଭାବଭଙ୍ଗୀରୁ ବିରକ୍ତି ବା କାତରତା ଆଦୌ ପ୍ରକାଶ ପାଇଲା ନାହିଁ-। ସେ ମାତା, ଭ୍ରାତା ଓ ସ୍ତ୍ରୀ ପ୍ରଭୃତିଙ୍କଠାରୁ ବିଦାୟ ଘେନି ବନଚାରୀ ବେଶରେ ସଜ୍ଜିତ ହୋଇ ଆସିବା ସକାଶେ ସେଠାରୁ ସତ୍ୱର ପ୍ରସ୍ଥାନ କଲେ । ସେ ପିତାଙ୍କ ଆଦେଶକୁ ଅପେକ୍ଷା ନ କରି ସାବତମାତା କୈକେୟୀଙ୍କ ଆଦେଶକୁ ଆନନ୍ଦରେ ଶିରୋଧାର୍ଯ୍ୟ ମଣି ତାହା ପାଳନରେ ତତ୍ପର ହେଲେ । ତାଙ୍କର ପିତୃଭକ୍ତି ଯେପରି ଅସାଧାରଣ, ମାତୃଭକ୍ତି ମଧ୍ୟ ସେହିପରି ଆଦର୍ଶ ।

 

ରାମଚନ୍ଦ୍ର ଅନ୍ତଃପୁର ମଧ୍ୟରେ ପ୍ରବେଶ କରି ପ୍ରଥମେ କୌଶଲ୍ୟାଙ୍କ ଗୃହରେ ଉପସ୍ଥିତ ହେଲେ । ସେ ମାତୃପଦରେ ମସ୍ତକ ଲଗାଇ ତାଙ୍କର ପଦଧୂଳି ବୋଳି ହେଲେ । କୌଶଲ୍ୟା ପୁତ୍ରଙ୍କୁ ଆଲିଙ୍ଗନ କରି ପ୍ରଗାଢ଼ ସ୍ନେହରେ ଶିରଶ୍ଚୁମ୍ୱନପୂର୍ବକ ଆଶୀର୍ବାଦ କଲେ । ରାମଚନ୍ଦ୍ର ମାତୃପଦପ୍ରାନ୍ତରେ ବସି ପିତାଙ୍କର ସତ୍ୟ ଓ ନିଜର ବନନିର୍ବାସନ ବିଷୟ ଆମୃତ ବ୍ୟକ୍ତ କଲେ । କୌଶଲ୍ୟା ଏ କଠୋର ସମ୍ୱାଦ ଶୁଣି କ୍ଷଣେମାତ୍ର ସ୍ତମ୍ଭିତ ହୋଇ ରହିଲେ । ସମ୍ବାଦଟି ଜନନୀ ପକ୍ଷରେ ଅତୀବ ଭୟାବହ ହେଲେହେଁ ବୀରପତ୍ନୀ କୌଶଲ୍ୟାଙ୍କ ହୃଦୟ ବିଚଳିତ କରିପାରିଲା ନାହିଁ । ସେ ମୃଦୁ ହସି କହିଲେ–‘‘ବାପ, ତୁ ସୌଭାଗ୍ୟବାନ୍‌ । ଯେଉଁ ସୁପୁତ୍ର ପିତୃସତ୍ୟ ପାଳନ କରେ, ତାହା ପରି ଭାଗ୍ୟଧର ଦେବ-ସମାଜରେ ସୁଦ୍ଧା ଦୁର୍ଲଭ ! ତୁ ମହାବୀର ମହୁଡ଼ମଣି, ବନବାସ ତୋ ପକ୍ଷରେ ଭୀତିପ୍ରଦ ହେବ ନାହିଁ । ପିତା ପରମଗୁରୁ । ତାଙ୍କର ପୁଣ୍ୟ ଆଶୀର୍ବାଦ ବିଧାତା ପୁରୁଷର ଲେଖନଗାର ପରି ଅକ୍ଷୟ । ତୁ ତୋର ରାଜର୍ଷି ତୁଲ୍ୟ ପିତୃଦେବଙ୍କୁ ସନ୍ତୁଷ୍ଟ କରି ତାଙ୍କର ସେହି ଆଶୀର୍ବାଦ ଲାଭକର । ମୁଁ ମଧ୍ୟ ଆଶୀର୍ବାଦ କରୁଛି–ଯେବେ କାୟ, ମନ, ପ୍ରାଣରେ ମୁଁ ପତିସେବା କରିଥିବି, ତେବେ ମୋର ସେହି ସତୀତ୍ୱର ତେଜ ବନଦେବତା ରୂପ ଧରି ତୋତେ ସର୍ବଦା ରକ୍ଷା କରିବେ ।’’ ରାମଚନ୍ଦ୍ର କହିଲେ–‘‘ମା, ତୁମ୍ଭରି ଏହି ଆଶୀର୍ବାଦ ଏକା ଅଭେଦ୍ୟ ବଜ୍ରକବଚ ତୁଲ୍ୟ ମୋତେ ଆଚ୍ଛନ୍ନ କରି ରଖିବ । ମାତୃ-ଆଶୀର୍ବାଦ ଯାହାର ସମ୍ୱଳ, ତାହାର କି ଭୟ ମା ? ତୁମ୍ଭେ ବୀରପୁତ୍ରୀ, ବୀରଜାୟା । ଏଭଳି ଉକ୍ତି କେବଳ ତୁମ୍ଭଙ୍କୁହିଁ ପଟାନ୍ତର ମା ! ଏଭଳି ବୀରହୃଦୟାର ପୁତ୍ର ବୋଲି ମୁଁ ନିଜକୁ ଧନ୍ୟବାନ୍‌ ମନେ କରୁଛି ।’’

 

ଅନନ୍ତର ରାମଚନ୍ଦ୍ର ସୀତାଙ୍କ ନିକଟକୁ ଯାଇ ନିଜର ବନଗମନ ସମାଚାର ତାଙ୍କର କର୍ଣ୍ଣଗୋଚର କଲେ । ସୀତା ସବୁ ଶୁଣି ବ୍ୟଥାସିକ୍ତ ଦୀର୍ଘନିଃଶ୍ୱାସ ପରିତ୍ୟାଗ କରି କହିଲେ–‘‘ହାୟ, କାହିଁ କାଲି ରାଜା ହେବାର କଥା, କାହିଁ ପୁଣି ଆଜି ବନବାସ ! ଗୁରୁ ସୁଖ ପଛେ ପଛେ ଗୁରୁ ଦୁଃଖ ପୁଣି ଏଡ଼େ ଚାଣ୍ଡେ ଆସି ହାବୁଡ଼ିଯାଏ । ପୂର୍ଣ୍ଣିମାର ଚନ୍ଦ୍ର ଦେଖା ନ ଦେଉଣୁ ଦୂରନ୍ତ ରାହୁ ତାକୁ ଗ୍ରାସ କରିବସିଲା । ସୁଖ ଆସୁଁ ଆସୁଁ ବାଟରେ ଦୁଃଖକବଳରେ ପଡ଼ିଲା । ବିଧି-ବିଧାନ କି ବିଚିତ୍ର ! ସେ ଅପୂର୍ବ ବିଧାନ ଦେଖି ବେଳେ ବେଳେ କାନ୍ଦମାଡ଼େ, ପୁଣି ବେଳେ ବଳେ ହସ ବି ମାଡ଼େ । ଦୁର୍ବାର ନିୟତିକୁ କିଏ ଲଙ୍ଘନ କରିପାରିବ ? ସେ ଯାହାହେଉ, ମୁଁ ତୁମ୍ଭ ସଙ୍ଗରେ ବନକୁ ଯିବି ।’’ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇ କହିଲେ–‘‘ତୁମେ ବନକୁ ଯିବ, ଏ କି ଦୁଃସାହସ ? ତୁମେ ରାଜକନ୍ୟା, ରାଜବଧୂ, ତୁମର ସୁକୁମାର ଶରୀର କି ବନବାସ କଷ୍ଟ ସହିପାରିବ ? ବିଶେଷତଃ ବନରେ ଶ୍ୱାପଦ ଓ ଦୁଷ୍ଟ ରାକ୍ଷସମାନଙ୍କର ଉପଦ୍ରବ ଅଧିକ । ଏଭଳି ଅବସ୍ଥାରେ ତୁମର ସେ ସଙ୍କଳ୍ପ ତ୍ୟାଗ କରିବା ଉଚିତ-।’’ ସୀତା ଏହାଶୁଣି ହସି ହସି କହିଲେ–‘‘ମୁଁ ବାଳିକା ନୁହେଁ ଯେ ଶ୍ୱାପଦ ରାକ୍ଷସର ଭୟ ଦେଖାଇଲେ ବହଲିଯିବି ! ମୁଁ ମହାବୀର-ପତ୍ନୀ, ଛାର ଶ୍ୱାପଦ ବା ରାକ୍ଷସ ମୋର କଅଣ କରିପାରିବେ ? ମୋର ସ୍ୱାମୀ ଭୁବନବିଜୟୀ, ସୁତରାଂ ମୋର ଭୟ କାହାକୁ ? ତୁମ୍ଭଙ୍କୁ ଛାଡ଼ି ମୁଁ କିପରି ପ୍ରାଣ ଧରି ରହିବି ? ଚନ୍ଦ୍ର ବିନା ଚନ୍ଦ୍ରପଦଶ୍ରିତା ଜ୍ୟୋତ୍ସ୍ନା ଆଉ କାହା ଆଶ୍ରୟରେ ବଞ୍ଚିବ ? ତୁମ୍ଭେ ସଙ୍ଗରେ ଥିଲେ ପର୍ଣ୍ଣକୁଟୀରକୁ ମୁଁ ରାଜହର୍ମ୍ୟ ମଣିବି, ଖଣ୍ଡୋପଳକୁ ମଣିମାଣିକ୍ୟଖଚୀ ରାଜସିଂହାସନ ମଣିବି, ସାମାନ୍ୟ ଫଳମୂଳକୁ ପରମାନ୍ନ ମଣିବି, ଆଉ କଣ୍ଟକ ଫୁଟିଲେ ତାକୁ ପୁଷ୍ପାଘାତ ତୁଲ୍ୟ ମଣିବି । ବନରେ ତୃଣଶଯ୍ୟା ମୋ ପକ୍ଷରେ ମହାର୍ହ ତୂଳିକା ତୁଲ୍ୟ ହେବ, ଧୂଳିକଣା କର୍ପୂରଗୁଣ୍ଡା ତୁଲ୍ୟ ହେବ, ବନଫୁଲ ରତ୍ନାଳଙ୍କାର ପରି ହେବ । ପିତୃସତ୍ୟ ପାଳନ ତୁମ୍ଭର ଯେପରି ଧର୍ମ, ସ୍ୱାମୀ ସେବା ମୋର ବି ସେହିପରି ପରମ ଧର୍ମ । ସେ ବିପୁଳ ସୌଭାଗ୍ୟରୁ ଦାସୀକୁ ବଞ୍ଚିତ କର ନାହିଁ ଦେବ । ତୁମ୍ଭେ ବନରେ କଷ୍ଟ ପାଇବ, ଆଉ ମୁଁ ରାଜପ୍ରାସାଦରେ ସୁଖଭୋଗ କରିବି ? ତୁମ୍ଭର ଚରଣ-ସେବିକା ସୀତା ପ୍ରାଣ ଥାଉଁ ଥାଉଁ ତାହା କରିପାରିବ ନାହିଁ ପ୍ରଭୁ । ମୁଁ ତୁମ୍ଭର ସହଧର୍ମିଣୀ ପୁଣି ଅର୍ଦ୍ଧାଙ୍ଗିନୀ, ତୁମ୍ଭର ଯେତେବେଳେ ଯେଉଁ ଅବସ୍ଥା, ମୋର ବି ତେତେବେଳେ ସେହି ଅବସ୍ଥା । ଏଥିର ଅନ୍ୟଥା ଆର୍ଯ୍ୟରମଣୀର ଧର୍ମ ନୁହେଁ । ମୁଁ ରାଜକନ୍ୟା, ବନରେ ଯାଇ ବନରାଜକନ୍ୟା ଶିଶୁ ମୃଗୀ ସଙ୍ଗେ କ୍ରୀଡ଼ା କରିବି । ବନସ୍ପତି ରାଜଜେମା କୁସୁମ-ସୁନ୍ଦରୀ ସଙ୍ଗରେ ସଖିତ୍ୱ କରିବି, ଗିରିରାଜବାଳା ନିର୍ଝରିଣୀ ସହିତ ସମ୍ଭାଷଣ କରିବି । ମୋର ସେ ଶାଧରେ, ସେ ଆନନ୍ଦରେ ଆଘାତ ଦିଅ ନାହିଁ ନାଥ । ତୁମ ଶ୍ରୀଚରଣରେ ତୁମ୍ଭର ଚରଣସେବିକା ସୀତାର ଏତିକିମାତ୍ର ଅଳି ।’’ ସୀତାଙ୍କ ନାରୀ-ମହତ୍ତ୍ୱରେ ଆଘାତ ଦେବାକୁ ରାମଚନ୍ଦ୍ରଙ୍କର ମନ ବଳିଲା ନାହିଁ । ସେ ସୀତାଙ୍କୁ ସହଗାମିନୀ ହେବା ସକାଶେ ଆନନ୍ଦରେ ଅନୁମତି ପ୍ରଦାନ କଲେ ।

 

ଲକ୍ଷ୍ମଣ ରାମଚନ୍ଦ୍ରଙ୍କର ଆବାଲ୍ୟ ଅନୁଗତ । ସେ ନିଜକୁ ପିଣ୍ଡ ଆଉ ରାମଚନ୍ଦ୍ରଙ୍କୁ ପ୍ରାଣ ତୁଲ୍ୟ ମଣନ୍ତି । ସେ ମଧ୍ୟ ଅଗ୍ରଜଙ୍କ ମମତା ତେଜି ନ ପାରି ତାଙ୍କ ସଙ୍ଗରେ ବନଗାମୀ ହେବା ସକାଶେ ବାହାରିଲେ । ରାମଚନ୍ଦ୍ର କହିଲେ–‘‘ଲକ୍ଷ୍ମଣ, ମୋ ସଙ୍ଗରେ ବନକୁ ଯିବା ତୁମ୍ଭର ଉଚିତ୍ ନୁହେଁ । ତୁମ୍ଭେ ଘରେ ରହି ବୃଦ୍ଧ ପିତାମାତାଙ୍କର ସେବା କର ।’’ ଲକ୍ଷ୍ମଣ ଅଗ୍ରଜଙ୍କର ଏ ଆଦେଶ ବିନୟର ସହିତ ପ୍ରତ୍ୟାଖ୍ୟାନ କରି କହିଲେ–‘‘ଦେବ, ଆଜୀବନ ଛାୟା ତୁଲ୍ୟ ଆପଣଙ୍କର ଅନୁଗମନ କରିବି, ଏହା ମୋର ଇଷ୍ଟବ୍ରତ । ସେବକକୁ ସେହି ପବିତ୍ର ବ୍ରତରୁ ବଞ୍ଚିତ କରନ୍ତୁ ନାହିଁ । ପିତୃମାତୃ-ସେବାର ଛଳନା ଧରି ମୋତେ ଭଣ୍ଡାଇଦେଲେ ମୁଁ ସହଜରେ ଭୁଲିଯିବି ନାହିଁ । ଯେ ରାଜାଧିରାଜ ମହାରାଜ, ତାଙ୍କର ସେବା କରିବାକୁ ଲୋକର ଅଭାବ କଅଣ ? ଶତ ଶତ ସେବକ ତାଙ୍କର ଆଦେଶକୁ ଅପେକ୍ଷା କରି ଟାକି ରହିଛନ୍ତି; ମାତ୍ର ଆପଣଙ୍କୁ ଓ ମୋର ଜନନୀ ତୁଲ୍ୟ ପରମାରାଧ୍ୟା ଭ୍ରାତୃଜାୟା ସୀତାଦେବୀଙ୍କୁ ବନରେ ସେବା କରିବାକୁ କିଏ ଅଛି ଦେବ ? ଆପଣଙ୍କ କିଣାକିଙ୍କର ସୌମିତ୍ରି ଆପଣଙ୍କ ଶ୍ରୀଚରଣରେ ଏଭଳି କି ଦ୍ରୋହ କରିଛି ଯେ, ସେବାର ଅଧିକାରରୁ ସେ ନିରାଶ ହେବ ?’’ ରାମଚନ୍ଦ୍ର ଆଉ ସହିପାରିଲେ ନାହିଁ । ଋଷିପ୍ରତିମ ଭାଇ ଲକ୍ଷ୍ମଣଙ୍କର ଦେବଦୁର୍ଲଭ ଭ୍ରାତୃଭକ୍ତିରେ ତାଙ୍କର ପ୍ରେମିକ ହୃଦୟ ଉଛୁଳିଉଠିଲା । ସେ ଲକ୍ଷ୍ମଣଙ୍କୁ ସ୍ନେହରେ ଆଲିଙ୍ଗନ କରି ସଙ୍ଗରେ ଯିବା ସକାଶେ ଆଦେଶ ଦେଲେ । ତହୁଁ ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ଦଶରଥଙ୍କଠାରୁ ବିଦାୟ ନେବା ପାଇଁ କୈକେୟୀଙ୍କ ଅନ୍ତଃପୁରକୁ ଯାତ୍ରା କଲେ ।

 

ରାମଚନ୍ଦ୍ର ପିତାଙ୍କର ପଦ ବନ୍ଦନ କରି କର ଯୋଡ଼ି କହିଲେ–‘‘ପିତଃ, ଆପଣ ଆଦେଶ ପ୍ରଦାନ କରନ୍ତୁ, ଆପଣଙ୍କର ସେବକ, ସେବିକା ମୁଁ, ଲକ୍ଷ୍ମଣ ଓ ସୀତା ଏହି ମୁହୂର୍ତ୍ତରେ ବନଯାତ୍ରା କରିବୁ । ବିମାତା କୈକେୟୀ ଦେବୀଙ୍କର କିଛି ଦୋଷ ନାହିଁ, ସଂସାରର ସବୁ ଘଟଣା ଦୈବାଧୀନ । ସେ ମୋତେ ପୁତ୍ରାଧିକ ସ୍ନେହ କରନ୍ତି । ତାଙ୍କୁ ଅକାରଣ ଗଞ୍ଜଣା ଭର୍ତ୍ସନା କଲେ ମୋ ପ୍ରାଣରେ ବିଷମ ଆଘାତ ଲାଗିବ । ନିୟତି ସବୁ କରେ, ମାନବ ଉପଲକ୍ଷମାତ୍ର । ଦୁଃଖ ବୋଲି ଜଗତରେ କିଛି ନାହିଁ । ଯାହାକୁ ଦୁଃଖ ବୋଲି କହନ୍ତି, ସେ ସୁଖର ଶୁଭ ସୂଚନା ସିନା ! ନିୟତି ଯାହା କରେ ତାହା ମଙ୍ଗଳ ସକାଶେ କରେ । ମଙ୍ଗଳମୟୀ ନିୟତିର ବିଧାନ କେବେ ଅମଙ୍ଗଳ ହୋଇପାରେ ନାହିଁ । ଆପାତ ଦୃଷ୍ଟିରେ କୌଣସି କୌଣସି ଘଟଣା ଅମଙ୍ଗଳ ପରି ବୋଧହୁଏ ସତ୍ୟ; ମାତ୍ର ତାହାର ପରିଣାମ ଶୁଭାବହ । ଆପଣ ମୋ ପାଇଁ ଦୁଃଖ କରିବେ ନାହିଁ । କାଲି ପହରିଦିନ ପରି ଚଉଦ ବର୍ଷ କଟିଯିବ । ତହିଁପରେ ଏ ସେବକ ଫେରିଆସି ପିତୃସେବାରୂପ ଦେବସେବାରେ ଜୀବନ ଧନ୍ୟ କରିବ ।’’ ପୁତ୍ରର ଏଭଳି ଉଦାରତା ଓ ମହାପ୍ରାଣତାରେ ଦଶରଥ ବିମୁଗ୍‌ଧ ହୋଇଗଲେ; ମାତ୍ର ଦାରୁଣ ଲଜ୍ଜାହେତୁ କିଛି କହିବାକୁ ତାଙ୍କର ତୁଣ୍ଡ ଫିଟିଲା ନାହିଁ । ସେ ମୁଣ୍ଡ ଟେକି ରାମଚନ୍ଦ୍ରଙ୍କ ମୁହଁକୁ ଅନାଇପାରିଲେ ନାହିଁ । ବହୁ କ୍ଷଣ ପରେ ବ୍ୟଥାତପ୍ତ ଦୀର୍ଘ ନିଃଶ୍ୱାସ ପକାଇ କହିଲେ, ‘‘ବତ୍ସ, ତୋର କଥା ଭିତରେ ତୋର ସ୍ୱଭାବସିଦ୍ଧ ମହତ୍ତ୍ୱ ଫୁଟି ଉଠୁଅଛି । ତୁ ପିତୃସତ୍ୟ ପାଳନ ପାଇଁ ବନଗମନ କରି ସୁପୁତ୍ରର ଆଦର୍ଶ ଦେଖାଇଲୁ; କିନ୍ତୁ ହାୟ ମୁଁ କଅଣ କଲି ? ତୋ ଭଳି ଗୁଣଧର ଦେବପୁତ୍ରକୁ ମୁଁ କଷ୍ଟ ଦେଇ କୁତ୍ସିତାର ଅଖ୍ୟାତି ଅର୍ଜନ କଲି । ଧିକ୍‌ମୋତେ ! କିନ୍ତୁ ଏ ଗୁରୁତର ଅନୁଶୋଚନାରେ ମୋର ସାନ୍ତ୍ୱନା ଏତିକି ଯେ–ମୁଁ ସୁପୁତ୍ରର ପିତା । ମୋର ସେ ଗୌରବ ମଳିନ ହେବ ନାହିଁ । ଆଉ ଅଧିକ କିଛି କହିପାରିବି ନାହିଁ । ପିତା ନ ହେବା ଯାଏଁ ପିତୃ-ହୃଦୟର ବେଦନା କେହି ସମ୍ପୂର୍ଣ୍ଣରୂପେ ଜାଣିପାରେ ନାହିଁ; ମାତ୍ର ତୁ ପିତୃପ୍ରାଣ ହେତୁ ତୋର ଏ ବୃଦ୍ଧ ପିତାପ୍ରାଣରେ କି ହୁତାଶନ ଜଳୁଛି, ତାହା ବୁଝିପାରିଅଛୁ ପୁତ୍ର ! ମୋର ଶେଷ ଆଦେଶ ପାଳନ କରିବୁ । ତୁ ସନ୍ନ୍ୟାସୀ ବେଶ ଧରି ଚାଲିକରି ବନକୁ ଯିବୁ, ମୁଁ ତାହା ସହିପାରିବି ନାହିଁ । ସେ ଦୃଶ୍ୟ ଦେଖିଲେ ମୋର ଚକ୍ଷୁ ଫାଟିଯାଇ ରକ୍ତ ବହିବ । ମୋ ରାଜ୍ୟର ଶେଷ ସୀମାପର୍ଯ୍ୟନ୍ତ ତୁମ୍ଭେମାନେ ରଥରେ ବସି ଯାଅ ।’’ ଅନନ୍ତର ଦଶରଥ ରଥ ସଜ୍ଜିତ କରି ଆଣିବା ସକାଶେ ସୁମନ୍ତ୍ରନାମକ ସାରଥିକୁ ଆଦେଶ ଦେଲେ । କିଛିକ୍ଷଣ ପରେ ରାଜୋଚିତ ସାଜରେ ସୁସଜ୍ଜିତ ରଥ ଆସି ଉପସ୍ଥିତ ହେଲା । ତହୁଁ ରାମଚନ୍ଦ୍ର ଲକ୍ଷ୍ମଣ ଓ ସୀତା ଶୋକାର୍ତ୍ତ ଦଶରଥଙ୍କର ପାଦବନ୍ଦନ କରି ରଥରେ ବସି ଅରଣ୍ୟକୁ ପ୍ରସ୍ଥାନ କଲେ; ଦଶରଥ କମ୍ପିତ କଣ୍ଠରେ ‘ହା-ରାମ’ କହି ମୂର୍ଚ୍ଛିତ ହେଲେ ।

Image

 

ଅଷ୍ଟମ ପରିଚ୍ଛେଦ

 

ରାମଚନ୍ଦ୍ର-ବନଗମନ ସମ୍ବାଦ ବିଷବାଷ୍ପ ପ୍ରାୟ ମୁହୂର୍ତ୍ତକ ମଧ୍ୟରେ ବିଦ୍ୟୁତ୍‌ ଗତିରେ ଚାରିଆଡ଼େ ବ୍ୟାପିଗଲା । ନଗରବାସୀ ଏ ସହସା ଏ ଦାରୁଣ ସମ୍ୱାଦ ଶୁଣି ବିସ୍ମୟରେ ଅଭିଭୂତ ହୋଇଗଲେ । ହର୍ଷୋତ୍‌ଫୁଲ୍ଲ ନଗର ବକ୍ଷରେ ବିଷାଦର ଭଟା ପଡ଼ିଗଲା । ଆନନ୍ଦ ଚହଳ ପରିବର୍ତ୍ତରେ ହାହାକାର ଧ୍ୱନି ଉଠିଲା । ଅଯୋଧ୍ୟାର ପ୍ରତି ରନ୍ଧ୍ରରୁ ବିଷାଦ-ବଂଶୀ କରୁଣ ରାଗରେ ବାଜିଉଠିଲା । ଉତ୍ସବ ବେଶରେ ସଜ୍ଜିତ ଯେଉଁ ଅଯୋଧ୍ୟା ଶୋଭା-ସ୍ୱର୍ଗରୁ ଖଣ୍ଡେ ଖସି ପଡ଼ିଲା ପରି ଦିଶୁଥିଲା, ସେ ଏବେ ଶ୍ମଶାନ ପରି ଶ୍ରୀହୀନ ଦିଶିଲା । ଅକାଳରେ ନିଦାଘ ଆସି ବସନ୍ତର ଚାରୁ ସୁଷମାକୁ ନିଭାଇଦେଲା । ନାଗରିକମାନଙ୍କର ହର୍ଷସିକ୍ତ ମନ ଚୂନା ହୋଇଗଲା । ସମସ୍ତଙ୍କ ମୁଖ ବିଷାଦ-କାଳିମାରେ ମଳିନ ଦିଶିଲା । ସମସ୍ତେ ହା-ହା କରି କାନ୍ଦିଲେ । ଅଶ୍ରୁରେ ରାଜପୁରୀ, ରାଜପଥ ପଙ୍କିଳ ହୋଇଗଲା । ସହସା ଏଭଳି ବିଷାଦ କାହୁଁ ଆସି ଆନନ୍ଦରେ ମିଶିଲା । ଅମୃତରେ ହଳାହଳ ମିଶିଲା, ଗୋଦୁଗ୍‌ଧରେ ଗୋମୂତ୍ର ମିଶି ତାକୁ ବିଷାକ୍ତ କରିଦେଲା । ହାୟ, ଏ କି ଗୁରୁଚଣ୍ଡାଳୀ ଯୋଗ । କୈବଲ୍ୟରେ ଆମିଷ, ତୀର୍ଥଜଳରେ ରୁଧିର, ସତ୍ୟରେ ଶଠତା କିଏ ଆଣି ମିଶାଇଲା ? ବିଷାଦ-ବିବଶା ଅଯୋଧ୍ୟା ରାମଚନ୍ଦ୍ରଙ୍କ ପଛେ ପଛେ ଶୋକ-ସମୁଦ୍ର ସୃଷ୍ଟି କରି ଧାଇଁଲା । ଚୌଦିଗ ହାହାମୟ । ରଥ ହାହାକାର କରି ଧାଇଁଲା ପବନ ହାୟ ହାୟ ଶବ୍ଦରେ ବହିଲା-। ବଂଶର ଆଦିପୁରୁଷ ସୂର୍ଯ୍ୟଦେବ ଘୃଣା, ଦୁଃଖ ଓ ଲଜ୍ଜାରେ ମେଘ ଉହାଡ଼ରେ ମୁହଁ ଲୁଚାଇଲେ । ରାମଚନ୍ଦ୍ରଙ୍କ ବିଚ୍ଛେଦଶୋକରେ ଅଧୀର ହୋଇ ଅଯୋଧ୍ୟା କାନ୍ଦି କାନ୍ଦି ନେତ୍ରରୁ ଶ୍ରାବଣର ଧାରା ବହାଇଦେଲା । ଆକାଶ ପାତାଳ କାନ୍ଦିଲେ । ସରଯୂ ହାୟ ହାୟ ଶବ୍ଦରେ କାନ୍ଦି କାନ୍ଦି ଉଜାଣି ବହିଲା । ପ୍ରଜାଙ୍କର ମନ, ପ୍ରାଣ, ଆତ୍ମା କାନ୍ଦି ଉଠିଲା । ସତେ ଯେପରି ଦୁଃଖର ଉତ୍ତାପରେ ସମସ୍ତଙ୍କର ହାଡ଼ମାଂସ ମିଳାଇଯାଇ ଅଶ୍ରୁରୂପରେ ଆଖିବାଟେ ବାହାରିପଡ଼ିଲା । ପଶୁପକ୍ଷୀ ଆହାର ତ୍ୟାଗ କରି କାନ୍ଦିଲେ-ଶିଶିରପାତ ଛଳରେ ଗଛପତ୍ର ଅଶ୍ରୁବର୍ଷଣ କଲେ–ଅଟାଳିକାମାନ ପ୍ରତିଧ୍ୱନି ବ୍ୟାଜରେ ହାୟ ହାୟ ହୋଇ କାନ୍ଦିଲେ-ଅଯୋଧ୍ୟାର ଦେବାଳୟ ସଙ୍ଗରେ ଦେବଦେବୀଙ୍କ ପ୍ରତିମାମାନେ ନୀରବରେ କାନ୍ଦିଲେ–ଏମନ୍ତକି ଅଯୋଧ୍ୟାର ପ୍ରକୃତିଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ, ଓ ରାଜଲକ୍ଷ୍ମୀ ସୁଦ୍ଧା କାନ୍ଦିବାକୁ ଲାଗିଲେ । ମନ୍ଥରା ପ୍ରବଳ ଝଟିକା ପରି ଅଯୋଧ୍ୟା-ଉପବନକୁ ମନ୍ଥନ କରି ବିପର୍ଯ୍ୟସ୍ତ ଓ ବିଧ୍ୱସ୍ତ କରିଦେଲା । ଅଯୋଧ୍ୟା ଭାଗ୍ୟରେ ସେ ଦୁଷ୍ଟ ଅପଦେବତାର କଠୋର ଅଭିଶାପ । ନଗରବାସୀ ଆବାଳବୃଦ୍ଧ ସେହି ଅଭିଶାପରୂପିଣୀ ମନ୍ଥରା ମସ୍ତକରେ ଅଭିଶାପର ଅଗ୍ନିମୁଣ୍ଡା ବୃଷ୍ଟି କରିବାକୁ ଲାଗିଲେ ।

 

ବିସ୍ତୃତ ଜନତା ରାମଚନ୍ଦ୍ରଙ୍କ ରଥ ପଛରେ ଧାଇଁଅଛି । ଜନତା ମଧ୍ୟରୁ କୈକେୟୀ ଓ ଦଶରଥଙ୍କ ଉଦ୍ଦେଶ୍ୟରେ ଅଜସ୍ର ନିନ୍ଦାବୃଷ୍ଟି ହେଉଅଛି । ମାତୃନିନ୍ଦା ବିଶେଷତଃ ପିତୃନିନ୍ଦା ରାମଚନ୍ଦ୍ରଙ୍କ ହୃଦୟରେ ଆଗ୍ନେୟ ଗୁଳି ତୁଲ୍ୟ ବିଦ୍ଧ ହେବାକୁ ଲାଗିଲା । ସେ ଅତ୍ୟନ୍ତ ବ୍ୟଥିତ ହୋଇ ମଧୁର କଥାରେ ଜନତାକୁ ଫେରିଯିବା ପାଇଁ ଅନୁରୋଧ କଲେ; ମାତ୍ର ଜନତା ମଧ୍ୟରୁ ବାରମ୍ୱାର ଧ୍ୱନିତ ହେଲା–‘‘ଫେରି ଆସ ରାମ, ତୁମ୍ଭେ ଅଯୋଧ୍ୟାର ଜୀବନ ପୁଣି ଅଯୋଧ୍ୟାର ପିତା । ଆମ୍ଭମାନଙ୍କୁ ମୃତବତ୍‌କରି, ପିତୃହୀନ କରି ଯାଅ ନାହିଁ । ତୁମ୍ଭ ଅଭାବରେ ଚଉଦବର୍ଷ ଆମ୍ଭମାନଙ୍କୁ ଚଉଦ ଯୁଗ ପରି ଲାଗିବ ପ୍ରଭୁ ।’’ ରାମଚନ୍ଦ୍ର ସେମାନଙ୍କୁ ସାନ୍ତ୍ୱନା ଦେଇ କହିଲେ, ‘‘ତୁମ୍ଭମାନେ କାତର ହୁଅ ନାହିଁ, ତୁମ୍ଭମାନଙ୍କ ସ୍ନେହର ପ୍ରବଳ ଶକ୍ତି ମୋତେ ଓଟାରି ଘେନି ଆସିବ । ସେ ଦୁର୍ଜୟ ଶକ୍ତି ନିକଟରେ ତ ସମସ୍ତ ଜଗତ ପରାସ୍ତ, ଆଉ ମୁଁ ଅବା କିଏ ? ସେହି ସ୍ନେହ ଚଉଦ ବର୍ଷକୁ ଚଉଦ ଦିନ ପରି ଲଘୁ କରିଦେବ । ମୁଁ ପିତୃସତ୍ୟ ପାଳନରେ କ୍ଷମ ହୁଏ, ସମସ୍ତେ ଏହି ଆଶୀର୍ବାଦ କର । ପ୍ରାଣର ଭାଇ ଭରତ ତୁମ୍ଭମାନଙ୍କୁ ମୋ ଅପେକ୍ଷା ଅଧିକ ସୁଖରେ ପାଳନ କରିବ, ଏଥିରେ ସନ୍ଦେହର ଅବକାଶ ସୁଦ୍ଧା ନାହିଁ । ମୋ ସାଙ୍ଗରେ ତାହାର ଶରୀରରେ ପ୍ରଭେଦ ଅଛି ସିନା, ମାତ୍ର ଆତ୍ମାରେ ପ୍ରଭେଦ ନାହିଁ । ତାହାର ମଧୁର ଶାସନ ସମସ୍ତଙ୍କ ପକ୍ଷରେ ପୁଷ୍ଟିକର ହେବ ।’’ ରାମଚନ୍ଦ୍ର ଏହିପରି ଅନେକ ବୁଝାଇ ବହୁ ଆୟାସରେ ଜନତାଙ୍କୁ ନିବୃତ୍ତ କଲେ । ତହୁଁ ସମସ୍ତେ ବିଷର୍ଣ୍ଣ ମୁଖରେ ସେହିଠାରୁ ଫେରିଗଲେ । ରାମଚନ୍ଦ୍ରଙ୍କ ରଥ ନକ୍ଷତ୍ର ଗତିରେ ଅରଣ୍ୟ ଅଭିମୁଖରେ ଧାବିତ ହେବାକୁ ଲାଗିଲା ।

 

ରାମଚନ୍ଦ୍ରଙ୍କ ରଥ ବହୁଗ୍ରାମ, ପ୍ରାନ୍ତର, ଶସ୍ୟକ୍ଷେତ୍ର ଅତିକ୍ରମ କରି ବନଭୂମିର ସୀମାରେ ଯାଇ ଉପସ୍ଥିତ ହେଲା । ରାମଚନ୍ଦ୍ର ପବିତ୍ର କାନନ-ପ୍ରକୃତିକୁ ନମସ୍କାର କରି ବନ ମଧ୍ୟରେ ପ୍ରବେଶ କଲେ । ବନ ଦେବତାମାନେ ବନସ୍ପତି ହସ୍ତରେ ପୁଷ୍ପାଞ୍ଜଳି ଦେଇ ତାଙ୍କୁ ସାଦର ଅଭ୍ୟର୍ଥନା କରି ନେଲେ । ରଥଚକ୍ରର ଘର୍ଘର ନିର୍ଘୋଷରେ ବନସ୍ଥଳୀ କମ୍ପି ଉଠିଲା । ସେହି ଧ୍ୱନିରେ ତାହାର ପ୍ରତିଧ୍ୱନି ମିଶି ପୃଥୁଳ ଆକାର ଧାରଣ କଲା । ବନପଶୁମାନେ ତାହା ଶୁଣି ଭୀତ ହୋଇ ଇତସ୍ତତଃ ଧାବମାନପୂର୍ବକ ନିରାପଦ ସ୍ଥାନ ଖୋଜି ବୁଲିଲେ । ପକ୍ଷୀମାନେ ଆନନ୍ଦମୟ ଜୀବ । ସେମାନେ ଭୟ ନ କରି ଉଡ଼ି ଉଡ଼ି ରଥ ଉପରେ ଛାୟା ପକାଇ ଅଗ୍ରସର ହେଲେ । ଗତି ପଥରେ ରାମଚନ୍ଦ୍ର ସୀତାଙ୍କୁ ବନର ଶୋଭା ଦେଖାଇ ଦେଖାଇ ଚାଲିଲେ । କାନନ-କମଳାଙ୍କ ଅପୂର୍ବ ଶୋଭା-ସାଗରରେ ସନ୍ତରଣ କରି ସୀତା ମୋହିତ ହୋଇଗଲେ । ସନ୍ଧ୍ୟା ସମୟରେ ରଥ ଯାଇ ତମସାନଦୀ ତୀରରେ ଉପସ୍ଥିତ ହେଲା । ରାମଚନ୍ଦ୍ର, ସୀତା, ଲକ୍ଷ୍ମଣ ଓ ସାରଥି ସୁମନ୍ତ୍ର ରଥରୁ ଓହ୍ଲାଇ ସେହିଠାରେ ରଜନୀ ଯାପନ କଲେ । ତହିଁ ପରଦିନ ଯାଇ ଗଙ୍ଗାକୂଳରେ ପହଞ୍ଚିଲେ । ତରଳ ତରଙ୍ଗମୟୀ ପତିତପାବନୀ ଭାଗୀରଥୀ ଦର୍ଶନରେ ଆନନ୍ଦିତ ହୋଇ ରାମଚନ୍ଦ୍ର ସୀତାଙ୍କୁ କହିଲେ- ‘‘ମୈଥିଳି, ଦେଖ ଏହି ଗଙ୍ଗା ନଦୀ ଆମ୍ଭର ବଂଶୀୟ କୀର୍ତ୍ତି । ଆମ୍ଭ ବଂଶରେ ଭାଗୀରଥ ନାମରେ ଜଣେ ବିଶ୍ୱ-ପ୍ରସିଦ୍ଧ ଧାର୍ମିକ ନରପତି ଜନ୍ମଗ୍ରହଣ କରିଥିଲେ । ସେ ସୁକଠୋର ତପସ୍ୟା ବଳରେ ଏହି ପୁଣ୍ୟ ପୀୟୂଷତୋୟା ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟମୂମିକୁ ଆଣିଥିଲେ । ଏ ଆମ୍ଭ ବଂଶର ଅଧିଦେବୀ, ତୁମ୍ଭେ ଭକ୍ତିରେ ଏହାଙ୍କୁ ନମସ୍କାର କର ।’’ ସୀତା ସ୍ୱାମୀଙ୍କ ଆଦେଶମତେ କର ଯୋଡ଼ି ଗଙ୍ଗାଙ୍କୁ ନମସ୍କାର କଲେ । ସମସ୍ତେ ରଥରୁ ଓହ୍ଲାଇ ଗଙ୍ଗା ଜଳରେ ସ୍ନାନାତର୍ପଣାଦି କଲେ । ଅନନ୍ତର ରାମଚନ୍ଦ୍ର ସେହିଠାରୁ ସୁମନ୍ତ୍ରକୁ ବିଦାୟ ଦେଲେ । ପ୍ରଭୁଙ୍କ ଆଦେଶରେ ସୁମନ୍ତ୍ର ରଥ ଲେଉଟାଇ ଅଶ୍ରୁସଜଳ ନେତ୍ରରେ ଅଯୋଧ୍ୟାକୁ ଫେରିଗଲା ।

 

ଅଦୂରରେ ନିଷାଦରାଜ ଗୁହକର ରାଜଧାନୀ ଥିଲା । ଗୃହକ ରାମଚନ୍ଦ୍ରଙ୍କର ପୂର୍ବମିତ୍ର । ସେ ରାମଚନ୍ଦ୍ରଙ୍କର ଆଗମନ ଶୁଣି ସେଠାରେ ଆସି ଉପସ୍ଥିତ ହେଲା ଏବଂ ମହା ସମାଦରରେ ପରମ ମିତ୍ର ରାମଚନ୍ଦ୍ରଙ୍କୁ ଅଭିନନ୍ଦନ କଲା । ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ତାହାର ଅତିଥି ସତ୍କାରରେ ପ୍ରୀତ ହୋଇ ସେହିଠାରେ ଯାମିନୀ ଯାପନ କଲେ । ତହି ପରିଦିନ ପ୍ରଭାତରେ ଚଣ୍ଡାଳରାଜ ଗୁହକର ଆଦେଶରେ ଗୋଟିଏ ସୁସଜ୍ଜିତ ନୌକା ଆନୀତ ହେଲା । ରାମଚନ୍ଦ୍ର ଗୁହକକୁ ପ୍ରେମରେ ଆଲିଙ୍ଗନ କରି ବିଦାୟ ଦେଲେ ଏବଂ ସୀତା ଲକ୍ଷ୍ମଣଙ୍କ ସହ ନୌକାରୋହଣପୂର୍ବକ ଗଙ୍ଗା ପାରି ହୋଇ ଗଲେ । ତହିଁପରେ ବରକ୍ଷୀରରେ ଜଟା ବାନ୍ଧି ବୃକ୍ଷର ବଳ୍‍କଳ ପିନ୍ଧି ସନ୍ନ୍ୟାସୀ ବେଶ ଧାରଣ କଲେ । ଅଗ୍ରଜଙ୍କ ସନ୍ନ୍ୟାସୀ ବେଶ ଦେଖି ଲକ୍ଷ୍ମଣ ମଧ୍ୟ ସେହି ବେଶରେ ସଜ୍ଜିତ ହେଲେ । ତହୁଁ ତିନିହେଁ ପଦବ୍ରଜରେ ଅରଣ୍ୟ ମଧ୍ୟରେ ଅଗ୍ରସର ହେବାକୁ ଲାଗିଲେ । ଯାନ, ବାହନ ବ୍ୟତୀତ ଯାହାଙ୍କ ପାଦ ଭୂମି ସ୍ପର୍ଶ କରୁ ନ ଥିଲା, ସେ ଏବେ ଅରଣ୍ୟର କଣ୍ଟକମୟ ପଥରେ ଚାଲିବାକୁ ଲାଗିଲେ–ହାୟ, ନିୟତି କଅଣ ନ କରେ ?

 

ରାମଚନ୍ଦ୍ର କେଡ଼େ ବଡ଼ ଲୋକ ହୋଇ ଇତର ଗୁହକ ଚଣ୍ଡାଳକୁ ଆଲିଙ୍ଗନ କଲେ । ତାଙ୍କର ଧର୍ମମତ ଅତି ଉଦାର ଥିଲା । ସେ ମନୁଷ୍ୟ ହୋଇ ମନୁଷ୍ୟକୁ ଅଧମ ପଶୁ ପରି ଘୃଣା କରୁ ନ ଥିଲେ । ମନୁଷ୍ୟର ଦୁଷ୍କରଣୀକୁ ଘୃଣା କରୁଥିଲେ । ତାଙ୍କ ସାମ୍ୟଦୃଷ୍ଟିରେ ଜାତି, ଧର୍ମର ପାର୍ଥକ୍ୟ ଥିଲା ନାହିଁ । ସେ ନିର୍ଦ୍ଦୋଷ ଆଦର୍ଶ ଧର୍ମର ପ୍ରତିଷ୍ଠାତା ଥିଲେ ।

 

ଅନନ୍ତର ରାମଚନ୍ଦ୍ର ଭାଇ ଓ ଭାର୍ଯ୍ୟା ସହ ଗଙ୍ଗା ଯମୁନାର ସଙ୍ଗମସ୍ଥଳ ହରିଦ୍ୱାର ବା ପ୍ରୟାଗ ତୀର୍ଥରେ ଭରଦ୍ୱାଜ ଋଷିଙ୍କ ଆଶ୍ରମରେ ଯାଇ ଉପସ୍ଥିତ ହେଲେ । ବନବାସ କାଳ କେଉଁଠାରେ କଟାଇବେ ବୋଲି ରାମଚନ୍ଦ୍ର ଭରଦ୍ୱାଜଙ୍କୁ ପଚାରିବାରୁ ସେ କହିଲେ–‘‘ଏଠାରୁ ଦଶକ୍ରୋଶ ଦୂରରେ ଚିତ୍ରକୂଟ ନାମରେ ରମଣୀୟ ପର୍ବତ ଅଛି । ସେଠାରେ ଫଳମୂଳ ଓ ମଧୁ ଯଥେଷ୍ଟ ମିଳେ । ସେହି ପର୍ବତରେ ମୁନିମାନଙ୍କର ଆଶ୍ରମ ଅଛି । ତୁମ୍ଭେମାନେ ସେହି ପର୍ବତର ଶିଷ୍ଟ ସହବାସରେ ରହି ପରମ ସୁଖରେ କାଳଯାପନ କରିପାରିବ ।’’ ତହିଁ ପରଦିନ ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ଭରଦ୍ୱାଜଙ୍କ ଠାରୁ ବିଦାୟ ନେଇ ଚିତ୍ରକୂଟ ଅଭିମୁଖରେ ଯାତ୍ରା କଲେ । ଯଥାସମୟରେ ଚିତ୍ରକୂଟରେ ଉପସ୍ଥିତ ହୋଇ ବାଲ୍ମୀକି ମୁନିଙ୍କ ଆଶ୍ରମ ନିକଟରେ ପର୍ଣ୍ଣକୁଟୀର ନିର୍ମାଣ କରି ସେଥିରେ ବାସ କଲେ । ବନ ଓ ପର୍ବତର ଅପୂର୍ବ ସୁଷମା ଦେଖି ସମସ୍ତେ ମୁଗ୍‌ଧ ହୋଇଗଲେ । ନିର୍ଝର-ଯନ୍ତ୍ରର ରୌଦ୍ର, କରୁଣ, ମଧୁର ରାଗିଣୀର ମୋହନ ମୂର୍ଚ୍ଛନାରେ ବନସ୍ଥଳୀ ପରିପୂର୍ଣ୍ଣ । ନାନା ଜାତୀୟ କୁସୁମ ସୁବାସ ପବନରେ ଚହଟି ଉଠୁଅଛି । ତପୋବନର କି ଅଦ୍ଭୁତ ମାଧୁରୀ । ଜୀବନ୍ତ ପବିତ୍ରତା ଓ ସଜୀବ ଧର୍ମଭାବ ସେଠାରେ ଖେଳିବୁଲୁଛି । ସଂସାରର କୋଳାହଳ ବା ବିଦ୍ୱେଷ ହିଂସାରେ ସେ ସ୍ଥାନ କଳୁଷିତ ବା ବିଷାକ୍ତ ନୁହେଁ । ହିଂସ୍ରଜନ୍ତୁମାନେ ହିଂସା ପାଶୋରି ମିତ୍ରତାର ମଧୁର ବନ୍ଧନରେ ଆବଦ୍ଧ । ମୃଗ, ବ୍ୟାଘ୍ର ଏକ ଗୁମ୍ଫାରେ ଏକ ମାତାର ପୁତ୍ର ପରି ପରମ ପ୍ରୀତିରେ ବାସ କରୁଅଛନ୍ତି । ମୟୂର ଆଗରେ ସର୍ପ ନିର୍ଭୟରେ ଚାଲିଯାଉଅଛି । ସିଂହଶିଶୁକୁ ହସ୍ତିନୀ ସ୍ନେହରେ ସ୍ତନ୍ୟପାନ କରାଉଅଛି । ଆଶ୍ରମସ୍ଥ ବାଳୁଙ୍ଗା ଗଦାରେ ଶୁକ ଶାରୀ ବସି ଥଣ୍ଟରେ ନୀବାର ଧାନ୍ୟ ଛଡ଼ାଇ ଖାଉଅଛନ୍ତି । ବେଳେ ବେଳେ ଶୁକ ବେଦର ପାଦେ ପାଦେ ଶ୍ଳୋକ ଉଚ୍ଚାରଣ କରୁଅଛି । ଶାରୀ ‘‘ଓମ୍‌-ଓମ୍‌’’ କହି ପ୍ରଣବମନ୍ତ୍ର ଉଚ୍ଚରେ ଜପୁଅଛି । ମୁନିମାନଙ୍କ ତୁଣ୍ଡରୁ ସର୍ବଦା ଶୁଣି ଶୁଣି ବେଦ, ପୁରାଣ ପ୍ରଭୃତି ସେମାନଙ୍କର ଅଭ୍ୟସ୍ତ ହୋଇଯାଇଅଛି । ସୀତା ଏହି ସବୁ ଅଘଟନ ସଂଘଟନ ଦେଖି ଦେଖି ଅପାର ଆନନ୍ଦ ଓ ତୃପ୍ତି ଉପଭୋଗ କଲେ । ଅଜ୍ଞାତରେ ତାଙ୍କ ମୁଖରୁ ବାହାରି ପଡ଼ିଲା–ଧନ୍ୟ ବ୍ରାହ୍ମଣ, ତାହାର ତପୋବଳ ସାର୍ଥକ ।

Image

 

ନବମ ପରିଚ୍ଛେଦ

 

ଏଣେ ସୁମନ୍ତ୍ର ଅଯୋଧ୍ୟାରେ ପହଞ୍ଚି ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣଙ୍କୁ ଗଙ୍ଗାକୂଳରେ ଛାଡ଼ି ଆସିବା ସମ୍ୱାଦ ଦଶରଥଙ୍କୁ ଜଣାଇଲା । ଦଶରଥ ଶୁଣି ଭେକା ହୋଇ ସୁମନ୍ତ୍ରର ମୁହଁକୁ ଦୀନଦୃଷ୍ଟିରେ ଚାହିଁ ରହିଲେ । ସେ କିଛି କହିପାରିଲେ ନାହିଁ–କଥା ପାଶୋରିଗଲେ । କେତେକ କ୍ଷଣ ପରେ ଦୀର୍ଘ ନିଃଶ୍ୱାସ ପକାଇ କପାଳରେ କରାଘାତପୂର୍ବକ କହିଲେ–‘‘ହାୟ ମୃତ୍ୟୁ, ତୁ ବି ହଟ ସାଧିଲୁ ! ତୁ ପରା ପ୍ରାଣୀର ଅନ୍ତିମ ବନ୍ଧୁ, ତୁ ବି ପାଶୋରିଗଲୁ–ନା, ତୋତେ ସୁଦ୍ଧା ମୃତ୍ୟୁ ହେଲା । ଆଉ କେଉଁ ସୁଦୂର ଯୁଗରେ ମୋହର ଶେଷ ଡାକରା ଆସିବ ? ହାୟ ରାମ !’’ ପୁତ୍ରଶୋକାତୁର ଦଶରଥ ଏତିକିମାତ୍ର କହି ହତଚେତନ ହୋଇ ପଡ଼ିଲେ । ତାଙ୍କର ଏ ଆକ୍ଷେପମିଶା ତିରସ୍କାରକୁ ମୃତ୍ୟୁ ଉପେକ୍ଷା କରିପାରିଲା ନାହିଁ–ସେହି ମୂର୍ଛା ମଧ୍ୟରେ ଦଶରଥଙ୍କର ମୃତ୍ୟୁ ଘଟିଲା । ଅହୋ, କି ଦୁର୍ବିପାକ ! ବଜ୍ରାଘାତ ଉପରେ ପୁଣି ଅଗ୍ନିବୃଷ୍ଟି ! ବିଧାତା ଘା’ ଉପରେ ବିସ୍ଫୋରକ ଅରକ ଢାଳିଲା-। ଅଯୋଧ୍ୟାର ଅଣ୍ଟା ଭାଙ୍ଗିଯାଇଥିଲା, ଏବେ ମୁଣ୍ଡ ଫାଟିଲା । ବିପଦ ପଛରେ ପୁଣି ମହାବିପଦ ଏଡ଼େ ନିକଟରେ ଥାଏ ! ଅନ୍ତଃପୁରରୁ ଗଗନଭେଦୀ ବିଳାପ ଧ୍ୱନି ଉଠିଲା । ସେହି ହୃଦୟକମ୍ପୀ ଶବ୍ଦ ଶୁଣି ପାତ୍ର, ମନ୍ତ୍ରୀ, ପାରିଷଦ ପ୍ରଭୃତି ଧାଇଁଆସି ଦେଖିଲେ–ଦଶରଥଙ୍କର ପ୍ରାଣବାୟୁ ଅନ୍ତର୍ହିତ ହୋଇଅଛି; ମାତ୍ର ହଠାତ୍‌ ଦୃଷ୍ଟିରେ ମୃତ୍ୟୁର କୌଣସି ଲକ୍ଷଣ ଦେଖାଯାଉ ନାହିଁ–ବରଂ ଅଙ୍ଗପ୍ରତ୍ୟଙ୍ଗରେ ସଜୀବତାର ଚିହ୍ନ ଫୁଟି ରହିଅଛି । ସତେ ଯେପରି ମୃତ୍ୟୁ ତାଙ୍କୁ ଛୁଇଁ ନାହିଁ–ଅସହ୍ୟ ଶୋକରେ ତାଙ୍କର ପ୍ରାଣପୁରୁଷ ବଳେ ବଳେ ପିଣ୍ଡ ଛାଡ଼ି ପଳାଇଯାଇଛି । ରାମଚନ୍ଦ୍ର, ଲକ୍ଷ୍ମଣ ନାହାନ୍ତି; ଭରତ ଓ ଶତ୍ରୁଘ୍ନ ମାମୁଘରେ ଅଛନ୍ତି–ଏପରି ଅବସ୍ଥାରେ ରାଜାଙ୍କର ଅଗ୍ନିସତ୍କାର ଅନ୍ତ୍ୟେଷ୍ଟି ଶ୍ରାଦ୍ଧ ପ୍ରଭୃତି କିଏ କରିବ–ପାତ୍ର, ମନ୍ତ୍ରୀ, ପୁରୋହିତ ପ୍ରଭୃତି ବସି ଏହି ପରାମର୍ଶ କରିବାକୁ ଲାଗିଲେ । ଶେଷରେ ସ୍ଥିର ହେଲା–ଦୂତ ପଠାଇ ଭରତଙ୍କୁ ଆଣି ତାଙ୍କରି ଦ୍ୱାରା ରାଜାଙ୍କର ଶବ ସତ୍କାର କରାଯିବ; ତାଙ୍କ ଆସିବାଯାଏଁ ଦଶରଥଙ୍କର ମୃତଦେହକୁ ତୈଳଭାଣ୍ଡ ମଧ୍ୟରେ ସଂରକ୍ଷଣ କରିବାକୁ ହେବ । ଫଳତଃ ତାହାହିଁ ହେଲା ।

 

ଯଥା ସମୟରେ ଶତ୍ରୁଘ୍ନ ସହ ଭରତ ଅଯୋଧ୍ୟାରେ ଉପସ୍ଥିତ ହୋଇ ନିଜର ଜନନୀ କୈକେୟୀଙ୍କ ମୁଖରୁ ସମସ୍ତ ଘଟଣା ଶୁଣି ଲଜ୍ଜା, ଦୁଃଖ ଓ ଘୃଣାରେ ଅଭିଭୂତ ହୋଇପଡ଼ିଲେ । ମାତୃଦୋଷରେ ନିଜକୁ ଦୋଷୀ ମଣି ସେ ଅତୀବ କ୍ଷୁବ୍‌ଧ ଓ ବ୍ୟଥିତ ହେଲେ । ତାଙ୍କ ପ୍ରାଣ, ଆତ୍ମା, ହୃଦୟ ଭିତରେ ଉଗ୍ର ଅଗ୍ନିଶିଖା ଜଳି ଉଠିଲା । ସେ ଆଉ ନିଜକୁ ସମ୍ଭାଳି ରଖିପାରିଲେ ନାହିଁ; କ୍ରୋଧ କର୍କଶ ସ୍ୱରରେ କୈକେୟୀଙ୍କୁ ଭର୍ତ୍ସନା କରି କହିଲେ-‘‘କି ପାପରେ ବିଧାତା ମୋତେ ତୁମ୍ଭ ପରି ମତ୍ସରିଣୀ ଗର୍ଭରେ ଠାବ ଦେଇଥିଲା । ତୁମ୍ଭେ ରାମଚନ୍ଦ୍ରଙ୍କଠାରୁ ମୋତେ ଭିନେ ମଣିଲ । ରାମଚନ୍ଦ୍ର ତୁମ୍ଭଙ୍କୁ ମାତା ପରି ସେବା-ଭକ୍ତି କରନ୍ତି । ତାହାର ଉପଯୁକ୍ତ ପୁରସ୍କାର କି ଏହି ? ତୁମ୍ଭେ ପୁତ୍ର-ଦ୍ୱେଷିଣୀ ଓ ପତିଘାତିନୀ, ତୁମ୍ଭର ଏ ପାପର ପ୍ରାୟଶ୍ଚିତ୍ତ ନାହିଁ । ମୁଁ ତୁମ୍ଭଙ୍କୁ ଏହିକ୍ଷଣି ତ୍ୟାଗ କରନ୍ତି; ମାତ୍ର କାଳେ ରାମଚନ୍ଦ୍ର ମାତୃଦ୍ରୋହୀ ବୋଲି ଘୃଣା କରିବେ, ଏହି ଭୟରେ ବାଧ୍ୟ ହୋଇ ତାହା କଲି ନାହିଁ । କି କୁକ୍ଷଣରେ ତୁମ୍ଭେ ରାଜବଧୁରୂପେ ପବିତ୍ର ସୂର୍ଯ୍ୟବଂଶରେ ପ୍ରବେଶ କରିଥିଲ କେଜାଣି, ସେହି ମହାବଂଶର ସମୁଜ୍ଜ୍ୱଳ ଖ୍ୟାତି ତୁମ୍ଭରି ଯୋଗୁଁ ମଳିନ ଓ କଳୁଷିତ ହେଲା । ତୁମ୍ଭ ପରି ନାରୀ ଇତରକୁଳର ବି କଳଙ୍କ !’’ ଏହି ସମୟରେ ମନ୍ଥରା ଆସି ସେଠାରେ ଉପସ୍ଥିତ ହେଲା । ସେ ଭରତର ମହୋପକାରିଣୀ । ସେହି ଅସାଧାରଣ ଉପକାରର ପ୍ରତିଦାନସ୍ୱରୂପ ଭରତ ତାକୁ ନିଶ୍ଚୟ ଉଚ୍ଚ ପୁରସ୍କାର ଦେଇ କୃତଜ୍ଞତାର ଚୂଡ଼ାନ୍ତ ନମୁନା ଦେଖାଇବେ-ପାପିଷ୍ଠା ଷୋଳପଣ ଏହି ଆଶା ପୋଷି ଆସିଥିଲା; ମାତ୍ର ହାୟ ଦୂରଦୃଷ୍ଟ ! ଆମ୍ବ ଗଛରେ କୋଚିଳା ଫଳିଲା । ଭରତ ତାକୁ ଦେଖି କ୍ରୋଧରେ ରକ୍ତଚକ୍ଷୁ ହୋଇ ନୀରବରେ ଅଧର କମ୍ପାଇବାକୁ ଲାଗିଲେ । ଶତ୍ରୁଘ୍ନ କହିଲେ–‘‘ଏ କିଏ, କୁଜୀ ନା ? ରହ ରହ, ତୋ କୁଜ ଆଜି ସଳଖାଇଦେବି । ତୁ ଅମଙ୍ଗଳ କାଳପେଚା କେଉଁଠୁ ଉଡ଼ିଆସି ଅଯୋଧ୍ୟା ରାଜପୁରୀକୁ ଶ୍ମଶାନ କରିଦେଲୁ ! ତାହାର ପୁରସ୍କାର ଏହିକ୍ଷଣି ପାଇବୁ । ଭ୍ରାତାଙ୍କର ବନବାସ, ପିତାଙ୍କର ମୃତ୍ୟୁ, ଏହି ଉଭୟ ଆପଦର ମୂଳକାରଣ ତୁହି ଏକା ଦୁଷ୍ଟା । ତୋର ଆଶୁ ମରଣ ବାଞ୍ଛନୀୟ ।’’ ଏହା କହି ଶତ୍ରୁଘ୍ନ କୁଜୀକୁ ମାରିବାକୁ ଧାଇଁଲେ । ସେ କାନ୍ଦି କାନ୍ଦି କୈକେୟୀଙ୍କଠାରେ ଶରଣ ପଶି ପ୍ରାଣ ରକ୍ଷାକଲା; ମାତ୍ର ମନେ ମନେ କହିଲା, ‘‘ମାଗୋ ଏ କି ଓଲଟା କାଳ ! ଯାହା ଲାଗି ଚୋରି କଲି, ସେହି କହିଲା ଚୋର । ସଂସାରଟା କ’ଣ ଏଡ଼େ ବେମାନ୍‌ ? ମଡ଼ା ମରୁ ସେ ସଂସାରରେ, ପୋତିଯାଉ ସେ ସଂସାରର ମୁହଁ ! ରଜାର ପୁଅ ହୋଇ ଟୋକାଟାର ଏଇ ବୁଝାମଣା ! ମୁଁ ଭଲ କଲି, ସେ ଶଲା ହେଲା । ଇମିତି ହୁଣ୍ଡା, ନିର୍ବୁଦ୍ଧିଆ ତ ମୁଁ ଦୁନିଆରେ ଦେଖି ନାହିଁ ଲୋ ମା ! ମା ଯିମିତି ହୁଣ୍ଡାଶିଆଳୀ, ପୁଅ ବି ସେମିତି ହୁଣ୍ଡାଶିଆଳ । ଯା କହନ୍ତି କ୍ଷତ୍ରିୟ ନାଗ ସାପ, ତାହା ମିଛ ନୁହେଁ । ଯେ ତାକୁ ଦୁଧଭାତ ଗିଳାଇବ, ସେ ତାକୁ ପଁକରି ଫଣା ଟେକି ଚୋଟେ ମାରିବ । ମର ତୁମେ ମା ପୁଅ ଦୁହେଁ; ମୋର କଅଣ ଯିବ ?’’ କୈକେୟୀ କେବଳ ଅଧୋବଦନରେ ନୀରବରେ ଠିଆହୋଇ ରହିବାରୁ ଘଟଣା ଆଉ ଅଧିକ ଅଗ୍ରସର ହେଲା ନାହିଁ । ଭରତ ଓ ଶତ୍ରୁଘ୍ନ ଦୁହେଁ ରାଗରେ ଥମ୍‍ ଥମ୍‍ ହୋଇ ସେଠାରୁ ଉଠି ଚାଲିଗଲେ ।

 

ଅନନ୍ତର ପିତୃବତ୍ସଳ ଭରତ ଅସହ୍ୟ ପିତୃଶୋକରେ ଅଧୀର ହୋଇଉଠିଲେ । ମନ୍ତ୍ରୀ ପ୍ରଭୃତି ତାଙ୍କୁ ଅନେକ ବୁଝାଇ ଶାନ୍ତ କରି ଅତି ଶୀଘ୍ର ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପାଦନ କରିବା ପାଇଁ ଅନୁରୋଧ କଲେ । ଦଶରଥଙ୍କର ମୃତଦେହ ତିନି ଦିନକାଳ ତୈଳଭାଣ୍ଡ ମଧ୍ୟରେ ନିମଗ୍ନ ଥିଲା । ଭରତ ରାଜୋଚିତ ଆଡ଼ମ୍ୱରରେ ପିତାଙ୍କର ଅଗ୍ନିସତ୍କାର କଲେ । ଯଥାଶାସ୍ତ୍ର ଶ୍ରାଦ୍ଧତର୍ପଣାଦି ଶେଷ ହେଲା । ପିତାଙ୍କର ପାରଲୌକିକ ମଙ୍ଗଳ ଉଦ୍ଦେଶ୍ୟରେ ଭରତ ବହୁହସ୍ତ ହୋଇ ଦାନ କରିବାକୁ ଲାଗିଲେ । ବହୁତ ରଥ, ଅଶ୍ୱ, ଗଜ, ଗୋ, ଭୂମି, ସ୍ୱର୍ଣ୍ଣ, ରତ୍ନ, ମଣି, ମାଣିକ୍ୟ, ମୋହର, ବସ୍ତ୍ର, ଶସ୍ୟ ପ୍ରଭୃତି ଯଦୁଚ୍ଛା ଦାନ କରି ଶେଷରେ ରାଜଭଣ୍ଡାର ଶୂନ୍ୟ କରିଦେଲେ । ଭରତଙ୍କ ବିପୁଳ ଦାନରେ ଏକା ଅଯୋଧ୍ୟା ନୁହେଁ, ଅଯୋଧ୍ୟାର ପାର୍ଶ୍ୱବର୍ତ୍ତୀ ରାଜ୍ୟମାନଙ୍କରେ ମଧ୍ୟ ଭିକ୍ଷୁକ ରହିଲେ ନାହିଁ । ଦାନବାରିରେ ରାଜପ୍ରାଙ୍ଗଣ ପୂର୍ଣ୍ଣ ହୋଇଗଲା । ଭରତ ପିତାଙ୍କ ନାମରେ ବହୁ ଶାସନ, ଜଳାଶୟ, ଦେବାଳୟ, ବିଦ୍ୟାପୀଠ, ଅତିଥିଶାଳା, ଅନାଥାଶ୍ରମ, ଚିକିତ୍ସାଳୟ ପ୍ରତିଷ୍ଠା କରି ସେଥିର ସୁପରିଚାଳନାର ସ୍ଥାୟୀ ବ୍ୟବସ୍ଥା କରିଦେଲେ । ସେ ଦାନରେ ନିଜର ମହତ୍ତ୍ୱ ବଢ଼ାଇ ନାହାନ୍ତି; ବରଂ ଦାନର ମହତ୍ତ୍ୱ ବଢ଼ାଇଥିଲେ । ତାଙ୍କର ଅସାଧାରଣ ପିତୃଭକ୍ତି ଓ ମହାଦାନର ମହିମା ସମସ୍ତଙ୍କ ମୁଖରେ ଘୋଷିତ ହେଲା ଏବଂ ତାଙ୍କ ନାମରେ ଧନ୍ୟ ଧନ୍ୟ ପଡ଼ିଗଲା । ଦଶରଥଙ୍କ ଅନ୍ତ୍ୟେଷ୍ଟି ଶ୍ରାଦ୍ଧରେ ସୁନାର ଦେଉଳ, ରୂପାର ପର୍ବତ, ଘୃତର ସରୋବର ଉତ୍ସର୍ଗିତ ହୋଇଥିଲା । ଏହି ତୁଳନାରେ ଅନ୍ୟାନ୍ୟ ଦାନସାମଗ୍ରୀର ପରିମାଣ ନିର୍ଣ୍ଣୟ କଲେ ସେ ଦାନ ଯେ କେଡ଼େ ବଡ଼ ଦାନ ହୋଇଥିଲା, ତାହା ବୁଝିବା କଷ୍ଟସାଧ୍ୟ ହେବ ନାହିଁ ।

 

ଦଶରଥଙ୍କ ଅନ୍ତ୍ୟେଷ୍ଟି ଶ୍ରାଦ୍ଧ ପରେ ରାଜପୁରୋହିତ ବଶିଷ୍ଠ ଓ ମନ୍ତ୍ରୀମାନେ ମିଳି ଭରତଙ୍କୁ ରାଜା ହେବା ପାଇଁ ଅନୁରୋଧ କଲେ; ମାତ୍ର ଭରତ ମୂଳରୁ ମଙ୍ଗିଲେ ନାହିଁ । ସେ ବିସ୍ମୟରେ ଜିହ୍ୱା ଦଂଶନ କରି କହିଲେ– ‘‘ଆପଣମାନେ ଦୟାକରି ମୋତେ କ୍ଷମା କରନ୍ତୁ, ମୁଁ ରାଜା ହୋଇପାରିବି ନାହିଁ । ପୂର୍ବରେ ସୂର୍ଯ୍ୟ ଅସ୍ତ ହେବା ବରଂ ସମ୍ଭବ ହୋଇପାରେ; ମାତ୍ର ମୋ ପକ୍ଷରେ ରାଜା ହେବା ଏକାବେଳକେ ଅସମ୍ଭବ । ଏ ରାଜ୍ୟର ଧର୍ମତଃ, ନ୍ୟାୟତଃ ଯେ ଅଧିକାରୀ, ମୁଁ ତାଙ୍କର ଜଣେ ସାମାନ୍ୟ ଭୃତ୍ୟ ଓ ପ୍ରଜା । ପ୍ରଭୁର ଅଧିକାର ଭୃତ୍ୟ ବା ପ୍ରଜା ଗ୍ରହଣ କରିପାରେ ନାହିଁ । ପର୍ବତର ଭାର କି ମୂଷିକ ସହିପାରିବ ? ଲୁହା ଦୋଷରେ ଅଗ୍ନିଦେବତା ମାଡ଼ ଖାଏ, ସେହିପରି ମୁଁ ମାତୃଦୋଷରେ ଦୋଷୀ । ପାଣି ଭିତରେ ବନ୍ଧ ପକାଇ ଦୁଇ ଭାଗ କରିଦେଲେ ଗୋଟାଏ ଭାଗ ପାଣି ଥାଏ ଏବଂ ଆର ଭାଗଟା ଆଉ କିଛି ପଦାର୍ଥ ହୋଇଯାଏ ନାହିଁ; ଦୁଇ ଭାଗଯାକ ଯେଉଁ ପାଣିକି ସେହି ପାଣି ଥାଏ- ମୋର ଜନନୀ ଏ କଥା ବୁଝିଲେ ନାହିଁ । ଏହି କ୍ଷୋଭ ମୋ ପ୍ରାଣକୁ ଘାରି ଅସତ କରି ପକାଇଅଛି । ସେ ଯାହାହେଉ, ଯାହାଙ୍କୁ ମୁଁ ହୃଦୟସିଂହାସନରେ ପୂଜାପ୍ରତିମା ରୂପରେ ବସାଇ ପୂଜା କରୁଅଛି, ତାଙ୍କ ପବିତ୍ର ଆସନରେ ବସିବାକୁ ଆପଣମାନେ ମୋତେ କିପରି ଉପଦେଶ ଦେଉଅଛନ୍ତି ? ରାଜ୍ୟପାଳନର କ୍ଷମତା ବିଧାତା ଅପାତ୍ରରେ ଦିଏ ନାହିଁ-। ରାଜଶକ୍ତି ନରପ୍ରାଣରେ ଦେବଦତ୍ତ ଅମୂଲ୍ୟ ସମ୍ପଦ । ରାଜାର ଦାୟିତ୍ୱ ମଧ୍ୟ ଅସୀମ । ଖାଲି ମନୁଷ୍ୟପାଳନ ନୁହେଁ–ପ୍ରକୃତି ପାଳନର ମହା ଗୁରୁଭାର ରାଜା ଉପରେ ନ୍ୟସ୍ତ । ରାଜପଦର ସମ୍ମାନ ଯେତେ, ଦାୟିତ୍ୱ ତାହାର କୋଟି ଗୁଣ । ସେ ମହାଦାୟିତ୍ୱ ବହିବା ଭଳି ଶକ୍ତି ବା ଯୋଗ୍ୟତା ମୋର କାହିଁ ? ବରଂ ସମସ୍ତେ ଚାଲ, ରାମଚନ୍ଦ୍ରଙ୍କୁ ବୁଝାଇ ଶୁଝାଇ ବନରୁ ଫେରାଇଆଣିବା । ସେ ରାଜା ହେବେ, ତାଙ୍କ ପରିବର୍ତ୍ତରେ ମୁଁ ଚଉଦବର୍ଷ ବନବାସ କରିବି । ସେଥିରେ ପିତୃସତ୍ୟ ପାଳିତ ହେବ, ଅଧିକରେ ମୋର ଅଜ୍ଞାତ ପାପର କଥଞ୍ଚିତ୍‌ ପ୍ରାୟଶ୍ଚିତ୍ତ ମଧ୍ୟ ହେବ । ନଚେତ୍‌ ରାମଚନ୍ଦ୍ର ଯେବେ ଫେରିବାକୁ ଏକାନ୍ତ ଅସମ୍ମତ ହେବେ, ତେବେ ମୁଁ ମଧ୍ୟ ତାଙ୍କ ସଙ୍ଗରେ ବନବାସ କରିବି ।’’ ଭରତଙ୍କର ଏଭଳି କଥା ଶୁଣି ସମସ୍ତେ ‘ସାଧୁ ସାଧୁ’ ଉଚ୍ଚାରଣ କଲେ । ତହୁଁ ମନ୍ତ୍ରୀ ପାରିଷଦାଦି ସହ ଭରତଙ୍କର ବନଗମନ କରିବାର ଧାର୍ଯ୍ୟ ହେଲା ।

Image

 

ଦଶମ ପରିଚ୍ଛେଦ

 

ଭରତ ମନ୍ତ୍ରୀ, ପୁରୋଧା, ଅନୁଚର, ଭୃତ୍ୟ ପ୍ରଭୃତିଙ୍କୁ ସଙ୍ଗରେ ଘେନି ରାମଚନ୍ଦ୍ରଙ୍କୁ ଫେରାଇ ଆଣିବା ସକାଶେ ବନଯାତ୍ରା କଲେ । ରାମଚନ୍ଦ୍ର ଯେଉଁ ବାଟରେ ଯାଇଥିଲେ, ଭରତ ଲୋକଙ୍କୁ ପଚାରି ପଚାରି ସେହି ବାଟଧରି ଚାଲିଲେ । ସେ ଗଙ୍ଗାନଦୀ କୂଳରେ ଉପସ୍ଥିତ ହୋଇ ରାମଚନ୍ଦ୍ର ଚିତ୍ରକୂଟ ପର୍ବତରେ ଅବସ୍ଥାନ କରୁଅଛନ୍ତି ବୋଲି ଶୃଙ୍ଗବେର ପତି ଗୁହକ ଚଣ୍ଡାଳଠାରୁ ଅବଗତ ହେଲେ । ତହୁଁ ଭରତ ଚିତ୍ରକୂଟ ଅଭିମୁଖରେ ଯାତ୍ରା କଲେ । ଭରତ ମଧ୍ୟ ରାମଚନ୍ଦ୍ରଙ୍କ ପରି ସନ୍ନ୍ୟାସୀ ବେଶ ଧରି ଯାଇଥିଲେ । ସେ ଯଥାସମୟରେ ଚିତ୍ରକୂଟରେ ଉପସ୍ଥିତ ହୋଇ ରାମଚନ୍ଦ୍ରଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଲୋତକ ଧାରାରେ ବକ୍ଷ ଭସାଇଦେଲେ । ରାମଚନ୍ଦ୍ର ତାଙ୍କୁ ସ୍ନେହସ୍ପର୍ଶରେ ଉଠାଇ ପ୍ରାଣାଧିକ ଭ୍ରାତା, ରାଜପୁତ୍ର ଭରତଙ୍କର ଯୋଗୀ ବେଶ ଦେଖି ବିଶେଷ ଦୁଃଖିତ ହେଲେ । ତାଙ୍କର ନେତ୍ର ମଧ୍ୟ ଆର୍ଦ୍ର ହୋଇଉଠିଲା । ପୂର୍ଣ୍ଣଗର୍ଭ ମେଘ ଦେହରୁ ପାଣିଗୁଡ଼ାଏ ବାହାରିଗଲେ ସେ ଲଘୁ ହୋଇଯାଏ । ସେହିପରି ଭରତଙ୍କର ଦୁଃଖଭରାନତ ହୃଦୟରୁ ଥୋକାଏ ଦୁଃଖ ତରଳି ଅଶ୍ରୁରୂପରେ ବାହାରିଯିବାରୁ ତାଙ୍କର ହୃଦୟ ଟିକିଏ ଉଶ୍ୱାସ ହୋଇପଡ଼ିଲା । ସେ କ୍ରନ୍ଦନ ଗଦ୍‌ଗଦ୍‌ ସ୍ୱରରେ ରାମଚନ୍ଦ୍ରଙ୍କୁ ପିତାଙ୍କର ମୃତ୍ୟୁସଂବାଦ ଜଣାଇଲେ । ରାମଚନ୍ଦ୍ର ସେହି ଦାରୁଣ ବାର୍ତ୍ତା ଶୁଣି ‘ହାୟ ପିତା କହି ଅଚେତନ ହେଲେ । ଲକ୍ଷ୍ମଣ ଓ ସୀତା ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲେ । ସମାଗତ ବଶିଷ୍ଠ ମହର୍ଷି ରାମଚନ୍ଦ୍ରଙ୍କୁ ସାଷ୍ଟମ କରାଇ ପ୍ରବୋଧ ଦେଇ କହିଲେ, ‘‘ପୁଣ୍ୟବନ୍ତ ରାଜା ପୁଣ୍ୟବଳରେ ସ୍ୱର୍ଗକୁ ଯାଇଅଛନ୍ତି, ତାଙ୍କ ପାଇଁ ଶୋକ କରି ପୁଣି ତାଙ୍କୁ ମାୟାବନ୍ଧନ ମଧ୍ୟକୁ ଟାଣି ଆଣିବା ଉଚିତ ନୁହେଁ । ପ୍ରାଣାନ୍ତ ଶୋକରେ ସୁଦ୍ଧା ଗତାୟୁ ବ୍ୟକ୍ତି ଫେରିଆସନ୍ତି ନାହିଁ ।’’ ରାମଚନ୍ଦ୍ର କହିଲେ–‘‘ଆପଣଙ୍କ କୃପା ଓ ଶିକ୍ଷାରୁ ମୁଁ ତାହା ଜାଣେ ଗୁରୁଦେବ-! ପିତା ତାଙ୍କର ଘୁଣଖିଆ ରସିଆ ଦେହ ବଦଳାଇ ନୂତନ ଦିବ୍ୟ ଦେହ ଲାଭ କରିବେ, ଏଥିରେ ଦୁଃଖର କାରଣ କିଛି ନାହିଁ ସତ୍ୟ; ମାତ୍ର ସେ ଯେ ମୋହରି ପାଇଁ ପଞ୍ଚତ୍ୱପ୍ରାପ୍ତ ହେଲେ ଏ ଦୁଃଖ, ଏ କ୍ଷୋଭ ରଖିବାକୁ ଠାବ କାହିଁ ?’’ ବଶିଷ୍ଠ କହିଲେ–‘‘ତୁମ୍ଭର ସେଥିରେ ଦୋଷ କଅଣ ? ତୁମ୍ଭେ ତାଙ୍କର ସୁପୁତ୍ର, ପିତୃ-ଆଜ୍ଞା ପାଳନ କରି ତାଙ୍କର ସତ୍ୟରକ୍ଷା ଓ ଧର୍ମରକ୍ଷା କରିଅଛ ।’’ କୁଳପୁରୋହିତ ବଶିଷ୍ଠ ଏହିପରି ଅନେକ ବୁଝାଇ ରାମଚନ୍ଦ୍ରଙ୍କୁ ଶାନ୍ତ କଲେ । ତହୁଁ ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ସ୍ନାନ ତର୍ପଣ କରିବା ସକାଶେ ଜଳାଶୟକୁ ଗମନ କଲେ ।

 

ଅନନ୍ତର ରାମଚନ୍ଦ୍ର ସ୍ନାନାନ୍ତେ ଆସି ମୃଗଚର୍ମ ଆସନରେ ଉପବେଶନ କଲେ । ଅଯୋଧ୍ୟାରୁ ଯେଉଁମାନେ ଯାଇଥିଲେ, ସେମାନେ ସମସ୍ତେ ଚାରିପାଖରେ ତାଙ୍କୁ ଘେରି ବସିଲେ । ଭରତ ଅଗ୍ରଜଙ୍କ ପାଦରେ ମୁଣ୍ଡ ଲଗାଇ ଶ୍ରାବଣର ଅଶ୍ରୁଧାରାରେ ତାଙ୍କର ପଦପ୍ଳାବିତ କରିଦେଲେ-। ସେ ଆତୁର, କରୁଣକଣ୍ଠରେ କହିଲେ–‘‘ଭ୍ରାତୃଦେବ, ମୋତେ କ୍ଷମା ଆଜ୍ଞା କରନ୍ତୁ ଏବଂ ମୋର ନିର୍ବୋଧ ଜନନୀଙ୍କର ଅପରାଧ ମାର୍ଜ୍ଜନା କରନ୍ତୁ । ମୁଁ ମାତୃ-କରଣୀରୁ ଦୋଷୀ, ଆପଣଙ୍କ ଶ୍ରୀଚରଣ ଛୁଇଁ ନିୟମ କରି କହୁଛି- ମାତାଙ୍କର ଏ କୁକର୍ମ ମୁଁ ଆଦୌ ଜାଣେ ନାହିଁ । ଏ ଦୁର୍ଘଟନା ମୋ ପ୍ରାଣରେ କିପରି କ୍ଷତ କରିଦେଇଛି, ଦେହ ଖୋଲିବାର ହୋଇଥିଲେ ତାହା ଦେଖାଇଦିଅନ୍ତି ।’’ ରାମଚନ୍ଦ୍ର ଭରତଙ୍କ ହାତ ଧରି ଉଠାଇ ସ୍ନେହଶୀତଳ ବାଣୀରେ କହିଲେ–‘‘ମୁଁ ଜାଣେ ଭାଇ, ତୁମ୍ଭର ହୃଦୟ । ବିଶେଷତଃ ତୁମ୍ଭେ ମାମୁଘରଠାରେ ଥିଲ, ସୁତରାଂ ଘଟଣା ଜାଣିବା ତୁମ୍ଭ ପକ୍ଷରେ ଏକାନ୍ତ ଅସମ୍ଭବ । ଆଉ ବିମାତାଙ୍କର ବା ଅପରାଧ କଅଣ ? ସବୁ ଦୈବର ଲୀଳା । ତୁମ୍ଭର ମୋର ହୃଦୟ ଗୋଟାଏମାତ୍ର । ସେ ତାହା ଦୁଇ ଖଣ୍ଡ କରି କାଟିବାକୁ ଇଚ୍ଛା କରିଥିଲେ; ମାତ୍ର ତାକୁ କାଟିଦେଲେ ଯେ ଦଦୟାଛେନା ପରି ଯୋଡ଼ିଯାଇ ସେ ପୁଣି ଗୋଟାଏ ହୋଇଯିବ–ଏକଥା ବିମାତା ଜାଣି ନ ଥିଲେ । ତୁମ୍ଭେ ମୋର ଯେଉଁପରି ଥିଲ ସେହିପରି ଅଛ; ମୁଁ ବି ତୁମ୍ଭର ଯେଉଁପରି ଥିଲି ଠିକ୍‌ ସେହିପରି ଅଛି । ଭରତ କହିଲେ–‘‘ଆଜ୍ଞା, ତାହା ଯଥାର୍ଥ, ଆପଣଙ୍କ ଭଳି ମହାତ୍ମାପୁରୁଷଙ୍କର ଭାବାନ୍ତର ଘଟିବ କାହିଁକି ? ଉତ୍ତାପର ଆଧିକ୍ୟରେ ନଈ ପୋଖରୀପ୍ରଭୃତି ଶୁଖିଯାଏ; ମାତ୍ର ସମୁଦ୍ର ଶୁଖିବା ତ କେବେ କାହିଁ ଶୁଣା ନାହିଁ । ଏବେ ଏ ଭୃତ୍ୟର ଏତିକି ମାଗୁଣି ଯେ, ଆପଣ ଦୟାକରି ଅଯୋଧ୍ୟାକୁ ଫେରିଯାଇ ରାଜସିଂହାସନ ଅଳଙ୍କୃତ କରନ୍ତୁ । ଆପଣଙ୍କ ପରିବର୍ତ୍ତରେ ମୁଁ ଚଉଦବର୍ଷ ବନବାସ କରିବି ।’’ ରାମଚନ୍ଦ୍ର ମୃଦୁ ହସି କୋମଳ କଣ୍ଠରେ କହିଲେ–‘‘ତାହା କିପରି ହେବ ଭରତ-? ପିତା ଯେ ମୋତେ ବନବାସ କରିବାକୁ ଆଦେଶ ଦେଇଅଛନ୍ତି । ପୁଣି ପିତୃ ଆଜ୍ଞା ଯେ ପାଳନ ନ କରେ, ସେ କୁପୁତ୍ର । ମୁଁ ପୁତ୍ର ହୋଇ ଦେବତୁଲ୍ୟ ପିତାଙ୍କର ଆଦେଶ ଲଙ୍ଘନ କରି ତାଙ୍କୁ ସତ୍ୟଭ୍ରଷ୍ଟ, ଧର୍ମଭ୍ରଷ୍ଟ କରିବି କିପରି ?’’ ଭରତ କହିଲେ, ‘‘ତେବେ କାହାରିକୁ ଆପଣଙ୍କ ପ୍ରତିନିଧି ନିଯୁକ୍ତ କରନ୍ତୁ, ମୁଁ ଆପଣଙ୍କ ସଙ୍ଗରେ ବନବାସ କରିବି । ରାଜ୍ୟର ଦୁର୍ବହ ଭାର ମୁଁ ବହିବାକୁ ଅକ୍ଷମ । ମହାତପା ଅଗସ୍ତ୍ୟ ସିନା ସପ୍ତସମୁଦ୍ର ଚଳୁ କରି ପିଇ ଦେଇଥିଲେ, ସବୁ ଋଷି କଅଣ ତାହା କରିପାରିବେ ?’’ ରାମଚନ୍ଦ୍ର ପ୍ରସନ୍ନ ହାସ୍ୟରେ କହିଲେ–‘‘ମୁଁ ତୁମ୍ଭଙ୍କୁହିଁ ମୋର ସେହି ପ୍ରତିନିଧିରୂପେ ନିଯୁକ୍ତ କଲି । ତୁମ୍ଭେ ଫେରିଯାଇ ପ୍ରଜାପାଳନ କର ।’’ ଭରତ କହିଲେ- ‘‘ତେବେ ଆପଣଙ୍କର ଶ୍ରୀଚରଣ କଠାଉ ମୋତେ ପ୍ରଦାନ କରନ୍ତୁ, ମୁଁ ତାହା ସିଂହାସନରେ ସ୍ଥାପନ କରି ରାଜକାର୍ଯ୍ୟ ପରିଚାଳନା କରିବି । ମୁଁ ଆଉ ଅଯୋଧ୍ୟାକୁ ଫେରିଯିବି ନାହିଁ, ଆପଣଙ୍କ ଫେରିବାଯାଏ ନନ୍ଦିଗ୍ରାମରେ ରାଜଧାନୀ କରି ଚଉଦ ବର୍ଷ ଅପେକ୍ଷା କରିବି । ଆପଣଙ୍କ ଶକ୍ତି ମୋ ଭିତରେ ପଶି ଆପଣଙ୍କ କାର୍ଯ୍ୟ କରିବ–ମୁଁ ଖାଲି ଉପଲକ୍ଷ୍ୟ ହୋଇ ରହିବିମାତ୍ର । ଆପଣଙ୍କ ଆଶୀର୍ବାଦ ଯାହାର ସମ୍ୱଳ, କାହାର ସାଧ୍ୟ ତାକୁ ଅତିକ୍ରମ କରିବ ? ମୁଁ ଚଉଦ ବର୍ଷ କାଳ ଅଯୋଧ୍ୟାର ରାଜଲକ୍ଷ୍ମୀଙ୍କୁ ପୂଜା କରିବି, ଆପଣ ଯାଇ ରାଜ୍ୟରେ ପଦାର୍ପଣ କଲାମାତ୍ରେ ସେହି ଦେବୀଙ୍କୁ ଆପଣଙ୍କ କାନ୍ଧରେ ବସାଇ ଦାୟିତ୍ୱରୁ ଚିର-ମୁକ୍ତି ଲାଭ କରିବି ।’’ ରାମଚନ୍ଦ୍ର ଭରତଙ୍କ ପ୍ରାର୍ଥନାରେ ସମ୍ମତ ହୋଇ ତାଙ୍କୁ ସ୍ୱୀୟ ପାଦୁକା ପ୍ରଦାନ କଲେ । ଭରତ ଆନନ୍ଦରେ ତାହା ମସ୍ତକରେ ଧରି ଅଗ୍ରଜଙ୍କ ପାଦବନ୍ଦନପୂର୍ବକ ସହଚର ଓ ଅନୁଚରମାନଙ୍କ ସହିତ ତାଙ୍କଠାରୁ ବିଦାୟ ନେଇ ରାଜ୍ୟାଭିମୁଖରେ ଯାତ୍ରାକଲେ । ସେ ଆଉ ଅଯୋଧ୍ୟାକୁ ନ ଯାଇ ନନ୍ଦିଗ୍ରାମରେ ରାଜଧାନୀ କରି ରାଜକାର୍ଯ୍ୟ ଚଳାଇବାକୁ ଲାଗିଲେ ।

 

ରାମଚନ୍ଦ୍ର ପ୍ରାଣପ୍ରତିମ ଅନୁଜ ଭରତଙ୍କୁ ବିଦାୟ ଦେଇ ଚିତ୍ରକୂଟରେ ଆଉ ରହିବାକୁ ଇଚ୍ଛା କଲେ ନାହିଁ । ସେ ଲକ୍ଷ୍ମଣଙ୍କୁ କହିଲେ–‘‘ଲକ୍ଷ୍ମଣ, ଏ ସ୍ଥାନ ଅଯୋଧ୍ୟାର ବହୁ ଦୂରବର୍ତ୍ତୀ ନୁହେଁ । ଆମ୍ଭେମାନେ ଏଠାରେ ରହିଲେ ଭରତ ଓ ବନ୍ଧୁ-ପରିବାର ପ୍ରଭୃତି ବାରମ୍ୱାର ଏଠାକୁ ଯାତାୟାତ କରିବେ । ବିଶେଷତଃ ଆମ୍ଭମାନଙ୍କୁ ଦେଖିଲେ ରାକ୍ଷସମାନେ ଚିତ୍ରକୂଟବାସୀ ମୁନିଋଷିମାନଙ୍କୁ ଉପରେ ଅହନ୍ତା କରିବେ । ସେମାନେ ଭାବିବେ–ରାକ୍ଷସମାନଙ୍କୁ ବିନାଶ କରିବା ପାଇଁ ତପସ୍ୱୀମାନେ ବାଣୁଆ ଆଣି ପୋଷିଛନ୍ତି । ଏହିପରି ନାନା କାରଣରୁ ଏଠାରେ ଆଉ ରହିବା ଉଚିତ ନୁହେଁ । ଏବେ ଚାଲ, ଆମ୍ଭେମାନେ ଦଣ୍ଡକାରଣ୍ୟ ମଧ୍ୟରେ ଭ୍ରମଣ କରିବା ।’’ ଲକ୍ଷ୍ମଣ ବନ୍ଦନୀୟ ଅଗ୍ରଜଙ୍କ ପ୍ରସ୍ତାବ ଶୁଣି ‘ଯେ ଆଜ୍ଞା’ କହି ତାହା ସମର୍ଥନ କରିବାରୁ ସମସ୍ତେ ଦଣ୍ଡକାରଣ୍ୟ ଆଡ଼କୁ ଅଗ୍ରସର ହେଲେ । ଖଣ୍ଡେ ଦୂର ପରେ ମହର୍ଷି ଅତ୍ରିଙ୍କର ଆଶ୍ରମ ଦେଖି ରାମଚନ୍ଦ୍ର ସେଠାକୁ ଯାଇ ମହର୍ଷିଙ୍କର ପଦ ବନ୍ଦନ କଲେ । ସୀତା ଓ ଲକ୍ଷ୍ମଣ ମଧ୍ୟ ମୁନିଙ୍କୁ ଅଭିବାଦନ କଲେ । ମହର୍ଷି ଅତି କୋଟିନିଧି ପାଇଲା ପରି ସେମାନଙ୍କର ଅତିଥି ସତ୍କାରରେ ନିଯୁକ୍ତ ହେଲେ । ତାଙ୍କର ତପଃଶୀଳା ସହଧର୍ମିଣୀ ବୃଦ୍ଧା ଅନସୂୟା ଆସି ସୀତାଙ୍କୁ କନ୍ୟା ପରି ଆଦର କରି ଘର ଭିତରକୁ ନେଇଗଲେ । ଅନସୂୟା ସୁକଠୋର ତପସ୍ୟାରେ ଶରୀର କ୍ଷୟ କରି ସିଦ୍ଧି ଲାଭ କରିଅଛନ୍ତି । ତପସ୍ୟାବଳରେ ସେ ଅସମ୍ଭବ ସମ୍ଭବ କରିପାରନ୍ତି । ଥରେ ଦଶବର୍ଷବ୍ୟାପୀ ଦାରୁଣ ଅନାବୃଷ୍ଟି ସମୟରେ ସେ ମନ୍ତ୍ରସିଦ୍ଧି ପ୍ରଭାବରେ ବିବିଧ ଫଳମୂଳ ସୃଷ୍ଟି କରି ଓ ଗଙ୍ଗାଙ୍କୁ ଆଣି ତପୋବନରେ ପ୍ରବାହିତ କରି ଆଶ୍ରମବାସୀ ମୁନିଋଷିମାନଙ୍କୁ ବଞ୍ଚାଇ ରଖିଥିଲେ । ସେ ପାତିବ୍ରତ୍ୟ ସମ୍ୱନ୍ଧରେ ସୀତାଙ୍କୁ ଅନେକ ମହୋତ ଉପଦେଶ ପ୍ରଦାନ କଲେ ଏବଂ ତାଙ୍କୁ ବସ୍ତ୍ରାଳଙ୍କାରରେ ମଣ୍ଡିତ କଲେ । ସେଦିନ ସମସ୍ତେ ମୁନିଙ୍କ ଆଶ୍ରମରେ ରହି ରଜନୀ ଯାପନ କଲେ । ତହିଁ ପରଦିନ ପ୍ରଭାତରୁ ଉଠି ଋଷି ଓ ଋଷିପତ୍ନୀଙ୍କଠାରୁ ବିଦାୟ ଘେନି ଦଣ୍ଡକାରଣ୍ୟ ମଧ୍ୟରେ ଚାଲିବାକୁ ଲାଗିଲେ । ଯାଉଁ ଯାଉଁ ପଥ ମଧ୍ୟରେ ବିରାଧ ନାମକ ବିକଟାକାର ରାକ୍ଷସ ଆସି ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇ ବାଣଗତିରେ ନିବିଡ଼ ବନ ମଧ୍ୟରେ ପ୍ରବେଶ କଲା; ମାତ୍ର ଅଧିକ ଦୂର ଅଗ୍ରସର ନ ହେଉଣୁ ରାମଚନ୍ଦ୍ର ଓ ଲକ୍ଷ୍ମଣ ତାହାର ବିଶାଳ ବାହୁ ଦ୍ୱୟ ଛେଦନ କରି ତାହାର ଗିରିତୁଲ୍ୟ ପ୍ରକାଣ୍ଡ ଶରୀରକୁ ଧରାଶାୟୀ କଲେ । ବିରାଧ ବଧ ପରେ ସମସ୍ତେ ଯାଇଁ ଶରଭଙ୍ଗ ମହର୍ଷିଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ଋଷି ନିଜର ଅତି ଜୀର୍ଣ୍ଣ ପ୍ରାଚୀନତନୁ ରାମଚନ୍ଦ୍ରରୂପୀ ବିଷ୍ଣୁଙ୍କ ସମକ୍ଷରେ ପରିତ୍ୟାଗ କରି ସ୍ୱର୍ଗାରୋହଣ ଆଶାରେ ଅପେକ୍ଷା କରି ରହିଥିଲେ । ସେ ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣଙ୍କୁ ଦେଖି ପରମାହ୍ଲାଦରେ ତାଙ୍କର ଯଥାବିଧି ସତ୍କାର କଲେ । ଅନନ୍ତର ତପୋବନ ରାମଚନ୍ଦ୍ରଙ୍କୁ ଆଗରେ ଠିଆକରାଇ ସ୍ୱୀୟ ତପଃପୂତ କ୍ଷୀଣ ଦେହକୁ ଆହୁତିସ୍ୱରୂପ ଯଜ୍ଞକୁଣ୍ଡରେ ନିକ୍ଷେପପୂର୍ବକ ଦିବ୍ୟରୂପ ଧରି ଜ୍ୟୋତିର୍ମୟ ରଥରେ ସ୍ୱର୍ଗାରୋହଣ କଲେ । ତହୁଁ ରାମଚନ୍ଦ୍ର ସେଠାରୁ ଯାଇ ସୁତୀକ୍ଷଣ ନାମକ ମହାତପା ମହର୍ଷିଙ୍କ ଆଶ୍ରମରେ ଏକ ରାତ୍ରି ବିଶ୍ରାମପୂର୍ବକ ତହିଁ ପରଦିନ ଅଗସ୍ତ୍ୟ ଋଷିଙ୍କ ଆଶ୍ରମରେ ଅତିଥି ହେଲେ । ସିନ୍ଧୁଶୋଷୀ ଅଗସ୍ତ୍ୟ ଅତିଥିତ୍ରୟଙ୍କୁ ପରମ ସମାଦରରେ ଅର୍ଚ୍ଚନା କଲେ ଏବଂ ରାମଚନ୍ଦ୍ରଙ୍କୁ ଅବ୍ୟର୍ଥ ବ୍ରହ୍ମାସ୍ତ୍ର ସହ ରାକ୍ଷସ-ବଧଯୋଗ୍ୟ ଅନେକ ତେଜସ୍ୱୀ ଅସ୍ତ୍ର ପ୍ରଦାନ କଲେ । ରାମଚନ୍ଦ୍ର ସେ ସମସ୍ତ ଆଗ୍ରହ ସହ ଗ୍ରହଣ କରି ଅଗସ୍ତ୍ୟଙ୍କୁ ପଚାରିଲେ–‘‘ମହାଭାଗ, ଆପଣ ଏ ଦଣ୍ଡକାରଣ୍ୟର ସମସ୍ତ ତଥ୍ୟ ଅବଗତ ଅଛନ୍ତି । ଆମ୍ଭେମାନେ କେଉଁଠାରେ ନିରାପଦରେ ବନବାସ କାଳ କଟାଇପାରିବୁ, ଆପଣ ସେହି ସ୍ଥାନ ନିର୍ଦ୍ଦେଶ କରିଦେଉନ୍ତୁ ।’’ ଅଗସ୍ତ୍ୟ କହିଲେ–‘‘ଦାଶରଥି, ଗୋଦାବରୀ କୂଳରେ ପଞ୍ଚବଟୀ ନାମରେ ଏକ ରମଣୀୟ ବନ ଅଛି । ସେ ବନରେ ଅଶ୍ୱତ୍‌ଥ, ବିଲ୍ୱ, ବଟ, ଅଶୋକ ଓ ଧାତ୍ରୀ–ଏହି ପାଞ୍ଚ ପ୍ରକାର ବୃକ୍ଷ ଥିବାରୁ ତାହାର ନାମ ପଞ୍ଚବଟୀ ହୋଇଅଛି । ସ୍ଥାନଟି ଅତି ପବିତ୍ର, ନିକାଞ୍ଚନ ଓ ଶାନ୍ତିପ୍ରଦ । ସେଠାରେ ଫଳମୂଳ ମଧ୍ୟ ପ୍ରଚୁର ମିଳେ । ତୁମ୍ଭେ ସେହି ପଞ୍ଚବଟୀରେ ସୁଖରେ ବନବାସ କାଳ ଯାପନ କରିପାରିବ ।’’ ଏହା ଶୁଣି ରାମଚନ୍ଦ୍ର ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ସେ ରାତ୍ରି ସେହିଠାରେ ଅତିବାହିତ କରି ପ୍ରଭାତ କାଳରେ ମୁନିଙ୍କଠାରୁ ବିଦାୟ ଗ୍ରହଣପୂର୍ବକ ସୀତା ଓ ଲକ୍ଷ୍ମଣ ସହ ପଞ୍ଚବଟୀ ଅଭିମୁଖରେ ଯାତ୍ରା କଲେ । ବାଟରେ ପକ୍ଷିରାଜ ଗରୁଡ଼ର ପୁତ୍ର ମହାବୀର ଜଟାୟୁ ସଙ୍ଗରେ ଭେଟ ହେଲା । ସେ ଦଶରଥଙ୍କର ସଖା ବୋଲି ପରିଚୟ ଦେବାରୁ ରାମଚନ୍ଦ୍ର ପିତୃତୁଲ୍ୟ ପିତୃବନ୍ଧୁଙ୍କୁ ଭ୍ରାତା ଓ ପତ୍ନୀ ସହ ଅଭିବାଦନ କଲେ । ମହାକାୟ ଜଟାୟୁ ତାଙ୍କର ପଞ୍ଚବଟୀ-ବାସ ସମର୍ଥନ କରି ଗହନ ବନ ମଧ୍ୟରେ ସୀତାଙ୍କୁ ସର୍ବଦା ରକ୍ଷା କରିବାକୁ ସମ୍ମତ ହେଲା । ତହୁଁ ରାମଚନ୍ଦ୍ର ତାହାଠାରୁ ବିଦାୟ ନେଇ ବନପଥରେ ଅଗ୍ରସର ହେଲେ ।

 

ରାମଚନ୍ଦ୍ର ପଞ୍ଚବଟୀରେ ଉପସ୍ଥିତ ହୋଇ ବନର ଅନିନ୍ଦ୍ୟ ସୁନ୍ଦର ପ୍ରାକୃତିକ ଶୋଭା ଦର୍ଶନରେ ମୁଗ୍‌ଧ ହୋଇଗଲେ । ମନ୍ଦଗାମିନୀ ମନ୍ଦାକିନୀ ତୀରରେ ନନ୍ଦନ କାନନ ତୁଲ୍ୟ ପବିତ୍ର ଗୋଦାବରୀ କୂଳରେ ପଞ୍ଚବଟୀ ବନ କି ସୁନ୍ଦର ଦିଶୁଅଛି । ଗୋଦାବରୀ କଳ କଳ ନାଦରେ ତାହାର ମହିମା କୀର୍ତ୍ତନପୂର୍ବକ ପଦ ଧୌତ କରୁଅଛି । ନଦୀ ଗର୍ଭ-ସଞ୍ଚାରୀ, ତରଙ୍ଗ ଚୁମଚୁମ୍ୱୀ ଶୀତଳ ସମୀର ବିକଚ କମଳର ସ୍ନିଗ୍‌ଧ ମଧୁର ସୌରଭ ବନରେ ବିକିରଣପୂର୍ବକ ତାହାର ମହତ୍ତ୍ୱକୁ ସମୃଦ୍ଧିମଣ୍ଡିତ କରୁଅଛି । ରାମଚନ୍ଦ୍ରଙ୍କ ପବିତ୍ର ସ୍ପର୍ଶରେ ବନଭୂମି ଆନନ୍ଦରେ କମ୍ପି ଉଠିଲା । ପକ୍ଷୀମାନେ ନିଜର ଜାତୀୟ ଭାଷାରେ ରାମଚନ୍ଦ୍ରଙ୍କ ସ୍ୱାଗତ ସଙ୍ଗୀତ ଗାଇବାକୁ ଲାଗିଲେ । ଗୋଦାବରୀ ନଦୀ ତରଙ୍ଗ-କର ଯୋଡ଼ି ଭକ୍ତିରେ ଦଣ୍ଡବତ କରିବାକୁ ଲାଗିଲା । ମହାପୁରୁଷଙ୍କ ମହାମହିମା ସ୍ଥାବର ଜଙ୍ଗମ ଉଭୟକୁ ଆକର୍ଷଣ କରେ ।

 

ବନ ମଧ୍ୟରେ ସୁବିଧାଜନକ ସ୍ଥାନ ବାଛିନେଇ ସେହିଠାରେ କୁଟୀର ପ୍ରସ୍ତୁତ କରିବା ସକାଶେ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ଆଦେଶ ଦେଲେ । ଭ୍ରାତୃଭକ୍ତ ଲକ୍ଷ୍ମଣ ଅଗ୍ରଜଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ବନରୁ ଚନ୍ଦନ କାଷ୍ଠ ହାଣି ଆଣି ସୁରମ୍ୟ କୁଟୀର ନିର୍ମାଣ କଲେ । ଲତାପତ୍ର ପ୍ରଭୃତିର ସୂକ୍ଷ୍ମ କାରୁକଳାରେ ସେ ପର୍ଣ୍ଣକୁଟୀର ମଣିରତ୍ନଖଚା ରାଜହର୍ମ୍ୟକୁ ପରାସ୍ତ କଲା । ସ୍ତମ୍ଭ ଦେହରେ ତାର ସାହାଯ୍ୟରେ ବିବିଧ ସଦୁକ୍ତି ଶ୍ଳୋକ ଖୋଦିତ ହେଲା । କୁଟୀର ଚାରିପାଖରେ ଉଚ୍ଚ ପ୍ରାଚୀର ପ୍ରସ୍ତୁତ ହେଲା, ସମ୍ମୁଖରେ ପ୍ରଶସ୍ତ ପ୍ରାଙ୍ଗଣ ରଖାଗଲା । ରାମଚନ୍ଦ୍ର ଓ ସୀତା ସେହି କୁଟୀର ଦେଖି ଲକ୍ଷ୍ମଣଙ୍କ ନିର୍ମାଣ-କୌଶଳକୁ ପ୍ରଶଂସା କରିବାକୁ ଲାଗିଲେ । ଶୁଭଲଗ୍ନରେ ରାମଚନ୍ଦ୍ର ସେହି କୁଟୀର ମଧ୍ୟରେ ପ୍ରବେଶ କଲେ । ରାତିରେ ରାମଚନ୍ଦ୍ର ଓ ସୀତା ସେହି କୁଟୀରରେ ଶୟନ କରନ୍ତି ଏବଂ ଲକ୍ଷ୍ମଣ ଧନୁର୍ବାଣ ଧରି ଦ୍ୱାରରେ ଜଗି ବସନ୍ତି । ଅନାହାରରେ, ଅନିଦ୍ରାରେ ତାଙ୍କର କାଳକ୍ଷେପ ହୁଏ । ମହର୍ଷି ବିଶ୍ୱାମିତ୍ରଙ୍କ ପ୍ରଦତ୍ତ ବଳା, ଅତିବଳା ନାମ୍ନୀ ବିଦ୍ୟା ପ୍ରଭାବରେ କ୍ଷୁଧା ବା ନିଦ୍ରା ତାଙ୍କୁ ପୀଡ଼ା ଦେଇପାରେ ନାହିଁ । ତାଙ୍କର ଏରୂପ ଅତୁଳ ଭ୍ରାତୃଭକ୍ତି ଜଗତର ଶ୍ରେଷ୍ଠ ଆଦର୍ଶ । ସେହି ଉଜ୍ଜ୍ୱଳ ଶୁଭାଦର୍ଶ ଭାରତର ମୁଖକୁ ଚିର-ସମୁଜ୍ଜ୍ୱଳ କରି ରଖିଅଛି । ତାହା କୌଣସି କାଳରେ ମଳିନ ହେବ ନାହିଁ । ଯେଉଁ ଦେଶର ରାଜପୁତ୍ରଙ୍କର ଆଦର୍ଶ ଏରୂପ ଦେବଦୁର୍ଲଭ, ସେ ଦେଶ ସ୍ୱର୍ଗ ନା ମର୍ତ୍ତ୍ୟ ଅଥବା ଦୁହିଙ୍କର ସାର ସମ୍ମିଶ୍ରଣରେ ଗଠିତ, ତାହା କିଏ କହିପାରିବ ? ସ୍ୱତନ୍ତ୍ର ସ୍ୱର୍ଗ ଯେବେ କେଉଁଠାରେ ଥାଏ, ତେବେ ଥାଉ; ମାତ୍ର ଆଦର୍ଶ ଗୌରବରେ ତାହା କଦାଚ ଭାରତର ସମକକ୍ଷ ହୋଇପାରିବ ନାହିଁ–ଏହା ସଦର୍ପରେ ବୋଲାଯାଇପାରେ ।

Image

 

Unknown

ଏକାଦଶ ସର୍ଗ

 

ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ପଞ୍ଚବଟୀରେ ପରମ ସୁଖରେ କାଳଯାପନ କରିବାକୁ ଲାଗିଲେ । ସୀତା କୁଟୀର ନିକଟସ୍ଥ ଫୁଲଗଛଗୁଡ଼ିକରେ ଜଳ ସେଚନ କରି, ସ୍ୱହସ୍ତରେ ମୃଗଶିଶୁମାନଙ୍କୁ କୋମଳ କୁଶାଙ୍କୁର ଖୁଆଇ ଅପାର ଆନନ୍ଦ ଅନୁଭବ କରୁଥିଲେ । ବନରେ ସେହିମାନେ ତାଙ୍କର ପୋଷ୍ୟ ଓ କ୍ରୀଡ଼ାସଙ୍ଗୀ ଥିଲେ । ସୀତା ବନ ଫୁଲରେ ହାର ଗୁନ୍ଥି ରାମଚନ୍ଦ୍ରଙ୍କ ଗଳାରେ ଲମ୍ୱାଇ ସ୍ୱାମୀଙ୍କୁ ବସନ୍ତରାଜ ବେଶରେ ସଜ୍ଜିତ କରୁଥିଲେ । ରାମଚନ୍ଦ୍ର ମଧ୍ୟ ସୀତାଙ୍କୁ ଆପାଦମସ୍ତକ ଫୁଲରାଣୀ ବେଶରେ ସଜାଇ ସେହି ପ୍ରେମ-ଋଣ ଶୁଝଦେଉଥିଲେ । ଅରଣ୍ୟବାସୀ ଋଷିମାନେ ପ୍ରତ୍ୟହ ରାମଚନ୍ଦ୍ରଙ୍କ କୁଟୀରକୁ ଯାତାୟାତ କରିବାକୁ ଲାଗିଲେ । ସେମାନଙ୍କ ସହ ଧର୍ମାଲୋଚନା ଓ ଶାସ୍ତ୍ରାଲୋଚନାରେ ରାମଚନ୍ଦ୍ର ନିଜକୁ କୃତାର୍ଥ ମଣୁଥିଲେ । ସଜ୍ଜନ ସହ ସଦାଳାପର ସୁଖ କେତକ ସଜ୍ଜନରହିଁ ଉପଭୋଗ୍ୟ । ଲକ୍ଷ୍ମଣ ବନରୁ ଫଳମୂଳ ସଂଗ୍ରହ କରି ଆଣନ୍ତି ଏବଂ ଗୋଦାବରୀ ନଦୀରୁ ପଦ୍ମପୁଷ୍କର ତୋଳିଆଣନ୍ତି । ରାମଚନ୍ଦ୍ର ଓ ସୀତା ତାହା ଆହାର କରନ୍ତି, ଲକ୍ଷ୍ମଣ କିଛି ଖାଆନ୍ତି ନାହିଁ; ମାତ୍ର ରାମଚନ୍ଦ୍ର କି ସୀତା କେହି ତାହା ଜାଣିପାରନ୍ତି ନାହିଁ । ରାମଚନ୍ଦ୍ର ବନବାସରୁ ନ ଫେରିବା ଯାଏ ସେ ଖାଇବେ ନାହିଁ କି ଶୋଇବେ ନାହିଁ ବୋଲି ମନେ ମନେ ସଂକଳ୍ପ କରିଥିଲେ । ପଞ୍ଚବଟୀରେ କେତେ କାଳ ସୁଖରେ କଟିଗଲା; ମାତ୍ର ଦିନେ ଗୋଟାଏ ଆଶ୍ଚର୍ଯ୍ୟ ଘଟଣା ଘଟିଲା । ଗୋଟାଏ ରାକ୍ଷସୀ ରାମଚନ୍ଦ୍ରଙ୍କ କୁଟୀରକୁ ଆସି ତାଙ୍କୁ ପରିଚୟ ମାଗିଲା । ରାମଚନ୍ଦ୍ର ସରଳ, ଅକପଟ ହୃଦୟରେ ନିଜର, ଲକ୍ଷ୍ମଣଙ୍କର ଓ ସୀତାଙ୍କର ସତ୍ୟ ପରିଚୟ ପ୍ରଦାନ କରି ଆଗନ୍ତୁକାକୁ ତାହାର ପରିଚୟ ଓ ଆଗମନର କାରଣ ପଚାରିଲେ । ରାକ୍ଷସୀ କହିଲା–‘‘ମୋର ନାମ ସୂର୍ପଣଖା, ତ୍ରିଭୁବନବିଜୟୀ ରାକ୍ଷସରାଜ ଲଙ୍କାପତି ରାବଣର ମୁଁ ବଡ଼ ଗେହ୍ଲା ଭଉଣୀ । ଏହି ବନର ରାଜା ଖରନାମକ ଅସୁର ମୋର ଭାଇ ଓ ରକ୍ଷକ । ସେ ଚଉଦସହସ୍ର ରାକ୍ଷସ ସହ ମୋର ସୁରକ୍ଷାରେ ନିଯୁକ୍ତ ଥାଏ । ସୁତରାଂ ମୁଁ ନିର୍ଭୟରେ ଏହି ବନରେ ଯଦୁଚ୍ଛା ଭ୍ରମଣ କରେ । ଆଜି ବୁଲୁ ବୁଲୁ ତୁମ୍ଭର ସୁନ୍ଦର ରୂପ ଦେଖି ମୋହିତ ହୋଇ ତୁମ୍ଭ ପ୍ରତି ଆସକ୍ତ ହୋଇପଡ଼ିଲି, ତେଣୁ ତୁମ୍ଭଙ୍କୁ ପତିତ୍ୱରେ ବରଣ କରିବାକୁ ଆସିଅଛି । ଏ ସୀତା ମୋଠାରୁ ସୁନ୍ଦରୀ ନୁହେଁ, ଏହାର କି ଗୁଣ ଦେଖି ତୁମ୍ଭେ ରସିଛ ? ମୁଁ ତୁମ୍ଭର ଉପଯୁକ୍ତ ପତ୍ନୀ, ମୋତେ ଗ୍ରହଣ କରି ସୁଖୀ ହୁଅ ।’’ ରାମଚନ୍ଦ୍ର କାମୁକୀ ରାକ୍ଷସୀର ଏହି ଅସଙ୍ଗତ ହାସ୍ୟକର ପ୍ରସ୍ତାବ ଶୁଣି ପରିହାସ କରି କହିଲେ-‘‘ସୁନ୍ଦରୀ, ତୁମ୍ଭର ଦେହ ଗୋଟିଏ ଫୁଲରେ ଗଢା, ଏ ବେଢ଼ଙ୍ଗୀ ଅପରିଛନୀ ସୀତାଟା ତୁମ୍ଭ କାଣି ଆଙ୍ଗୁଳିକି ଲକ୍ଷ୍ୟ ନୁହେଁ–ତୁମ୍ଭେ କଅଣ ଏହି ଅସୁନ୍ଦରୀଟାର ସଉତୁଣୀ ହେବ ? ତୁମ୍ଭ ପରି ମହା ସୁନ୍ଦରୀଙ୍କର ସଉତୁଣୀ ଥିବା ଉଚିତ ନୁହେଁ । ସ୍ତ୍ରୀଲୋକମାନେ ସବୁ ସହିପାରନ୍ତି; ମାତ୍ର ସଉତୁଣୀ ସହବାସ ସହିପାରନ୍ତି ନାହିଁ । ମୋର ଏଇ ସାନଭାଇ ଲକ୍ଷ୍ମଣର ସ୍ତ୍ରୀ ନାହିଁ, ତୁମେ ତାହାରି ପାଖକୁ ଯାଅ, ସେ ନିଶ୍ଚୟ ତୁମ୍ଭଙ୍କୁ ପତ୍ନୀତ୍ୱରେ ବରଣ କରିବ ।’’ ରାକ୍ଷସୀ ଏପରି ହାସ୍ୟବାଣୀକୁ ସତ୍ୟ ମଣି ଲକ୍ଷ୍ମଣଙ୍କ ନିକଟକୁ ଯାଇ ନିଜର ଅଭିପ୍ରାୟ ଜଣାଇଲା । ପରିହାସ-ରସିକ-ଲକ୍ଷ୍ମଣ କହିଲେ–‘‘ତୋ ପରି ନାରୀରତ୍ନ ଭାଗ୍ୟରେ ଥିଲେ ମିଳେ ! କିନ୍ତୁ କଅଣ କରିବି, ମୁଁ ରାମଚନ୍ଦ୍ରଙ୍କର ଦାସ, ସୀତାଙ୍କର ବି ଦାସ, ତୁ ମୋର ଭାର୍ଯ୍ୟା ହେଲେ ସୀତାଙ୍କର ଦାସୀ ହେବୁ–ଏଟା ଯେ ବଡ଼ ହତମାନର କଥା । ରାକ୍ଷସ ମହାବଂଶରେ ତୋର ଜନ୍ମ, ପୁଣି ଭାଇ ତୋର ରାଜାଧିରାଜ ଚକ୍ରବର୍ତ୍ତୀ-। ତୁ କେଡ଼େ ବଡ଼ ଲୋକ ! ଦାସୀବୃତ୍ତ ତୋ ପକ୍ଷରେ ଘୋର ଲଜ୍ଜା ଆଉ କଳଙ୍କର କଥା ସିନା ! ଛି, ସେ ଦୁର୍ବୁଦ୍ଧି ଛାଡ଼ି ତୁ ରାମଚନ୍ଦ୍ରଙ୍କ ପାଖକୁ ଯା, ସେହି ଏକା ତୋର ଉପଯୁକ୍ତ ସ୍ୱାମୀ ।’’ ଏ ନିରାଶ ବାଣୀ ଶୁଣି ସୂର୍ପଣଖା କ୍ରୁଦ୍ଧ ହୋଇ ରାମଚନ୍ଦ୍ରଙ୍କ ପାଖକୁ ଫେରିଆସି ଗର୍ଜନ କରି କହିଲା–‘‘ଭଣ୍ଡ ଜଟାଧାରୀ, ତୁ ମୋତେ ବେଶ୍ୟା ପରି ଟାପରା କରି ଏଠିକି ସେଠିକି ପଠାଇ ରସିକତା ଦେଖାଉଛୁ ପରା ! ଏହିକ୍ଷଣି ତୋର ସୀତାକୁ ଗର୍ଭସ୍ଥ କରି ସେ ଥଟ୍ଟାର ପ୍ରତିଶୋଧ ନେବି-।’’ ଦୁର୍ମୁଖା ଦାନବୀ ଏହା କହି ସୀତାଙ୍କୁ ଧରିବା ପାଇଁ ଧାବିତ ହେଲା । ରାମଚନ୍ଦ୍ର ତାହା ଦେଖି ରାକ୍ଷସୀର ନାସାକର୍ଣ୍ଣ ଛେଦନ କରିବା ସକାଶେ ଲକ୍ଷ୍ମଣଙ୍କୁ ଆଖି ଠାରି ସଙ୍କେତ କଲେ । ଲକ୍ଷ୍ମଣ ତତ୍‌କ୍ଷଣାତ୍‌ ଅସୁରୀର ନାକ କାନ କାଟି ତାହାର ସ୍ୱଭାବବିକୃତ ରୂପକୁ ଅଧିକତର ବିକୃତ କରିଦେଲେ । ତହୁଁ ରାକ୍ଷସୀ ଘୋର ରଡ଼ି ଛାଡ଼ି ରକ୍ତରେ ପ୍ଳାବିତ ହୋଇ ସଚଳ ପୁଷ୍ପିତ ପଳାଶ ବୃକ୍ଷ ପ୍ରାୟ ଝଡ଼ ଗତିରେ ସେଠାରୁ ପଳାଇଗଲା । ତାହାର ବଜ୍ରକଠୋର ବିକଟ ଗର୍ଜନ ଶୁଣି ବନବାସୀ ପଶୁପକ୍ଷୀ ମଧ୍ୟ ମୂର୍ଚ୍ଛିତ ହୋଇପଡ଼ିଲେ ।

 

ନାସାକର୍ଣ୍ଣଶୂନ୍ୟ ସୂର୍ପଣଖା କାନ୍ଦି କାନ୍ଦି ଯାଇ ଖର ରାକ୍ଷସ ଆଗରେ ମୁହଁ ମାଡ଼ି ପଡ଼ିଗଲା । ଖର ଭଉଣୀର ଦୁର୍ଦ୍ଦଶା ଦେଖି ତାଟଙ୍କା ହୋଇଗଲା । ସେ ସୂର୍ପଣଖାକୁ ଉଠାଇ ତା ଦେହରୁ ଧୂଳି ଝାଡ଼ିଦେଇ ସମବେଦନାମିଶା ସ୍ୱରରେ କହିଲା–‘‘ଆହା, ଦେଈଙ୍କୁ ଏ ଦଣ୍ଡ କିଏ ଦେଲା ? ଚିତ୍ରଗୁପ୍ତ ଆଜି କାହାର ପାଞ୍ଜି ପୋଛିଲା ? କାହା କାନ୍ଧରେ ଦୁଇଟା ମୁଣ୍ଡ ଉଠିଲା, କେଉଁ ମହାମୂର୍ଖ ନାଗସାପ ତୁଣ୍ଡରେ ହାତ ଭରିଲା–ଆଜି ତାହାର ନିସ୍ତାର ନାହିଁ ! ବ୍ରହ୍ମା ବିଷ୍ଣୁ ମଧ୍ୟ ତାକୁ ରକ୍ଷା କରିପାରିବେ ନାହିଁ । କହ ଭଉଣୀ–କିଏ ସେ ଦୁଃସାହସୀ ? ଦୁରାତ୍ମା କି ଜାଣେ ନାହିଁ ଯେ ତୁ ବନସ୍ଥାନ-ଅଧିପତି ମହାପ୍ରତାପୀ ରାକ୍ଷସରାଜ ଖରର ଭଉଣୀ ! ସେ ଦେବ, ଦାନବ, ରାକ୍ଷସ, ପିଶାଚ ଯେ ହେଉ, ମୋର ମହାସ୍ତ୍ର ତାହାର ରକ୍ତପାନ ନିଶ୍ଚୟ କରିବ, ଏଥିରେ ସଂଶୟର ଛାୟା ସୁଦ୍ଧା ନାହିଁ ।’’ ଭ୍ରାତାର ଏହିପରି ଗୁଡ଼ାଏ ଆଡ଼ମ୍ୱରପୂର୍ଣ୍ଣ ବ୍ୟର୍ଥ ପୌରୁଷ ବାକ୍ୟରେ ସୂର୍ପଣଖା ଆଶ୍ୱସ୍ତା ହୋଇ କହିଲା, ‘‘ପଞ୍ଚବଟୀରେ ଦଶରଥଙ୍କର ଦୁଇ ପୁଅ ରାମଚନ୍ଦ୍ର ଆଉ ଲକ୍ଷ୍ମଣ ଯୋଗୀ ବେଶ ଧରି ବସା କରିଅଛନ୍ତି । ବଡ଼ ପୁଅ ସଙ୍ଗରେ ତାର ଭାର୍ଯ୍ୟା ସୀତା ଅଛି । ସେହି ସୀତାକୁ ଖାଇବା ପାଇଁ ମୋର ଭାରୀ ଲୋଭ ହେଲା । ମୁଁ ତାକୁ ଧରିବା ଲାଗି ହାତ ବଢ଼ାଇବାବେଳେ ତାହାର ଦିଅର ଲକ୍ଷ୍ମଣ ମୋର ନାକ କାନ କାଟି ମୋତେ ବିରୂପା କରି ଛାଡ଼ିଦେଲା । ଏ କଅଣ ସାମାନ୍ୟ ଅପମାନ ? ମୋର ନାକ କାନର ଘା ଜଳିବା ମୋତେ ବାଧୁ ନାହିଁ, ଏହି ଘୋର ଅପମାନରେ ମୋର ହାଡ଼ ମାଂସ ଜଳିଯାଉଛି । ତୁ ଏ ଅପମାନର ପ୍ରତିଶୋଧ ନ ନେଲେ ମୁଁ ତୋହରି ଆଗରେ ଆତ୍ମହତ୍ୟା କରିବି ।’’ ଖର ଏହା ଶୁଣି କର କର ହୋଇ ହସିଉଠି କହିଲା–‘‘ମଣିଷ ଟୋକା ଦୁଇଟାର ଏଡ଼େ ଗରିମା ! ଏଇଠୁଁ ଫୁଙ୍କିଦେଲେ କୁଆଡ଼େ ଉଡ଼ିଯିବେ ! ତୁ ଆଉ ଦୁଃଖ କର ନା ଭଉଣୀ, ବେଷର ହଳଦୀ ବାଟିବୁ ଯା–ମୁଁ ଏହିକ୍ଷଣି ସେ ଦୁଇଟାଙ୍କୁ ସୀତା ସହିତ ମାରିଆଣି ଦେବି, ଖୁସି ହୋଇ ତୁଣ ରାନ୍ଧି ଖାଇବୁ । ତୋର ନାକ କାନ ବଥା ବି ଛାଡ଼ିଯିବ-।’’ ମିଥ୍ୟାବାଦିନୀ, କାମୁକୀ ସୂର୍ପଣଖା ସତ୍ୟ ଲୁଚାଇ ମିଥ୍ୟାର ଆଶ୍ରୟ ନେଲା । ସେ ଏହି ମିଥ୍ୟା କଥା କହି ଯେଉଁ ବିଷବୃକ୍ଷ ରୋପଣ କଲା, ତାହାର ପରିଣାମ ଫଳ ବଡ଼ ବିଷମୟ ହେବ । ସୂର୍ପଣଖା ବଂଶନାଶିନୀ ଡାହୁକୀ । ତାହାରି ଯୋଗୁଁ ରାକ୍ଷସ ବଂଶ ସମୂଳରେ ଧ୍ୱଂସପ୍ରାପ୍ତ ହେବ । ତାହାର କଟା ଘା ଆଉ ଶୁଖିବ ନାହିଁ, ବରଂ ସେଥିରେ ଲୁଣ ଚୂନ ବେସର ବୋଳା ହେବ ।

 

ଅନନ୍ତର ଖର ସୈନ୍ୟ ସାଜିବା ପାଇଁ ଆଦେଶ ଦେଲା । ତାହାର ଦୁଇ ସେନାପତି ଦୂଷଣ ଓ ତ୍ରିଶିରା ଚଉଦ ସହସ୍ର ସୈନ୍ୟ ସଜାଇ ଆଣିଲେ । ଦୁଇଟା ମନୁଷ୍ୟ ସଙ୍ଗରେ ଯୁଦ୍ଧ କରିବା କଥା ଶୁଣି ରାକ୍ଷସମାନେ ଅବଜ୍ଞାରେ ହସିଉଠିଲେ । ସମସ୍ତେ କୁହାକୁହି ହେଲେ, ‘‘ଆମ ରାଜା ବାୟା ହେଲେଣି, ନା ନିଜକୁ ରାକ୍ଷସ ବୋଲି ଭୁଲିଗଲେଣି ! ଜଣେ ସାମାନ୍ୟ ରାକ୍ଷସ ପଠାଇ ଥିଲେ ତ ମଣିଷ ଦୁଇଟା ତାକୁ ଏକା ନିଅଣ୍ଟ ହୁଅନ୍ତେ–ସେଥିପାଇଁ ଏତେ ଟହବରରେ ଯୁଦ୍ଧଯାତ୍ରା କାହିଁକି ? ମୂଷା ଶିକାର କରିବା ପାଇଁ ବିରାଡ଼ିର ଅସ୍ତ୍ର କି ଲୋଡ଼ା ?’’ ଯଥାସମୟରେ ଖର ସସୈନ୍ୟ ପଞ୍ଚବଟୀରେ ଉପସ୍ଥିତ ହେଲା । ତହୁଁ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ସୀତାଙ୍କ ପାଖରେ ଜଗାଇଦେଇ ଧନୁର୍ବାଣ ଧରି ଏକାକୀ ରାକ୍ଷସମାନଙ୍କ ସହିତ ଯୁଦ୍ଧ କରିବା ସକାଶେ ଯାତ୍ରା କଲେ । ଖର ତାଙ୍କୁ ଦେଖି ବୀରଦର୍ପରେ ନିଶ ମୋଡ଼ି ରୂଢ଼ ସ୍ୱରରେ କହିଲା–‘‘ମାନବ, ଏବେ ତୋର ଇଷ୍ଟଦେବତାକୁ ଧ୍ୟାନ କର, ଆଜି ମୋ ହାତରେ ତୋର ମୃତ୍ୟୁ ନିଶ୍ଚୟ ଘଟିବ ।’’ ରାମଚନ୍ଦ୍ର ଈଷତ୍‌ ହାସ୍ୟ କରି କହିଲେ–‘‘ରାକ୍ଷସାଧମ, ତୋର ଯେତେ ପରାକ୍ରମ ଅଛି, ପ୍ରକାଶ କର । ତୋ ପରି ହୀନବୀର୍ଯ୍ୟ ରାକ୍ଷସକୁ ମୁଁ ଖାତିର କରେ ନାହିଁ ।’’ ରାକ୍ଷସ ଗର୍ଜିଉଠି କହିଲା–‘‘ସୁବାହୁ, ବିରାଧ, ତାଡ଼କା ପ୍ରଭୃତି କେତେଟା ନଗଣ୍ୟ ରାକ୍ଷସ-ରାକ୍ଷସୀ ମାରି ବଡ଼େଇକରନା ମୂଢ଼ ! ତାଡ଼କା ତ ଅବଳା ସ୍ତ୍ରୀଜାତି, ତାକୁ ମାରି ପୌରୁଷ କଅଣ ? ଆଉ ବିରାଧଟା ତ ଗୋଟାଏ ବୀର ଗଧ । ସେଭଳି କ୍ଳୀବକୁ ମୁଁ ଫୁଟୁକିରେ ଉଡ଼ାଇଦେଇପାରେ । ପୁଣି ସୁବାହୁର ନାମ ବୀର ଖାତାରେ ଆଦୌ ଲେଖା ହୋଇ ନାହିଁ ।’’ ରାମଚନ୍ଦ୍ର କହିଲେ–‘‘ଆଗେ ଯୁଦ୍ଧ ଜୟକର, ପଛେ ଢମ ବାଢ଼ିବୁ ।’’ ଏହା କହି ନିର୍ଘାତ ଶବ୍ଦରେ ଧନୁଷ୍ଟଙ୍କାର କଲେ । ସେହି ଶବ୍ଦ ଶୁଣି ରାକ୍ଷସମାନଙ୍କର ଅଧେ ବଳ ଊଣା ହୋଇଗଲା । ସେମାନେ ଖର ଆଜ୍ଞାରେ ରାମଚନ୍ଦ୍ରଙ୍କୁ ଚାରିଆଡ଼ୁ ଘେରି ବାଣବର୍ଷଣ କରିବାକୁ ଲାଗିଲେ; ମାତ୍ର ରାମଚନ୍ଦ୍ରଙ୍କ ଦେହରେ ଗୋଟାଏ ସୁଦ୍ଧା ବାଣ ବାଜିଲା ନାହିଁ । ସେ ଖର ହସ୍ତରେ ପ୍ରତିବାଣ ପେଷି ରାକ୍ଷସ ସୈନ୍ୟଙ୍କର ସମସ୍ତ ଅସ୍ତ୍ର ବ୍ୟର୍ଥ କଲେ । ତାହା ଦେଖି ସମସ୍ତେ କହିଲେ–‘‘ଏ ଜଟାଧାରୀ ବାଣବାରେଣୀ ବିଦ୍ୟା ଜାଣେ; ସେହି ବିଦ୍ୟା ପ୍ରଭାବରେ ତାହା ଦେହରେ ବାଣ ବିଦ୍ଧ ହେଉ ନାହିଁ । ସମସ୍ତେ ଚାଲ, ମଲ୍ଲ ଯୁଦ୍ଧରେ ତାହାକୁ ନିପାତ କରିବା ।’’ ଏହା କହି ରାକ୍ଷସମାନେ ରାମଚନ୍ଦ୍ରଙ୍କ ଆଡ଼କୁ ଧାବିତ ହେଲେ । ରାମଚନ୍ଦ୍ର ଅଦ୍ଭୁତ ବିଦ୍ୟାବଳରେ ଏକାବେଳକେ ଖର, ଦୂଷଣ, ତ୍ରିଶିରା ସହିତ ଚଉଦ ସହସ୍ର ରାକ୍ଷସଙ୍କୁ ନିଧନ କରି ବିଜୟଶ୍ରୀରେ ମଣ୍ଡିତ ହେଲେ । ସମସ୍ତ ରାକ୍ଷସ ସଂହାର ଦେଖି ସୂର୍ପଣଖା ଛାନିଆ ହୋଇ ପଳାଇଗଲା । ରାମଚନ୍ଦ୍ର ଗୋଦାବରୀ ଜଳରେ ଶରୀର ପ୍ରକ୍ଷାଳନ କରି ଭାଇ ଓ ଭାର୍ଯ୍ୟାଙ୍କ ସହିତ ମିଳିତ ହେଲେ । ସୀତା ସ୍ୱାମୀଙ୍କ ଗଳାରେ ବିଜୟକୁସୁମହାର ଲମ୍ୱାଇ ଆନନ୍ଦରେ ତାଙ୍କ ପରିଚର୍ଯ୍ୟାରେ ନିଯୁକ୍ତ ହେଲେ । ଲକ୍ଷ୍ମଣ ଅଗ୍ରଜଙ୍କ ଶରୀରର ଅସ୍ତ୍ରବ୍ରଣରେ ଔଷଧ ପ୍ରଲେପ କରିବାକୁ ଲାଗିଲେ ।

Image

 

ଦ୍ୱାଦଶ ପରିଚ୍ଛେଦ

 

ଚଉଦ ସହସ୍ର ଦୁର୍ଦ୍ଧର୍ଷ ରାକ୍ଷସ ସହ ଖରର ମୃତ୍ୟୁରେ ସୂର୍ପଣଖା ମନରେ ଘୋର ଆତଙ୍କ ଓ ବିଷମ ଚାଞ୍ଚଲ୍ୟ ଉପସ୍ଥିତ ହେଲା; ମାତ୍ର ସେ ଏକାବେଳକେ ନିରାଶ ହେଲା ନାହିଁ । ତହୁଁ ସେ ସମୁଦ୍ର ପାର ହୋଇ ଲଙ୍କାରେ ପହଞ୍ଚି ରାବଣ ଆଗରେ ଯାଇ କାନ୍ଦି ଗଡ଼ିବାକୁ ଲାଗିଲା । ରାବଣ ତାହାର ଅବସ୍ଥା ଦେଖି ବିସ୍ମୟରେ ନିର୍ବାକ୍‌ ହୋଇ ରହିଲା । କିଛିକ୍ଷଣ ପରେ କମ୍ପିତ ସ୍ୱରରେ ପଚାରିଲା–‘‘ତୋତେ ଏପରି ବିରୂପା କିଏ କଲା ସୂପ ?’’ ସୂର୍ପଣଖା ଆଖି ମଳି ମଳି କ୍ରନ୍ଦନ ଗଦ୍‌ଗଦ ସ୍ୱରରେ କହିଲା–‘‘ତୁମରି ଲାଗି ମୋର ଏ ଦଣ୍ଡ ।’’ ରାବଣ ଅଧିକତର ଆଶ୍ଚର୍ଯ୍ୟ ହୋଇ କହିଲା–‘‘ମୋ ଲାଗି କିପରି ହେଲା ? ମୋର ଅତୁଳ ପ୍ରତାପ ଜଗତରେ କିଏ ନ ଜାଣେ, ଆଉ ତୁ ମୋର ଭଉଣୀ ବୋଲି ବା କିଏ ନ ଜାଣେ ? ପରମାୟୁ କାହାକୁ ପିତା ଲାଗିଲା ? କିଏ ନିଜ ହାତରେ ନିଜର ମୁଣ୍ଡ ହାଣିଲା ? ରାବଣ ଯେ ଯମର ଉପଯମ, ଏହା କଅଣ ସେ ଜାଣେ ନାହିଁ ? କିଏ ସେ ଅତି ସାହସୀ, କିଏ ସେ ବର୍ବର, କିଏ ତୋତେ ଏପରି ବୀଭତ୍ସରୂପା କଲା, ଶୀଘ୍ର କହ । ଏହି ମୁହୂର୍ତ୍ତରେ ତାକୁ ପିଞ୍ଜାତୁଳା ପରି ରତି ରତି କରି ଉଡ଼ାଇଦେବି । ଏହା ଯେବେ ନ କରେଁ, ତେବେ ଏହି ଖଡ୍‍ଗରେ ମୋର ଏହି ବିଂଶବାହୁ ଛେଦିପକାଇବି ।’’ ରାବଣର ଏ କଠୋର ପ୍ରତିଜ୍ଞା ଶୁଣି ସୂର୍ପଣଖା ମନେ ମନେ ଆନନ୍ଦିତ ହୋଇ କହିଲା–‘‘ଅଯୋଧ୍ୟାର ରାଜା ଦଶରଥ ତାହାର ଦୁଇ ପୁଅ ରାମ ଆଉ ଲକ୍ଷ୍ମଣକୁ ରାଜ୍ୟରୁ ତଡ଼ି ଦେଇଅଛି । ସେ ଦୁହେଁ ପଞ୍ଚବଟୀରେ ବସା କରିଅଛନ୍ତି । ବଡ଼ ପୁଅର ଭାର୍ଯ୍ୟା ସୀତା ତାଙ୍କ ସାଙ୍ଗରେ ଅଛି । ସୀତା ପରି ସୁନ୍ଦରୀ ବିଶ୍ୱବ୍ରହ୍ମାଣ୍ଡରେ ନାହିଁ ! ତାହାର ହାଇରୁ ଓ କାସରୁ ସୁଦ୍ଧା ଲାବଣ୍ୟ ନିଗିଡ଼ିପଡ଼ୁଛି । କୋଟିଏ ବିଧାତା ମିଶି ସେପରି ସୁନ୍ଦରୀଟିଏ ଗଢ଼ିପାରିବେ ନାହିଁ । ମୁଁ ନାରୀ ହୋଇ ସୁଦ୍ଧା ତାହା ରୂପ ଦେଖି ମୂର୍ଚ୍ଛିତ ହୋଇଗଲି, ଆଉ ପୁରୁଷର ଦଶା କଅଣ ହେବ, ତାହା ଏହିଥିରୁ ବୁଝିପାରିବ । ତୁମ ସ୍ତ୍ରୀ ମନ୍ଦୋଦରୀ ପରି ସୁନ୍ଦରୀ ନାରୀ ସୃଷ୍ଟିରେ ନାହିଁ ବୋଲି ତୁମେ ଗର୍ବ କର; କିନ୍ତୁ ସେ ସୀତାର ଚରଣଘଷା ପଥରକୁ ସରି ନୁହେଁ । ମୁଁ ସୀତାକୁ ଦେଖି ଭାବିଲି–ଛାର ଯୋଗୀବାପୁଡ଼ାର ଏଡ଼େ ସୁନ୍ଦରୀ ସ୍ତ୍ରୀ, ମୋ ଭାଇ ସ୍ୱର୍ଗ-ମର୍ତ୍ତ୍ୟ-ପାତାଳର ଚକ୍ରବର୍ତ୍ତୀ, ଏଭଳି ସୁନ୍ଦରୀ ସ୍ତ୍ରୀ ତାକୁ ଏକା ମାନନ୍ତା ସିନା ! ତହୁଁ ସୀତାକୁ ତୁମ ଲାଗି ଆଣିବାକୁ ଚେଷ୍ଟା କଲି । ତାହା ଦେଖି ତାହାର ଦିଅର ଲକ୍ଷ୍ମଣ ମୋତେ ଏପରି ବୀଭତ୍ସ ବିରୂପ କରି ଛାଡ଼ିଦେଲା । ମୋର ଏ ଅପମାନର ପ୍ରତିଶୋଧ ନେବା ପାଇଁ ଖର, ଦୂଷଣ, ତ୍ରିଶିରା ଚଉଦ ସହସ୍ର ରାକ୍ଷସ ସୈନ୍ୟ ଘେନି ରାମ ସଙ୍ଗରେ ଯାଇ ଯୁଦ୍ଧ କଲେ; ମାତ୍ର ଏକାକୀ ରାମ ଘଡ଼ିକ ଭିତରେ ସମସ୍ତଙ୍କୁ ମାରି ପକାଇଲା । ଛାର ମାନବ ହୋଇ ସେ ରାକ୍ଷସ ଜାତିକୁ ଲଙ୍ଘିଯିବାକୁ ବସିଛି-। ତାହାହେଲେ ରାକ୍ଷସ ବୋଲି ଆମ ପ୍ରତି ସାଧାରଣରେ ଯେ ଗୋଟାଏ ଭୟ, ଭକ୍ତି ଆଉ ଗୌରବ ଅଛି, ତାହା ଆଉ ରହିବ ନାହିଁ । ତୁମେ ତା ସ୍ତ୍ରୀକୁ ହରିଆଣି ଉଦ୍ଧତକୁ ଉପଯୁକ୍ତ ଶାସ୍ତି ଦିଅ-। ରାକ୍ଷସ ମହାବଂଶରେ ସେଭଳି କଳଙ୍କ ଲାଗିବାକୁ ଦିଅ ନାହିଁ, ଆଉ ମୋତେ ବି ଅପମାନରୁ ଉଦ୍ଧାର କର-।’’ ରାବଣ ଏହା ଶୁଣି ବୀରୋଚିତ ଉତ୍ତେଜିତ ସ୍ୱରରେ କହିଲା–‘‘ନିଶ୍ଚୟ ସୂପ, ନିଶ୍ଚୟ-! ତୋତେ ଅପମାନିତ କରି ସେ ପାମର କେଉଁଠି ଲୁଚି ରହିବ ? ନାକ କାନ ଲାଗି ତୁ ଆଉ ଦୁଃଖ କର ନା । ବ୍ରହ୍ମପୁରୁଷର ନାକ କାନ ହାତ ଗୋଡ଼ ନାହିଁ ବୋଲି କେହି ତାକୁ ଅବଜ୍ଞା କରେ କି ? ତୁ କିଛି ଚିନ୍ତା କର ନା, ମୁଁ ଏଇକ୍ଷଣି ଯାଇ ସୀତାକୁ ହରିଆଣି ଦୁର୍ବୃତ୍ତ ପାଷଣ୍ଡ ରାମର ଗରିମା ଭାଙ୍ଗିବି-।’’ ରାବଣ ସୂର୍ପଣଖାକୁ ଏହିପରି ପ୍ରବୋଧ ଦେଇ ରଥାରୋହଣପୂର୍ବକ ମାରୀଚ ନାମକ ମାୟାବୀ ରାକ୍ଷସ ନିକଟକୁ ଗଲା । ମାରୀଚ ରାଜଦର୍ଶନରେ ଆନନ୍ଦିତ ହୋଇ ରାବଣକୁ ଉପଯୁକ୍ତ ସତ୍କାର କରି ଆଗମନର କାରଣ ପଚାରିଲା । ରାବଣ କହିଲା–‘‘ଦଶରଥ ରାଜାର ପୁଅ ରାମ, ଆଉ ଲକ୍ଷ୍ମଣ ବଣରେ ବୁଲୁଅଛନ୍ତି । ସେମାନେ ରାକ୍ଷସମାନଙ୍କ ଉପରେ ବଡ଼ ଅତ୍ୟାଚାର କରୁଅଛନ୍ତି । ଲକ୍ଷ୍ମଣ ସୂର୍ପଣଖାର ନାକ କାନ କାଟିଛି ଆଉ ରାମ ଜନସ୍ଥାନକୁ ରାକ୍ଷସଶୂନ୍ୟ କରିଛି । ଏ ଅପରାଧର ପ୍ରତିଶୋଧ ଆବଶ୍ୟକ । ରାମ ସଙ୍ଗରେ ତାହାର ସ୍ତ୍ରୀ ସୀତା ଅଛି, ମୁଁ ଯାଇ ତାକୁ ହରିଆଣିବି । କିନ୍ତୁ ରାମ ଜଣେ ବିଖ୍ୟାତ ବୀର । ସେ ଉପସ୍ଥିତ ଥିଲାବେଳେ ସୀତାଙ୍କୁ ଆଣି ହେବ ନାହିଁ । କେଶରୀର ସମ୍ମୁଖରେ କେଶରିଣୀକୁ କିଏ ଧର୍ଷଣ କରିପାରିବ ? ସେଥିଲାଗି ତୁମ୍ଭର ସହାୟତା ଦରକାର । ତୁମ୍ଭେ କାମରୂପୀ ମାୟାରେ ସ୍ୱର୍ଣ୍ଣମୃଗ ରୂପ ଧରି ସୀତା ଆଗରେ ଯାଇ ଚରିବ । ସୀତା ଦେଖି ଲୋଭ କରି ତାକୁ ଧରିବା ପାଇଁ ରାମକୁ କହିବ । ରାମ ଧରିବାକୁ ଗଲେ ତୁମେ ଦୂରକୁ ପଳାଇବ, ଆଉ ରାମର ସ୍ୱରରେ ବଡ଼ପାଟିରେ ଡାକିବ–‘ଲକ୍ଷ୍ମଣ ରକ୍ଷା କର ।’ ତାହା ଶୁଣି ରାମକୁ ବିପଦ ପଡ଼ିଛି ବୋଲି ଭାବି ତାକୁ ଉଦ୍ଧାର କରିବା ପାଇଁ ଲକ୍ଷ୍ମଣ ଯିବ । ମୁଁ ଉହାଡ଼ରେ ଥିବି, ଏହି ସୁଯୋଗରେ ସୀତାକୁ ଏକାକିନୀ ପାଇ ମୁଁ ରଥରେ ବସାଇ ଘେନି ଆସିବି । ସ୍ତ୍ରୀ-ବିଚ୍ଛେଦରେ ରାମ ଝୁରି ଝୁରି ମରିବ, ଲକ୍ଷ୍ମଣ ଭ୍ରାତୃଶୋକରେ ଅଧୀର ହୋଇ ପ୍ରାଣତ୍ୟାଗ କରିବ । ତାହାହେଲେ ରାକ୍ଷସକୁଳର ଶତ୍ରୁ ସମୂଳରେ ବିନଷ୍ଟ ହେବ ।’’ ମାରୀଚ କହିଲା–‘‘ଲଙ୍କେଶ୍ୱର, ତୁମ୍ଭପ୍ରତି କେଉଁ ଦୁଷ୍ଟଗ୍ରହର କଠୋର ଅଭିଶାପ ଅଛି । ତାହା ନ ହେଲେ ତୁମ୍ଭ ପରି ରାଜନୀତି-ବିଶାରଦ ରାଜାଙ୍କର ଏରୂପ ଦୁର୍ବୁଦ୍ଧି ହେବ କାହିଁକି ? ଅଥବା ତୁମ୍ଭେ କୌଣସି ଗୁପ୍ତଶତ୍ରୁର ଚକ୍ରାନ୍ତରେ ପଡ଼ିଅଛ । ବଳରେ ସେ ତୁମ୍ଭର ସମକକ୍ଷ ନ ହୋଇ ରାମଦ୍ୱାରା ତୁମ୍ଭକୁ ମରାଇବାକୁ ବସିଅଛି । ତୁମ୍ଭେ ରାମକୁ ଜାଣ ନାହିଁ ; କିନ୍ତୁ ମୁଁ ଜାଣେ ଜ୍ୱଳନ୍ତ ଉଲ୍‌କା ପରି କି ତେଜ ତାହାର ! ଉଃ, କହିବା ବେଳକୁ ରୋମ ଟାଙ୍କୁରି ଉଠୁଛି । ଯେପରି ଜଗତଯାକର ଉଗ୍ର କ୍ଷାତ୍ରତେଜ ତାକୁ ଆଶ୍ରୟ କରିଅଛି । ତାହା ଦେହରୁ ଯେଉଁ ଜ୍ୟୋତି ବାହାରେ, ସେଥିରେ ମୁହଁ ଦିଶେ । ବଜ୍ରକୁ ନିବାରଣ କରିବାର ଉପାୟ ଅଛି; ମାତ୍ର ରାମ ବାଣରୁ ନିସ୍ତାର ପାଇବାର ଉପାୟ ନାହିଁ । ମୋର ମାତା ତାଡ଼କାକୁ ରାମ ବଧ କରିଛି, ମୁଁ ସେଥିର ପ୍ରତିଶୋଧ ନେବା ପାଇଁ ଦଣ୍ଡକାରଣ୍ୟକୁ ଯାଇଥିଲି; ମାତ୍ର ତାହାର ହାବୁଡ଼ା ବାଣରେ ଦରମରା ହୋଇ ଆସି ସମୁଦ୍ର ଭିତରେ ପଡ଼ିଲି । ସେହି ଦିନୁ ମୁଁ ତାହା ଭୟରେ ତପସ୍ୱୀ ବେଶ ଧରି ଆତ୍ମଗୋପନ କରିଅଛି । ରାତିରେ ଶୋଇଥିବାବେଳେ ତାକୁ ସ୍ୱପ୍ନ ଦେଖିଲେ ମୁଁ ଚମକିପଡ଼ି ଉଠି ବସେ; ଭୟରେ ଆଉ ନିଦ ହୁଏ ନାହିଁ । ରାମ ମହାବୀର ମହୁଡ଼ମଣି, ଆଉ ସୀତା ମହାସତୀ । ସତୀତ୍ୱର ଜ୍ୱଳନ୍ତ ତେଜରେ ଦୁର୍ବାର କ୍ଷାତ୍ରଶକ୍ତି ମିଶିଅଛି । ତୁମ୍ଭେ ସେହି ମହାଶକ୍ତିକୁ ଲଙ୍ଘିପାରିବ ନାହିଁ । ପୁଣି ପର ସ୍ତ୍ରୀ ଚୋରି କରିବା ମହାପାପ । ସେହି ପାପରେ ତୁମ୍ଭେ ଅଧୋଗତି ପ୍ରାପ୍ତ ହୁଅ ନାହିଁ । ତୁମ୍ଭେ ଯେଉଁ ଦୋଷରେ ପ୍ରଜାଙ୍କୁ ଦଣ୍ଡିବ, ନିଜେ ରାଜା ହୋଇ ସେହି ଦୋଷରେ ଲିପ୍ତ ହେଲେ ରାଜଲକ୍ଷ୍ମୀ ତୁମ୍ଭ କାନ୍ଧରୁ ଓହ୍ଲାଇଯିବେ । ଅତଏବ ହେ ରାବଣ, ତୁମ୍ଭେ ସେ ପାପସଙ୍କଳ୍ପରୁ ନିବୃତ୍ତ ହୁଅ ।’’

 

ଦୁର୍ନୀତିପରାୟଣ ଲୋକକୁ ହିତବାକ୍ୟ ସ୍ୱଭାବତଃ ରୁଚେ ନାହିଁ, ସୁତରାଂ ମାରୀଚର ସୁପରାମର୍ଶ ରାବଣକୁ ପିତା ଲାଗିଲା । ସେ କ୍ରୋଧରକ୍ତ ନେତ୍ରରେ ମାରୀଚ ପ୍ରତି ସଦର୍ପ ଚାହାଣି ନିକ୍ଷେପ କରି କର୍କଶ ସ୍ୱରରେ କହିଲା- ‘‘ରେ ମାନବଭୀତ, ପ୍ରାଣରଙ୍କ, ରାକ୍ଷସାଧମ, ତୋର ଏଡ଼େ ଦିମାକ୍‍ ଯେ, ତୁ ରାଜାଜ୍ଞା ଅବଜ୍ଞା କରିବୁ ? ତୋପରି ଭୀରୁ ପ୍ରତାପୀ ରାକ୍ଷସକୁଳର କଳଙ୍କ । ତୋହରି ରକ୍ତରେ ଆଜି ସେ କଳଙ୍କ ଧୌତ କରିବି । ରାକ୍ଷସ ହୋଇ ଛାର ମନୁଷ୍ୟର ବଡ଼ାଇ ଗାଇବାକୁ କି ତୋତେ ଲାଜ ମାଡ଼ୁ ନାହିଁ ? ଧିକ୍‍ରେ ଭୀରୁ ପ୍ରାଣସର୍ବସ୍ୱ, ଶତ ଧିକ୍‍ ତୋତେ ! ଜାଣିଥା ମୂଢ଼, ଯେବେ ମୋର ଆଜ୍ଞା ଲଙ୍ଘନ କରିବୁ, ତେବେ ଏହି ମୁହୂର୍ତ୍ତରେ ତୋର ମସ୍ତକ ଦେହଚ୍ୟୁତ ହୋଇ ଧୂଳିରେ ବିଲୁଣ୍ଠିତ ହେବ । ମୁଁ ପିଲା ନୁହେଁ ଯେ, ମୋତେ ଭୟ ଦେଖାଇ ସଙ୍କଳ୍ପଚ୍ୟୁତ କରିପାରିବୁ ? ମୁଁ ପ୍ରବୀଣ ପୁରାତନ ଜଗଜ୍ଜୟୀ ମହାବୀର, କାଲିକାର ଶିଶୁ ରାମ ମୋର କଅଣ କରିପାରିବ ? ମୋର ଗୋଟାଏ ହାଇରେ ସେ ଉଡ଼ିଯାଇ ପୃଥିବୀର ଆର ପାଖରେ ପଡ଼ିବ ।’’ ମାରୀଚ ରାବଣର କ୍ରୋଧ ଦେଖି ମନେ ମନେ କହିଲା–‘‘ଜଳରେ କୁମ୍ଭୀର, ସ୍ଥଳରେ ବାଘ ଉଭୟ ଆଡ଼େ ମୋର ସଙ୍କଟ । ରାବଣର କଥା ଅନୁସାରେ କାର୍ଯ୍ୟ କଲେ ରାମଚନ୍ଦ୍ରଙ୍କ ହାତରେ ମୃତ୍ୟୁ ଘଟିବ, ପୁଣି ରାଜାଜ୍ଞା ନ ପାଳିଲେ ରାବଣ ହାତରେ ନିଶ୍ଚୟ ପ୍ରାଣ ଯିବ । ତେବେ ରାମଚନ୍ଦ୍ରଙ୍କ ହାତରେ ମଲେ ମୁକ୍ତି ପାଇବି; ମାତ୍ର ରାବଣର ପାପ-ହସ୍ତରେ ମରି ନରକକୁ ଯିବି କାହିଁକି ?’’ ଅନନ୍ତର ପ୍ରକାଶ୍ୟରେ କହିଲା–‘‘ରାବଣ, ମୁମୂର୍ଷୁ ରୋଗୀ ଅମୃତ ଔଷଧକୁ ପରିତ୍ୟାଗ କରେ । ପୁଣି ବିନାଶ କାଳରେ ଲୋକର ବିପରୀତ ବୁଦ୍ଧି ହୁଏ । ତୋ ବୁଦ୍ଧିରେ ମୁଁ ଆଗେ ମରିବି; କିନ୍ତୁ ଏକାକୀ ମରିବି; ମାତ୍ର ତୁ ନିଜ ବୁଦ୍ଧି ଦୋଷରେ ପଛରେ ସବଂଶ ମରିବୁ । ତୋହରି ହେତୁ ବିରାଟ ବିପୁଳ ରାକ୍ଷସସୃଷ୍ଟି ପୃଥିବୀରୁ ଲୋପ ପାଇବ । ଚାଲ୍‌, ଏବେ ପଞ୍ଚବଟୀ ବନକୁ ଯାଇ ତୋର ମୃତ୍ୟୁପଥ ସୁଗମ୍ୟ କରିଦେବି ।’’ ରାବଣ ଏହା ଶୁଣି ଆନନ୍ଦିତ ହୋଇ ମାରୀଚକୁ ଧନ୍ୟବାଦ ଦେଇ ତାହାର ପିଠି ଆଉଁସିବାକୁ ଲାଗିଲା । ରାବଣର ଏ ସାକୁଲା କଥାରେ ମାରୀଚ ଏଡ଼େ ଦୁଃଖରେ ସୁଦ୍ଧା ନ ହସି ରହିପାରିଲା ନାହିଁ । ତହୁଁ ରାବଣ ମାରୀଚକୁ ସମାଦରରେ ରଥରେ ବସାଇ ନିଜେ ରଥ ଚଳାଇ ପଞ୍ଚବଟୀ ଅଭିମୁଖରେ ଚଞ୍ଚଳ ଯାତ୍ରା କଲା ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ରାବଣର ଆକାଶଗାମୀ କାମଗତି ପୁଷ୍ପକ ରଥ ସମୁଦ୍ର ପାରହୋଇ ପଞ୍ଜବଟୀ ବନରେ ଆସି ଅବତରଣ କଲା । ଆଜିକାଲିର ଏରୋପ୍ଲେନ ପରି ପୂର୍ବକାଳରେ ସୁଦ୍ଧା ଆକାଶଯାନ ଥିଲା । ସମ୍ପ୍ରତି ଯେଉଁ ବିଜ୍ଞାନବିଦ୍ୟା ପାଶ୍ଚାତ୍ୟଖଣ୍ଡକୁ ଅସୀମ ଶକ୍ତି ଦାନ କରିଅଛି, ସେ ଅସାଧ୍ୟ ସାଧନାଦକ୍ଷ ମହାବିଦ୍ୟା ଆଧୁନିକ ନୁହେଁ, ବହୁ ସହସ୍ର ବର୍ଷ ପୂର୍ବରୁ ଏ ଦେଶବାସୀମାନେ ତାହା ଜାଣିଥିଲେ ଓ ସେଥିରେ ଅଦ୍ଭୁତ ପଟୁତା ପ୍ରଦର୍ଶନ କରିଥିଲେ । ଭାରତୀୟ ପୁରାଣ-ଇତିହାସରେ ତହିଁର ଯଥେଷ୍ଟ ପ୍ରମାଣ ମିଳେ । ରାବଣ ରଥ ସହିତ ମାୟା ପ୍ରଭାବରେ ଅଦୃଶ୍ୟ ହୋଇ ରହିଲା; ମାରୀଚ ମୃଗ ରୂପ ଧରି ରାମଚନ୍ଦ୍ରଙ୍କର କୁଟୀର ଆଡ଼କୁ ଗଲା । ସେହି ମାୟାମୃଗର ଦେହ ଶୁଦ୍ଧ ସୁବର୍ଣ୍ଣ ପରି ଉଜ୍ଜ୍ୱଳ ପୀତବର୍ଣ୍ଣ । ତାହା ଉପରେ ହୀରକର ଟିପଚିହ୍ନଗୁଡ଼ିକ ଅତି ସୁନ୍ଦର ଦିଶୁଅଛି । ଶୃଙ୍ଗ ଇନ୍ଦ୍ରନୀଳମଣିସ୍ୱରୂପ, ଜିହ୍ୱା ପଦ୍ମରାଗ ସଦୃଶ ଓ ସ୍ୱଛ ଇନ୍ଦ୍ରଧନୁ ବର୍ଣ୍ଣର ଚାମର ତୁଲ୍ୟ । ସେହି ସ୍ୱର୍ଣ୍ଣମୃଗର ନେତ୍ର ସ୍ୱଚ୍ଛ ବେଦୂର୍ଯ୍ୟମଣିରେ ଓ ଓଷ୍ଠାଧର ମୁକ୍ତା ପ୍ରବାଳରେ ଗଢ଼ା ହେଲା ପରି ଦିଶୁଛି । ସେହି ବିଚିତ୍ର ସୁନ୍ଦର ମୃଗ ରାମଚନ୍ଦ୍ରଙ୍କ କୁଟୀର ସମ୍ମୁଖରେ ବନ ଆଲୋକିତ କରି ଚରିବାକୁ ଲାଗିଲା-। ସୀତା ତାହାର ରୂପ ଦେଖି ମୁଗ୍‌ଧ ଓ ପ୍ରଲ୍ଲୁବ୍‌ଧ ହୋଇ ରାମଚନ୍ଦ୍ରଙ୍କୁ କହିଲେ–‘ନାଥ, ଏହି ଅପୂର୍ବ ଦର୍ଶନ ମୃଗଟି ଆହା କି ସୁନ୍ଦର ଦିଶୁଅଛି । ଏହା ଉପରେ ମୋର ଭାରୀ ଶରଧା ବଳୁଛି, ଦୟା କରି ଧରି ଆଣି ଦେଲେ ମୁଁ ତାକୁ କୁଟୀରରେ ରଖି ପୋଷିବି । ଅରଣ୍ୟରେ ସେ ଆମ୍ଭମାନଙ୍କର କ୍ରୀଡ଼ାସଙ୍ଗୀ ହେବ । ଯେବେ ଧରା ନ ଦିଏ, ତେବେ ତାକୁ ମାରି ଛାଲଖଣ୍ଡି ଆଣିଲେ ତାହାକୁ ଆସନ କରି ତୁମ୍ଭ ସଙ୍ଗରେ ମୁଁ ବସିବି ।’’ ପ୍ରାଣପ୍ରିୟା ସୀତାଙ୍କର ଏ ଅନୁରୋଧ ଶୁଣି ରାମଚନ୍ଦ୍ର ଧନୁ ଶର ଘେନି ମୃଗ ଧରିବାକୁ ବାହାରିଲେ । ଲକ୍ଷ୍ମଣ କହିଲେ, ‘‘ଏ ନିଶ୍ଚୟ ମାୟାମୃଗ । ଏଭଳି ଅଦ୍ଭୁତ ହରିଣ ଦେଖିବା ଦୂରେ ଥାଉ, କେବେ କେଉଁଠି ଶୁଣାଯାଇ ନାହିଁ । ଏ ନିଶ୍ଚୟ କାମରୂପୀ ରାକ୍ଷସ; ରୂପଚ୍ଛଟାରେ ଭୁଲାଇ ଘୋର ବନ ଭିତରକୁ ଘେନିଯାଇ ନିରାପଦରେ ମାରି ଖାଇବ ।’’ ସୀତା ଏହା ଶୁଣି ଭୟରେ ଥରି ଉଠିଲେ ଓ ଦେବରଙ୍କ କଥା ବିଶ୍ୱାସ ନ କରି ସ୍ୱାମୀଙ୍କୁ ମୃଗ ଧରିଯିବାକୁ ନିଷେଧ କଲେ; ମାତ୍ର ରାମଚନ୍ଦ୍ର କାହାରି ମନା ମାନିଲେ ନାହିଁ । ସେ କହିଲେ–‘‘ମୃଗ ହେଉ ବା ରାକ୍ଷସ ହେଉ, ନିଶ୍ଚୟ ସେ ମୋ ବାଣରେ ପ୍ରାଣ ହରାଇବ ।’’ ଏହା କହି ମାୟା ମୃଗ ପଛରେ ଗୋଡ଼ାଇବାକୁ ଲାଗିଲେ । ଲକ୍ଷ୍ମଣ ସୀତାଙ୍କୁ ରକ୍ଷା କରିବା ପାଇଁ କୁଟୀର ଦ୍ୱାରରେ ଜଗି ରହିଲେ ।

ମୃଗ ନାନା ଭଙ୍ଗୀରେ ବନ ମଧ୍ୟରେ ଇତସ୍ତତଃ ଧାବିତ ହେବାକୁ ଲାଗିଲା । କ୍ଷଣକେ ଅଦୃଶ୍ୟ ପୁଣି କ୍ଷଣକେ ଦୃଶ୍ୟ ହୋଇ ବହୁଦୂର ଯାଏ ରାମଚନ୍ଦ୍ରଙ୍କୁ ଘେନିଗଲା । କେତେବେଳେ ଲମ୍ଫଦ୍ୱାରା ଅରଣ୍ୟ ପ୍ରାଚୀର ଉଲ୍ଲଙ୍ଘନ କରି ଆଗକୁ ଧାଇଁଲା । ବେ ବା ତ୍ରାସ ତରଳ ନେତ୍ରରେ ଏଣେ ତେଣେ ଚାହିଁ ବାଙ୍କଶିଆଳୀ କାଟି ପଛକୁ ଛୁଟି ଆସିଲା–ଏହିପରି ନକ୍ଷତ୍ର ଗତିରେ ବନ ମଧ୍ୟରେ ପ୍ରଧାବିତ ହେବାକୁ ଲାଗିଲା । ରାମଚନ୍ଦ୍ର ତାକୁ ଧରିବା ଆଶା ଛାଡ଼ି ମାରିବା ପାଇଁ ବାଣ ପ୍ରୟୋଗ କଲେ । ସେହି ଅମୋଘ ଅସ୍ତ୍ର ମୃଗ ଉପରେ ପଡ଼ିଲାକ୍ଷଣି ସେ ମାୟା ରୂପ ଛାଡ଼ି ନିଜର ବିକଟ ରାକ୍ଷସ ରୂପ ଧାରଣ କଲା ଓ ଉଚ୍ଚ ଆର୍ତ୍ତସ୍ୱରରେ ‘ଲକ୍ଷ୍ମଣ ରକ୍ଷାକର’ ବୋଲି କହି ପ୍ରାଣତ୍ୟାଗ କଲା । ରାମଚନ୍ଦ୍ର ଏ ବିଷମ ବ୍ୟାପାର ଦେଖି ସ୍ତମ୍ଭୀଭୂତ ହୋଇ ରହିଲେ । ସେ ମନେ ମନେ କହିଲେ–‘‘ଲକ୍ଷ୍ମଣର କଥା ଯଥାର୍ଥ । ଉଃ, ମାୟାବୀ ରାକ୍ଷସଙ୍କର ମାୟା ଭେଦ କରିବା ସାରସ୍ୱତ ନେତ୍ରର ଅସାଧ୍ୟ ।’’ ରାମଚନ୍ଦ୍ର ନିଜ ସ୍ୱର ପରି ମାରୀଚକୁ କାତର ସ୍ୱରରେ ଡାବିକାର ଶୁଣି ମନ ମଧ୍ୟରେ ନାନା ପ୍ରକାର ଆଶଙ୍କା ପୋଷଣ କରିବାକୁ ଲାଗିଲେ ।

ଏଣେ ସୀତା ମାରୀଚର ସେହି ସ୍ୱରକୁ ରାମଚନ୍ଦ୍ରଙ୍କ ଆର୍ତ୍ତସ୍ୱର ମଣି ଦାରୁଣ ଉତ୍କଣ୍ଠାରେ ଅସ୍ଥିର ହୋଇଉଠିଲେ । ସେ ତ୍ରାସକମ୍ପିତ କଣ୍ଠରେ ଲକ୍ଷ୍ମଣଙ୍କୁ କହିଲେ–‘‘ଲକ୍ଷ୍ମଣ, ତୁମ୍ଭ ଭାଇ ବ୍ୟାକୁଳ ସ୍ୱରରେ ଡାକୁଅଛନ୍ତି, ତୁମ୍ଭେ ଶୀଘ୍ର ଯାଇ ତାଙ୍କୁ ବିପଦରୁ ଉଦ୍ଧାର କର ।’’ ଲକ୍ଷ୍ମଣ କର ଯୋଡ଼ି କହିଲେ–‘‘ଦେବି, ସେ ଶବ୍ଦ ରାମଚନ୍ଦ୍ରଙ୍କର ନୁହେଁ–ପ୍ରାଣ ଗଲେ ବି ତାଙ୍କ ତୁଣ୍ଡରୁ ଭୀରୁତାବ୍ୟଞ୍ଜକ କାତର ଶବ୍ଦ ବାହାରିବ ନାହିଁ । ଏ ନିଶ୍ଚୟ ସେହି ସ୍ୱର୍ଣ୍ଣମୃଗରୂପୀ ରାକ୍ଷସର ମାୟା । ତୁମ୍ଭେ ଭୟ କର ନାହିଁ । ଏ ସଂସାର ରାମଚନ୍ଦ୍ରଙ୍କ ବିପକ୍ଷରେ ଠିଆହେଲେ ସୁଦ୍ଧା ତାଙ୍କ କାଣି ଆଙ୍ଗୁଠି ବଙ୍କା କରିପାରିବେ ନାହିଁ । ତୁମ୍ଭର ଚିନ୍ତା ବା ଉଦ୍‌ବେଗର କୌଣସି କାରଣ ନାହିଁ । ରାମଚନ୍ଦ୍ର ଦୁଷ୍ଟ ରାକ୍ଷସକୁ ସଂହାର କରି ନିରାପଦରେ ଏହିକ୍ଷଣି ଫେରିଆସିବେ । ତୁମ୍ଭଙ୍କୁ ଏ ସଙ୍କଟ ସ୍ଥାନରେ ଏକୁଟିଆ ରଖି ମୁଁ ଯାଇପାରିବି ନାହିଁ ।’’ ସତୀ ସୀତା ପତିଙ୍କର ଅମଙ୍ଗଳ ଆଶଙ୍କାରେ ବିହ୍ୱଳ ହୋଇ ଆତ୍ମଜ୍ଞାନ ହରାଇବସିଲେ । ସେ ଲକ୍ଷ୍ମଣଙ୍କ କଥାରେ ରାଗିଯାଇ କଠୋର ସ୍ୱରରେ କହିଲେ–‘‘ଲକ୍ଷ୍ମଣ ବୋଧହୁଏ ତୁମ୍ଭର କିଛି କୁଅଭିପ୍ରାୟ ଅଛି । ସେହି ହେତୁ ଅଗ୍ରଜଙ୍କର କାତର ଡାକ ସ୍ୱକର୍ଣ୍ଣରେ ଶୁଣି ସୁଦ୍ଧା ବିପଦବେଳେ ତାଙ୍କୁ ସାହାଯ୍ୟ କରିବାକୁ ଯାଉ ନାହଁ; କିନ୍ତୁ ଜାଣିଥାଅ–ମୋର ସ୍ୱାମୀଙ୍କର କୌଣସି ଅମଙ୍ଗଳ ଘଟିଲେ ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି ।’’ ସୀତାଙ୍କର ଏଭଳି କଟୂକ୍ତି ଶୁଣି ଲକ୍ଷ୍ମଣ ଜିହ୍ୱା ଦଂଶନ କରି କାନରେ ହାତ ଦେଇ କହିଲେ, ‘‘ବୈଦେହି, ତୁମ୍ଭେ ମୋର ମାତୃତୁଲ୍ୟ, ଏରୂପ କଟୂ କଥା କହି ଅକାରଣରେ ମୋ ମନରେ ଭୀଷଣ ଆଘାତ କରିବା ତୁମ୍ଭର ଉଚିତ ନୁହେଁ । ବୀରକନ୍ୟା, ବୀରପତ୍ନୀ ହୋଇ ଏଭଳି ଅଧୈର୍ଯ୍ୟ ହେବା ତୁମ୍ଭ ପକ୍ଷରେ ଶୋଭନୀୟ ନୁହେଁ । ଯାହାହେଉ, ଧର୍ମକୁ ସାକ୍ଷୀ ରଖି ମୁଁ ଏବେ ଯାଉଛି, ମୋର କିଛି ତ୍ରୁଟି ବା ଅପରାଧ ନାହିଁ-।’’ ଲକ୍ଷ୍ମଣ ଆଉ ଅଧିକ ବାକ୍ୟ ବ୍ୟୟ ନ କରି ସୀତାଙ୍କ ପାଦତଳେ ଦଣ୍ଡବତପୂର୍ବକ ଧନୁର୍ବାଣ ଧରି ରାମଚନ୍ଦ୍ରଙ୍କୁ ଖୋଜିବାକୁ ଗଲେ । ତାଙ୍କ ଅନୁପସ୍ଥିତିରେ ସୀତାଙ୍କୁ ନିରାପଦରେ ରକ୍ଷା କରିବା ସକାଶେ ବନଦେବତାଙ୍କୁ ସେ ବିନମ୍ରର ସହିତ ବାରମ୍ୱାର ପ୍ରାର୍ଥନା କରି ଗଲେ ।

ଦୁରାତ୍ମା ରାବଣର ଉଦ୍ଦେଶ୍ୟ ପଥ ଏବେ ମୁକ୍ତ ଓ ନିରାପଦ ହୋଇଗଲା । ସେ ସୀତାଙ୍କୁ ଏକାକିନୀ ଦେଖି ହୃଷ୍ଟ ହୋଇ ଯୋଗୀ ବେଶରେ ରାମଚନ୍ଦ୍ରଙ୍କ କୁଟୀର ଦ୍ୱାରରେ ଆସି ଉପସ୍ଥିତ ହେଲା । ତାହାର ବସ୍ତ୍ର ପରିଚ୍ଛଦ ଗୈରିକବର୍ଣ୍ଣରେ ରଞ୍ଜିତ, କଣ୍ଠରେ ରୁଦ୍ରାକ୍ଷମାଳା ଲମ୍ବିତ । ଛଦ୍ମବେଶୀ ଯୋଗୀ କାଖରେ କେନ୍ଦରା ଯାକି ହାତରେ ଲାଉଥାଳ ଧରିଅଛି । ସୀତା ଅତିଥିଜ୍ଞାନରେ ତାହାର ଉପଯୁକ୍ତ ସତ୍କାର କରି ବସିବା ପାଇଁ ମୃଗଛାଲଖଣ୍ଡିଏ ବିଛାଇଦେଲେ । ଯୋଗୀ ସେଥିରେ ବସି ସୀତାଙ୍କୁ ଚାହିଁ କହିଲା–‘‘ସୁନ୍ଦରୀ ତୁମ୍ଭେ ଦେବୀ କି ମାନବୀ, ପ୍ରଥମଦୃଷ୍ଟିରେ ମୋର ସନ୍ଦେହ ହୋଇଥିଲା; ମାତ୍ର ଛାୟା ଓ ନେତ୍ରର ଉନ୍ମେଷ ଦେଖି ସେ ସନ୍ଦେହ ଦୂର ହେଲା । ଏବେ ବୁଝିଲି, ତୁମ୍ଭେ ମାନବୀ; କିନ୍ତୁ ସୁନ୍ଦରୀ-ସୃଷ୍ଟିରେ ଚକ୍ରବର୍ତ୍ତିନୀ । ଏ ବନଭୂମି ଭୟଙ୍କର ରାକ୍ଷସମାନଙ୍କର ବିହାର ଉଦ୍ୟାନ । ଦେବତାମାନେ ସୁଦ୍ଧା ଭୟରେ ଏଠାକୁ ଆସିବାକୁ ସାହସ କରନ୍ତି ନାହିଁ । ତୁମ୍ଭେ ସୁନ୍ଦରୀ-ଶିରୋଭୂଷା ହୋଇ ଏକାକିନୀ ଏ ବିଜନ ଅରଣ୍ୟରେ ବାସ କରୁଅଛ କିପରି ? ତୁମ୍ଭେ କିଏ ଓ କାହିଁକି ବନବାସିନୀ ହୋଇଅଛ, ତାହା ଶୁଣିବାକୁ ମୋର ବିଶେଷ କୌତୁହଳ ଜନ୍ମିଅଛି । ହେ ବରାନନେ, ନିଜର ପ୍ରକୃତ ପରିଚୟ ଦେଇ ମୋର ଉତ୍କଣ୍ଠା ଦୂରକର ।’’ ସୀତା ନିର୍ବିକାର ଚିତ୍ତରେ ସ୍ୱାମୀ, ଦେବର ଓ ନିଜର ପରିଚୟ ଦେଇ ଏବଂ ବନବାସର ସତ୍ୟ କାରଣ ବ୍ୟକ୍ତ କରି ଯୋଗୀକୁ ତାହାର ପରିଚୟ ପଚାରିଲେ । ରାବଣ ମୃଦୁ ହସି କହିଲା–‘‘ମୋର ରାଜଧାନୀ ସ୍ୱର୍ଣ୍ଣ ଲଙ୍କାପୁରୀ ନୀଳ ସମୁଦ୍ର ବକ୍ଷରେ କୌସ୍ତୁଭ ପଦକ ପ୍ରାୟ ଏବଂ ଭାରତମାତା ପାଦତଳେ ସେବିକା ପ୍ରାୟ ବିରାଜିତ । ସେଠାରେ ମୃତ୍ତିକା ନାହିଁ, ଭୂମି ସ୍ୱର୍ଣ୍ଣମୟ । ମୋର ବିଭବ ଅତୁଳ, ଐଶ୍ୱର୍ଯ୍ୟର ମଧ୍ୟ ସୀମା ନାହିଁ । ମୋ ରାଜ୍ୟରେ ଗୋଡ଼ି ଖପରା ନାହିଁ, ସର୍ବତ୍ର ମଣିମାଣିକ୍ୟ ବିଞ୍ଛୁଡ଼ି ହୋଇ ପଡ଼ିରହିଅଛି । ମୁଁ ତପସ୍ୟାରେ ଅମର ବର ଲାଭ କରିଅଛି । ବାହୁବଳରେ ମୁଁ ତ୍ରିଭୁବନ ଜୟ କରିଅଛି । ମୋର ପ୍ରତାପ କଅଣ ବର୍ଣ୍ଣନା କରିବି, ଦେବତାମାନେ ମୋର ଖଟଣୀ ସେବାରେ ସର୍ବଦା ଖଟିଥାନ୍ତି । ମୋର ଦଶମୁଣ୍ଡ, କୋଡ଼ିଏ ହାତ । ମୁଁ ଜାତିରେ ରାକ୍ଷସ–ମୋର ନାମ ରାବଣ-।’’ ସୀତା ସବୁ ଶୁଣିସାରି କହିଲେ–‘‘ତୁମ୍ଭେ ରାଜା ହୋଇ ଛଦ୍ମ ଯୋଗୀ ବେଶ ଧରିଛ କାହିଁକି ?’’ ରାବଣ ହସି ହସି କହିଲା–‘‘ତୁମ୍ଭରି ଲାଗି ସୀତେ, ତୁମ୍ଭରି ଲାଗି । ମୋର ଏ ଛଦ୍ମବେଶ ସାର୍ଥକ ହେବ କି ? ତୁମ୍ଭେ ବ୍ରହ୍ମାଣ୍ଡର ଏକମାତ୍ର ସୁନ୍ଦରୀ ! ମୁଁ ବ୍ରହ୍ମାଣ୍ଡର ଏକମାତ୍ର ଅଧିପତି; ସୁରତାଂ ତୁମ୍ଭର ଉପଯୁକ୍ତ ସ୍ୱାମୀ । ମୁଁ ତୁମ୍ଭଙ୍କୁ ନେବାକୁ ଆସିଅଛି । ଚାଲ ମୋର ରାଣୀମାନଙ୍କ ମଧ୍ୟରେ ତୁମ୍ଭେ ପାଟରାଣୀ ହେବ ।’’ ସୀତା ତାକୁ ଆଉ ଅଧିକ କହିବାକୁ ଅବସର ନ ଦେଇ କ୍ରୋଧ-କର୍କଶ ସ୍ୱରରେ କହିଲେ–‘‘ପାପିଷ୍ଠ, ଛିଡ଼ିପଡ଼ୁ ତୋର ପାପ-ଜିଭ । ତୁ ପରା ସିଂହ ମୁଖରେ ହାତ ପୂରାଇ ତାହାର ଦାନ୍ତ ଉପାଡ଼ିବାକୁ ସାହସ କରିଅଛୁ ? ତୋର ସେହି ଦୁଃସାହସ ଯମ ରୂପ ଧରି ତୋତେ ଗ୍ରାସ କରିବ । ମୋର ତେଜସ୍ୱୀ ସ୍ୱାମୀ ଏଇକ୍ଷଣି ଆସି ତୋତେ ଉଚିତ ପରାଭବ ଦେବେ ।’’ ରାବଣ ତାଚ୍ଛଲ୍ୟ ପ୍ରକାଶ କରି କହିଲା–‘‘ଇସ୍‍ ସୋରିଷ ଖୋଜି ଲୁଚିବି ପରା ! ମୁଁ ଜଣେ ଅତି ପ୍ରାଚୀନ ପରିପକ୍ୱ ଜ୍ଞାନୀ ରାଜାଧିରାଜ, ଆଉ ତୁମ୍ଭ ସ୍ୱାମୀ ରାମ କାଲିକାର ଅଣ୍ଡା–ସେ ନୂତନ ଓ ହୀନବୀର୍ଯ୍ୟ, ସୁତରାଂ ମୋର କଅଣ କରିପାରିବ ?’’ ସୀତା କହିଲେ–‘‘ନୂତନ ଯେ ପୁରାତନକୁ ଢାଙ୍କିବା ପାଇଁ ଆସେ, ଏହା କି ତୁ ଜାଣୁ ନା ମୂଢ଼ । ଆଉ ପରିପକ୍ୱ ବୋଲି ପରା ଗର୍ବ କରୁଛୁ ? ଝବାଧାନ ପାଚିଲାକ୍ଷଣି ଝଡ଼ିପଡ଼େ, ତୋର ଦଶମୁଦ୍ଧ ସେହିପରି ଝଡ଼ିପଡ଼ିବ । ତୋର ଯେବେ ଏତେ ସାମର୍ଥ୍ୟ, ତେବେ ଚୋର ପରି ଲୁଚି ପରସ୍ତ୍ରୀ ହରିନେବାକୁ ଆସିଲୁ କାହିଁକି ? ଧିକ୍‍ ନିର୍ଲଜ୍ଜ, ଆଜି ତୋର ପରମାୟୁ ଶେଷ ହେବ । ରାମଚନ୍ଦ୍ରଙ୍କ ଅବ୍ୟର୍ଥ ବାଣରେ ତୋର ଅମର ବର ବ୍ୟର୍ଥ ହେବ, ଆଉ ଦଣ୍ଡେମାତ୍ର ରହ, ଚିତ୍ରଗୁପ୍ତ ତୋର ପାଞ୍ଜି ପୋଛିଦେବ ।’’ ଏ କଥା ଶୁଣି ରାବଣ ମନରେ ଛନକା ପଶିଲା । କାଳେ ରାମଚନ୍ଦ୍ର, ଲକ୍ଷ୍ମଣ ଆସି ପହଞ୍ଚିଯିବେ, ଏହି ଭୟରେ ସେ ଆଉ ବିଳମ୍ୱ ସହିପାରିଲା ନାହିଁ, ଶୀଘ୍ର ନିଜ ରୂପ ଧରି ସୀତାଙ୍କୁ ନେଇ ରଥରେ ବସାଇ ପ୍ରସ୍ଥାନ କଲା । ସୀତା ରାକ୍ଷସର ବିରାଟ ବିକଟ ମୂର୍ତ୍ତି ଦେଖି ଭୟରେ ମୂର୍ଚ୍ଛିତ ହେଲେ । କେତେକ କ୍ଷଣ ପରେ ଚେତନା ପାଇ କୋଡ଼ି କଚାଡ଼ି ହୋଇ କାନ୍ଦିବାକୁ ଲାଗିଲେ । ଉଚ୍ଚକଣ୍ଠରେ ସ୍ୱାମୀ, ଦେବରଙ୍କୁ ବାରମ୍ୱାର ଡାକିଲେ, ମାତ୍ର କାହାରି ସାହା ସଙ୍କେତ ମିଳିଲା ନାହିଁ । କେବଳ ତାଙ୍କ ଶବ୍ଦର ପ୍ରତିଧ୍ୱନି ତାଙ୍କ ପାଖକୁ ଫେରିଆସିଲା । ସେ ଲକ୍ଷ୍ମଣଙ୍କୁ ତିରସ୍କାର କରି ବନକୁ ପଠାଇଥିଲେ, ସେହି ଆତ୍ମକରଣୀ ତାଙ୍କୁ ଧିକ୍‌କାର କରିବାକୁ ଲାଗିଲା । ରାବଣର ରଥ ଦକ୍ଷିଣଦିଗ ଅଭିମୁଖରେ ଧାବିତ ହେଲା । ଗତିପଥରେ ସୀତା ବୃକ୍ଷଲତା, ପଶୁପକ୍ଷୀ, ପର୍ବତ ନଦୀ ଯାହାକୁ ଦେଖିଲେ, ରାମଚନ୍ଦ୍ରଙ୍କୁ ତାଙ୍କ ସମ୍ୱାଦ ଦେବା ସକାଶେ ସମସ୍ତଙ୍କୁ ବିନୟରେ କ୍ରନ୍ଦନ ଗଦ୍‌ଗଦ କଣ୍ଠରେ ଅନୁରୋଧ କରିବାକୁ ଲାଗିଲେ । ତାଙ୍କ ଦୁଃଖରେ ବନସ୍ଥଳୀ ଥରିଉଠିଲା; ପଶୁପକ୍ଷୀ, ତରୁଲତାଏ ନୀରବ ନିରଶ୍ରୁ କ୍ରନ୍ଦନ ସହ ଝୁରିହେବାକୁ ଲାଗିଲେ । ମୃଗମାନେ ଅଶ୍ରୁପୂର୍ଣ୍ଣ ନୟନରେ ଦକ୍ଷିଣ ଆଡ଼କୁ ଗ୍ରୀବା ଟେକି ଚାହିଁ ରହିଲେ । ଗୋଦାବରୀ ନଦୀ ତରଙ୍ଗ ନାଦରେ କାନ୍ଦିଉଠିଲା । ସୀତାଙ୍କ ବିଳାପ ଶବ୍ଦ ଶୁଣି ଜଟାୟୁ ପକ୍ଷୀ ଆସି ରାବଣକୁ ବାଟ ଓଗାଳି ଘୋର ଯୁଦ୍ଧ କଲା । ତାହାର ଚଞ୍ଚୁ, ନଖ ଓ ପକ୍ଷାଘାତରେ ରାବଣର ରଥ ଖଣ୍ଡ ଖଣ୍ଡ ହୋଇଗଲା ଏବଂ ରାବଣର ଶରୀର କ୍ଷତବିକ୍ଷତ ହୋଇ ରକ୍ତଧାରା ବହିବାକୁ ଲାଗିଲା । ରାବଣ କ୍ରୁଦ୍ଧ ହୋଇ ଖଡ୍‍ଗାଘାତରେ ଜଟାୟୁର ପକ୍ଷଦ୍ୱୟ ଛେଦନ କଲା । ସେହି ଆଘାତରେ ଜଟାୟୁ ଭୂପତିତ ହୁଅନ୍ତେ ରାବଣ ଶୀଘ୍ର ରଥ ଚଳାଇବାକୁ ଲାଗିଲା । ବାଟରେ ଯାଉଁ ଯାଉଁ ରାବଣ ନାନାପ୍ରକାର ଚାଟୁବାକ୍ୟଦ୍ୱାରା ସୀତାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କଲା; ମାତ୍ର ବୃଥା ଚେଷ୍ଟା । ରାବଣ ଯେତିକି ଚାଟୁବାକ୍ୟ କହୁଥିଲା, ସୀତା ତାକୁ ତେତିକି ତୀବ୍ର ତିରସ୍କାରରେ ବିଦ୍ଧ କରୁଥିଲେ । ରଥ ଆକାଶରେ ଯାଉଁ ଯାଉଁ ସୀତା ତଳକୁ ଚାହିଁ ଦେଖିଲେ–ବନବେଷ୍ଟିତ ଗୋଟାଏ ପର୍ବତ ଉପରେ ପାଞ୍ଚଜଣ ବାନର ବୀର ବସିଅଛନ୍ତି । ତହୁଁ ସେ ଦେହରୁ ଅଳଙ୍କାର ବାହାର କରି ତାକୁ ଉତ୍ତରୀୟ ବସ୍ତ୍ରରେ ବାନ୍ଧି ସେହି ବୀରମାନଙ୍କ ପାଖକୁ ପକାଇଦେଲେ । ସୀତା ସେମାନଙ୍କୁ ବିନୟ କରି କହିଲେ–‘‘ଏହି ଅଳଙ୍କାରଗୁଡ଼ିକ ତୁମ୍ଭ ପାଖରେ ଥାଉ, ରାମଚନ୍ଦ୍ରଙ୍କୁ ଦେଖିଲେ ତାଙ୍କୁ ଏହା ଦେଖାଇ ସୀତାଙ୍କୁ ରାବଣ ଚୋରୀ କରି ଲଙ୍କାକୁ ନେଇଗଲା ବୋଲି କହିବ-।’’ ଏହା ଶୁଣି ଉକ୍ତ ବୀରମାନଙ୍କ ମଧ୍ୟରୁ ଜଣେ ଉଠିଆସି ସେହି ଅଳଙ୍କାର ପୁଟୁଳିଟି ନେଇ ଗିରିଗୁହା ମଧ୍ୟରେ ଯତ୍ନପୂର୍ବକ ସାଇତି ରଖିଲା । ରଥ ସମୁଦ୍ର ଉପର ଦେଇ ଯିବାବେଳେ ରାବଣ ସୀତାଙ୍କୁ ଦୂରରୁ ଲଙ୍କାର ବିଭବ ଦେଖାଇ ତାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କଲା । ସୀତା ରୁଷ୍ଟ ହୋଇ କହିଲେ–‘‘ଏକା ମୋହରି ଲାଗି ତୋର ବିପୁଳ ବିଭବ ଭସ୍ମ ହୋଇଯିବ, ଆଉ ତୁ ସବଂଶ ବିନଷ୍ଟ ହେବୁ । ରାମଚନ୍ଦ୍ରଙ୍କ ସଙ୍ଗେ ଶତ୍ରୁତା କରି ତୁ କେତେ ଦିନ ବଞ୍ଚି ରହିପାରିବୁ ? ନିର୍ଦ୍ଦୋଷ ପ୍ରତି ଯେ ହିଂସା କରେ, ତାହାରି ଭାଗ୍ୟଦେବତା ତାହାର ପ୍ରତିକୂଳ ହୁଏ ।’’ ସୀତା ଏହିପରି ବିସ୍ତର ଭର୍ତ୍ସନା କରିବାକୁ ଲାଗିଲେ; ମାତ୍ର ରାବଣ ସେଥିରେ କ୍ରୋଧ ବା ଅଭିମାନ ପ୍ରକାଶ କଲା ନାହିଁ । ସେ ମନେ ମନେ ଭାବିଲା, ସୀତାଙ୍କୁ ନେଇ କିଛିଦିନ ଅଶୋକ ବନରେ ଦୂରନ୍ତା ରାକ୍ଷସୀମାନଙ୍କଦ୍ୱାରା ଜଗାଇ ରଖିଲେ ତାହାର ମନ ସେମାନଙ୍କ ଭୟରେ ଅବଶ୍ୟ ବଦଳିଯିବ । ଏହିପରି ଭାବୁଁ ଭାବୁଁ ରଥ ଯାଇ ଲଙ୍କାରେ ପହଞ୍ଚିଲା । ରାବଣ ରଥରୁ ଓହ୍ଲାଇ ସୀତାଙ୍କୁ ନେଇ ଅଶୋକବନକୁ ଯାତ୍ରାକଲା । ସେଠାରେ ସୀତାଙ୍କୁ ବନ୍ଦିନୀ କରି ରଖି ଭୟଙ୍କରୀ ଅସୁରୂଣୀମାନଙ୍କୁ ତାଙ୍କ ପାଖରେ ଜଗୁଆଳ ରଖିଦେଇ ରାଜଭବନକୁ ଯାତ୍ରା କଲା । ରାକ୍ଷସୀମାନେ ତର୍ଜନ ଗର୍ଜନ କରି ସୀତାଙ୍କୁ ଭୟ ଦେଖାଇବାକୁ ଲାଗିଲେ; ମାତ୍ର ସୀତା ଭୀତ ହେଲେ ନାହିଁ; ସେ ରାମଚନ୍ଦ୍ରଙ୍କୁ ସ୍ମରଣ କରି ସବୁ ସହ୍ୟ କଲେ । ଦେବରାଜ ଇନ୍ଦ୍ର ଅଦୃଶ୍ୟ ରୂପରେ ଆସି ତାଙ୍କୁ ଅମୃତ ଦେଇ କହିଲେ–‘‘ତୁମ୍ଭେ ଚଉଦମାସ ରାକ୍ଷସ ଘରେ ରହିବ, ତହି ପରେ ସ୍ୱାମୀ ସହ ମିଳିତ ହେବ–ଏହି ଅମୃତ ପାନ କର; କ୍ଷୁଧା ତୃଷାର ପୀଡ଼ା ବାଧିବ ନାହିଁ ।’’ ତହୁଁ ସୀତା ଅମୃତ ପାନ କଲେ; ଇନ୍ଦ୍ର ଅନ୍ତର୍ଦ୍ଧାନ ହୋଇଗଲେ । ଦେବମାୟା ପ୍ରଭାବରୁ ରାକ୍ଷସମାନେ କିଛି ଜାଣିପାରିଲେ ନାହିଁ । ସୀତା ବ୍ୟାଘ୍ରୀବେଷ୍ଟିତ ମୃଗୁଣୀ ପରି ଦୁର୍ମୁଖା ରାକ୍ଷସୀ-ପରିବୃତା ହୋଇ ରାମଚନ୍ଦ୍ରଙ୍କୁ ଧ୍ୟାନ କରି ବସିରହିଲେ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

ଏଣେ ରାମଚନ୍ଦ୍ର ମାୟାମୃଗର ମାୟା-ବାଣୀ ଶୁଣି ଆଶଙ୍କାରେ ବିହ୍ୱଳ ହୋଇଉଠିଲେ । ସେ ଆଉ ବିଳମ୍ୱ ନ କରି ତ୍ୱରିତ ଗତିରେ କୁଟୀରାଭିମୁଖରେ ପ୍ରତ୍ୟାବୃତ୍ତ ହେଲେ । ବାଟରେ ଲକ୍ଷ୍ମଣଙ୍କୁ ଦେଖି ସେହି ଆଶଙ୍କା ବହୁଗୁଣିତ ହୋଇଗଲା । ସେ ଲକ୍ଷ୍ମଣଙ୍କୁ କହିଲେ–‘‘ତୁମ୍ଭରି କଥା ସତ ହେଲା ଲକ୍ଷ୍ମଣ ! ମାରୀଚ ରାକ୍ଷସ ମୃଗ ରୂପ ଧରି ଆସିଥିଲା । ମାୟାବୀର ପ୍ରକାଣ୍ଡ ମୃତଦେହ ଏହି ପଡ଼ିଅଛି ଦେଖ । ବୋଧହୁଏ ତୁମ୍ଭେ ତାହାରି ମାୟା ସ୍ୱର ଶୁଣି ତ୍ରସ୍ତ ହୋଇ ସୀତାଙ୍କୁ ଛାଡ଼ି ଚାଲିଆସିଲ । ଉଃ, ଦୁଷ୍ଟ ରାକ୍ଷସ କେତେ ମାୟା ଜାଣେ ? ଠିକ୍‌ ମୋହରି ସ୍ୱରରେ ତୁମ୍ଭ ନାମ ଧରି ଆର୍ତ୍ତକଣ୍ଠରେ ଡାକିଲା ।” ଲକ୍ଷ୍ମଣ କହିଲେ–‘‘ଦେବ, ମୁଁ ତ୍ରସ୍ତହୋଇ ନିଜ ଇଚ୍ଛାରେ ଆସି ନାହିଁ । ମାୟାମୃଗର କାତର ସ୍ୱର ଶୁଣି ସୀତା ଛନ୍ନମତି ହୋଇଉଠିଲେ । ପତିଙ୍କର ବିପଦଆଶଙ୍କାରେ ସତୀ-ପ୍ରାଣ କାନ୍ଦିଉଠିଲା । ଆପଣଙ୍କ ପାଖକୁ ଆସିବା ପାଇଁ ସେ ମୋତେ ବାରମ୍ୱାର ଆଦେଶ କଲେ । ମୁଁ ତାଙ୍କୁ ଯଥାସାଧ୍ୟ ବୁଝାଇ କହିଲି; ମାତ୍ର ସେ କିଛି ଶୁଣିଲେ ନାହିଁ । ଅଧିକନ୍ତୁ ମୋତେ ଅକଥ୍ୟ କଟୁ ଭର୍ତ୍ସନାରେ ଜର୍ଜରିତ କରିଦେଲେ । ପୁଣି ମୋର ଚରିତ୍ରରେ ସନ୍ଦେହ କରି କଳଙ୍କ ବୋଳିଦେଲେ । କି ତୀବ୍ର ସେ ଭର୍ତ୍ସନା । ଧାନୁଆ ଲଙ୍କାମରିଚ ବାଟି ବୋଳି ହେଲା ପରି ସେ ଭର୍ତ୍ସନାରେ ଏବେ ସୁଦ୍ଧା ମୋର ଦେହ ଜଳିଯାଉଛି । ତହୁଁ ମୁଁ ନିରୁପାୟ ହୋଇ ଚାଲି ଆସିଲି । ରାମଚନ୍ଦ୍ର ଦୀର୍ଘନିଃଶ୍ୱାସ ଛାଡ଼ି କହିଲେ–‘‘ଭାଗ୍ୟ ଅବଳକୁ ସବୁ ଦୁର୍ଯୋଗ ଘଟେ ଭାଇ ! ନଚେତ୍‌ ତୁମ୍ଭ ପରି ବିଜ୍ଞ, ବୀରପୁରୁଷ ନାରୀ କଥାରେ ବିଚଳିତ ହୋଇ ନିଜର ଇଚ୍ଛାବିରୁଦ୍ଧ କାର୍ଯ୍ୟ କରନ୍ତେ କାହିଁକି ? ଆଉ ସୀତା ମୋର ସ୍ୱଭାବ, ଚରିତ୍ର, ବୀରତ୍ୱ ପରାକ୍ରମ ଜାଣୁ ଜାଣୁ ଏତେ ବିହ୍ୱଳ ହୁଅନ୍ତେ ବା କାହିଁକି ? ମୋର ଦୁର୍ଭାଗ୍ୟର ଦାହିକା ଶକ୍ତି ଅଗ୍ନିକୁ ସୁଦ୍ଧା ଦଗ୍‌ଧ କରିପକାଇବ ଲକ୍ଷ୍ମଣ-! ଗୃହତ୍ୟାଗ, ବନବାସ, ପିତୃବିଯୋଗ–ଏତେ ଦୁଃଖ ପରେ ବୋଝ ଉପରେ ନଳିତା ବିଡ଼ା ପରି ଆଉ କି ବିପଦ ବିଧାତା ଅଦୃଷ୍ଟରେ ଲେଖିଛି କେଜାଣି ? ବିଧାତା ଦୁଃଖ ଉପରେହିଁ ଦୁଃଖ ଆଣି ଲଦିଦିଏ । ଅନେକ ସମୟରେ ଅନେକ କାର୍ଯ୍ୟରେ ଦେଖାଯାଏ, ମନୁଷ୍ୟ ଉପରେ ବିଧାତା ଯେପରି ଗୋଟାଏ ହଟ ସାଧି ବସେ । ଭଙ୍ଗା ଘର ଉପରେ ତ କାହାରି ଦୟା ହୁଏ ନାହିଁ ! ସମସ୍ତେ ତାକୁ ଭାଙ୍ଗି ଜାଳନ୍ତି । ସୀତାଙ୍କର କିଛି ଅମଙ୍ଗଳ ଘଟି ନାହିଁ ତ ? ମୋର ମନ ବଡ଼ ଅସ୍ଥିର ହେଉଅଛି, ଚାଲ ଆଗେ ଯାଇ ସୀତାଙ୍କୁ ଦେଖିବା । କାହିଁକି କେଜାଣି ମନ ଭାରୀ ଛନ ଛନ ହେଉଅଛି; ହୃଦୟରେ ନାନା ଅମଙ୍ଗଳ ଚିନ୍ତାର ଭୀଷଣ ଲହରୀ ଉଠୁଅଛି । ମୁଁ ଚାରିଆଡ଼େ କୁଲକ୍ଷଣସବୁ ଦେଖୁଅଛି । ସ୍ନିଗ୍‌ଧ ଶ୍ୟାମସୁନ୍ଦର ବନଚ୍ଛବି ପାଣ୍ଡୁର ଓ ନିଷ୍ପ୍ରଭ ଦିଶୁଅଛି । ବିନା ମେଘରେ କାଉଁଳିଆ ଢାଙ୍କିଅଛି । କାହାର ମର୍ମଭେଦୀ ତପ୍ତ ନିଃଶ୍ୱାସ ପରି ପ୍ରଖର ପବନ ବହୁଅଛି । ପଶୁପକ୍ଷୀ ସକଳ ଅପ୍ରସନ୍ନ । ସେମାନଙ୍କର ନୟନ ଛଳଛଳ ଏବଂ ବଦନ ଶୁଷ୍କ ଦିଶୁଅଛି । ସତେ ଯେପରି କି ଗୁରୁତର କାରଣରୁ ସେମାନେ ମୋର ମୁହଁକୁ ଅନାଇପାରୁ ନାହାନ୍ତି ।’’ ରାମଚନ୍ଦ୍ର ଏହିପରି କହି କହି ଲକ୍ଷ୍ମଣଙ୍କ ସହ ଅଗ୍ରସର ହେବାକୁ ଲାଗିଲେ ।

 

ଅନନ୍ତର ରାମଚନ୍ଦ୍ର କୁଟୀରରେ ଉପସ୍ଥିତ ହୋଇ ସୀତାଙ୍କୁ ନ ଦେଖି ଅଧୀର ହୋଇଉଠିଲେ । ତାଙ୍କ ଦେହରୁ ରକ୍ତ ଶୁଖିଗଲା, ଛାତି ଦାଉଁ ଦାଉଁ ହେଲା, ମନ ହାଲୁ ହାଲୁ ହେଲା-। ସୀତା ସୀତା ବୋଲି ସେ ଉଚ୍ଚସ୍ୱରରେ ଡାକିଲେ । ଉତ୍ତର ନ ପାଇ ମୂର୍ଚ୍ଛିତ ହୋଇ ପଡ଼ିଲେ । ଘଡ଼ିକେ ଚେତନା ପାଇ ଲକ୍ଷ୍ମଣଙ୍କ ସହିତ ବନର ସନ୍ଧିକନ୍ଦି ଖୋଜି ବୁଲିଲେ । ନଦୀ, ପର୍ବତ, କନ୍ଦରା, ତରୁତଳ ସର୍ବତ୍ର ଖୋଜି ଖୋଜି ହାଲିଆ ହୋଇପଡ଼ିଲେ; ମାତ୍ର କେଉଁଠି ସୀତାଙ୍କୁ ପାଇଲେ ନାହିଁ । ତହୁଁ ରାମଚନ୍ଦ୍ର ବିହ୍ୱଳ ହୋଇଉଠିଲେ–ପଶୁ ପକ୍ଷୀ, ବୃକ୍ଷ ପର୍ବତ ଯାହାକୁ ଦେଖିଲେ, ତାକୁ ସୀତାଙ୍କ ସନ୍ଦେଶ ପଚାରିଲେ । ସେ ଏରୂପ ଛନ୍ନମତି ହୋଇଉଠିଲେ ଯେ, ତାଙ୍କର ସ୍ଥାବର ଜଙ୍ଗମ ଜ୍ଞାନ ରହିଲା ନାହିଁ । ଶୋକ ଓ ଉଦ୍‌ବେଗ ହୃଦୟ ଅଧିକାର କଲେ ଜ୍ଞାନ ଏକାବେଳକେ ହଜିଯାଏ-। ମୃଗ-ମୃଗୀକୁଳ ରାମଚନ୍ଦ୍ରଙ୍କ ଦ୍ୱାରା ପୁଚ୍ଛିତ ହୋଇ ଦକ୍ଷିଣକୁ ମୁହଁ କରି ଗ୍ରୀବା ଟେକି ଅଶ୍ରୁସଜଳ ନେତ୍ରରେ ଆକାଶକୁ ଚାହିଁରହିଲେ । ତଦ୍ଦ୍ୱାରା ସୀତା ଆକାଶମାର୍ଗରେ ଦକ୍ଷିଣ ଦିଗକୁ ଯାଇଥିବାର ସଙ୍କେତ କଲେ । ପାଦପବୃନ୍ଦ ଦକ୍ଷିଣଦିଗକୁ ଶାଖା ସଞ୍ଚାଳନ କରି ସୀତାଙ୍କ ଗମନ-ସଙ୍କେତ ଜଣାଇଦେଲେ । ପକ୍ଷୀମାନେ ଧାଡ଼ିବାନ୍ଧି ଦକ୍ଷିଣ ଆଡ଼କୁ ଉଡ଼ିଗଲେ । ରାମଚନ୍ଦ୍ର ଏହା ଦେଖି ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ । ସେ ବିଳାପ କରି କହିଲେ–‘‘ହାୟ-ସୀତା, ତୁମ୍ଭେ କୁଆଡ଼େ ଗଲ ? ତୁମ୍ଭେ ଛାଡ଼ିଯିବ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲି । ଯଦି ଗଲ, ତେବେ ତୁମ୍ଭ ସ୍ମୃତିକୁ ସଙ୍ଗରେ ନେଇ ନ ଗଲ କାହିଁକି ? ଏ ଅରଣ୍ୟରେ ସର୍ବତ୍ର ତୁମ୍ଭର ସ୍ମୃତି ମୂର୍ତ୍ତି ଧରି ରହିଅଛି । ତାହା ଦେଖି ମୁଁ ଧୈର୍ଯ୍ୟ ଧରିବି କିପରି ? ଏହି ମୃଗଶିଶୁଟି ତୁମ୍ଭର ପ୍ରତିପାଳିତ, ଏହି ସୌମ୍ୟା ମାଳତୀ ଲତାଟି ତୁମ୍ଭରି ହସ୍ତରୋପିତ, ଏହି ଗୋଦାବରୀ ନଦୀ ତୁମ୍ଭରି ସ୍ନାନରେ ପବିତ୍ର, ଏହି ସମସ୍ତଙ୍କ ମଧ୍ୟରେ ତୁମ୍ଭେ ତ ତୁମ୍ଭଙ୍କୁ ରଖିଯାଇଅଛ ।’’ ରାମଚନ୍ଦ୍ର ଏହିପରି ବିସ୍ତର ବିଳାପ କଲେ । ଲକ୍ଷ୍ମଣ ତାଙ୍କୁ ବହୁତ ବୁଝାଇ ସାନ୍ତ୍ୱନା ଦେବାକୁ ଲାଗିଲେ । ସେ କହିଲେ–‘‘ଦେବ, ମହାପୁରୁଷମାନେ ବିପଦରେ ଅଧୈର୍ଯ୍ୟ ହୁଅନ୍ତି ନାହିଁ, ଏହା ମୁଁ ଆପଣଙ୍କଠାରୁ ଶୁଣିଅଛି । ବିପଦକୁ ନ ଡରି ଛାତି ପତାଇଦେଇ ତାହା ସଙ୍ଗରେ ଯୁଦ୍ଧ କରିବା ସିନା ପୌରୁଷ । ଆପଣ ବୀରପୁରୁଷ ହୋଇ ଏଭଳି ବିହ୍ୱଳ ହେଉଛନ୍ତି କାହିଁକି ? ସୀତାଙ୍କୁ କେହି ଭକ୍ଷଣ କରିଥିବାର କୌଣସି ଚିହ୍ନ ଏ ବନ ମଧ୍ୟରେ ଦେଖାଯାଉନାହିଁ । ତାହା ଦେଖିଥିଲେ ଅସ୍ଥି, କେଶ, ରକ୍ତ ପ୍ରଭୃତି ଅବଶ୍ୟ କେଉଁଠି ହେଲେ ପଡ଼ିଥାନ୍ତା । ଏଥିରୁ ବୋଧ ହେଉଅଛି–ସୀତା ନିଶ୍ଚୟ ଜୀବିତ ଅଛନ୍ତି । ରାକ୍ଷସମାନେ ଆମ୍ଭର ଶତ୍ରୁ । ବୋଧହୁଏ କେହି ରାକ୍ଷସ ମାୟାଜାଲ ବିସ୍ତାର କରି ଆମ୍ଭ ଦୁହିଙ୍କୁ ଅନ୍ତର କରିନେଇ ସୀତାଙ୍କୁ ଚୋରି କରି ଘେନିଯାଇଛି । କିଏ ସେ ଦୁଃସାହସୀ, ଆଗେ ତାହା ଜାଣିବା ପାଇଁ ଚେଷ୍ଟା କରିବା ଚାଲନ୍ତୁ । ଅବଶ୍ୟ କେଉଁଠିହେଲେ ସେହି କୁକର୍ମାଚାରୀର ସନ୍ଧାନ ମିଳିବ ।’’ ରାମଚନ୍ଦ୍ର ଏହିପରି ଆଶ୍ୱାସନାରେ ଆଶ୍ୱସ୍ତ ହୋଇ ବାରମ୍ୱାର ବନପର୍ବତ ଛିନ୍ନଭିନ୍ନ କରି ସୀତାଙ୍କୁ ଖୋଜିବୁଲିଲେ । ଦୁର୍ଭାବନାରେ ଦିନରାତି ଦୁଇଗୁଣ ବଢ଼ିଯାଏ । ଦିନ ପରେ ରାତି ହୁଏ, ପୁଣି ରାତି ଯାଇ ଦିନ ହୁଏ; ମାତ୍ର ସେ ଦିନରାତି ସହଜରେ ସରେ ନାହିଁ । ବିଷମ ଦୁର୍ଭାବନାରେ ରାମଚନ୍ଦ୍ରଙ୍କର କେତେ ଦୀର୍ଘ ଦିନରାତି କଟିଗଲା ।

 

ରାମଚନ୍ଦ୍ର ପଞ୍ଚବଟୀ ଛାଡ଼ି ସୀତାଙ୍କୁ ଖୋଜି ଖୋଜି ଅଗ୍ରସର ହେଲେ । ଅରଣ୍ୟରେ ବୁଲୁଁ ବୁଲୁଁ ଏକ ସ୍ଥାନରେ ଦେଖିଲେ ବିହଙ୍ଗରାଜ ଜଟାୟୁ ଛିନ୍ନପକ୍ଷ ହୋଇ ରକ୍ତାକ୍ତ କଳେବରରେ ଭୂପତିତ ହୋଇଅଛି । ପିତୃବନ୍ଧୁ, ପରମ ହିତୈଷୀ ଜଟାୟୁର ଦୁର୍ଦ୍ଦଶା ଦେଖି ରାମଚନ୍ଦ୍ର ବ୍ୟଥିତ ହୋଇ ତାହା ନିକଟକୁ ଯାଇ କାରଣ ପଚାରନ୍ତେ ଜଟାୟୁ କହିଲା–‘‘ବତ୍ସ, ଦୂରାତ୍ମା ରାବଣ ସୀତାଙ୍କୁ ରଥରେ ବସାଇ ଘେନିଯାଉଥିଲା । ତାଙ୍କ କ୍ରନ୍ଦନ ଶୁଣି ମୁଁ ଆସି ରାବଣ ସଙ୍ଗେ ଘୋର ଯୁଦ୍ଧ କଲି । ତାହାର ଧ୍ୱଜ ଛତ୍ରଭଗ୍ନ ହୋଇ ପଡ଼ିଅଛି ଦେଖ । ଚଞ୍ଚୁ ଓ ଚରଣ ଆଘାତରେ ମୁଁ ତାକୁ ଭୀଷଣ ଭାବରେ କ୍ଷତବିକ୍ଷତ କରିପକାଇଲି । ବର୍ଷାକାଳରେ ପର୍ବତ ଦେହରୁ ଗୈରିକଧାରା ବହିଲା ପରି ରାକ୍ଷସ ଦେହରୁ ବହୁଧାରାରେ ରକ୍ତ ବହିଗଲା । ମୁଁ ପ୍ରହରେ ଯାଏଁ ଯୁଦ୍ଧ କଲି; ମାତ୍ର ବହୁକାଳର ପ୍ରାଚୀନ ଶରୀର ହେତୁ ଅବସନ୍ନ ହୋଇପଡ଼ିଲି । ପାପିଷ୍ଠ ମୋତେ ଅଶକ୍ତ ଦେଖି ଖଡ଼୍‌ଗାଘାତରେ ମୋର ଡେଣା ଛେଦନ କଲା । ମୁଁ ଅଚଳ ହୋଇ ତଳେ ଖସିପଡ଼ିଲି । ତହୁଁ ଦୁଷ୍ଟ ଶୀଘ୍ର ରଥ ଚଳାଇ ଦକ୍ଷିଣଦିଗକୁ ପଳାଇଗଲା । ଏଥିପୂର୍ବରୁ ମୋର ମୃତ୍ୟୁ ହୋଇପାରିଥାନ୍ତା; ମାତ୍ର ତୁମ୍ଭଙ୍କୁ ଏ ସମ୍ୱାଦ ଦେବାଯାଏଁ ବଞ୍ଚିରହିବି ବୋଲି ମା ଜାନକୀ ବର ଦେଇ ଗଲେ । ତାଙ୍କ ସତୀତ୍ୱର ପ୍ରଭାବ ମୋତେ ଏତେବେଳଯାଏଁ ଜୀବିତ ରଖିଅଛି ।’’ ଜଟାୟୁ ଆଉ କିଛି କହିପାରିଲା ନାହିଁ; ସେହିକ୍ଷଣି ପ୍ରାଣତ୍ୟାଗ କଲା । ରାମଚନ୍ଦ୍ର ପୋଷ୍ୟପୁତ୍ର ପରି ପିତୃସମ ପିତୃସଖାର ପ୍ରେତକ୍ରିୟା ସମାପନ କଲେ । ଜଟାୟୁ ଧର୍ମଯୁଦ୍ଧରେ ପ୍ରାଣତ୍ୟାଗ କରି ବୀରଧର୍ମ ପାଳି ଦେବ ବିମାନରେ ବୈକୁଣ୍ଠକୁ ଚାଲିଗଲା ।

 

ରାମଚନ୍ଦ୍ର ଜଟାୟୁଠାରୁ ସୀତାହରଣ ସମାଚାର ଶୁଣି ଦକ୍ଷିଣଦିଗାଭିମୁଖରେ ଗମନ କଲେ । ପଥ ମଧ୍ୟରେ ବିକଟାକାର କବନ୍ଧ ରାକ୍ଷସ ତାଙ୍କର ଗତିରୋଧ କଲା । ତାହାର ଗ୍ରୀବା କି ମସ୍ତକ ନାହିଁ, ପେଟ ଭିତରୁ ଗିରିଗୁମ୍ଫା ତୁଲ୍ୟ ପ୍ରକାଣ୍ଡ ମୁଖ ବାହାରିଅଛି; ହସ୍ତ ଯୋଜନ-ବିସ୍ତୃତ । ସେହି ଦୀର୍ଘହସ୍ତ ବଢ଼ାଇଦେଇ ସେ ବହୁଦୂରରୁ ବନଚର ଜୀବମାନଙ୍କୁ ଧରିଆଣି ଖାଏ । ରାମଚନ୍ଦ୍ର, ଲକ୍ଷ୍ମଣ ଖଡ୍‍ଗଦ୍ୱାରା ତାହାର ଦୁଇ ବାହୁ ଛେଦନ କଲେ । ରାକ୍ଷସ ଭୟଙ୍କର ରଡ଼ି ଛାଡ଼ି ଦିବ୍ୟ ରୂପ ଧରି ଜ୍ୟୋତିର୍ମୟ ବିମାନରେ ବସି ସ୍ୱର୍ଗକୁ ଗଲା; ଯିବାବେଳେ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଡାକି କହିଲା–ଏବେ ଚିହ୍ନିଲି, ତୁମ୍ଭେ ଦୁହେଁ ରାମଚନ୍ଦ୍ର ଓ ଲକ୍ଷ୍ମଣ । ତୁମ୍ଭେମାନେ ସୀତାଙ୍କୁ ଖୋଜି ବୁଲୁଅଛ-। ଋଷିଶାପରେ ମୋର ଏ ଦୁର୍ଗତି ହୋଇଥିଲା । ତୁମ୍ଭମାନଙ୍କ ହାତରେ ମରି ଶାପମୁକ୍ତ ହେବି ବୋଲି ପ୍ରତିକାର ମଧ୍ୟ ନିରୂପିତ ହୋଇଥିଲା । ତୁମ୍ଭେ ଦୁହେଁ ମୋତେ କଠୋର ଶାପରୁ ମୁକ୍ତ କଲ, ତୁମ୍ଭର ମଙ୍ଗଳ ହେଉ । ତୁମ୍ଭେମାନେ ଋଷ୍ୟମୂକ ପର୍ବତବାସୀ କପିସମ୍ରାଟ ସୁଗ୍ରୀବ ସଙ୍ଗରେ ଯାଇ ମିତ୍ରତା ସ୍ଥାପନ କର । ତାହାରି ସାହାଯ୍ୟରେ ସୀତାଙ୍କୁ ପୁନଃପ୍ରାପ୍ତ ହେବ । ବିଧାତା-ସୃଷ୍ଟିରେ ତାହାର ଅଗମ୍ୟ ସ୍ଥାନ ନାହିଁ । ରାବଣ ଯେଉଁଠି ସୀତାଙ୍କୁ ଲୁଚାଇ ରଖିଥିବ, ସେ ଖୋଜି ନିଶ୍ଚୟ ଆଣିଦେବ-।’’ ଶାପମୁକ୍ତ ପୁରୁଷ ଏହା କହି ଋଷ୍ୟମୂକ ପର୍ବତକୁ ଯିବାର ବାଟ ଦେଖାଇଦେଇ ଅଦୃଶ୍ୟ ହୋଇଗଲା । ତହୁଁ ରାମଚନ୍ଦ୍ର ଓ ଲକ୍ଷ୍ମଣ ସୁଗ୍ରୀବର ସାକ୍ଷାତ୍‌ ନିମନ୍ତେ ଋଷ୍ୟମୂକ ପର୍ବତାଭିମୁଖରେ ଯାତ୍ରାକଲେ ।

 

କିଛିଦୂର ଯାଇ ଦାଶରଥିଦ୍ୱୟ ମତଙ୍ଗମୁନିଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ସେଠାରେ ତପଃସିଦ୍ଧା ପ୍ରାଚୀନା ଶବରୀ ରାମଚନ୍ଦ୍ରଙ୍କୁ ଦେଖି ଦେହ ତ୍ୟାଗ କରିବ ବୋଲି ଅପେକ୍ଷା କରି ରହିଥିଲା । ଦୁଇ ଭାଇଙ୍କୁ ସେ ଶାଧ ମେଣ୍ଟାଇ ପରିଚର୍ଯ୍ୟା କଲା । ସେ ବନରୁ ପକ୍ୱଫଳ ତୋଳିଆଣି ଦାନ୍ତରେ କାମୁଡ଼ି ଚାଖେ, ଯେଉଁ ଫଳ ମଧୁର ଲାଗେ, ତାହା ରାମଚନ୍ଦ୍ରଙ୍କୁ ଖାଇବାକୁ ଦିଏ । ରାମଚନ୍ଦ୍ର ତାହା ଆନନ୍ଦରେ ଭୋଜନ କରନ୍ତି । ପ୍ରେମଭକ୍ତିରାଜ୍ୟରେ ବ୍ରାହ୍ମଣ ଚଣ୍ଡାଳ ବା ଉଚ୍ଛିଷ୍ଟ ଅନୁଚ୍ଛିଷ୍ଟର ବାରଣ ନାହିଁ । ପ୍ରେମଭକ୍ତିମିଶା ଉଚ୍ଛିଷ୍ଟ ସୁଦ୍ଧା ପରମ ପବିତ୍ର ଓ ଉପାଦେୟ ବସ୍ତୁ । ଭାଗ୍ୟବତୀ ଶବରୀ ରାମଚନ୍ଦ୍ରଙ୍କୁ ଆଗରେ ଠିଆକରାଇ ନିଜର ତପଃକ୍ଷୀଣ ପବିତ୍ର ଜୀର୍ଣ୍ଣ ଶରୀରକୁ ଯଜ୍ଞାନଳରେ ଆହୁତି ପ୍ରଦାନ କରି ନିର୍ବାଣ ମୁକ୍ତି ଲାଭକଲା ।

 

ଅନନ୍ତର ରାମଚନ୍ଦ୍ର ଓ ଲକ୍ଷ୍ମଣ ପରମ ରମଣୀୟ ପମ୍ପା ସରୋବର ତୀରରେ ଯାଇ ଉପସ୍ଥିତ ହେଲେ । ସେହି ପୁଣ୍ୟ ସରୋବର ଦର୍ଶନରେ ରାମଚନ୍ଦ୍ରଙ୍କ ମନରେ ସର୍ବଦା ସୀତାଙ୍କ ସ୍ମୃତି ଜାଗ୍ରତ ହୋଇଉଠିଲା । ପଦ୍ମ ଫୁଲକୁ ସୀତା ବଡ଼ ଶ୍ରଦ୍ଧା କରନ୍ତି; ସୁତରାଂ ପଦ୍ମ ଦେଖି, ସୀତା ମନରେ ପଡ଼ିଲେ । ସୀତା ହଂସୀ ସଙ୍ଗେ ଖେଳିବାକୁ ଖୁବ୍‌ ସୁଖ ମଣନ୍ତି, ଏଣୁ ହଂସୀ ଦେଖିବାମାତ୍ରେ ସୀତାଙ୍କ ସ୍ମୃତି ପ୍ରବଳ ହୋଇଉଠିଲା । ସଫରା ମତ୍ସ୍ୟ ଦେଖିଲେ ସୀତାଙ୍କ ନୟନଠାଣି ମନରେ ପଡ଼ିଯାଏ । ଝିଲ୍ଲୀରବ ଶୁଣିଲେ ପ୍ରେୟସୀଙ୍କ ନୂପୁର ଧ୍ୱନିର ସୁପ୍ତ ସ୍ମୃତି ହଠାତ୍‌ ଜାଗ୍ରତ ହୋଇଉଠେ-। ଏହିପରି ସୀତାଙ୍କ ସ୍ମୃତି ସବୁବେଳେ ତାଙ୍କୁ ପୀଡ଼ା ଦେବାରୁ ସେ ଆଉ ସେଠାରେ ନ ରହି ଚାଲିଗଲେ ଏବଂ ଅଳ୍ପ ସମୟ ମଧ୍ୟରେ ଅଦୂରବର୍ତ୍ତୀ ଋଷ୍ୟମୂକ ପର୍ବତର ପାଦଦେଶରେ ଯାଇ ଉପସ୍ଥିତ ହେଲେ ।

Image

 

ପଞ୍ଚଦଶ ପରିଚ୍ଛେଦ

 

ପୂର୍ବକାଳରେ ଏକଶ୍ରେଣୀୟ ବୀରଜାତି ଅରଣ୍ୟରେ ବାସ କରୁଥିଲେ । ସେମାନଙ୍କ ଶରୀରରେ ଆସୁରିକ ବଳ ଥିଲା । ସେମାନେ ଯୁଦ୍ଧରେ ଅସ୍ତ୍ରଧାରଣ କରନ୍ତି ନାହିଁ, ବୃକ୍ଷ ଓ ପ୍ରସ୍ତର ଫିଙ୍ଗି ଯୁଦ୍ଧ କରନ୍ତି । ମଲ୍ଲ ଯୁଦ୍ଧରେ ସେମାନଙ୍କର ସମକକ୍ଷ ବୀରଜାତି ସେକାଳରେ କେହି ନ ଥିଲେ-। ଖାଲି ଅମାନୁଷୀ ବଳ ବିକ୍ରମରେ ସେମାନେ ପ୍ରସିଦ୍ଧ ନ ଥିଲେ, ଅନେକ ଭଲ ଗୁଣ ମଧ୍ୟ ସେମାନଙ୍କର ଥିଲା । ସେମାନଙ୍କ ଆକୃତି ଠିକ୍‌ବାନର ପରି ଥିଲା ଏବଂ କେତେଗୋଟା ଆଚରଣ ସୁଦ୍ଧା ବାନରମାନଙ୍କ ପରି ଥିଲା । ଏହିହେତୁ ପୁରାଣ ଇତିହାସରେ ସେମାନେ ବାନର ନାମରେ ଅଭିହିତ ହୋଇଅଛନ୍ତି; ମାତ୍ର ସେମାନେ ଆଧୁନିକ ଭୀରୁ, ମୂକ, ଅକର୍ମା ବାନର ନୁହନ୍ତି । ସେମାନେ କଥା କହୁଥିଲେ, ବିଦ୍ୟାଶିକ୍ଷା କରୁଥିଲେ, ଅନେକ ଉଚ୍ଚ ଉଚ୍ଚ ବିଦ୍ୟାରେ ପାରିଦର୍ଶିତା ଲାଭ କରିଥିଲେ । ସେ ଜାତିର ରାଜା ଥିଲେ, ମନ୍ତ୍ରୀ ଥିଲେ, ସୈନ୍ୟସେନାପତି ଥିଲେ । ସେ ଜାତିର ବୀର ହନୁମାନ ଜଣେ ପରମ ଯୋଗୀ ଓ କାବ୍ୟଶାସ୍ତ୍ରଜ୍ଞ ଥିଲେ । ସେ ସଂସ୍କୃତଭାଷାରେ ‘ମହାନାଟକ’ ନାମକ ଉତ୍କୃଷ୍ଟ ସାହିତ୍ୟଗ୍ରନ୍ଥ ଲେଖିଯାଇଛନ୍ତି । ମହାବୀର ହନୁମାନ ଯୋଗବଳରେ ଅସାଧ୍ୟ ସାଧନ କରିପାରୁଥିଲେ । ସୁଷେଣ ଆୟୁର୍ବେଦରେ ଅଦ୍ୱିତୀୟ ଥିଲେ । ନଳ ସ୍ଥାପତ୍ୟବିଦ୍ୟାରେ ଅସାଧାରଣ ବିଚକ୍ଷଣତା ପ୍ରଦର୍ଶନ କରିଥିଲେ । ଯେଉଁ ଜାତିରେ ଏଭଳି ଯୋଗ୍ୟ ବ୍ୟକ୍ତି ଥିଲେ, ସେ ଜାତି ଆଧୁନିକ ବାନରଶ୍ରେଣୀୟ ବୋଲି କଦାଚ ବିଶ୍ୱାସ କରାଯାଇ ନ ପାରେ । ପ୍ରାଜ୍ଞମାନେ ସେହି ଜାତିକୁ ମହାବୀର ଜାତି ବୋଲି ନିର୍ଦ୍ଦେଶ କରିଅଛନ୍ତି । ବର୍ତ୍ତମାନ ସେଜାତି ଧରାପୃଷ୍ଠରୁ ବିଲୁପ୍ତ ହୋଇଛନ୍ତି କିମ୍ୱା କେଉଁ ଅଗମ୍ୟ ଅରଣ୍ୟରେ ଆତ୍ମଗୋପନ କରିଛନ୍ତି, ତାହା କିଏ କହିପାରିବ ? ପୂର୍ବେ କିଷ୍କିନ୍ଧ୍ୟା ସେହି ଜାତିର ରାଜଧାନୀ ଥିଲା । ସେଥିର ରାଜା ବାଳୀ ଜଣେ ଅଜେୟ ପରାକ୍ରମୀ । ସେକାଳରେ ତାହାର ସମକକ୍ଷ ବୀର କେହି ନ ଥିଲେ । ଭୁବନବିଜୟୀ ରାବଣକୁ ସୁଦ୍ଧା ସେ ପରାଜୟ କରିଥିଲା । ସେ ବଡ଼ ବଡ଼ ଗିରିଶୃଙ୍ଗ ଉପାଡ଼ି ଉପରକୁ ଫିଙ୍ଗିଦେଇ ହାତ, ଛାତି, ମୁଣ୍ଡ ଓ ପିଠି ପତାଇ ତଳେ ନ ପଡ଼ୁଣୁ ତାହାକୁ ଧରି ନେଉଥିଲା । ତାହାର ଅନୁଜ ସୁଗ୍ରୀବ କିଷ୍କିନ୍ଧ୍ୟାର ଯୌବରାଜ୍ୟରେ ଅଭିଷିକ୍ତ ହୋଇ ରାଜକାର୍ଯ୍ୟରେ ତାକୁ ସାହାଯ୍ୟ କରୁଥିଲା । କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ମନୋଭେଦ ଜନ୍ମିବାରୁ ବାଳୀ ରୁଷ୍ଟ ହୋଇ ସୁଗ୍ରୀବକୁ ରାଜ୍ୟରୁ ତଡ଼ିଦେଲା ଏବଂ ଉତ୍ତେଜନାବଶତଃ ଧର୍ମାଧର୍ମଜ୍ଞାନଶୂନ୍ୟ ହୋଇ କନିଷ୍ଠ ଭ୍ରାତୃବଧୂ ରୁମାର ସତୀତ୍ୱ ବଳପୂର୍ବକ ହରଣ କଲା । ସୁଗ୍ରୀବ ବାଳୀ ସହ ବଳରେ ସମକକ୍ଷ ନ ହୋଇ ପଳାଇ ଆସି ଋଷ୍ୟମୂକ ପର୍ବତରେ ଆଶ୍ରୟ ନେଇଥିଲା । ଋଷିଶାପ ହେତୁ ବାଳୀ ସେ ପର୍ବତକୁ ଆସେ ନାହିଁ । ସୁତରାଂ ସୁଗ୍ରୀବ ନିଜର ଚାରି ମନ୍ତ୍ରୀ ସୁଷେଣ, ନଳ, ନୀଳ, ହନୁମାନ ସହ ନିର୍ଭୟରେ ସେଠାରେ ବାସ କରିଥିଲା ।

ଋଷ୍ୟମୂକ ପର୍ବତର ଚୂଡ଼ା ଉପରେ ସୁଗ୍ରୀବ ଚାରି ମନ୍ତ୍ରୀଙ୍କୁ ଘେନି ବସିଥିଲା । ଧନୁର୍ଦ୍ଧାରୀ ରାମଲକ୍ଷ୍ମଣଙ୍କୁ ଦେଖି ସେ ତାଙ୍କୁ ବାଳୀର ଗୁପ୍ତଚର ମଣି ଭୀତ ହୋଇ ଉଠିଲା । ସେମାନେ କିଏ ଓ କାହିଁକି ବନରେ ବୁଲୁଛନ୍ତି, ଏହା ଜାଣିବା ପାଇଁ ଉତ୍କଣ୍ଠିତ ହୋଇ ହନୁମାନକୁ ପଠାଇଲା । ହନୁମାନ ତପସ୍ୱୀ ରୂପ ଧରି ଆସି ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ପରିଚୟ ଏବଂ ଭ୍ରମଣର କାରଣ ପଚାରିଲା । ରାମଚନ୍ଦ୍ର ଆତ୍ମପରିଚୟ ଦେଇସାରି କହିଲେ–‘‘ଆମ୍ଭେମାନେ ବାନରରାଜ ସୁଗ୍ରୀବଙ୍କୁ ଖୋଜୁଛୁଁ; କୌଣସି ପ୍ରୟୋଜନ ସିଦ୍ଧି ନିମନ୍ତେ ତାଙ୍କ ସହ ମିତ୍ରତା ସ୍ଥାପନ କରିବୁଁ । ତୁମ୍ଭେ କିଏ ଓ ସୁଗ୍ରୀବ କେଉଁଠାରେ ଥାନ୍ତି ଜାଣିଥିଲେ କହ ।’’ ପରମ ଭକ୍ତ ହନୁମାନ ରାମଚନ୍ଦ୍ରଙ୍କ ରୂପ ଦେଖି ମୋହିତ ହୋଇଗଲା । ସେ ମନେ ମନେ ଭାବିଲା–‘‘ଏ ତ ସାମାନ୍ୟ ମାନବ ନୁହନ୍ତି, ଏରୂପ ସର୍ବସୁଲକ୍ଷଣବନ୍ତ ମହାପୁରୁଷ ବିଷ୍ଣୁଙ୍କ ଛଡ଼ା ଆଉ କିଏ ହୋଇପାରେ ? ଏ ନିଶ୍ଚେ ମୋର ଆରାଧ୍ୟ ସେହି ବିଶ୍ୱସୃଜୀ ବିଷ୍ଣୁରୂପୀ ରାମଚନ୍ଦ୍ର ।’’ ହନୁମାନ ଆନନ୍ଦରେ ବିହ୍ୱଳ ହୋଇ ରାମଚନ୍ଦ୍ରଙ୍କ ଗୋଡ଼ ତଳେ ପଡ଼ିଗଲା । ରାମଚନ୍ଦ୍ର ତାକୁ ଉଠାଇ ପ୍ରେମରେ ଆଲିଙ୍ଗନ କଲେ । ଭକ୍ତ ଭଗବାନଙ୍କର ମିଳନ ହେଲା । ଭକ୍ତ ଭଗବାନଙ୍କୁ ଚିହ୍ନିଲା । ଭଗବାନ ଭକ୍ତକୁ ଚିହ୍ନିଲେ । ଦୁହିଙ୍କର ହୃଦୟ ଅପୂର୍ବ ସୁଧାରସରେ ଆପ୍ଳୁତ ହୋଇଉଠିଲା । ହନୁମାନ କରଯୋଡ଼ି କହିଲା–ଆଜି ସୁପ୍ରଭାତ, ତୁମ୍ଭର ପତିତପାବନ ଶ୍ରୀଚରଣ ସ୍ପର୍ଶରେ ମୋର ପିଣ୍ଡ ପବିତ୍ର ହେଲା–ମୁଁ ଧନ୍ୟ ହେଲି । ସୁଗ୍ରୀବ ବଡ଼ ଭାଗ୍ୟବାନ୍‌। ସେ ଜଗନ୍ନିୟନ୍ତାଙ୍କର ମିତ୍ର ହେବ–ତାହାର ପୂର୍ବ ସୌଭାଗ୍ୟ ଆଜି ନିଶ୍ଚେ ଫେରିଆସିବ-।’’ ଅନନ୍ତର ହନୁମାନ ସ୍ୱାଭାବିକ ବାନର ରୂପ ଧରି କହିଲା–‘‘ପ୍ରଭୋ, ମୋର ନାମ ହନୁମାନ । ମୁଁ ସେହି କପିନାଥ ସୁଗ୍ରୀବର ଭଣଜା ଓ ମନ୍ତ୍ରୀ; ଭୟରେ ଛଦ୍ମବେଶ ଧରିଥିଲି । ଅଧମ ଭୃତ୍ୟର ଅପରାଧ ମାର୍ଜନା କର ଦେବ । ସୁଗ୍ରୀବ ଏହି ପର୍ବତ ଚୂଡ଼ାରେ ଅଛନ୍ତି, ତୁମ୍ଭେ ଦୁହେ ମୋ କାନ୍ଧରେ ବସ, ମୁଁ ନେଇ ତାଙ୍କ ସଙ୍ଗରେ ଭେଟାଇବି ।’’ ଏହା ଶୁଣି ରାମଚନ୍ଦ୍ର ଓ ଲକ୍ଷ୍ମଣ ହନୁମାନର କାନ୍ଧ ଉପରେ ବସିଲେ । ହନୁମାନ ତାଙ୍କୁ ଘେନିଯାଇ ସୁଗ୍ରୀବ ପାଖରେ ପହଞ୍ଚିଲା ଏବଂ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ପରିଚୟ ଦେଇ ତାଙ୍କ ଆଗମନର କାରଣ ସ୍ୱୀୟ ମାତୁଳକୁ କହିଲା । ସୁଗ୍ରୀବ ସବୁ ଶୁଣି ଅପୂର୍ବ ଆନନ୍ଦରେ ଗଦ୍‌ଗଦ ହୋଇ ରାମଲକ୍ଷ୍ମଣଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲା । ରାମଚନ୍ଦ୍ର ତାକୁ ସାଦରରେ ଆଲିଙ୍ଗନ କରି କହିଲେ–‘‘କପିରାଜ, କବନ୍ଧର ଉପଦେଶମତେ ମୁଁ ତୁମ୍ଭ ସଙ୍ଗରେ ମିତ୍ରତା କରିବାକୁ ଆସିଛି ।’’ ସୁଗ୍ରୀବ ଏହା ଶୁଣି ବିସ୍ମୟବୋଳା ମୃଦୁ ହାସ୍ୟରେ କହିଲା–‘‘ତୁମ୍ଭେ ଜଗତର ରାଜଚକ୍ରବର୍ତ୍ତୀ, ମୁଁ ଜଣେ ସାମାନ୍ୟ ବାନର, ତୁମ୍ଭର କି ଉପକାର କରିପାରିବି ? ମୁଁ ତୁମ୍ଭର ଦାସଯୋଗ୍ୟ ନୁହେଁ, ତଥାପି ମୋତେ ମିତ୍ର ସମ୍ୱୋଧନ କରୁଛ, ଏହା ତୁମ୍ଭର ମୋ ପ୍ରତି ଅପାର କରୁଣାର ନିଦର୍ଶନ । ମୁଁ ଜାଣୁଛି–ତୁମ୍ଭେ ମୋର ବିଧି-ପ୍ରେରିତ ସୌଭାଗ୍ୟଦେବତା ରୂପରେ ଆସିଅଛ । ଏତେଦିନ ମୋର ଦୁଃଖର ରାତି ପାହିଲା–ଆଜି ମୋ ଭାଗ୍ୟାକାଶରେ ସୁଖ-ସୂର୍ଯ୍ୟର ଉଦୟ ହେବ । ଏ ମିତ୍ରତା ଦ୍ୱାରା ମୋର ପ୍ରଭୂତ ଉପକାର ହେବ; ମାତ୍ର ତୁମ୍ଭର ଉପକାର କରିବା ଭଳି ଯୋଗ୍ୟତା ମୋର କାହିଁ ? ତୁମ୍ଭେ ଦୟାମୟ, ଉପଯାଚକ ଭାବରେ ଏ ସେବକକୁ ଦୟା କରିବାକୁ ଆସିଛ । ହନୁମାନଠାରୁ ଶୁଣିଲି–ପାପିଷ୍ଠ ରାବଣ ତୁମ୍ଭ ସ୍ତ୍ରୀ ସୀତାଙ୍କୁ ଚୋରି କରି ନେଇଯାଇଛି, ତୁମ୍ଭେ ମୋ ସାହାଯ୍ୟରେ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିବା ପାଇଁ ମୋ ସଙ୍ଗେ ମିତ୍ରତା କରିବାକୁ ଆସିଛ; କିନ୍ତୁ କଣ କରିବି, ମୁଁ ନିରୂପାୟ, ପୁଣି ବାଳୀ ଭୟରେ ଆସି ଏ ପର୍ବତରେ ଲୁଚି ରହିଛି । ମୋର ଦୁର୍ଗତିର କଥା କଣ କହିବି ? ଏଠାରୁ ଅଳ୍ପଦୂରରେ କିଷ୍କିନ୍ଧ୍ୟା ନାମରେ ଗୋଟିଏ ରାଜ୍ୟ ଅଛି । ମୋର ଭାଇ ବାଳୀ ସେହି ରାଜ୍ୟର ରାଜା । ସାମାନ୍ୟ କାରଣରୁ ସେ ମୋ ପ୍ରତି କ୍ରୁଦ୍ଧ ହୋଇ ମୋତେ ରାଜ୍ୟରୁ ନିର୍ବାସିତ କରିଛି, ପୁଣି ମୋର ସ୍ତ୍ରୀର ସତୀତ୍ୱ ନାଶ କରିବା ପାଇଁ ତାକୁ ବନ୍ଦନୀ କରି ରଖିଅଛି । ସେ ଅତୁଳ ପରାକ୍ରମୀ, ସୈନ୍ୟସାମନ୍ତ ଓ ପ୍ରଜାମାନେ ତାହାରି ଆଜ୍ଞାବହ, ମୁଁ ଏକୁଟିଆ ତାର କଣ କରିପାରିବି ? ତେଣୁ ଏ ପର୍ବତରେ ଅତି ଦୁଃଖରେ କାଳ କାଟୁଛି ।’’ ରାମଚନ୍ଦ୍ର ଏହା ଶୁଣି କାନରେ ହାତ ଦେଇ କହିଲେ–‘‘ଉଃ, କି ଭୀଷଣ ମହାପାପ, ଭ୍ରାତୃବଧୂ କନ୍ୟାସ୍ଥାନୀୟା, ମୋ ରାଜ୍ୟରେ ରହି ଏ ଭଳି ମହାପାପ ଯେ କରେ, ସେ ନାରକୀ ନିଶ୍ଚୟ ପ୍ରାଣଦଣ୍ତାର୍ହ । ମୁଁ ବାଣାସନ ଛୁଇଁ ନିୟମ କରୁଛି, ଦୁର୍ବୃତ୍ତ ବାଳୀକି ବଧ କରି ତୁମ୍ଭଙ୍କୁ କିଷ୍କିନ୍ଧ୍ୟା ରାଜସିଂହାସନରେ ବସାଇବି । ତୁମ୍ଭେ ହୃତପତ୍ନୀକ, ମୁଁ ବି ହୃତପତ୍ନୀକ, ପୁଣି ଦୁହେଁ ବନବାସୀ, ସମଦଶାପନ୍ନ । ଅତଏବ ପରସ୍ପର ମିତ୍ରତା ସ୍ଥାପନ କରି ପରସ୍ପରର ଶତ୍ରୁସଂହାରପୂର୍ବକ ପତ୍ନୀ ଉଦ୍ଧାର କରିବା କର୍ତ୍ତବ୍ୟ ।’’ ଧନୁର୍ବାଣ ଛୁଇଁବା ଅପେକ୍ଷା ବୀର ପକ୍ଷରେ କଠୋର ନିୟମ ଆଉ କିଛି ନାହିଁ । ସୁଗ୍ରୀବ ରାମଚନ୍ଦ୍ରଙ୍କ କଥାରେ ବିଶ୍ୱାସ କରି ହର୍ଷଲାଭପୂର୍ବକ କହିଲା–‘‘ତୁମ୍ଭେ ଯେବେ ବାଳୀକୁ ମାରିବ, ତେବେ ପାପାତ୍ମା ରାବଣ ସୀତାଙ୍କୁ ସ୍ୱର୍ଗ ମର୍ତ୍ତ୍ୟପାତାଳ ଯେଉଁଠାରେ ଲୁଚାଇ ରଖିଥିବ, ମୁଁ ନିଶ୍ଚୟ ଖୋଜି ଆଣିଦେବି । ଯେଉଁଦିନ ରାବଣ ସୀତାଙ୍କୁ ରଥରେ ବସାଇ ନେଇଯାଇଥିଲା, ସେଦିନ ଆମ୍ଭେମାନେ ଏହି ପର୍ବତରେ ବସି ଦେଖିଥିଲୁ, ମାତ୍ର ରଥର ଦ୍ରୁତଗତି ହେତୁ ଚିହ୍ନିପାରି ନାହୁଁ । ଆଜି ତାହା ସ୍ମରଣ ହେଉଛି । ସୀତା ବ୍ୟସ୍ତ ହୋଇ କାନ୍ଦି କାନ୍ଦି ଦେହରୁ ଅଳଙ୍କାର କାଢ଼ି ଆମ୍ଭମାନଙ୍କ ପାଖକୁ ଫିଙ୍ଗିଦେଇ କହିଲେ–‘ଏହି ନିଦର୍ଶନ ରଖିଥାଅ,ରାମଚନ୍ଦ୍ର ଆସିଲେ ତାଙ୍କୁ ଦେଖାଇ ରାବଣ ସୀତାଙ୍କୁ ହରିନେଇଗଲା ବୋଲି କହିବ ।’ ସେହି ଅଳଙ୍କାର ମୁଁ ସଯତ୍ନରେ ରଖିଛି, ତାହା ଦେଖିଲେ ତୁମ୍ଭେ ଅବଶ୍ୟ ଚିହ୍ନିପାରିବ ।’’ ସୁଗ୍ରୀବ ଏହା କହି ଗିରିଗୁମ୍ଫା ମଧ୍ୟରୁ ଯାଇ ଅଳଙ୍କାର ଘେନି ଆସିଲା । ରାମଚନ୍ଦ୍ର ତାହା ଦେଖି ସୀତାଙ୍କର ଅଳଙ୍କାର ବୋଲି ଚିହ୍ନି ବହୁ ବିଳାପ କରିବାକୁ ଲାଗିଲେ; ଅଳଙ୍କାରଗୁଡ଼ିକ ହାତରେ ଧରି କହିଲେ–‘‘ତୁମ୍ଭେମାନେ ସୀତାଙ୍କୁ ସୁନ୍ଦର କରି ନ ଥିଲ, ବରଂ ତାଙ୍କ ସୁନ୍ଦର ଅଙ୍ଗରେ ଲାଗି ତୁମ୍ଭେ ସୁନ୍ଦର ହୋଇଥିଲ । ଏବେ ତାଙ୍କ ଅଙ୍ଗଚ୍ୟୁତ ହୋଇ ମଳିନ ଓ ହତଶ୍ରୀ ଦିଶୁଛି ।’’ ରଘୁକୁଳ ଭରସା ରାମଚନ୍ଦ୍ର ଏହିପରି ବିଳାପ କଲେ; ସୁଗ୍ରୀବ ନାନା କଥା କହି ତାଙ୍କୁ ସାନ୍ତ୍ୱନା ଦେବାକୁ ଲାଗିଲା ।

ଅନନ୍ତର ରାମଚନ୍ଦ୍ର ଓ ସୁଗ୍ରୀବ ଅଗ୍ନି ସାକ୍ଷୀ କରି ମିତ୍ରତା-ପାଶରେ ଆବଦ୍ଧ ହେଲେ ଏବଂ ପରସ୍ପର ଶତ୍ରୁସଂହାରରେ ପରସ୍ପରର ସହାୟତା କରିବେ ବୋଲି ପ୍ରତିଜ୍ଞା କଲେ । ତାଙ୍କର ଏ ପ୍ରତିଜ୍ଞା ଶୁଣି ହନୁମାନ ପ୍ରଭୃତି ଉପସ୍ଥିତ ବାନରବୃନ୍ଦ ମହୋଲ୍ଲାସରେ ‘‘ଜୟ ରାମଚନ୍ଦ୍ର, ଜୟ ସୁଗ୍ରୀବ’’ ଶବ୍ଦରେ ଆକାଶ ପୃଥିବୀ କମ୍ପାଇଦେଲେ । ପ୍ରତିଧ୍ୱନି ଛଳରେ ପାର୍ବତ୍ୟ-ପ୍ରକୃତି ‘‘ଜୟ ରାମଚନ୍ଦ୍ର, ଜୟ ସୁଗ୍ରୀବ’’ ଉଚ୍ଚାରଣ କରିଉଠିଲା । ହନୁମାନ ତିନିଖଣ୍ତ ପୁଷ୍ପପଲ୍ଲବଯୁକ୍ତ ଚନ୍ଦନ ଡାଳ ଭାଙ୍ଗିଆଣି ଦେଲା । ରାମଚନ୍ଦ୍ର, ଲକ୍ଷ୍ମଣ ଓ ସୁଗ୍ରୀବ ସେଥିରେ ବସିଲେ । ଅନ୍ୟାନ୍ୟ ବାନର ଚାରିପାଖରେ ତାଙ୍କୁ ଘେରିବସିଲେ । ଅନେକ ସୁଖଦୁଃଖ କଥା ପରେ ରାମଚନ୍ଦ୍ର ସୁଗ୍ରୀବଙ୍କୁ ସମ୍ଭୋଧନ କରି କହିଲେ–‘‘ମିତ୍ରବର, ଶୁଭକାର୍ଯ୍ୟ ଶୀଘ୍ର କରିବା କର୍ତ୍ତବ୍ୟ, ତୁମ୍ଭର ଶତ୍ରୁ ସେହି ବଳଦୃପ୍ତ ବାଳୀ କେଉଁଠାରେ ଅଛି ଦେଖାଇଦିଅ–ମୁଁ ଏଇକ୍ଷଣି ତାକୁ ସଂହାର କରି ପୃଥିବୀର ପାପଭାର ଉଶ୍ୱାସ କରିବି ।’’ ସୁଗ୍ରୀବ କହିଲା,‘‘ବନ୍ଧୁ, ତୁମ୍ଭେ ବିଶ୍ୱଜୟୀ ବୀରାଧିବୀରମଣି, ଏହା ମୁଁ ଜାଣେ, ମାତ୍ର ବାଳୀ ସୁଦ୍ଧା ଉଣା ପାତ୍ର ନୁହେଁ । ସେ ପ୍ରତ୍ୟହ ପ୍ରଭାତରୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ଚାରି ସମୁଦ୍ରରେ ସ୍ନାନ କରି ଆସେ । ପବନ ପୁଷ୍ପଗନ୍ଧ ହରଣ କଲା ପରି ବାଳୀ ଶତ୍ରୁକୁ ଦେଖିଲାକ୍ଷଣି ତାହା ଦେହରୁ ଅଧେ ବଳ ହରିନିଏ । ତୁମ୍ଭେ ଯେ ସହଜରେ ତାକୁ ମାରିପାରିବ, ଏହା କିପରି ବିଶ୍ୱାସ କରିବି ?’’ ରାମଚନ୍ଦ୍ର ମୃଦୁ ହସି କହିଲେ–‘‘ତେତେ କଅଣ ହେଲେ ତୁମ୍ଭର ସନ୍ଦେହ ଦୂର ହେବ ? ସୁଗ୍ରୀବ କହିଲା–‘‘ଦୁନ୍ଦୁଭି ନାମରେ ଗୋଟାଏ ଦୁର୍ଜୟ ରାକ୍ଷସ ସଂସାରଯାକ ଖୋଜି ତାହାର ସମକକ୍ଷ ଯୋଦ୍ଧା ପାଇଲା ନାହିଁ । ଶେଷରେ ବାଳୀ ପାଖକୁ ଆସି ଯୁଦ୍ଧ ମାଗିଲା । ବାଳୀ ତାକୁ ଯୁଦ୍ଧରେ ମାରି ଏହି ପର୍ବତକୁ ଫିଙ୍ଗିଦେଲା । ଏହି ଦେଖ, ପର୍ବତ ତଳେ ପ୍ରକାଣ୍ତ ଗିରିଚୂଡ଼ା ତୁଲ୍ୟ ତାହାର ଅସ୍ଥିପଞ୍ଜର ପଡ଼ି ରହିଛି । ବାଳୀ ତାକୁ ଫିଙ୍ଗିଦେଲାବେଳେ ତାହାର ରକ୍ତ ଏହି ପର୍ବତସ୍ଥ ମତଙ୍ଗଋଷିଙ୍କ ଆଶ୍ରମରେ ଓ ମୁନିଙ୍କ ଦେହରେ ପଡ଼ିଲା । ମହର୍ଷି ତାହା ଦେଖି ରୁଷ୍ଟ ହୋଇ ଅଭିଶାପ ଦେଲେ–‘‘ଯେଉଁ ପାମର ଏଭଳି ବୀଭତ୍ସ କର୍ମ କଲା, ଏ ପର୍ବତକୁ ଆସିଲେ ତାହାର ମୁତ୍ୟୁ ଘଟିବ । ସେହି ହେତୁ ବାଳୀ ଭୟରେ ଏ ପର୍ବତର ସୀମା ସୁଦ୍ଧା ମାଡ଼େ ନାହିଁ । ତୁମ୍ଭେ ଏହି ଦୁନ୍ଦୁଭି ଅସ୍ଥିକୁ ଯୋଜନେ ଦୂରକୁ ଫିଙ୍ଗିଦେଇପାରିଲେ ବାଳୀକୁ ମାରିପାରିବ ବୋଲି ବିଶ୍ୱାସ କରିବି-।’’ ରାମଚନ୍ଦ୍ର ଏହା ଶୁଣି ଦୁନ୍ଦୁଭିର ଅସ୍ଥିପଞ୍ଜର ପାଖକୁ ଯାଇ ବାମପାଦର ବୃଦ୍ଧାଙ୍ଗୁଳିଦ୍ୱାରା ତାକୁ ଦଶ ଯୋଜନ ଦୂରକୁ ଫିଙ୍ଗିଦେଲେ । ତେବେ ବି ସୁଗ୍ରୀବ ସବାତାଳେ ପରତେ ଗଲା ନାହିଁ । ସେ କହିଲା–‘‘ବାଳୀ ଫିଙ୍ଗିବାବେଳେ ଅସୁରଦେହ ରକ୍ତମାଂସରେ ଭାରୀ ହୋଇଥିଲା, ଏବେ ଖାଲି ଶୁଷ୍କ ଅସ୍ଥିପଞ୍ଜର ଅଛି । ଏଥିରେ ତୁମ୍ଭର ବଳ ବାଳୀଠାରୁ ଅଧିକ ବୋଲି କିପରି ବୁଝିବି ? ଏହି ଯେ ଏକାଧାଡ଼ିରେ ବଜ୍ର ପରି କଠିନ ସାତଟା ପୃଥୁଳ ଶାଳଗଛ ଅଛି, ଏହାକୁ ଏକାବାଣକରେ ଯେବେ ତୁମ୍ଭେ ଫୁଟାଇପାରିବ, ତେବେ ମୋର ଆଉ କିଛି ସନ୍ଦେହ ରହିବ ନାହିଁ ।’’ ସୁଗ୍ରୀବ ମୁହଁରୁ ଏ କଥା ନ ସରୁଣ ରାମଚନ୍ଦ୍ର ବାଣ ପ୍ରୟୋଗ କରି ସପ୍ତଶାଳ ଭେଦ କରିଦେଲେ । ସେ ବାଣ ସପ୍ତଶାଳ ଫୁଟାଇ, ପୃଥିବୀ ଫୁଟାଇ ପାତାଳକୁ ଗଲା ଏବଂ ପୁଣି ଆସି ରାମଚନ୍ଦ୍ରଙ୍କ ତୂଣୀରରେ ପଶିଲା । ଏ ଅଦ୍ଭୁତ ଶିକ୍ଷା ଦେଖି ସୁଗ୍ରୀବ ଆଖିରୁ ଭୟ ଓ ବିସ୍ମୟରେ ଅଗ୍ନିକଣା ଖସିପଡ଼ିଲା । ସେ ରାମଚନ୍ଦ୍ରଙ୍କ ଗୋଡ଼ ତଳେ ପଡ଼ିଯାଇ କହିଲା–‘‘ପ୍ରଭୋ, ମୁଁ ଅତି ଦୁର୍ବଳ ବିଶ୍ୱାସୀ, ତୁମ୍ଭ ପରାକ୍ରମରେ ସନ୍ଦେହ କରିଥିଲି; ମାତ୍ର ଏବେ ବୁଝିଲି–ଗୋଟାଏ ବାଳୀ କି ଛାର, ତୁମ୍ଭେ ମୃହୂର୍ତ୍ତକେ ସହସ୍ରେ ବାଳୀଙ୍କୁ ସଂହାର କରିପାର । ବନ୍ଧୁବର, ମୋର ଏ କ୍ଷୁଦ୍ରତା, ଏ ଦୁର୍ବଳତା, ଏ ଅବିଶ୍ୱାସ କ୍ଷମାକର ।’’ ରାମଚନ୍ଦ୍ର ବନ୍ଧୁର ଏ କାକୁତି ଶୁଣି ତାକୁ ଭୂମିରୁ ଉଠାଇ ପ୍ରେମରେ ଆଲିଙ୍ଗନ କଲେ ।

ସୁଗ୍ରୀବ ଆଉ କାଳ ବିଳମ୍ବ ନ କରି ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଘେନି କିଷ୍କିନ୍ଧ୍ୟା ଗଡ଼ରେ ଯାଇ ଉପସ୍ଥିତ ହେଲା । ରାମଚନ୍ଦ୍ର, ଅନୁଜ ସହ ବୃକ୍ଷାନ୍ତରାଳରେ ରହିଲେ, ସୁଗ୍ରୀବ ବାଳୀର ସିଂହଦ୍ୱାରରେ ଗର୍ଜନ କରି ତାକୁ ଯୁଦ୍ଧ ନିମନ୍ତେ ଆହ୍ୱାନ କଲା । ବାଳୀ ତାହାର ସଦର୍ପ ଆସ୍ଫାଳନରେ କ୍ରୁଦ୍ଧହୋଇ ଅନ୍ତଃପୁର ମଧ୍ୟରୁ ବାହାରି ଆସିଲା । ତାହାର ପାଟରାଣୀ ମାହାସତୀ ତାରା ତାକୁ ସୁଗ୍ରୀବ ସଙ୍ଗେ ଯୁଦ୍ଧ କରିବାକୁ ନିଷେଧ କଲା, ମାତ୍ର ସେ ସେଥିରେ କର୍ଣ୍ଣଦାନ ନ କରି ଆସି ଯୁଦ୍ଧ କଲା । ଦୁଇ ଭାଇଙ୍କର ତୁମୂଳ ଯୁଦ୍ଧ ଲାଗିଲା । ଏହି ସମୟରେ ରାମଚନ୍ଦ୍ର ବୃକ୍ଷ ଉହାଡ଼ରୁ ବାଣ ମାରି ବାଳୀର ବିଶାଳ ବକ୍ଷଃସ୍ଥଳ ଭେଦ କଲେ । ବାଳୀ ଯନ୍ତ୍ରଣାରେ ଅଧୀର ହୋଇ ରକ୍ତାକ୍ତ କଳେବରରେ ତଳେ ପଡ଼ିଗଲା । ରାମଚନ୍ଦ୍ର ଓ ଲକ୍ଷ୍ମଣ ଆସି ତାହା ଆଗରେ ଠିଆହେଲେ । ବାଳୀ ରାମଚନ୍ଦ୍ରଙ୍କୁ ଚାହିଁ କ୍ଷୀଣକଣ୍ଠରେ କହିଲା–‘‘ପ୍ରଭୋ, ତୁମ୍ଭ ବାଣସ୍ୱରରେ ମୁଁ ଦିବ୍ୟ ଜ୍ଞାନ ଲାଭ କରିଅଛି । ତୁମ୍ଭେ କିଏ, ମୁଁ ଏବେ ଚିହ୍ନିପାରୁଅଛି । ତୁମ୍ଭେ ଗୋଲୋକ-ବିହାରୀ ବିଷ୍ଣୁ । ଦୁଷ୍ଟଦମନ, ଶିଷ୍ଟପାଳନ ଓ ଧର୍ମରକ୍ଷା ନିମନ୍ତେ ନରରୂପରେ ଅବତୀର୍ଣ୍ଣ ହୋଇଛ । ତୁମ୍ଭର ନାରୀଚୋର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିବା ସକାଶେ ସୁଗ୍ରୀବ ସହିତ ମିତ୍ରତା କରିଅଛି, ଏହା ସୁଦ୍ଧା ଜାଣେ । ମୁଁ ତୁମ୍ଭ ହାତରେ ମରିବି, ଆଜି ମୋର ଆନନ୍ଦର ଦିନ । ଆଜି ମୋ ପାପର ଉପଯୁକ୍ତ ପ୍ରତିକାର ହେଲା-। ତୁମ୍ଭ ହାତରେ ମରି ତାରଣ ହେବି, ଏହାଠାରୁ ବଳି ସୁଖ କଅଣ ଅଛି ? ମୋର ଉଚ୍ଛୃଙ୍ଖଳତା, ପଦସ୍ଖଳନ ପ୍ରଭୃତି ପାପ ମୋତେ ନରକରେ ଠାବ ଦେଇଥାନ୍ତା, ତୁମ୍ଭେ ଦୟାକରି ମୋତେ ସେଥିରୁ ଉଦ୍ଧାର କଲ । ଏହା ଯେ ବଞ୍ଚିରହିବାଠାରୁ କୋଟିଏ ଗୁଣରେ ଲାଭ, ଏଥିରେ ସନ୍ଦେହ କଅଣ ଅଛି-? ତୁମ୍ଭେ ପାପୀକୁ ସଂହାର କରି ରାଜଧର୍ମ ପାଳନ କରିଅଛ, ଏହା ସୁଦ୍ଧା ମୋର ଆନନ୍ଦର ଅପର କାରଣ । ଆଉ ମୃତ୍ୟୁକୁ ଭୟ କାହାର ? ମୁତ୍ୟୁ ବୀରର ଅମୃତ ଜୀବନ । ବୀର ମୃତ୍ୟୁରେ ଆନନ୍ଦିତ ହୁଏ । ମୃତ୍ୟୁରୁ ଯେଉଁ ଅମୃତ ଝରେ, ତାହାର ଆସ୍ୱାଦ ବୀର ସିନା ବୁଝେ-। ସେ ଯାହା ହେଉ, ତୁମ୍ଭଠାରେ ଅନ୍ତିମ ମାଗୁଣି ଏହି ଯେ, ତୁମ୍ଭେ ସ୍ୱହସ୍ତରେ ଏ ରାଜପରିବାରର ସୁବ୍ୟବସ୍ଥା କରିଯିବ ।’’ ରାମଚନ୍ଦ୍ର କହିଲେ–‘‘କପିବର, ମୋ ଯୋଗୁଁ ତୁମ୍ଭେ ମୁକ୍ତିଲାଭ କରି ନାହଁ, ତୁମ୍ଭର ଅନୁତାପ ତୁମ୍ଭଙ୍କୁ ପାପରୁ ମୁକ୍ତ କରିଅଛି । ଦେହ ଅପବିତ୍ର ହେଲେ ଜଳରେ ଶୁଦ୍ଧ ହୁଏ । ସେହିପରି ମନ ଅପବିତ୍ର ହେଲେ ତାହା ଅନୁତାପରେ ଶୁଦ୍ଧ ହୁଏ । ଅନୁତାପହିଁ ପାପର ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ୍ତ । ସ୍ୱର୍ଣ୍ଣପର୍ବତ ଦାନରେ ଯେଉଁ ପାପର ପ୍ରାୟଶ୍ଚିତ ହୋଇପାରେ ନାହିଁ, ଏକା ଅନୁତାପରେ ସେ ପାପ ମରିଯାଏ । ତୁମ୍ଭେ ସୁଗ୍ରୀବଙ୍କ ଅଗ୍ରଜ, ସୁତରାଂ ମୋର ବନ୍ଦନୀୟ । ତୁମ୍ଭର ଅନୁରୋଧକୁ ମୁଁ ଆଦେଶ ଜ୍ଞାନରେ ଅବଶ୍ୟ ପାଳନ କରିବି ।’’ ଏହି ସମୟରେ ସୁଗ୍ରୀବ ଆସି ବାଳୀର ସମ୍ମୁଖୀନ ହେବାରୁ ବାଳୀ ସ୍ନେହ-ଶୀତଳ ସ୍ୱରରେ କହିଲା–‘‘ଆୟ ଭାଇ ଆୟ, ତୁ ମୋତେ ମରାଇଲୁ ବୋଲି ଲଜ୍ଜିତ ହ’ନା । ମୋର ଆତ୍ମଦୁଷ୍କରଣୀ, ମୋର ପାପ ମୋତେ ମାରିଛି, ତୋର କିଛି ଦୋଷ ନାହିଁ ସୁଗ୍ରୀବ ! ସାମାନ୍ୟ ଭୁଲକୁ ଗୁରୁତର ଦୋଷ ମଣି ମୁଁ ତୋତେ ଦେଶାନ୍ତର କରିଅଛି । ଗୋଟାଏ ପାର୍ଥିବ ମୋହ ମୋତେ ଆଚ୍ଛନ୍ନ କରିଥିଲା । ରାମଚନ୍ଦ୍ରଙ୍କ ବାଣରେ ସେ ମୋହ ମରିଯାଇଅଛି, ଏବେ ମୁଁ କ୍ରୋଧ, ହିଂସା, ଦ୍ୱେଷ ପ୍ରଭୃତିର ଅତୀତ । ତୋ ପ୍ରତି ମୋର ଶେଷ ଉପଦେଶ ଏତିକି ଯେ–‘‘ତୁ ମିତ୍ରକାର୍ଯ୍ୟରେ ଦେହ, ମନ, ପ୍ରାଣ ସମର୍ପଣ କରିବୁ । ଯେଉଁ ବାଳୀ ରାବଣକୁ କାଖରେ ଯାକି ଆଣିଥିଲା, ତୁ ସେହି ବାଳୀର ଭାଇ ଦୁହିଙ୍କ ଦେହରେ ଏକା ରକ୍ତ ଅଛି । ତୋ ଦ୍ୱାରା ରାମଚନ୍ଦ୍ରଙ୍କର କାର୍ଯ୍ୟ ନିଶ୍ଚୟ ସିଦ୍ଧ ହେବ; ମାତ୍ର ବିଳମ୍ବରେ ହେବ । ମୁଁ ହୋଇଥିଲେ ଏକାଦିନକେ ରାବଣକୁ ମାରି ସୀତାଙ୍କୁ ଆଣି ଦେଇଥାନ୍ତି । ସୁଗ୍ରୀବ, ତାରା ମହା ସାଧ୍ୱୀ, ଆଉ ମହାବୁଦ୍ଧିମତୀ । ତାହାର ସୁମନ୍ତ୍ରଣା ଗ୍ରହଣ କରିବୁ । ସେଥିରେ ତୋର ମଙ୍ଗଳ ହେବ । ବାଳୁତ ଅଙ୍ଗଦ ବଡ଼ ଅଲେଳ, ତାକୁ ପୁତ୍ରବତ୍‌ ସ୍ନେହରେ ନିଜକୁ ଆବରଣ ପରି ରକ୍ଷଣ ପାଳନ କରିବୁ । ଏହି ଦେବଦତ୍ତ ମାଲ୍ୟ ନେଇ କଣ୍ଠରେ ଧାରଣ କର । ଏହା ଯୋଗୁ ତୁ ତ୍ରିଭୁବନରେ ଅଜେୟ ହେବୁ-। ଏ ମୋର ପିତା ଇନ୍ଦ୍ରଙ୍କ ପ୍ରଦତ୍ତ ମାଲ୍ୟ । ଏ ତୋର ରକ୍ଷାକବଚ ହେବ ।’’ ବାଳୀ ଏହା କହି ନିଜ କଣ୍ଠରୁ ମାଲ୍ୟ ବାହାର କରି ସୁଗ୍ରୀବ ହାତକୁ ବଢ଼ାଇଦେଇସାରି ପ୍ରାଣତ୍ୟାଗ କଲା । ସୁଗ୍ରୀବ ଭ୍ରାତୃଶୋକରେ କାନ୍ଦିପକାଇଲା । ଜୀଅନ୍ତେ ଯେ ପରମ ଶତ୍ରୁ, ମରନ୍ତେ ସେ ଆତ୍ମୀୟ । ଧନ୍ୟ ଏ ମାୟାମରୀଚିକାର ଖେଳ !

ଯଥାସମୟରେ ରାଜୋପଚାରରେ ବାଳୀର ଶବଦାହ କରାଗଲା । ରାମଚନ୍ଦ୍ର ସୃଗୀବ ମୁଣ୍ତରେ ଶାଢ଼ୀ ବାନ୍ଧି ତାକୁ କିଷ୍କିନ୍ଧ୍ୟାର ରାଜଗାଦିରେ ବସାଇଲେ । ତାରାକୁ ତାହାର ପଟ୍ଟମହିଷୀ ରୂପରେ ଅଭିଷିକ୍ତ କଲେ । ବାଳୀପୁତ୍ର ଅଙ୍ଗଦ କିଷ୍କିନ୍ଧ୍ୟାର ଯୁବରାଜ ହେଲା । ରାମଚନ୍ଦ୍ରଙ୍କ ପ୍ରସାଦରୁ ସୁଗ୍ରୀବ ହୃତରାଜ୍ୟ ଓ ହୃତସ୍ତ୍ରୀ ପାଇ ପରମ ସୁଖୀ ହେଲା ଏବଂ ଅସାଧାରଣ ଅନୁଗ୍ରହ ହେତୁ ରାମଚନ୍ଦ୍ରଙ୍କ ନିକଟରେ ପ୍ରାଣଭରି କୃତଜ୍ଞତା ଜ୍ଞାପନ କଲା । ଅନନ୍ତର ରାମଚନ୍ଦ୍ର କହିଲେ–‘‘ବନ୍ଧୁ, ତୁମ୍ଭେ ବନରେ ବୁଲି ବହୁ ଦୁଃଖ ପାଇଛ, ଏବେ କିଛିଦିନ ରାଜସୁଖ ଉପଭୋଗ କର । ବର୍ଷାକାଳ ଉପସ୍ଥିତ । ଏହା ଯୁଦ୍ଧ କରିବାର ସମୟ ନୁହେଁ । ମୁଁ ଯାଉଛି, ଏହି ମାଲ୍ୟବାନ ପର୍ବତରେ ଚତୁର୍ମାସ୍ୟା କଟାଇବି । ବର୍ଷା ଚାରି ମାସ ପରେ ହେମନ୍ତ ଋତୁ କାର୍ତ୍ତିକ ମାସରେ ତୁମ୍ଭେ ସୈନ୍ୟ ସଂଗ୍ରହ କରି ମାଲ୍ୟବାନରେ ଯାଇ ଉପସ୍ଥିତ ହେବ । ତେତେବେଳେ ଯାହା କର୍ତ୍ତବ୍ୟ ବିବେଚିତ ହେବ, ତାହା କରାଯିବ ।’’ ସୁଗ୍ରୀବ ଏ ପ୍ରସ୍ତାବରେ ସମ୍ମତ ହୋଇ ଅନୁଚର ପଠାଇ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ପାଇଁ ମାଲ୍ୟବାନ ଶିଖରରେ ସୁରମ୍ୟ କୁଟୀର ପ୍ରସ୍ତୁତ କରାଇଦେଲା । ରାମଚନ୍ଦ୍ର ଓ ଲକ୍ଷ୍ମଣ ସେହି କୁଟୀରରେ ଯାଇ ବାସକଲେ ।

Image

 

ଷୋଡ଼ଶ ପରିଚ୍ଛେଦ

 

ଦେଖୁ ଦେଖୁ ବର୍ଷାକାଳ ଘୋଟି ଆସିଲା । ଘୋର ଘନଘଟାରେ ଚୌଦିଗ ସମାଚ୍ଛନ୍ନ ହେଲା । ଉପଯୁକ୍ତ ଗୁଣଧର ପୁତ୍ର ପିତୃ-ପ୍ରତିଭାକୁ ଆବୃତ କଲା ପରି ସୂର୍ଯ୍ୟକିରଣ-ଜାତ ମେଘପଟଳ ସେହି ସୂର୍ଯ୍ୟକିରଣକୁ ଘୋଡ଼ାଇ ପକାଇଲା । ନଭଃହସ୍ତୀ ମେଘକୁଳର ଗଭୀର ଗର୍ଜନ ଶୁଣି ଅରଣ୍ୟଚାରୀ ମତ୍ତ ବନ୍ତାବଳବୃନ୍ଦ ଯୁଦ୍ଧ ଇଚ୍ଛାରେ ଭୀଷଣ ଚିତ୍କାର କରିବାକୁ ଲାଗିଲେ । ଅନବରତ ଜଳଧାରା ପତନ ଶବ୍ଦରେ ଗିରିକାନନ ଝଙ୍କାରିତ । ସତେ ଯେପରି ଅସଂଖ୍ୟ ବାଦ୍ୟଯନ୍ତ୍ର ଏକ-ସଙ୍ଗରେ ବାଜୁଅଛି । ‘‘ଦୁହିଁଲେ ଅମରବୃନ୍ଦ କାମଧେନୁ ଚିର, ବସୁଧାରେ ବହୁଧାରେ ବର୍ଷିଯାଏ କ୍ଷୀର’’ କୃଷକ କଣ୍ଠରୁ ଏହି ଆନନ୍ଦ ସଙ୍ଗୀତ ଉଠୁଅଛି । ପର୍ବତଚୂଡ଼ାରେ ମେଘର କ୍ରୀଡ଼ା ବଡ଼ ମନୋହର । ମେଘଖଣ୍ତମାନ କରିକରଭ ତୁଲ୍ୟ କେତେବେଳେ ଘନପଲ୍ଲବିତ କୂଟଜ, ତମାଳ, ଲୋଧ୍ର ଓ ଅର୍ଜୁନ ବୃକ୍ଷ ରଚିତ ଇନ୍ଦ୍ରନୀଳ ପାଉଛରେ ଉପରକୁ ଉଠିଯାଉଛନ୍ତି, କେବେ ବା ତରୁକୁଞ୍ଜରେ ଲୁଚକାଳି ଖେଳି ଖେଳି ଖଣ୍ତକ ଦେହରେ ଖଣ୍ତେ କୌତୁକରେ ତଳିପଡ଼ି ତଳକୁ ଖସି ଆସୁଛନ୍ତି । ବେଳେ ବେଳେ ଆକାଶରେ ଇନ୍ଦ୍ରଧନୁ ପଡ଼ିଯାଉଛି । ନୃତ୍ୟଶୀଳ ମୟୂର ବିଚିତ୍ର ପକ୍ଷ ବିସ୍ତାର କରି ସେହି ଶୋଭା ଅନୁକରଣ କରୁଅଛି । ବକପଙ୍‌କ୍ତି ବିନା ସୂତାରେ ଗୁନ୍ଥା କଇଁଫୁଲ ପରି ଉଡ଼ି ବୁଲୁଛନ୍ତି । ମୟୂର, ଡାହୁକ, ଚାତକ, ଭେକ, ଶାମୁକ ଆଉ ଝିଲ୍ଲୀର ପୃଥଳ ଶବ୍ଦ ସର୍ବଦା ବନସ୍ଥଳୀକୁ ମୁଖରିତ କରି ରଖିଅଛି । ତୃଣଗହଳରେ ବନଭୂମି ଆବୃତ । ନବଦୂର୍ବାଦଳ ଉପରେ ସାଧବାଣୀ କୀଟଗୁଡ଼ିକ ଶ୍ୟାମଳ ଗାଲିଚାରେ ଲାଲଫୁଲ ପଡ଼ିଲା ପରି ବଡ଼ ସୁନ୍ଦର ଦିଶୁଛି । ଗିରିନିର୍ଝରମାନ ସମ୍ପଦ-ମଦରେ ମତ୍ତ ହୋଇ ଦୁଇକୂଳ ବୁଡ଼ାଇ ଚାଲିଅଛି । ତାହାର ଗୈରିକ ଜଳ କୂଟଜ କଦମ୍ଭ ଫୁଲର ପରାଗରେ ଆଚ୍ଛନ୍ନ ହୋଇଅଛି । ଜାମୁଗଛର ଡାଳରେ କଞ୍ଚା, ଦରପାକଲା, ପାକଲା କୋଳିଗୁଡ଼ିକ ମରକତ, ପଦ୍ମରାଗ, ନୀଳା ଏକତ୍ର ଗୁନ୍ଥାହେଲା ପ୍ରାୟ ଦିଶୁଅଛି । ପର୍ବତରାଜ ମାଲ୍ୟବାନ ବର୍ଷାକାଳରେ ଅପୂର୍ବ ଉତ୍ସବବେଶରେ ସଜ୍ଜିତ ହୋଇ ନୟନ ମନ ହରଣ କରୁଅଛି । ରାମଚନ୍ଦ୍ର ଲକ୍ଷ୍ମଣଙ୍କ ସହ ସେହି ଗିରିଶିଖରରେ ଚତୁର୍ମାସ୍ୟା ଯାପନ କରିବାକୁ ଲାଗିଲେ । ଅଗସ୍ତ୍ୟ ମାର୍କଣ୍ତେୟ ପ୍ରଭୃତି ସିଦ୍ଧତପା ଋଷିମାନେ ଅଧିକାଂଶ ସମୟରେ ରାମଚନ୍ଦ୍ରଙ୍କ କୁଟୀରକୁ ଆସୁଥିଲେ-। ସେମାନଙ୍କ ସଙ୍ଗେ ସଦାଳାପ କରି ଓ ବର୍ଷା-ପ୍ରକୃତିର ସମ୍ମୋହନ ଶୋଭା ଦେଖି ରାମଚନ୍ଦ୍ର ସୀତାଙ୍କ ବିଚ୍ଛେଦଶୋକ କଥଞ୍ଚିତ ବିସ୍ମୃତ ହୋଇଥିଲେ ।

 

କ୍ରମେ ବର୍ଷାକାଳ ପରେ ଶରତ୍‌କାଳ ଯାଇ ହେମନ୍ତ ଉପସ୍ଥିତ ହେଲା । ଜଳ, ପଙ୍କ ଶୁଖିଯାଇ ପଥ ଘାଟ ସୁଗମ ହୋଇଗଲା । ଏହି ହେମନ୍ତକାଳହିଁ ଯୁଦ୍ଧାନୁକୂଳର ଉପଯୁକ୍ତ ସମୟ; କିନ୍ତୁ ସୁଗ୍ରୀବ ଅବଧି ଥାଟ ଘେନି ଆସିଲା ନାହିଁ । ରାମଚନ୍ଦ୍ର ଉଦ୍‌ବିଗ୍ନ ହୋଇଉଠିଲେ । ତାଙ୍କର ଦିନ ସରିଲା ନାହିଁ–ଦିନକ ବର୍ଷକ ପରି ଦୀର୍ଘ ହୋଇ ଉଠିଲା । ତହୁଁ ସେ ସୁଗ୍ରୀବକୁ ସ୍ମରଣ କରାଇଦେବା ପାଇଁ ଲକ୍ଷ୍ମଣଙ୍କୁ ପଠାଇଲେ । ଲକ୍ଷ୍ମଣ କିଷ୍କିନ୍ଧ୍ୟାରେ ପହଞ୍ଚି ସୁଗ୍ରୀବକୁ ରାମଚନ୍ଦ୍ରଙ୍କର ଆଦେଶ ଜଣାଇଲେ । ସୁଗ୍ରୀବ ସୈନ୍ୟ ସଂଗ୍ରହ ସକାଶେ ହନୁମାନ, ଅଙ୍ଗଦ ପ୍ରଭୃତି ପ୍ରଧାନ ପ୍ରଧାନ ବୀରମାନଙ୍କୁ ନାନା ସ୍ଥାନକୁ ପଠାଇଲେ । ହିମାଳୟଠାରୁ ବିନ୍ଧ୍ୟଗିରି ପର୍ଯ୍ୟନ୍ତ ଯେତେ ବାନର ଥିଲେ, ସୁଗ୍ରୀବଙ୍କ ଆହ୍ୱାନରେ ସମସ୍ତେ ଆସି କିଷ୍କିନ୍ଧ୍ୟାରେ ମିଳିତ ହେଲେ ।

 

ସୁଗ୍ରୀବ ସେମାନଙ୍କୁ ଘେନି ଲକ୍ଷ୍ମଣଙ୍କ ସଙ୍ଗରେ ମାଲ୍ୟବାନ ପର୍ବତ ଅଭିମୁଖରେ ଯାତ୍ରା କଲା । ଦୈତ୍ୟ ପରି ଭୟଙ୍କର ମହାବଳଶାଳୀ ବିବିଧ ବର୍ଣ୍ଣର ବିରାଟ ବାନର ବାହିନୀ କିଳିକିଳା ନାଦ କରି ଅଗ୍ରସର ହେଲା । ସେମାନଙ୍କ ମୁଖନିଃସୃତ ‘‘ରାମଲକ୍ଷ୍ମଣଙ୍କର ଜୟ, ସୁଗ୍ରୀବଙ୍କର ଜୟ, ସୁଗ୍ରୀବଙ୍କର ଜୟ’’ ଶବ୍ଦରେ ଆକାଶ ଫାଟିଗଲା ପରି ବୋଧ ହେଲା । ଯଥାସମୟରେ ସୁଗ୍ରୀବ ପର୍ବତ ଉପରେ ଯାଇ ରାମଚନ୍ଦ୍ରଙ୍କୁ ଦର୍ଶନ କଲା ଏବଂ ଭକ୍ତିରେ ଅଭିବାଦନ କରି ତାଳ, ତମାଳ ପ୍ରଭୃତି ସୁମଧୁର ରସାଳ ଫଳ ଓ ନାନାବିଧ ସୁପକ୍ୱ କୋଳି ଭେଟି ଦେଲା । ରାମଚନ୍ଦ୍ର ବନ୍ଧୁକୁ ସାଗ୍ରହ ଆଲିଙ୍ଗନ ପୂର୍ବକ ତାହାର ଭକ୍ତିପ୍ରୀତିପ୍ରଦତ୍ତ ସାମାନ୍ୟ ଉପହାରକୁ ବହୁମୂଲ୍ୟଜ୍ଞାନରେ ଗ୍ରହଣ କଲେ । ଶ୍ରଦ୍ଧା-ଭକ୍ତି ସିନା ପଦାର୍ଥର ମୂଲ୍ୟ ଓ ଗୌରବ ବଢ଼ାଏ । ରାମଚନ୍ଦ୍ର ଆକାଶର ନକ୍ଷତ୍ର ପରି ଅକଳିତ ସୈନ୍ୟ ସମାବେଶ ଦେଖି ଆନନ୍ଦ ଓ ବିସ୍ମୟରେ ଅଭିଭୂତ ହୋଇଗଲେ । ଅଧିକନ୍ତୁ ସୁଗ୍ରୀବର କ୍ଷମତାକୁ ବାରମ୍ବାର ପ୍ରଶଂସା କଲେ ।

 

ଅନନ୍ତର ସୁଗ୍ରୀବ ସୀତାଙ୍କୁ ଖୋଜିବା ପାଇଁ ପ୍ରଧାନ ପ୍ରଧାନ ଯୂଥପତିମାନଙ୍କୁ ଚାରିଦିଗକୁ ପଠାଇଲେ । ଯିବା ଆସିବା ସକାଶେ ସେମାନଙ୍କୁ ମାସେ ସମୟ କଣ୍ଟ ଦିଆଗଲା । ମାସକରୁ ଅଧିକ ହେଲେ କଠୋର ଶାସ୍ତି ଦିଆଯିବାର ଘୋଷଣା କରାଗଲା । ସେଥିମଧ୍ୟରୁ ହନୁମାନ ପ୍ରଭୃତି କେତେ ଜଣ ବିଖ୍ୟାତ ବୀର ଦକ୍ଷିଣ ଦିଗକୁ ପ୍ରେରିତ ହେଲେ । ହନୁମାନର ସ୍ୱଭାବ, ଚରିତ୍ର ଓ ବ୍ୟବହାରରେ ରାମଚନ୍ଦ୍ର ତାକୁ ପରମ ବିଶ୍ୱାସୀ ଜ୍ଞାନ କରନ୍ତି । ସେ ହନୁମାନକୁ ଡାକି ନିଜର ନାମାଙ୍କିତ ରତ୍ନମୁଦ୍ରିକା ତାହା ହସ୍ତରେ ଦେଇ କହିଲେ–‘‘ବତ୍ସ, ତୁମ୍ଭର ଯେପରି ଅତୁଳ ପ୍ରଭାବ ଆଉ ଅବ୍ୟାହତ ଗତି, ସେଥିରେ ତୁମ୍ଭେ ସୀତାଙ୍କୁ ଖୋଜି ଠାବ କରିବ ବୋଲି ମୋର ବିଶ୍ୱାସ । ତୁମ୍ଭେ ଏହି ମୁଦ୍ରିକାଟି ସୀତାଙ୍କୁ ଅଭିଜ୍ଞାନସ୍ୱରୁପ ଦେଖାଇଲେ ସେ ନିଶ୍ଚୟ ତୁମ୍ଭଙ୍କୁ ମୋର ଦୂତ ବୋଲି ବିଶ୍ୱାସ କରିବେ ।’’ ହନୁମାନ ମୁଦ୍ରିକା ଧରି ରାମଚନ୍ଦ୍ର, ଲକ୍ଷ୍ମଣ ଓ ସୁଗ୍ରୀବଙ୍କ ପଦବନ୍ଦନପୂର୍ବକ ସହକାରୀମାନଙ୍କ ସହିତ ଦକ୍ଷିଣ ଦିଗକୁ ଯାତ୍ରାକଲା–ଅନ୍ୟାନ୍ୟ ବାନର ବୀର ନିଜର ନିରୂପିତ ଦିଗକୁ ଗଲେ ।

 

ପ୍ରତାପୀ ବାନର ଦୂତମାନେ ଚାରିଦିଗକୁ ଯାଇ ସୀତାଙ୍କୁ ଖୋଜିବାକୁ ଲାଗିଲେ । ସେମାନେ ଗତି ପଥରେ ବହୁନଦୀ, ଉପନଦୀ ପାରହୋଇ ନଗର ଗ୍ରାମ, ପ୍ରାନ୍ତର, ବନ ପର୍ବତ, କାନ୍ତାର କନ୍ଦରା, ଘାଟି, ତୀର୍ଥ, ଦେବାଳୟ ସବୁ ସ୍ଥାନରେ ଖୋଜିଲେ । ଏକ ସ୍ଥାନରେ ଦୋହରାଇ, ଦେହେରାଇ ଅନେକ ଥର ଖୋଜିଲେ; ମାତ୍ର କେଉଁଠି ଜନକନନ୍ଦନୀ ରାମ-ରମଣୀ ସୀତାଙ୍କର ଭେଟ ପାଇଲେ ନାହିଁ କିମ୍ବା କାହାରିଠାରୁ ତାଙ୍କର ସନ୍ଦେଶ ସୁଦ୍ଧା ପାଇଲେ ନାହିଁ । ଦେଖୁ ଦେଖୁ ଏକମାସ ପୂର୍ଣ୍ଣ ହେବାକୁ ବସିଲା । ବୀର ବାନରମାନେ ଅବିଶ୍ରାନ୍ତ ଭାବରେ ଖୋଜି ଖୋଜି ବ୍ୟର୍ଥ ଆକାଙ୍‌କ୍ଷାର ଗୁରୁଭାର ବହନ କରି ହତାଶ ହୋଇ ପଡ଼ିଲେ । ଅକୃତକାର୍ଯ୍ୟତାକୁ ବୀରମାନେ ଘୋର ଅପମାନ ମଣନ୍ତି । ଏମନ୍ତ କି ମୃତ୍ୟୁଠାରୁ ଅଧିକ ଜ୍ଞାନ କରନ୍ତି । ଦକ୍ଷିଣ ବ୍ୟତୀତ ଅନ୍ୟ ତିନି ଦିଗର ଦୂତମାନେ କଣ୍ଟ ନ ପୁରୁଣୁ ଶୁଷ୍କ ମୁଖରେ ଫେରି ଆସି ସୁଗ୍ରୀବକୁ ନିରାଶ-ବାର୍ତ୍ତା ଜଣାଇଲେ; ମାତ୍ର ସୁଗ୍ରୀବ ବିଚଳିତ ହେଲା ନାହିଁ । ଦକ୍ଷିଣ ଦିଗଗାମୀ ଦୂତମାନଙ୍କ ଦ୍ୱାରା କାର୍ଯ୍ୟ ସିଦ୍ଧ ବୋଲି ତାହାର ସମ୍ପୂର୍ଣ୍ଣ ଧାରଣା ଥିଲା ।

 

ଏଣେ ଦକ୍ଷିଣ ଦିଗକୁ ପ୍ରେରିତ ଅଙ୍ଗଦ, ହନୁମାନ ପ୍ରଭୃତି ଅନେକ ଅଗମ୍ୟ ସଙ୍କଟ ସ୍ଥାନରେ ବୁଲି ବୁଲି କ୍ଳାନ୍ତ ହୋଇ ପଡ଼ିଲେ । ଲଜ୍ଜାବଶତଃ ସେମାନେ ଆଉ ଫେରିବାକୁ ଇଚ୍ଛା କଲେ ନାହିଁ; ସମସ୍ତେ ଯାଇ ବିନ୍ଧ୍ୟ ପର୍ବତରେ ପ୍ରାୟୋପବେଶନ କରି ରହିଲେ । ଖାଦ୍ୟ ପାନ ଛାଡ଼ି ଉପବାସରେ ମୁତ୍ୟୁ ଅପେକ୍ଷାରେ ରହିବାକୁ ପ୍ରାୟୋପବେଶନ କହନ୍ତି । ହନୁମାନ ଦୁଃଖିତ ହୋଇ କହିଲା–‘‘ହାୟ ପ୍ରଭୁ ରାମଚନ୍ଦ୍ର କେତେ ଆଶା କରି ପଠାଇଥିଲେ; ମାତ୍ର ମୁଁ ତାଙ୍କ କାର୍ଯ୍ୟ କରିପାରିଲି ନାହିଁ । ଧନ୍ୟ ଜଟାୟୁ ପକ୍ଷୀ ! ସେ ପ୍ରଭୁଙ୍କ କାର୍ଯ୍ୟରେ ପ୍ରାଣତ୍ୟାଗ କଲା, ତାହାର ସେ ମୃତ୍ୟୁ ଶ୍ଳାଘ୍ୟ ।’’ ସେହି ବିନ୍ଧ୍ୟ ପର୍ବତରେ ଜଟାୟୁର ଅଗ୍ରଜ ‘‘ସମ୍ପାତି’ ନାମକ ପକ୍ଷୀ ବାସ କରିଥିଲା; ସେ ହନୁମାନର ଅନୁତାପ ବାକ୍ୟ ମଧ୍ୟରେ ଜଟାୟୁର ମୁତ୍ୟୁ ସମ୍ବାଦ ଶୁଣି ଅତ୍ୟନ୍ତ ବ୍ୟଥିତ ହୋଇ ହନୁମାନକୁ ତାହାର ପରିଚୟ, ଆଗମନର କାରଣ ଓ ଜଟାୟୁର ମୃତ୍ୟୁ-ବିବରଣ ପଚାରିଲା । ହନୁମାନ ସବୁ ବିସ୍ତୃତ ଭାବରେ କହିଗଲା । ସମ୍ପାତି ତାହା ଶୁଣି ଭ୍ରାତୃ-ଶୋକରେ କାନ୍ଦିପକାଇ କହିଲା–‘‘ଜଟାୟୁ ମୋର ସାନ ଭାଇ, ସେ ବଡ଼ ଭାଗ୍ୟବାନ୍‍-ପ୍ରଭୁଙ୍କ କାର୍ଯ୍ୟରେ ପ୍ରାଣ ଦାନ କଲା । ମୁଁ ଅଭାଜନ, ମୋର ସେ ସୌଭାଗ୍ୟ କାହିଁ ? ତଥାପି ମୁଁ ରାମଚନ୍ଦ୍ରଙ୍କର କିଛି ଉପକାର କରିବି । ତୁମ୍ଭେମାନେ ଆଉ ଅନାହାରରେ ମର ନାହିଁ, ସୀତା ଯେଉଁଠି ଅଛନ୍ତି, ମୁଁ କହିଦେବି-ତୁମ୍ଭେମାନେ ସେଠାକୁ ଯାଇ ତାଙ୍କୁ ଦେଖି ଆସି ଶୀଘ୍ର ରାମଚନ୍ଦ୍ରଙ୍କୁ ସମ୍ବାଦ ଦିଅ । ଦିବ୍ୟ ଦୃଷ୍ଟି ପ୍ରଭାବରେ ମୁଁ ସବୁ ଦେଖିପାରେଁ । ରାବଣ ସୀତାଙ୍କୁ ନେଇ ଲଙ୍କାର ଅଶୋକ ବନରେ ଅସୁରୁଣୀ ଜଗାଇ ରଖିଅଛି-ତୁମ୍ଭେମାନେ ସମୁଦ୍ର ପାରହୋଇ ଯାଇ ତାଙ୍କୁ ଦେଖି ଆସ ।’’ ଏହା ଶୁଣି ବାନର ଦୂତମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ସମସ୍ତେ ଉତ୍ସାହରେ ମାତିଉଠିଲେ । ସମୁଦ୍ର ଶତଯୋଜନ ବିସ୍ତୃତ । କିଏ ଲଙ୍ଘନ କରି ଲଙ୍କାକୁ ଯାଇପାରିବ, ସେଥିର ଆଲୋଚନା ଲାଗିଲା । ଶେଷରେ ସ୍ଥିର ହେଲା ମହାବୀର ହନୁମାନ ବ୍ୟତୀତ ଏ କାର୍ଯ୍ୟ ଅନ୍ୟର ସାଧ୍ୟାୟତ୍ତ ନୁହେଁ । ତହୁଁ ସମସ୍ତେ ସମୁଦ୍ର ଡେଇଁ ଲଙ୍କାକୁ ଯିବା ସକାଶେ ହନୁମାନକୁ କହିଲେ । ଅସାଧ୍ୟ ସାଧନ ହନୁମାନ ଆନନ୍ଦରେ ସମ୍ମତ ହୋଇ ସମସ୍ତଙ୍କର ହର୍ଷ ବର୍ଦ୍ଧନ କଲା । ବିନ୍ଧ୍ୟପର୍ବତ ଉପରୁ ଲଙ୍କାକୁ ହୁମ୍ପା ମାରିବାବେଳେ ହନୁମାନର ଦେହ ଭାରରେ ବିନ୍ଧ୍ୟ ତଳକୁ ପଶିଯିବାର ଆଶଙ୍କା ହେବାରୁ ବାନର ବୀରମାନେ ସମ୍ପାତିଠାରୁ ବିଦାୟ ନେଇ ମହେନ୍ଦ୍ରବନ୍ଦକ, ବିରାଟକାୟ, ସପ୍ତଚୂଡ଼ ମହେନ୍ଦ୍ର ଅଭିମୁଖରେ ଯାତ୍ରା କଲେ । ମହେନ୍ଦ୍ର ଗିରିର ପୀତ ଅତି ପୃଥୁଳ ଓ ବହୁଦୂର ବିସ୍ତୃତ । କାମରୂପୀ ହନୁମାନର ବିରାଟ ଦେହଭାର ସେହି ଯକ୍ଷକିନ୍ନର-ନିବାସ ଶ୍ୟାମକାନ୍ତ ମହେନ୍ଦ୍ର ଏକା ସହିବାକୁ କ୍ଷମ ହେବ । ସମ୍ପାତିର ଡେଣାରେ ପର ଥିଲା ନାହିଁ । ସୀତାଙ୍କ ସନ୍ଦେଶ କହିବାରୁ ସେଥିରେ ନୂଆ ପର କଞ୍ଚେଇଉଠିଲା । ସେ ଆନନ୍ଦିତ ହୋଇ ରାମଚନ୍ଦ୍ରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା । ଅନନ୍ତର ଜଟାୟୁର ମୃତ୍ୟଘଟିତ ଅଶୌଚ ସ୍ନାନ କରିବା ସକାଶେ ସମୁଦ୍ର ଆଡ଼କୁ ଉଡ଼ିଗଲା । ଏଣେ ହନୁମାନ ସଙ୍ଗୀମାନଙ୍କୁ ବିନ୍ଧ୍ୟ ପର୍ବତରେ ଅପେକ୍ଷା କରି ରହିବାକୁ କହି, ସମସ୍ତଙ୍କୁ ବାଟରୁ ବାହୁଡ଼ାଇଦେଇ ଏକାକୀ ମହେନ୍ଦ୍ରମାଳରେ ପ୍ରବେଶ କଲା; ମହେନ୍ଦ୍ରର ସର୍ବୋଚ୍ଚ ଶିଖର ଉପରେ ଚଢ଼ି ପୂର୍ବ ଆଡ଼କୁ ଅନାଇଲା-। ସମୁଦ୍ର ମହେନ୍ଦ୍ରର ବିଶାଳ ବାରି ମୁକୁର ପରି ଦିଶିଲା । ଯୋଗିବର ହନୁମାନ ‘ଜୟ ରାମଚନ୍ଦ୍ର’ ଉଚ୍ଚାରଣ ପୂର୍ବକ ସେହି ମହେନ୍ଦ୍ର ପର୍ବତ ଉପରୁ ଲଙ୍କାକୁ ଲମ୍ଫ ପ୍ରଦାନ କରି ଯୋଗବଳରେ ଆକାଶମାର୍ଗରେ ଗମନ କଲା । ପବନ-ପୁତ୍ର ହନୁମାନ ପବନ ଗତିରେ ପକ୍ଷୀ ପରି ଉଡ଼ି ଚାଲିଲା । ବାଟରେ ସିଂହକା ନାମ୍ନୀ ଦୂରନ୍ତା ରାକ୍ଷସୀ ତାହାର ଗତିରୋଧର ଚେଷ୍ଟା କରିବାରୁ ହନୁମାନ ତାକୁ ଦୁଇଫାଳ କରି ଚିରି ତଳକୁ ପକାଇଦେଲା । ଅସୁରୁଣୀର ପ୍ରକାଣ୍ତ ମୃତଦେହ ସମୁଦ୍ରରେ ଆସି ପଡ଼ିଲା । ହନୁମାନ ଦୁଷ୍ଟା ରାକ୍ଷସୀକୁ ସଂହାର କରି ବିଦ୍ୟୁତ୍‌ଗତିରେ ଯାଇ ଲଙ୍କା ମଧ୍ୟସ୍ଥ ସୁବଳୟ ପର୍ବତ ଉପରେ ଓହ୍ଲାଇଲା । ମହାବଳୀ ହନୁମାନ ଏକ ହୁମ୍ପାରେ ଶତଯୋଜନ ସମୁଦ୍ର ପାରହୋଇ ଗଲା ।

Image

 

Unknown

ସପ୍ତଦଶ ପରିଚ୍ଛେଦ

 

ମହାବୀର ହନୁମାନ ସୁବଳୟ ପର୍ବତ ଉପରୁ ଲଙ୍କା ନଗରୀ ଦର୍ଶନ କରି ମୁଗ୍‍ଧ ଚକିତ ହୋଇଗଲା । ସେ ମନେ ମନେ ଭାବିଲା–‘‘ଏ ନଗରୀ ନା କଳ୍ପନାରେ ସୃଷ୍ଟ, ସ୍ୱପ୍ନରେ ଘେରା ଖଣ୍ତିଏ ଅପୂର୍ବ କମନୀୟ ଛବି ! ଏହାକୁ ଧରଣୀର ଅଳଙ୍କାର କହିଲେ ଠିକ୍‍ହେବ ନାହିଁ । ଅମରାବତୀ ଏହାକୁ କଡ଼ାକର ଲଛ ନୁହେଁ । ତେବେ ଅମରାବତୀର ଭୂଷଣମଣିର ଜ୍ୟୋତି ବୋଲି କହିଲେ କଣିକାଏମାତ୍ର ସଙ୍ଗତ ହୋଇପାରେ । ଉଃ, ଏସବୁ ଘର ନା ରତ୍ନକୁଢ଼ ? ସୃଷ୍ଟିର ସବୁ ରତ୍ନ କି ଏହିଠାରେ ଏକତ୍ରିତ ହୋଇଅଛି ? ତେବେ ଏହାକୁ ରତ୍ନଲଙ୍କା ନ କହି ସ୍ୱର୍ଣ୍ଣଲଙ୍କା କାହିଁକି କହନ୍ତି-? ଗୃହର କାନ୍ଥଚାଳ ସବୁ ସୁବର୍ଣ୍ଣ-ନିର୍ମିତ । ତହିଁରେ ବିବିଧ ବର୍ଣ୍ଣର ରତ୍ନ ଜଡ଼ିତ ହୋଇ ଝଲମଲ ଦିଶୁଛି । ମଣି, ମାଣିକ୍ୟ, ହୀରା, ନୀଳା, ମୁକ୍ତା, ପ୍ରବାଳ ପ୍ରଭୃତି ରତ୍ନର ଜ୍ୟୋତିରେ ରାତି ଦିନ ପରି ଜଣାଯାଏ । ଆହା, ଗଡ଼ର ପ୍ରାଚୀର କି ସୁନ୍ଦର ! ତାହାର ଇଟା ରତ୍ନରେ ନିର୍ମିତ କି କାନ୍ଥ ଇନ୍ଦ୍ରଧନୁର ଜ୍ୟୋତିରେ ଲିପା ହୋଇଛି, କିଛି ବାରି ହେଉ ନାହିଁ । ସେହି ପ୍ରାଚୀର ମେଘମାନଙ୍କର ଗତିରୋଧ କରି ସଗର୍ବରେ ଠିଆହୋଇଅଛି । ପ୍ରତି ଗୃହଚୂଡ଼ାରେ ସୁବର୍ଣ୍ଣ କଳସ ଉପରେ ବିବିଧ ବର୍ଣ୍ଣର ପତାକା ଉଡ଼ୁଅଛି । ସତେ ଯେପରି ନଗରୀ ହାତ ହଲାଇ ‘‘ସୃଷ୍ଟିରେ ମୋ ପରି କେହି ନାହିଁ–ନାହିଁ–ନାହିଁ’’ ବୋଲି ସଙ୍କେତରେ କହୁଅଛି ।’’ ହନୁମାନ ଏହିପରି ପ୍ରଶଂସା କରି ଲଙ୍କାନଗରୀକୁ ଲୁବ୍‍ଧ ଦୃଷ୍ଟିରେ ଚାହିଁ ରହିଲା । ଲଙ୍କେଶ୍ୱର ରାବଣର ବିଭବ ଅନନ୍ତ । ତାହା କିଏ କଳିପାରିବ ? କେତେ ସ୍ଥାନରେ କେତେ ପ୍ରକୃତ ଓ କୃତିମ ଉଦ୍ୟାନ ରହି ନଗରୀର ଶୋଭା ବୃଦ୍ଧି କରୁଅଛି । କୃତ୍ରିମ ଉପବନସ୍ଥ ବୃକ୍ଷଲତାର କାଣ୍ତ, ଶାଖା ପତ୍ର, ଫୁଲ କଢ଼ି, ଫଳ ସବୁ ବିବିଧ ଭାସ୍ୱର ରତ୍ନରେ ନିର୍ମିତ । ଶାଖା ଉପରେ ଉପବିଷ୍ଟ ପକ୍ଷୀଗୁଡ଼ିକ ସୁଦ୍ଧା ବହୁବର୍ଣ୍ଣ-ରତ୍ନନିର୍ମିତ । ପୁଷ୍କରିଣୀମାନଙ୍କର ଚାରି ପାଖରେ ହୀରକ ପାଉଛ ବନ୍ଧା ହୋଇଅଛି । ତୁଠରେ ପଦ୍ମରାଗ, ମରକତ ପ୍ରଭୃତି ବଡ଼ ବଡ଼ ମଣିମୁଣ୍ତା ପଡ଼ିରହି ରମଣୀମାନଙ୍କର ଗୋଡ଼ଘଷା ପଥରରୂପେ ବ୍ୟବହୃତ ହେଉଅଛି । ହନୁମାନ ଏହିପରି ଅନେକ ଦେଖି ଦୀର୍ଘ ନିଃଶ୍ୱାସ ପକାଇ କହିଲା–‘‘ହାୟ ରାବଣ, ତୁ କି କଠୋର ତପସ୍ୟା କରି ଏ ଅତୁଳ ପ୍ରାଧାନ୍ୟ, ସମ୍ପଦ ଓ ଆଧିପତ୍ୟ ଲାଭ କରିଥିଲୁ, ମାତ୍ର ସେଥିର ସଦ୍‍ବ୍ୟବହାର କରିପାରିଲୁ ନାହିଁ । ନିଜର ଦୁଷ୍କରଣୀ ହେତୁ ତାହା ସବୁ ହରାଇ ଶେଷରେ ନିଜର ପ୍ରାଣ ହରାଇବୁ ସିନା । ତୋର ଦୁର୍ଭାଗ୍ୟ ଦେଖି ତୋର ଶତ୍ରୁ ସୁଦ୍ଧା କାନ୍ଦିପକାଇବ-।’’

ଅନନ୍ତର ହନୁମାନ ଛଦ୍ମବେଶ ଧରି ରାତିରେ ରାବଣ ନଅର ମଧ୍ୟରେ ପ୍ରବେଶ କଲା । ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଆସି ତାକୁ ବାଟ ଓଗାଳିଲେ; ମାତ୍ର ହନୁମାନ ଦ୍ୱାରା ପରାସ୍ତ ହୋଇ ଅନ୍ତର ହୋଇଗଲେ । ସ୍ୱୟଂ ବିଶ୍ୱପତି ବିଶ୍ୱାସ୍ତ୍ରୀଙ୍କର ଯେ ଭକ୍ତ, ସେବକ, କେ ରୋଧିବ ଗତି ତାର-? ଯେ ନିଜେ ବିପୁଳ ଶକ୍ତିଧର, ପୁଣି ଦୈବୀ ମହାଶକ୍ତିରେ ଆଚ୍ଛନ୍ନ, ତାକୁ ପରାଜୟ କରିବାକୁ ସମର୍ଥ କିଏ ? ହନୁମାନ ନଅର ମଧ୍ୟରେ ପଶି କୁମ୍ଭକର୍ଣ୍ଣ, ଅତିକାୟ, ଇନ୍ଦ୍ରଜିତ, ବିଭୀଷଣ, ବଜ୍ରଦଂଷ୍ଟ୍ର, ପ୍ରହସ୍ତ ପ୍ରଭୃତି ବଡ଼ ବଡ଼ ରାକ୍ଷସ ବୀରମାନଙ୍କର ଘରେ ଏବଂ ଅନ୍ୟତ୍ର ସନ୍ଧିକନ୍ଦି ଅନ୍ୱେଷଣ କରି ସୀତାଙ୍କୁ ପାଇଲା ନାହିଁ । ତହୁଁ ଯାଇଁ ରାବଣର ଅନ୍ତଃପୁର ମଧ୍ୟରେ ପ୍ରବେଶ କଲା; ମାତ୍ର ସେଠାରେ ସୁଦ୍ଧା ରାମପ୍ରାଣୀ ବୈଦେହୀଙ୍କୁ ଦେଖିଲା ନାହିଁ । ଶେଷରେ ଅଶୋକ ବନରେ ପଶି ଦେଖିଲା–ଯଜ୍ଞାନଳଶିଖାରୁପିଣୀ ରାକ୍ଷସୀ--ପରିବେଷ୍ଟିତା ଶୋକଶୀର୍ଣ୍ଣା ଜାନକୀ ରୂପପ୍ରଭାରେ ଦିଗ ଆଲୋକିତ କରି ବସିଅଛନ୍ତି । ପତିବିଚ୍ଛେଦବିଧୂରା ସତୀଙ୍କର ଅସ୍ଥିଶିରା ଗଣି ହେଉଅଛି । ସେ ଗାଲରେ ହାତ ଦେଇ ମହା ଚିନ୍ତାରେ ଶୂନ୍ୟ ଦୃଷ୍ଟିରେ ବସିଅଛନ୍ତି । ହନୁମାନ ତାଙ୍କୁ ଦେଖି ମନରେ ଭାବିଲା–ଏହି ଭକ୍ତି-ଆକର୍ଷିଣୀ ଦେବୀମୂର୍ତ୍ତି ନିଶ୍ଚୟ ସୀତା; ଏଥିରେ କିଛି ସନ୍ଦେହ ନାହିଁ । ଏହି ସମୟରେ ରାକ୍ଷସୀମାନେ ସ୍ନାନ କରିବାକୁ ଉଠିଗଲେ । ହନୁମାନ ସୀତାଙ୍କୁ ଏକାକିନୀ ଦେଖି ସେ ଧୀରେ ଧୀରେ ତାଙ୍କ ପାଖକୁ ଯାଇ ସାଷ୍ଟାଙ୍ଗ ଦଣ୍ତବତପୂର୍ବକ କର ଯୋଡ଼ି ନିଜର ପରିଚୟ ଓ ଆଗମନର କାରଣ ଜଣାଇଲା ଏବଂ ବିଶ୍ୱାସ ଜନ୍ମାଇବା ନିମିତ୍ତ ରାମଚନ୍ଦ୍ରଙ୍କ ଅଭିଜ୍ଞାନ ମୁଦ୍ରିକା ତାଙ୍କ ହସ୍ତରେ ପ୍ରଦାନ କଲା । ସୀତା ସ୍ୱାମୀ ଦେବତାଙ୍କର ମୁଦ୍ରିକା ଦେଖି ଚିହ୍ନିପାରି ମସ୍ତକରେ ଲଗାଇଲେ ଏବଂ ଅଶ୍ରୁଧାରାରେ ବକ୍ଷ ଭସାଇଦେଲେ । ସେ ମୁଦ୍ରିକାକୁ ଚାହିଁ କ୍ରନ୍ଦନ ଗଦ୍‍ଗଦ କଣ୍ଠରେ କହିଲେ–‘‘ହାୟ, ମୁଁ ପ୍ରଭୁଙ୍କୁ ଛାଡ଼ି ଆସିଥିଲି, ତୁ କି ଛାଡ଼ି ଆସିଲୁ ? ତୁ ସୁଦ୍ଧା କି ମୋହରି ପରି ହତଭାଗିନୀ ? ନ ହେଲେ ପ୍ରଭୁଙ୍କର ଅଙ୍ଗଚ୍ୟୁତ ହୁଅନ୍ତୁ କାହିଁକି ?’’ ସୀତା ଅନେକ କାନ୍ଦିଲେ । ହନୁମାନ ତାଙ୍କୁ ନାନା ପ୍ରକାରରେ ପ୍ରବୋଧ ଦେବାକୁ ଲାଗିଲା । ସୀତା କହିଲେ–‘‘ବତ୍ସ ହନୁମାନ, ଆର୍ଯ୍ୟପୁତ୍ରଙ୍କୁ କହିବୁ–ପାପିଷ୍ଠ ରାବଣ ମୋତେ ଦୁଇମାସ ସମୟ ଦେଇଅଛି । ଏଥିମଧ୍ୟରେ ପ୍ରଭୁ ମୋତେ ଉଦ୍ଧାର ନ କଲେ ପାପୀ ପାପହସ୍ତରେ ନିଶ୍ଚୟ ମୋର ମସ୍ତକ ଛେଦନ କରିବ–ସେ ଏହି କଠୋର ପ୍ରତିଜ୍ଞା କରିଅଛି ।’’ ସୀତା ଏହା କହି ମସ୍ତକରୁ ମଣି ବାହାର କରି ଅଭିଜ୍ଞାନସ୍ୱରୂପ ହନୁମାନ ହାତରେ ଦେଲେ । ହନୁମାନ ତାହାକୁ ମସ୍ତକରେ ଲଗାଇ ଲୁଗାକାନିରେ ବାନ୍ଧି ରଖିଲା । ତହିଁ ପରେ ଦୁଇମାସ ନ ପୁରୁଣୁ ରାମଚନ୍ଦ୍ର ସୈନ୍ୟ ସହ ଆସି ତାଙ୍କୁ ଉଦ୍ଧାର କରିବେ ବୋଲି ଦୃଢ଼ ଭରସା ଦେଇ ତାଙ୍କ ପଦବନ୍ଦନପୂର୍ବକ ତାଙ୍କଠାରୁ ମେଲାଣି ଘେନି ଆସିଲା ।

ବୀରବର ହନୁମାନ ଅଶୋକ ବନରୁ ବାହାରି ଆସି ମନରେ ଭାବିଲା-କ୍ଳୀବ କାପୁରୁଷ ପରି ଲୁଚିକରି ଆସି ଲୁଚିକରି ପଳାଇବା ମୋର ଉଚିତ କି ? ମନରେ ହର୍ଷକୌତୁକର କଲ୍ଲୋଳ ଉଠିବ ନାହିଁ–ଶୂନ୍ୟମୟ ବନ୍ଧ୍ୟା ମନ ଘେନି ଫେରିଯିବା ମୋ ପକ୍ଷରେ ସୁନ୍ଦର ଦିଶିବ ନାହିଁ, କିଞ୍ଚିତ୍‍ ବିକ୍ରମ ପ୍ରକାଶ କରି ରାବଣକୁ ଭୟ ଦେଖାଇ ତାହାର ବଳାବଳ କଳନା କରିଯିବା ଦରକାର ।’’ ପାବନି ଏହିପରି ଭାବି ରାବଣର ସୁରକ୍ଷିତ ମଧୁବନ ତୋଟାରେ ଯାଇ ପଶିଲା । ଜଗତରେ ଯେଉଁଠି ଯେଉଁ ଉତ୍କୃଷ୍ଟ ଫଳବୃକ୍ଷ ଥିଲା, ଦିଗ୍‍ବିଜୟୀ ରାବଣ ତାହାସବୁ ଆଣି ଏହି ତୋଟା ରଚନା କରିଥିଲା । ହନୁମାନ ବାଛି ବାଛି ମଧୁଫଳ ଖାଇ, ଡାଳ ଭାଙ୍ଗି, ଗଛ ଉପାଡ଼ି ବଗିଚା ଧ୍ୱଂସ କରିଦେଲା । ରକ୍ଷକମାନେ ଆସି ଯୁଦ୍ଧ କଲେ, ମାତ୍ର ହନୁମାନ ପିମ୍ପୁଡ଼ି ଯନ୍ଦା ପରି କେତେଗୁଡ଼ାଙ୍କୁ ଗୋଡ଼ରେ ଦଳିଦେଇ ମାରିପକାଇଲା । ଅବଶିଷ୍ଟ ଜଗୁଆଳ ଭୟରେ ପଳାଇଯାଇ କାନ୍ଦି କାନ୍ଦି ରାବଣ ଆଗରେ ଗୁହାରି କଲେ । ରାବଣ ରୁଷ୍ଟ ହୋଇ ହନୁମାନକୁ ବାନ୍ଧିନେବା ପାଇଁ କେତେ ଜଣ ବଡ଼ ବଡ଼ ରାକ୍ଷସରଥୀଙ୍କୁ ଆଦେଶ ଦେଲା । ସେମାନେ ଯାଇ ଯୁଦ୍ଧ କଲେ; ମାତ୍ର ଅଳ୍ପକ୍ଷଣରେ ହନୁମାନଦ୍ୱାରା ନିହତ ହେଲେ । ରାବଣ ଏହା ଶୁଣି କ୍ରୋଧରେ ଜଳିଉଠିଲା । ତହୁଁ ନିଜର ପୁତ୍ର ଅକ୍ଷୟକୁମାରକୁ ଡାକି ଯୁଦ୍ଧକୁ ପଠାଇଲା । ଅକ୍ଷୟ ପ୍ରାଣପଣରେ ଯୁଦ୍ଧ କରି ହନୁମାନ ହସ୍ତରେ କ୍ଷୟପାପ୍ତ ହେଲା । ଶେଷରେ ରାବଣର ପ୍ରଧାନପୁତ୍ର ମହାବୀର ଇନ୍ଦ୍ରଜିତ ଆସି ପାଶ ଅସ୍ତ୍ରରେ ହନୁମାନକୁ ବାନ୍ଧି ଘେନିଗଲା । ସେ ପାଶ ଅସ୍ତ୍ର ବ୍ୟର୍ଥ କରିବାର ଶକ୍ତି ହନୁମାନର ଥିଲା, ମାତ୍ର ସେ ରାବଣକୁ ଦେଖିବା ପାଇଁ ସ୍ୱଇଚ୍ଛାରେ ବନ୍ଧନ ଗ୍ରହଣ କଲା । ହନୁମାନ ରାବଣ ଛାମୁକୁ ନୀତ ହୋଇ ତାକୁ ରାଜା ବୋଲି ଖାତର କଲା ନାହିଁ; ଅଧିକନ୍ତୁ ଅବଜ୍ଞା ପ୍ରଦର୍ଶନ କରି ଜିଗରଜଳା କଟୂଜ ଭାଷାରେ ଭର୍ତ୍ସନା କରିବାକୁ ଲାଗିଲା । ରାବଣ ରୁଷ୍ଟ ହୋଇ ସେହି ଅବଧ୍ୟ ବାନର ପ୍ରତି ପ୍ରାଣଦଣ୍ତର ଆଦେଶ ଦେଲା । ପାତ୍ର ରାଜଭ୍ରାତା ଧାର୍ମିକ ବିଭୀଷଣ ‘‘ଦୂତ ଅବଧ୍ୟ’’ ବୋଲି କହି ଆପତ୍ତି କରିବାରୁ ପ୍ରାଣଦଣ୍ତ ରହିତ ହୋଇ ତତ୍ପରିବର୍ତ୍ତରେ ହନୁମାନର ଲାଙ୍ଗୁଳରେ ନିଆଁ ଲଗାଇଦେଇ ଛାଡ଼ିଦେବାର ଆଦେଶ ହେଲା । ତହୁଁ ରାକ୍ଷସମାନେ ହନୁମାନ ଲାଙ୍ଗୁଳରେ ଲୁଗା ଗୁଡ଼ାଇ ତେଲ ଢାଳି ନିଆଁ ଲଗାଇଦେଲେ । ହନୁମାନ ତତ୍‍କ୍ଷଣାତ୍‍ ବନ୍ଧନ ଛିନ୍ନ କରି ଲମ୍ଫଦେଇ ରାବଣର ଜଗତି ମେଢ଼ ଉପରେ ଯାଇ ବସିଲା । ସେଠାରୁ ଡେଇଁ ଡେଇଁ ଲଙ୍କାର ସବୁ ଘର ଉପରେ ବୁଲିଆସିଲା । ତାହାର ଲାଙ୍ଗୁଳ ଅଗ୍ନିରେ ଘରଯାକ ପୋଡ଼ି ଭସ୍ମ ହୋଇଗଲା । ଅସଂଖ୍ୟ ରାକ୍ଷସରାକ୍ଷସୀ ପୋଡ଼ିମଲେ । ଲଙ୍କାରେ ହାହାକାର ପଡ଼ିଗଲା । ତହୁଁ ହନୁମାନ ସୁବଳୟ ପର୍ବତକୁ ଆସି ଲାଙ୍ଗୁଳରୁ ନିଆଁ ଲିଭାଇ ପକାଇଲା । ଅଗ୍ନିରେ ପୋଡ଼ିବ ନାହିଁ ବୋଲି ସେ ଦେବଦତ୍ତ ବର ପାଇଥିଲା, ସୁତରାଂ ତାହାର ଲାଙ୍ଗୁଳ ଏ ଭୀଷଣ ଅଗ୍ନିଦାହରେ ସୁଦ୍ଧା ଅକ୍ଷତ ରହିଲା । ଏମନ୍ତ କି ତାହା ଲାଙ୍ଗୁଳର ଗୋଟାଏ ଲୋମ ସୁଦ୍ଧା ପୋଡ଼ିଗଲା ନାହିଁ । ବିଶ୍ୱଧର୍ଷଣକ୍ଷମ ହନୁମାନ ସାଫଲ୍ୟମଣ୍ତିତ ହୋଇ ଆନନ୍ଦରେ ସୁବଳୟ ପର୍ବତ ଉପରୁ ଲମ୍ଫ ପ୍ରଦାନପୂର୍ବକ ସମୁଦ୍ର ପାରହୋଇ ମହେନ୍ଦ୍ରଗିରି ଉପରେ ଆସି ନିପତିତ ହେଲା । ସେଠାରୁ ଯାଇ ବିନ୍ଧ୍ୟ ପର୍ବତରେ ସଙ୍ଗୀମାନଙ୍କ ସହିତ ମିଳିତ ହେଲା । ଅଙ୍ଗଦପ୍ରମୁଖ ବାନର ସେନାପତିମାନେ ହନୁମାନଠାରୁ ସମସ୍ତ ଶୁଣି ଆନନ୍ଦରେ କିଳିକିଳା ନାଦ କରିଉଠିଲେ ଏବଂ ଗଭୀର ପ୍ରେମରେ ହନୁମାନକୁ ଅଲିଙ୍ଗନ କରି ଅସଂଖ୍ୟ ଧନ୍ୟବାଦ ପ୍ରଦାନ କଲେ । ସେମାନେ ବିଳମ୍ବ ନ କରି ଶୀଘ୍ର ଏହି ଶୁଭସମ୍ଭାଦ ରାମଚନ୍ଦ୍ର ଓ ସୁଗ୍ରୀବର କର୍ଣ୍ଣଗୋଚର ସକାଶେ ତାଙ୍କ ଅବସ୍ଥାନ ଗିରି ଅଭିମୁଖରେ ଧାବିତ ହେଲେ ।

ବାନର ଦୂତମାନେ ଯଥାସମୟରେ ମାଲ୍ୟବାନ ପର୍ବତ ଉପରେ ଉପସ୍ଥିତ ହୋଇ ରାମଚନ୍ଦ୍ର, ଲକ୍ଷ୍ମଣ ଓ ସୁଗ୍ରୀବଙ୍କ ପାଦ ବନ୍ଦନ କରି ସୀତାଙ୍କୁ ଠାବକରି ଆସିଥିବା ସମ୍ଭାଦ ଜଣାଇଲେ-। ହନୁମାନ ସୀତାଙ୍କ ପ୍ରଦତ୍ତ ଅଭିଜ୍ଞାନ ମଣି ରାମଚନ୍ଦ୍ରଙ୍କ ହସ୍ତରେ ଦେଲା । ରାମଚନ୍ଦ୍ର ତାହାକୁ ସୀତାଙ୍କର ମଣି ବୋଲି ଚିହ୍ନିପାରି ନେଇ ହୃଦୟରେ ଲଗାଇଲେ । ଶୁଭ ସମ୍ଭାଦ ଶୁଣି ସମସ୍ତେ ଆନନ୍ଦରେ ବିଭୋର ହୋଇଗଲେ । ବାନରସେନାଙ୍କ ହର୍ଷଧ୍ୱନିରେ ଆକାଶ ମେଦିନୀ କମ୍ପିଉଠିଲା । ହନୁମାନ ସମୁଦ୍ର ପାରହୋଇ ସୀତାଙ୍କୁ ଠାବ କରିଥିବା ହେତୁ ରାମଚନ୍ଦ୍ର ତାକୁ ସ୍ନେହାନନ୍ଦରେ ଆଲିଙ୍ଗନ କଲେ । ଦକ୍ଷିଣ-ଦୂତମାନେ ସଫଳକାମୀ ହୋଇ ସୁଗ୍ରୀବଙ୍ଗଠାରୁ ମଧ୍ୟ ଯଥେଷ୍ଟ ରାଜପ୍ରସାଦ ଲାଭକଲେ । ରାମଚନ୍ଦ୍ର ଆଉ ବିଳମ୍ବ ନ କରି ଭ୍ରାତୃମିତ୍ର ଓ ବାନର ମହାବାହିନୀ ସହ ଦକ୍ଷିଣ ଦିଗ ଅଭିମୁଖରେ ଯାତ୍ରାକଲେ । ଅଗଣିତ କପିସୈନ୍ୟ ବନ-ପର୍ବତ ବିଦୀର୍ଣ୍ଣ କରି ଚକ୍ରବାଳ ପର୍ଯ୍ୟନ୍ତ ବ୍ୟାପ୍ତହୋଇ ଚାଲିଲେ । ସେମାନଙ୍କ ପ୍ରଚଣ୍ତ କିଳିକିଳା ଶବ୍ଦରେ କର୍ଣ୍ଣ ବଧିର ହୋଇଗଲା । ସେହି ବିରାଟ ବାହିନୀ କେତେ ଦିନ ପରେ ଯାଇ ଦକ୍ଷିଣ ସମୁଦ୍ର କୂଳରେ ଉପସ୍ଥିତ ହେଲା । ରାମଚନ୍ଦ୍ର ବେଳାଭୂମିରେ ସୈନ୍ୟମାନଙ୍କୁ ବ୍ୟୂହ ରଚନା କରି ରଖି ଲକ୍ଷ୍ମଣ ଓ ସୁଗ୍ରୀବ ସହ ଅବସ୍ଥାନ କଲେ । ସୈନ୍ୟ ସମାବେଶଦ୍ୱାରା ସମୁଦ୍ର କୂଳରେ ଦ୍ୱିତୀୟ ମହା ସମୁଦ୍ରର ସୃଷ୍ଟି ହେଲା ।

ତେଣେ ରାବଣ ହନୁମାନ ଦ୍ୱାରା ଉପଯୁକ୍ତ ପରାଭବ ପାଇ ଲଙ୍କାର ସମସ୍ତ ରାକ୍ଷସଙ୍କୁ ଏକତ୍ରିତ କରି କହିଲା–‘‘ତୁମ୍ଭେମାନେ ଏତେ ବୀର, ମହାବୀର ଥାଉଁ ଥାଉଁ ସାମାନ୍ୟ ଗୋଟାଏ ବାନର ଆସି ଏତେ ଉପଦ୍ରବ କରି ଗଲା–କେହି ତାହାର କିଛି କରିପାରିଲ ନାହିଁ ! ତାହାରି କଥାରେ ଚାଳିତ ହୋଇ ରାମ ନିଶ୍ଚୟ ସୈନ୍ୟ ଘେନି ଆସି ଶୀଘ୍ର ଲଙ୍କା ଅବରୋଧ କରିବ । ଏଥିକୁ ଉପସ୍ଥିତ କର୍ତ୍ତବ୍ୟ କଅଣ, ସମସ୍ତେ ମିଳି ତାହା ନିର୍ଦ୍ଧାରଣ କର ।’’ ରାକ୍ଷସମାନେ ନିଜ କ୍ଷମତାର ଅପବାଦ ଶୁଣି ଗର୍ଜିଉଠିଲେ । କେହି କହିଲା–ମୁଁ ବନ୍ଧୁଘରକୁ ଯାଇଥିବାରୁ ବାନର ଏତେ କାଣ୍ତ କରି ଗଲା । କେହି କହିଲା ମୁଁ ଶୋଇପଡ଼ିଥିଲି, ନ ହେଲେ ମାଙ୍କଡ଼ ବାପୁଡ଼ାର ମୁଣ୍ତ ଚାପୁଡ଼ାକରେ ଛିଣ୍ତାଇପକାଇଥାନ୍ତି । କେହି କହିଲା–‘‘ଉର କଥା, ନରବାନରଗୁଡ଼ାକ ଆସନ୍ତୁ । ଅସୁର ଅସୁରୁଣୀଏ ମନଇଚ୍ଛା ଖାଇବେ, ପକାଇ ଡଳାଇଦେବେ, କେତେ ଶୁଖୁଆ କରି ସଙ୍ଗା ଉପରେ ଚତୁର୍ମାସ୍ୟାକୁ ସାଇତି ରଖିବେ । ବିଧାତା ମହାଭୋଜି ସମ୍ଭାର ଆଣି ଦେଇଛି । ସମସ୍ତେ ଆନନ୍ଦରେ ସ୍ଫୂର୍ତ୍ତି କର ।’’ ଅନନ୍ତର ବିଭୀଷଣ କହିଲା, ‘‘ରାକ୍ଷସରାଜ, ଏମାନଙ୍କ ବୃଥା ଆସ୍ଫାଳନରେ କର୍ଣ୍ଣଦାନ କରିବା ଉଚିତ ନୁହେଁ । ଯେଉଁ ବାଳୀ ତୁମ୍ଭଙ୍କୁ କାଖରେ ଯାକି ନେଇଯାଇଥିଲା, ସେହି ବାଳୀକୁ ପୁଣି ଯେ ଏକା କାଣ୍ତକରେ ବଧ କଲା, ତାହା ସଙ୍ଗରେ କି ସାହସରେ ତୁମ୍ଭେ ଶତ୍ରୁତା କରିବ ? ରାମ ତ ତୁମ୍ଭର କିଛି ଅନିଷ୍ଟ କରି ନାହାନ୍ତି, ତୁମ୍ଭେ ତାଙ୍କ ସତୀ ସ୍ତ୍ରୀଙ୍କୁ ହରିଆଣି କଣ୍ଟା ବାଡ଼ରେ ଲୁଗା ପକାଇ କଥା ଭିଆଣ କରିବାକୁ ବସିଛ । ଏ ଅନ୍ୟାୟ ଦୈବ ସହିବ ନାହିଁ । ରାଜନୁଗତ ଧର୍ମ । ରାଜା ଯାହା କରିବେ, ପ୍ରଜାଏ ତାହା ଅନୁକରଣ କରିବେ । ତୁମ୍ଭର ଅନ୍ୟାୟ ଦେଖି ପ୍ରଜାକୁଳ ଅନ୍ୟାୟ କଲେ ସେ ପାପ ତୁମ୍ଭର ହେବ । ତୁମ୍ଭେ ପ୍ରାଚୀନ ପ୍ରବୀଣ, ରାଜନୀତିରେ ପଣ୍ତିତ, ମୁଁ ତୁମ୍ଭଙ୍କୁ ଅଧିକ କଅଣ କହିବି ? ତୁମ୍ଭେ ରାମଚନ୍ଦ୍ରଙ୍କୁ ସୀତା ଅର୍ପଣ କରି କ୍ଷମା ପ୍ରାର୍ଥନା କର । ନଚେତ୍‌ ଯେଉଁ ଅଗ୍ନି ଜାଳିବାକୁ ବସିଛ, ସେଥିରେ ଲଙ୍କା ସହିତ ତୁମ୍ଭେ ସବଂଶ ଭସ୍ମ ହୋଇଯିବ । ରାମଚନ୍ଦ୍ର ସାମାନ୍ୟ ବୀର ନୁହନ୍ତି, ତୁମ୍ଭେ ଓ ତୁମ୍ଭର ସୈନ୍ୟ ସେନାପତି ମିଶି ତାଙ୍କ କାଣି ଆଙ୍ଗୁଳିକୁ ଲଛ ହେବ ନାହିଁ ।’’

ଅମ୍ଳ-ମଧୁର ମିଶ୍ରଣରେ ଅତି ଉପାଦେୟ ରୁଚିକର ରସ ପ୍ରସ୍ତୁତ ହୁଏ; ମାତ୍ର ତାହା ବିଷମ ଜ୍ୱର ରୋଗୀ ତୁଣ୍ତକୁ ରୁଚେ ନାହିଁ । ସେହିପରି ବିଭୀଷଣର ଅମ୍ଳ ମଧୁର ଉପଦେଶ ରାବଣର ମନକୁ ଆସିଲା ନାହିଁ । ତାହା ତ ଆଉ ରସର ଦୋଷ ନୁହେଁ–ରୋଗୀର ଦୁର୍ଭାଗ୍ୟର ଦୋଷ ସିନା । ସେ ରାଗରେ ଗର ଗର ହୋଇ କହିଲା–‘‘ବିଭୀଷଣ, ଜାଣିଲି ଶତ୍ରୁ ସଙ୍ଗରେ ତୋର ଗୁପ୍ତ ଷଡ଼୍‍ଯନ୍ତ୍ର ଅଛି । ତୁ ଘରର ଢିଙ୍କି କୁମ୍ଭୀର ପାଲଟିଯାଇଛୁ । ମୁଁ ତୋତେ ଫୁଲମାଳ ଜ୍ଞାନ କରିଥିଲି; ମାତ୍ର ତୁ କାଳସର୍ପ । ଭୀରୁ, ପାମର, ରାକ୍ଷସ-କୁଳାଙ୍ଗାର, କି ନିର୍ଲଜ୍ଜ ମୁହଁରେ ତୁ ଶତ୍ରୁର ବଡ଼ାଇ ଗାଉଛୁ ? ତୁ ସେହି ଜଟାଧାରୀର ଗୋଡ଼ ଚାଟିବୁ ଯା । ତୁ ମୋର ଭାଇ ବୋଲି ତୋର ଏ ପରୁଷବାଣୀ କ୍ଷମା କଲି, ନଚେତ୍‍ ଏହି ଖଡ୍‍ଗରେ ତୋର ମୁଣ୍ତ କାନ୍ଧରୁ ଝଡ଼ି ପଡ଼ିଥାନ୍ତା । ଦୂର ହ ପାଷଣ୍ତ, ଆଜିଠାରୁ ଆଉ ତୋର ମୁହଁ ଚାହିଁବି ନାହିଁ ।’’ ବିଭୀଷଣ ରାଗରେ ଥରି ଥରି କହିଲା–‘‘ହଁ ଭାଇ, ମୁଁ ଦୂର ହେଉଛି । ପାପୀର ସହବାସ ଅପେକ୍ଷା ସାଧୁପାଦରେ ଶରଣ ପଶିବା ସହସ୍ର ଗୁଣରେ ଶ୍ରେୟସ୍କର । ତୋର ଏ ଗର୍ବ-ଗିରିର ବିରାଟ ଚୂଡ଼ା ଅଚିରାତ୍‌ ଭାଙ୍ଗିପଡ଼ିବ । ତୁ ଏକାକୀ ମଲେ କାହାର କିଛି କ୍ଷତି ନ ଥିଲା; ମାତ୍ର ତୋହରି ପାପରେ ବିରାଟ ରାକ୍ଷସ-ସୃଷ୍ଟି ଲୋପ ପାଇବ–ଏହାଠାରୁ ବଳି ଦୁଃଖ ଆଉ କ୍ଷୋଭ କଅଣ ଅଛି ?’’ ବିଭୀଷଣ ଏହା କହି ତାହାର ଚାରିମନ୍ତ୍ରୀଙ୍କୁ ଘେନି ସଭାରୁ ଉଠି ଚାଲିଗଲା । ସେ ଆଉ ଘରକୁ ଗଲା ନାହିଁ; ଧନସମ୍ପଦ, ପୁତ୍ରପରିବାର ତ୍ୟାଗ କରି ରାମଚନ୍ଦ୍ରଙ୍କ ନିକଟରେ ଶରଣ ପଶିବା ଉଦ୍ଦେଶ୍ୟରେ ସମୁଦ୍ରର ପର ପାର ଅଭିମୁଖରେ ଆକାଶ-ମାର୍ଗରେ ଯାତ୍ରା କଲା ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ବିଭୀଷଣ ଦୂରରେ ରହି ମନ୍ତ୍ରୀ ପଠାଇ ରାମଚନ୍ଦ୍ରଙ୍କର ଶରଣ ପ୍ରାର୍ଥନା କଲା । ଏ ବିଷୟ ଘେନି ନରବୀରମାନେ ତୁମୁଳ ଆନ୍ଦୋଳନରେ ପ୍ରବୃତ୍ତ ହେଲେ । ସମୁଦ୍ରବେଳାରେ ମନ୍ତ୍ରଣା-ସଭା ବସିଲା । ମନ୍ତ୍ରିବର ଜାମ୍ଭୁବାନ କହିଲେ–‘‘ନ ବୁଝି ନ ଶୁଝି ହଠାତ୍‍ ଅଜ୍ଞାତ କୁଳଶୀଳକୁ ଆଶ୍ରୟ ଦେବା ମୋ ବିବେଚନାରେ ନିରାପଦ ନୁହେଁ ।’’ କେହି କହିଲା-ବିଭୀଷଣର ନିଶ୍ଚୟ କିଛି ଦୁରଭିସନ୍ଧି ଅଛି । କେହି କହିଲା–ରାକ୍ଷସ ଜାତିକୁ ବିଶ୍ୱାସ ନାହିଁ, ମାୟାବୀର ମାୟା ଭେଦ କରିବା ଅନ୍ୟର ଅସାଧ୍ୟ । ଶେଷରେ ହନୁମାନ କହିଲା–ବିଭୀଷଣ ଆକୃତିରେ ଅସୁର; ମାତ୍ର ଚରିତ୍ରରେ ଋଷି ! ସେଭଳି ସାଧୁ, ସଜ୍ଜନ ବ୍ୟକ୍ତିଙ୍କ ହୃଦୟରେ କୁଉଦ୍ଦେଶ୍ୟ ଥାଇପାରେ ନାହିଁ । ବିଭୀଷଣ ଉଦାର, ଉଚ୍ଚମନା, ଧର୍ମଭୀରୁ ଓ ନୈତିକ ସାହସୀ । ସ୍ପଷ୍ଟବାଦିତା ତାହା ସ୍ୱଭାବର ଅଳଙ୍କାର । ଏହି ବିଭୀଷଣ ହେତୁ ମୁଁ ପ୍ରାଣଦଣ୍ତରୁ ନିସ୍ତାର ପାଇଛି । ନଚେତ୍‍ ଦୁରାତ୍ମା ରାବଣ ନିଶ୍ଚୟ ମୋର ଶିରଚ୍ଛେଦନ କରିଥାନ୍ତା ।’’ ରାମଚନ୍ଦ୍ର ଏହା ଶୁଶି କହିଲେ–‘‘ଯେ ଶରଣ ପଶିବ, ମୁଁ ତାକୁ ରକ୍ଷା କରିବି, ଏହା ମୋର ବ୍ରତ ।’’ ତହୁଁ ସୁଗ୍ରୀବ ଯାଇ ବିଭୀଷଣକୁ ପାଛୋଟି ଆଣିଲା । ବିଭୀଷଣ ରାମଚନ୍ଦ୍ରଙ୍କର ବିଶ୍ୱମୋହନ ମୂର୍ତ୍ତି ଓ ଈଶ୍ୱର ଲକ୍ଷଣ ଦେଖି ଭକ୍ତିପ୍ରେମରେ ବିହ୍ୱଳ ହୋଇ ତାଙ୍କ ଗୋଡ଼ ତଳେ ପଡ଼ିଗଲା । ରାମଚନ୍ଦ୍ର ତାକୁ ସ୍ନେହରେ ଉଠାଇ ସାଦର ଆଲିଙ୍ଗନ କଲେ । ବିଭୀଷଣ ହାତ ଯୋଡ଼ି କହିଲା–‘‘ପ୍ରଭୋ, ଶତ୍ରୁର ଭାଇ ବୋଲି ମୋତେ ଅବିଶ୍ୱାସ କରନ୍ତୁ ନାହିଁ । ଆପଣ ଅନ୍ତର୍ଯାମୀ, ଅନ୍ତରର ଭାବ ଜାଣନ୍ତି । ରାବଣର ସୀତାଚୋରୀ ଲଙ୍କାବାସୀ ଶିଷ୍ଟ ରାକ୍ଷସମାନଙ୍କର ଅନୁମୋଦିତ ନୁହେଁ । ଏଭଳି ପାପକାର୍ଯ୍ୟକୁ ସେମାନେ ଅନ୍ତରର ସହିତ ଘୃଣା କରନ୍ତି । କିନ୍ତୁ କଅଣ କରିବେ, ପ୍ରବଳକୁ କିଏ ତିଆରିବାକୁ ସାହାସୀ ହେବ ? ସୀତାଙ୍କୁ ଫେରାଇଦେବା ପାଇଁ ମୁଁ ରାବଣର ଗୋଡ଼ ଧରି ପ୍ରାର୍ଥନା କଲି; ମାତ୍ର ମୋର ଭଲ କଥାକୁ ସେ ସଲ ମଣି ମୋତେ ତିରସ୍କାର କରି ରାଜ୍ୟକୁ ଘଉଡ଼ିଦେଲା । ତହୁଁ ମୁଁ ଆପଣଙ୍କ ଶ୍ରୀଚରଣରେ ଶରଣ ପଶିବାକୁ ଆସିଛି ।’’ ରାମଚନ୍ଦ୍ର ବିଭୀଷଣର କଥାରେ ପ୍ରୀତ ହୋଇ ତାକୁ ଆଲିଙ୍ଗନ କରି କହିଲେ–‘ଆଜିଠାରୁ ତୁମ୍ଭେ ମୋର ମିତ୍ର ହେଲ, ମୁଁ ରାବଣକୁ ମାରି ତୁମ୍ଭଙ୍କୁ ଲଙ୍କାର ରାଜା କରିବି ।’’ ରାମଚନ୍ଦ୍ର ଆଉ ବିଳମ୍ବ ନ କରି ସେହିକ୍ଷଣି ସମୁଦ୍ରଜଳରେ ବିଭୀଷଣକୁ ଲଙ୍କାର ରାଜାପଦରେ ଅଭିଷିକ୍ତ କରି ତାହା ମୁଣ୍ତରେ ଶାଢ଼ୀ ବାନ୍ଧିଦେଲେ । ବିଭୀଷଣ ରାମଚନ୍ଦ୍ରଙ୍କ ପଦରେଣୁ ମସ୍ତକରେ ବୋଳିହୋଇ କହିଲା ପ୍ରଭୋ, ମୁଁ ଆପଣଙ୍କ ଭୃତ୍ୟର ଯୋଗ୍ୟ ନୁହେଁ, ଆପଣ ମୋତେ ମିତ୍ର ବୋଲି ସମ୍ବୋଧନ କରି ମୋ ପ୍ରତି ଯେଉଁ ଅସାଧାରଣ କୃପା ପ୍ରଦର୍ଶନ କରିଅଛନ୍ତି, ତାହା ଆପଣଙ୍କର ସ୍ୱାଭାବିକ ମହତ୍ତ୍ୱର ପରିଚାୟକ-। ସେଥିପାଇଁ ମୁଁ ଆପଣଙ୍କ ଶ୍ରୀଚରଣରେ ଚିରଋଣୀ ଓ ଚିରକୃତଜ୍ଞ ହୋଇ ରହିଲି । ସୀତାଙ୍କ ଉଦ୍ଧାରରେ ମୁଁ ପ୍ରାଣପଣରେ ଆପଣଙ୍କୁ ସାହାଯ୍ୟ କରିବି । ରାକ୍ଷସମାନଙ୍କର ଗୁପ୍ତ ରହସ୍ୟ ଓ ମୁତ୍ୟୁର ଉପାୟ ସବୁ ମୋତେ ଜଣା । ତାହା ମୁଁ ଆପଣଙ୍କୁ କହିଦେବି ।’’ ରାମଚନ୍ଦ୍ର ଏହା ଶୁଣି ବିଭୀଷଣକୁ ବିଶେଷ କରି ଅମର ବର ପ୍ରଦାନ କଲେ ।

 

ଅନନ୍ତର ରାମଚନ୍ଦ୍ର ଲଙ୍କାବାସୀ ବୀରମାନଙ୍କର ବଳବିକ୍ରମ ବିଷୟ ପଚାରନ୍ତେ ବିଭୀଷଣ କହିଲା–‘‘ରାବଣ ତପସ୍ୟା ଦ୍ୱାରା ଜଗତରେ ଅଜେୟ ହୋଇଅଛି । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତାହାର ଅଧିକାରଭୁକ୍ତ । ତାହାର ପ୍ରଥମ ପୁତ୍ର ଇନ୍ଦ୍ରଜିତ ଅଗ୍ନିଦତ୍ତ ବରରେ ଅବଧ୍ୟ । ସେ ମାୟା ପ୍ରଭାବରେ ମେଘ ଅନ୍ତରାଳରେ ଥାଇ ଯୁଦ୍ଧ କରେ । ମୋର ମଧ୍ୟମ ସହୋଦର କୁମ୍ଭକର୍ଣ୍ଣ ବ୍ରହ୍ମାଣ୍ତକୁ ଅକ୍ଳେଶରେ ଗିଳିଦେଇପାରେ, ମାତ୍ର ସେ ସର୍ବଦା ଶୋଇଥାଏ–ଛମାସରେ ଥରେ ଉଠେ । ସେଦିନ ତ୍ରିଭୁବନ ଭୟରେ କମ୍ପମାନ ହୁଏ । ଅତିକାୟ ନାମକ ରାକ୍ଷସ ବଡ଼ ବଡ଼ ପର୍ବତକୁ ହାତରେ ଚିପି କର୍ପୂର ଗୁଣ୍ତା ପରି ଧୂଳି କରିଦେଇପାରେ । ଭସ୍ମଲୋଚନ ଯାହାକୁ ଚାହିଁଦେବ ସେ ଭସ୍ମ ହୋଇଯିବ-। ବଜ୍ରଦଂଷ୍ଟ୍ରକୁ ସ୍ୱୟଂ ଯମ ଭୟ କରେ । ସେ ଦାନ୍ତ ରଗଡ଼ିଲେ ଘଡ଼ିଘଡ଼ି ମାରିଲା ପରି ଶୁଭେ । ତାହା ଶୁଣି ଶତ୍ରୁ ମୁର୍ଚ୍ଛିତ ହୋଇ ପଡ଼ିଯାଏ । ଏହିପରି ଆହୁରି ଅନେକ ପ୍ରତାପୀ ରାକ୍ଷସ ଅଛନ୍ତି । ସେହି ବୀରମାନଙ୍କର ଶକ୍ତିରେ ରାବଣର ବିଜୟ-ମୁକୁଟ ଗଢ଼ା ହୋଇଅଛି । ରାବଣର ଆସୁରିକ ବଳ ଅସୀମ; କିନ୍ତୁ ଧର୍ମବଳ ଆଦୌ ନାହିଁ । ଜୀବନକୁ ସର୍ବଦା ସେ ପାପକାର୍ଯ୍ୟରେ ଖଟାଇ ରଖିଛି-। ଧର୍ମରେ ଜୟ, ପାପରେ କ୍ଷୟ-ଏହା ଚିରନ୍ତନ ସତ୍ୟବାଣୀ । ଆତ୍ମକୃତ ପାପ ତାକୁ ପୂର୍ବରୁ ମାରି ସାରିଅଛି, ଆପଣ ଖାଲି ଉପଲକ୍ଷ୍ୟ ହେବେ । ତାହାର ଜୀବନ-ତରଣୀ ଆଉ ପାପଭାର ସହିପାରିବ ନାହିଁ–ଅଦୂର ଦିବସରେ ଅତଳ ସମୁଦ୍ର-ଗର୍ଭରେ ବୁଡ଼ିଯାଇ ଅଦୃଶ୍ୟ ହୋଇଯିବ ।’’

 

ରାମଚନ୍ଦ୍ର ସୈନ୍ୟ ସେନାପତି ସହ ସମୁଦ୍ରକୂଳରେ ଅବସ୍ଥାନ କରୁଛନ୍ତି, ରାବଣ ଏ ସମ୍ବାଦ ଅବଗତ ହୋଇ ବାନର-ସୈନ୍ୟ କଳିବା ସକାଶେ ଶୁକ ସାରଣ ନାମକ ଦୁଇଜଣ ଦୂତ ପ୍ରେରଣ କଲା । ସେ ଦୁହେଁ ଛଦ୍ମବେଶରେ ଆସି ରାମଚନ୍ଦ୍ରଙ୍କ ସୈନ୍ୟ ମଧ୍ୟରେ ପ୍ରବେଶ କରନ୍ତେ ବିଭୀଷଣ ସେମାନଙ୍କୁ ଚିହ୍ନିପାରି ବିଚାର ସକାଶେ ସୁଗ୍ରୀବ ପାଖକୁ ଧରି ନେଇଗଲା । ସୁଗ୍ରୀବ ତାଙ୍କୁ ବନ୍ଦୀ କରି ରଖିବାକୁ ଆଦେଶ ଦେଲା; ମାତ୍ର ରାମଚନ୍ଦ୍ର, ତାଙ୍କୁ ଛାଡ଼ିଦେଲେ । ସେ ଦୁହେଁ ଯାଇ ରାବଣକୁ କହିଲେ–‘‘ରାମଚନ୍ଦ୍ରଙ୍କର ସୈନ୍ୟ ଅସଂଖ୍ୟ । ସମୁଦ୍ରର ବାଲି ଗଣିବା ସମ୍ଭବ ହୋଇପାରେ, ମାତ୍ର ବାନର ସେନାଙ୍କୁ ଗଣି ଶେଷ କରିହେବ ନାହିଁ ।’’ ରାବଣ ଏ କଥାକୁ ହସରେ ଉଡ଼ାଇଦେଇ କହିଲା–‘‘ତୁମ୍ଭେ ଦୁଇଟା ନିରାଟ ହୁଣ୍ତା, ଜଟାଧାରୀର ମାୟା ଭେଦ କରିପାରିଲ ନାହିଁ–ଏତେ ବାନର ପୁଣି କେଉଁଠୁ ଆସିଲେ ? ଏ ଅସମ୍ଭବ କଥା କହିବାକୁ ତୁମ୍ଭଙ୍କୁ ଲାଜ ମାଡ଼ିଲା ନାହିଁ ? ଶୁକ ସାରଣ ଏହି ଭର୍ତ୍ସନାକୁ ରାଜପ୍ରସାଦରୂପେ ଗ୍ରହଣ କରି ଶୁଷ୍କମୁଖରେ ପ୍ରସ୍ଥାନ କଲେ ।

 

ଏଣେ ରାମଚନ୍ଦ୍ର, ବାନର ମନ୍ତ୍ରୀ, ପାରିଷଦମାନଙ୍କ ସହ ସମୁଦ୍ର ପାରିହେବାର ଉପାୟ ଉଦ୍ଭାବନ କରିବାକୁ ଲାଗିଲେ । ଅନେକ ଯୁକ୍ତିତର୍କ ପରେ ସିଦ୍ଧାନ୍ତ ହେଲା–‘‘ସମୁଦ୍ର ରାମଚନ୍ଦ୍ରଙ୍କର ବଂଶୀୟ କୀର୍ତ୍ତି, ରାମଚନ୍ଦ୍ର, ସାଗର ମନ୍ତ୍ର ଜପକଲେ ସମୁଦ୍ର ନିଜେ ଆସି ପାର ହେବାର ଉପାୟ କହିଦେବ ।’’ ତହୁଁ ରାମଚନ୍ଦ୍ର କୁଶାସନରେ ବସି ମନ୍ତ୍ର ଜପ କରିବାକୁ ଲାଗିଲେ । ସମୁଦ୍ରର ଅଧିଷ୍ଠାତା ବରୁଣଦେବ ଆସି କର ଯୋଡ଼ି ରାମଚନ୍ଦ୍ରଙ୍କୁ କହିଲେ–‘‘ପ୍ରଭୋ, ତୁମ୍ଭେ ଅନନ୍ତ କୋଟି ଜୀବଙ୍କୁ ଅସୀମ ସଂସାର-ସିନ୍ଧୁର ସେପାଖ ଏପାଖକୁ ନେବା ଆଣିବା କରୁଅଛ, ସେ ସିନ୍ଧୁ ତୁଳନାରେ ଏ ସିନ୍ଧୁ ଗୋଟାଏ ବିନ୍ଦୁ ପରି–ବାନର ବାହିନୀକୁ ଏ ସାମାନ୍ୟ ବିନ୍ଦୁ ପାରି କରିଦେବା କି ତୁମ୍ଭର ଅସାଧ୍ୟ ? ତାହା କଦାଚ ନୁହେ ଦୟାମୟ । ସେବକ ପ୍ରତି ଅନୁଗ୍ରହ କରି ମୋତେ ଗୋଟାଏ ସୁଖ୍ୟାତି ଦେବାକୁ ତୁମ୍ଭର ଇଚ୍ଛା ବଳିଅଛି । ହେଉ ପ୍ରଭୁ, ତୁମର ମଙ୍ଗଳ ଇଚ୍ଛା ପୂର୍ଣ୍ଣ ହେଉ-। ସାଗର ପାରହେବାର ଉପାୟ ମୁଁ କହିଦେଉଛି । ତୁମ୍ଭ ସୈନ୍ୟ ମଧ୍ୟରେ ବିଶ୍ୱକର୍ମାର ପୁତ୍ର ନଳ ନାମରେ ଯେଉଁ ବାନର ବୀର ଅଛି, ସ୍ଥାପତ୍ୟ ବିଦ୍ୟାରେ ସେ ଅସାଧାରଣ ପାରଦର୍ଶୀ । ବାନରମାନେ ବୃକ୍ଷ ପର୍ବତ ଉପାଡ଼ି ଆଣନ୍ତୁ, ନଳ ସେଥିରେ ଅଦ୍ଭୁତ ସୁଦୃତ ସେତୁ ପ୍ରସ୍ତୃତ କରିଦେବ-। ବାନର ବାହିନୀ ସେଥିରେ ଅବଲୀଳାକ୍ରମେ ସମୁଦ୍ର ପାରହୋଇ ଯିବେ ।’’ ସାଗର ଏହା କହି ବିଦାୟ ହୋଇଗଲା । ଅନନ୍ତର ସୁଗ୍ରୀବ ଆଦେଶରେ ବାନରବୀରମାନେ ପର୍ବତ ଚୂଡ଼ା ଭାଙ୍ଗି, ବଡ଼ ବଡ଼ ଗଛ ଉପାଡ଼ି ଆଣି ସମୁଦ୍ରରେ ପକାଇଲେ । ନଳ ଅଦ୍ଭୁତ କୌଶଳରେ ବନ୍ଧ ପ୍ରସ୍ତୃତ କଲା । ଏହି ସେତୁ ବନ୍ଧନରେ ଗୁଣ୍ତୁଚିମୂଷା ସୁଦ୍ଧା ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିଥିଲା । ସେ ପାଣିରେ ବୁଡ଼ି ଧୁଳିରେ ଗଡ଼ି ବନ୍ଧ ଉପରେ ଆସି ଦେହ ଝାଡ଼ିହୁଏ । ତାହା ଦେହରୁ ଓଦା ଧୂଳି ଝଡ଼ିପଡ଼ି ପଥର ଯୋଡ଼ ମଧ୍ୟରେ ଥିବା ଫାଙ୍କ ବୁଜିଯାଏ । ରାମଚନ୍ଦ୍ର କ୍ଷୁଦ୍ର ଜୀବର ଏପରି ଭକ୍ତି, ପରୋପକାରିତା ଦେଖି ମୁଗ୍‌ଧ ହୋଇ ସ୍ନେହରେ ତାହାର ପିଠି ଆଉଁସିଦେଲେ । ତାଙ୍କ ଅଙ୍ଗୁଳି ଚିହ୍ନ ଗୁଣ୍ତୁଚି ମୂଷା ପିଠିରେ ଶୁକ୍ଳରେଖା ହୋଇ ରହିଲା କ୍ଷୁଦ୍ର ଜୀବ ନିଜ ଗୁଣରେ ପୁରାଣ-ପ୍ରସିଦ୍ଧ ହୋଇ ରହିଲା । ଆକୃତିଦ୍ୱାରା ସାନ ବଡ଼ ନିରୁପିତ ହୁଏ ନାହିଁ-କାର୍ଯ୍ୟଦ୍ୱାରା ହୁଏ । କ୍ଷୁଦ୍ର ପ୍ରାଣୀଟି ବଡ଼ କାର୍ଯ୍ୟ କରି ବଡ଼ ହେଲା । କାନ୍ୟକୁମାରୀଠାରୁ ଲଙ୍କାପର୍ଯ୍ୟନ୍ତ ସୁନ୍ଦର ସୁଦୃଢ଼, ସୁପ୍ରଶସ୍ତ ବନ୍ଧ ପାଞ୍ଚଦିନ ମଧ୍ୟରେ ପୁସ୍ତୁତ ହେଲା । ସମୁଦ୍ର ମଧ୍ୟରେ ତାହା ଆକାଶର ଛାୟାପଥ ପରି ଦିଶିଲା । ରାମଚନ୍ଦ୍ର ବନ୍ଧର ଆରମ୍ଭ ସ୍ଥାନରେ ରାମେଶ୍ୱର ନାମକ ଶିବଲିଙ୍ଗ ସ୍ଥାପନ କଲେ । ସେହି ସ୍ଥାନକୁ ସେତୁବନ୍ଧ ରାମେଶ୍ୱର କହନ୍ତି । ତାହା ଭାରତର ଅନ୍ୟତମ ପ୍ରସିଦ୍ଧ ପବିତ୍ର ଧାମ–ହିନ୍ଦୁମାନଙ୍କର ମହା ତୀର୍ଥକ୍ଷେତ୍ର ରାମଚନ୍ଦ୍ର ଶିବପୁଜା କରି ସେହି ବନ୍ଧ ଉପରେ ସୈନ୍ୟବାହିନୀ ଏବଂ ଭ୍ରାତୃମିତ୍ର ସମରିବ୍ୟାହାରରେ ଲଙ୍କା ଅଭିମୁଖରେ ଅଭିଯାନ କଲେ । ସମସ୍ତେ ସେତୁ ପାରି ହୋଇଯାଇ ଲଙ୍କାର ପୂର୍ବୋକ୍ତ ସୁବଳୟ ପର୍ବତରେ ରହିଲେ ।

Image

 

ଊନବିଂଶ ପରିଚ୍ଛେଦ

 

ସୀତା ସରମାଠାରୁ ରାମଚନ୍ଦ୍ରଙ୍କର ଆଗମନ-ବାର୍ତ୍ତା ଶୁଣି ଆନନ୍ଦରେ ଅଶ୍ରୁବର୍ଷଣ କଲେ ଏବଂ ହନୁମାନଙ୍କୁ ତୁହାକୁ ତୁହା ଆଶୀର୍ବାଦ କରିବାକୁ ଲାଗିଲେ । ସୀତାଙ୍କୁ ଯେଉଁ ଅସୁରୂଣୀମାନେ ଜଗିଥିଲେ, ସେଥି ମଧ୍ୟରେ ବିଭୀଷଣ-ପତ୍ନୀ ସରମା ଓ ତ୍ରିଜଟା ସୀତାଙ୍କୁ ଖୁବ୍‌ ଭଲ ପାଉଥିଲେ । ସେ ଦୁହେଁ ରାକ୍ଷସୀ; ମାତ୍ର ତାଙ୍କର ପ୍ରକୃତି ଠିକ୍ ମାନବୀ-ପ୍ରକୃତି ପରି କୋମଳ ଥିଲା । ତାଙ୍କର ଦୟା, ମାୟା, ସ୍ନେହ, ପ୍ରୀତି, ସହାନୁଭୂତି ଓ ଧର୍ମବିଶ୍ୱାସ ଅତି ପ୍ରବଳ ଥିଲା । ସେ ଦୁହେଁ ସଖି ପରି ସାଧୁ, ସରଳ, ପ୍ରିୟ ବ୍ୟବହାରରେ ସୀତାଙ୍କର ମନ କିଣିନେଇଥିଲେ । ସୀତା ତାଙ୍କରି ଆଶ୍ୱାସନାରେ ବଞ୍ଚିରହିଥିଲେ ।

 

ରାମଚନ୍ଦ୍ର ସୁବଳୟ ଗିରି ଉପରୁ ଲଙ୍କା ନଗରୀର ଅପୂର୍ବ ଶୋଭା ଦେଖି ଯୁଗପତ୍‍ ହର୍ଷବିଷାଦରେ ମଗ୍ନ ହୋଇଗଲେ । ତ୍ରିକୂଟ ପର୍ବତ ଉପରେ ସୁନ୍ଦରୀ ଲଙ୍କାନଗରୀ ପର୍ବତର ରତ୍ନମୁକୁଟ ପ୍ରାୟ ସୁନ୍ଦର ଦିଶୁଅଛି । ରତ୍ନଜ୍ୟୋତିରେ ନଗରୀ ହସିଲା ପ୍ରାୟ ବୋଧ ହେଉଅଛି । ବିଭବର ତ କଳନା ନାହିଁ, ସର୍ବତ୍ର ବିଭବ ଉପରେ ବିଭବ ଢଳିପଡ଼ିଅଛି । ରାମଚନ୍ଦ୍ର ତାହା ଦେଖି କହିଲେ, ‘‘ରାବଣ କେତେ କାଳରେ, କେତେ ଅଧ୍ୟବସାୟରେ ଏ ଦେବଦୁର୍ଲଭ ଅତୁଳ ବିଭବ ସଂଗ୍ରହ କରିଅଛି । ଯାହା ସ୍ୱର୍ଗରେ ନାହିଁ, ତାହା ଏହି ଲଙ୍କାରେ ଅଛି; ମାତ୍ର ରାବଣ ଏହାସବୁ ଭୋଗ କରିପାରିବ ନାହିଁ । ତାହାର ଧନ, ଜନ, ପ୍ରଭୃତ୍ୱ, ଏଶ୍ୱର୍ଯ୍ୟ, ଶକ୍ତି, ଦୀର୍ଘ ପରମାୟୁ–ସବୁ ଅଛି, ନାହିଁ କେବଳ ସୁମତି । କୁମତି ପିଶାଚି, ତୁ ରାବଣ ଦେହରୁ ଅନ୍ତର ହୋଇଯା, ଆଉ ସୁମତି ଦେବି, ତୁମ୍ଭେ ଆସି ରାବଣକୁ ଆଚ୍ଛନ୍ନ କରି ରଖ । ଏଡ଼େ ବଡ଼ ପଣ, ଏ ମହାବିଭୂତି ସେ ହରାଇ ନ ବସୁ-।’’ ଏଣେ ରାବଣ ଶତ୍ରୁ-ଆଗମନ ଦେଖି ଦୁର୍ଗର ଚାରିଦ୍ୱାର ବନ୍ଦ କରିଦେଇ ଭିତରେ ରଣସଜ୍ଜା କରିବାକୁ ଲାଗିଲା । କେତେ ଜଣ ନ୍ୟାୟପ୍ରାଣ ବୃଦ୍ଧମନ୍ତ୍ରୀ, ରାବଣର ଅଜା ମାଲ୍ୟବାନ, ମାତା ନିକଷା ରାମଚନ୍ଦ୍ରଙ୍କୁ ସୀତା ଫେରାଇଦେବା ସକାଶେ ଅନେକ ବୁଝାଇ କହିଲେ; କିନ୍ତୁ ଅଭଙ୍ଗପ୍ରତିଜ୍ଞ ରାବଣ ଦର୍ପ ପ୍ରକାଶ କରି କହିଲା, ‘‘ତାହା କଦାଚ ହେବ ନାହିଁ, ମୁଁ ଭାଙ୍ଗିଯିବି ପଛକେ; ମାତ୍ର ସୁତାଏ ନଇଁବି ନାହିଁ ।’’ ରାବଣ ଆଉ ଅଧିକ ବାକ୍ୟବ୍ୟୟ ନ କରି ସେନାପତିଙ୍କୁ ଡାକି ଦୁର୍ଗ ରକ୍ଷା କରିବାକୁ ଆଦେଶ ଦେଲା । ପ୍ରଧାନ ସେନାପତି ପ୍ରଶସ୍ତକୁ ଦକ୍ଷିଣ ଦ୍ୱାର, ବଜ୍ରଦଂଷ୍ଟ୍ରକୁ ପୂର୍ବ ଦ୍ୱାରା, ଇନ୍ଦ୍ରଜିତକୁ ପଶ୍ଚିମ ଦ୍ୱାରା ରକ୍ଷା ସକାଶେ ପଠାଇ ନିଜେ ଉତ୍ତର ଦ୍ୱାର ଜଗି ରହିଲା । ସେନାପତିମାନେ ବହୁକୋଟି ଦୁର୍ଦ୍ଧର୍ଷ ରାକ୍ଷସ ସେନା ସହ ସଶସ୍ତ୍ର ହୋଇ ନିଜ ନିଜର ନିର୍ଦ୍ଦଷ୍ଟ ଦ୍ୱାର ରକ୍ଷା କରିବାକୁ ଲାଗିଲେ ।

 

ଏଣେ ରାମଚନ୍ଦ୍ର ଛତ୍ରିଶ କୋଟି ବାନର ଯୂଥପତି ଓ ଅସଂଖ୍ୟ ବାନର ସୈନ୍ୟ ଘେନି ଲଙ୍କା ଅବରୋଧ କରିବାକୁ ବାହାରିଲେ । ରୁକ୍ଷ ବାନର ବୀରମାନେ ଚତୁର୍ମାସ୍ୟାରେ ଝଡ଼ି ପୋକ ପରି ବାହାରି ଜୟ ରାମଚନ୍ଦ୍ର ଶବ୍ଦରେ ଧାବିତ ହେଲେ । ବୀର ନାଦ ଓ ବୀର ପଦ ଭାରରେ ଲଙ୍କାନଗରୀ ମୁହୁର୍ମୁହୁ କମ୍ପିତ ହେବାକୁ ଲାଗିଲା । ବାନରମାନେ କିଳିକିଳା ଶବ୍ଦ କରି ଦୁର୍ଗପ୍ରାଚୀର ଚାରି ପାଖରେ ନିବିଡ଼ ଭାବରେ ଘେରିଗଲେ । ରାମଚନ୍ଦ୍ର, ଲକ୍ଷ୍ମଣ ଉତ୍ତର ପାଖରେ ରହିଲେ । ହନୁମାନକୁ ପଶ୍ଚିମ ପାଖକୁ ପଠାଇଲେ । ଅଙ୍ଗଦ ପୂର୍ବ ପାଖକୁ ପ୍ରେରିତ ହେଲା । ସ୍ୱୟଂ କପି-ସମ୍ରାଟ ଅମିତତେଜା ସୁଗ୍ରୀବ ଦକ୍ଷିଣ ପାଖ ଅବରୋଧ କରିରହିଲା । ରାମଚନ୍ଦ୍ରଙ୍କ ଆଜ୍ଞାରେ ବାଳକ, ବୃଦ୍ଧ ଓ ସ୍ତ୍ରୀଜାତି ପ୍ରତି ଅତ୍ୟାଚାର ନ କରିବା ସକାଶେ ସୈନ୍ୟମାନଙ୍କୁ ବାରମ୍ବାର ଚେତାଇ ଦିଆଗଲା । ବିଭୀଷଣ ଚାରିପାଖରେ ପହରା ଦେଇ ବୁଲିଲା । ସୈନ୍ୟ-କୋଳାହଳରେ ଗଡ଼ର ପ୍ରାଚୀର ଭୟରେ ଆର୍ତ୍ତ ଚିତ୍କାର ଛାଡ଼ିଲା ପରି ପ୍ରତିଧ୍ୱନି କରି ଉଠିଲା । ବୀରମାନେ ଅଦମ୍ୟ ଉତ୍କଣ୍ଠାରେ ସମର ପ୍ରତୀକ୍ଷାରେ ରହିଲେ । କେତେ ବୀର ବିଳମ୍ବ ସହି ନ ପାରି ବୀର ମଦରେ ଆତ୍ମବିସ୍ମୃତ ହୋଇ ନିଜକୁ ଶତ୍ରୁ ଭାବି ପ୍ରହାର କରିବାକୁ ଲାଗିଲେ । କେତେ ହୁମ୍ପାମାରି ପ୍ରାଚୀର ଉପରକୁ ଉଠିଲେ; କେହି ପ୍ରାଚୀର ଦେହରେ ଭୀଷଣ ପଦାଘାତ କରିବାକୁ ଲାଗିଲା । କେହି ବିକଟ ଶବ୍ଦରେ ଦାନ୍ତ ରଗଡ଼ି ହେଲା । ଦୁର୍ଗ ମଧ୍ୟସ୍ଥ ଭୀରୁ ରାକ୍ଷସମାନେ ତାହାକୁ ବଜ୍ରଶବ୍ଦ ମଣି ବଜ୍ରବାରକ ଜୈମିନି ଋଷିଙ୍କ ନାମ ଆବୃତ୍ତି କଲେ । କେହି ରାକ୍ଷସ ଦେଖି ଦାନ୍ତ ନିଫିଡ଼ି ଗଭୀର ଭୀଷଣ ହୁଙ୍କାର ଧ୍ୱନି କରି ଉଠିଲା । ସେହି କଲିଜା ଥରା ଶବ୍ଦ ଶୁଣି ଗର୍ଭିଣୀ ରାକ୍ଷସୀମାନଙ୍କର ଗର୍ଭସ୍ରାବ ହୋଇଗଲା । ବୀରମାନେ ଏହିପରି ବିଚିତ୍ର ବୀର ଲୀଳା-କୌତୁକରେ ନିଜକୁ ଆନନ୍ଦ ଦାନ କରିବାକୁ ଲାଗିଲେ ।

 

ଅତଃପର ରାମଚନ୍ଦ୍ର ଅଙ୍ଗଦକୁ ଡାକି କହିଲେ–‘‘ଅଙ୍ଗଦ, ତୁ ଥରେ ଦୁର୍ଗ ଭିତରକୁ ଯା, ରାବଣକୁ କହିବୁ ସେ କବାଟ କିଳି ଘର ଭିତରେ ଲୁଚିରହିଛି କାହିଁକି ? କତରା ଘୋଡ଼ିହୋଇ ଶୋଇଲେ କି ଯମ ଛାଡ଼ିବ ? ଯଦି ତାହାର ବିଶାଳ ବଂଶ, ଅତୁଳ ବିଭବ ଓ ନିଜର ଜୀବନ ପ୍ରତି ମମତା, ଥାଏ, ତେବେ ସେ ସୀତାଙ୍କୁ ଆଣି ମୋ କତିରେ ସମର୍ପଣ କରୁ, ନ ହେଲେ ତାହା ସବୁ ଯେବେ ତାକୁ ପିତା ଲାଗୁଥାଏ, ତେବେ ଶୀଘ୍ର ଆସି ଯୁଦ୍ଧରେ ପ୍ରବୃତ୍ତ ହେଉ ।’’ ଅଙ୍ଗଦ ’ଯେ ଆଜ୍ଞା’ କହି ରାବଣ ପାଖକୁ ଗଲା । ଏଣେ ରାବଣ ବିଦ୍ୟୁଜିହ୍ନ ନାମକ ମାୟାବୀ ରାକ୍ଷସଦ୍ୱାରା ରାମଚନ୍ଦ୍ର-ଲକ୍ଷ୍ମଣଙ୍କର ମାୟାମୁଣ୍ତ ପ୍ରସ୍ତୃତ କରାଇ ସୀତାଙ୍କୁ ଦେଖାଇ କହିଲା–‘‘ଏହି ଦେଖ, ତୁ ଯେଉଁ ସ୍ୱାମୀ ଦିଅରଙ୍କ ବଡ଼ାଇ କରୁ, ମୁଁ ତାଙ୍କୁ ଯୁଦ୍ଧରେ ଜୟ କରି ତାଙ୍କ ମୁଣ୍ତ ହାଣି ଆଣିଛି ।’’ ସୀତା ସ୍ୱାମୀ ଓ ଦେବରଙ୍କ ସଦ୍ୟ ଛିନ୍ନ ମସ୍ତକ ଦେଖି ମୂର୍ଚ୍ଛିତ ହୋଇ ପଡ଼ିଲେ । ପୁଣି କେତେକ କ୍ଷଣ ପରେ ଚେତନା ପାଇ ପାଷାଣ-ତରଳା କରୁଣ ବାଣୀରେ ବିଳାପ କରିବାକୁ ଲାଗିଲେ । ରାକ୍ଷସ ଜାତିର ମାୟାର ସନ୍ଧି ସେହି ରାକ୍ଷସ ଜାତି ଏକା ଭେଦ କରିପାରେ । ସରମା ରାବଣର ମାୟା ବୁଝିପାରି ସୀତାଙ୍କୁ ଗୋପନରେ କହିଲା–‘‘ଦେବି, ତୁମ୍ଭେ ଅଧୈର୍ଯ୍ୟ ହୁଅ ନାହିଁ । ଏ ତୁମ୍ଭ ସ୍ୱାମୀ ଦେବରଙ୍କର ପ୍ରକୃତ ମୁଣ୍ତ ନୁହେଁ–ମାୟାମୁଣ୍ତ । ତୁମ୍ଭଙ୍କୁ ଛଳନା କରିବା ପାଇଁ ଦୁଷ୍ଟ ରାବଣ ଏ କୌଶଳ ଫାନ୍ଦିଅଛି-।’’ ସୀତା ଏହା ଶୁଣି ଆଶ୍ୱସ୍ତ ହେଲେ । ଏହି ସମୟରେ ବାନରମାନେ ପ୍ରାଚୀର ଡେଇଁ ଦୁର୍ଗ ମଧ୍ୟରେ ପଶି ଉପଦ୍ରବ କରିବାରୁ ଗଡ଼ରେ କାନ୍ଦବୋବାଳି ପଡ଼ିଗଲା । ରାବଣ ତାହା ଶୁଣି ମାୟା ମୁଣ୍ତ ଫିଙ୍ଗିଦେଇ ଭୟରେ ପଳାଇଯାଇ ରାଜସଭାରେ ବସିଲା । ତେତିକିବେଳେ ଅଙ୍ଗଦ ଆସି କହିଲା–‘‘ ରାବଣ, ମୋତେ ଚିହ୍ନିପାରୁଛୁ ତ ? ଶୂଳିଆପଦାକୁ ଅନା, ମୁଁ ସେହି ଅଙ୍ଗଦ ସିନା ! ତୁ ବଞ୍ଚି ରହିଲେ ମୋର ଲାଭ, ତୁ ଜୀଇଥିବାଯାଏ ମୋ ବାପର କୀର୍ତ୍ତି ଉଜ୍ଜ୍ୱଳ ହୋଇ ରହିଥିବ । ତେଣୁ ତୋତେ କିଛି ହିତୋପଦେଶ ଦେବାକୁ ଆସିଲି । ପୁଣି ମୁଁ ରାମଚନ୍ଦ୍ରଙ୍କ ଶ୍ରୀମୁଖ-ଆଜ୍ଞା ଆଣିଅଛି; ତାହା କହୁଛି, ଏବେ ମତି ସ୍ଥିର କରି ଶୁଣ । ରାମଚନ୍ଦ୍ର କହିଛନ୍ତି–ତୁ ସୀତାଙ୍କୁ ଦେଇ ତାଙ୍କଠାରେ ଶରଣ ପଶ, ନଚେତ୍‌ ସବଂଶ ନଷ୍ଟ ହେବୁ ।’’ ରାବଣ ଏ କଥାକୁ ହସରେ ଉଡ଼ାଇଦେଇ କହିଲା–‘‘ରେ ବାନର, ତୋର ଗୁରୁ ସେହି ଜଟାଧାରୀକୁ କହିବୁ ଯା-ସେ ବୀର ହୋଇ ମାଗି ପଠାଇଛି କାହିଁକି ? ମାଗିବାଟା ବୀର ପକ୍ଷରେ ମାନହାନିକର । ବୀର ବିକ୍ରମ ପ୍ରକାଶ କରେ, ଆଉ ତାହାରି ପରି ଯେ କାପୁରୁଷ, ସେହି ସିନା ଅନୁଗ୍ରହ ମାଗି ବୁଲେ ।’’ ଅଙ୍ଗଦ ଏହା ଶୁଣି କହିଲା–ଧିକ୍‍ ନିର୍ଲଜ୍ଜ, କେଉଁ ବେହିଆ ମୁହଁରେ ତୁ ରାମଚନ୍ଦ୍ରଙ୍କୁ ନିନ୍ଦୁଛୁ ରେ ଚୋର ? ତୋଠାରୁ ବଳି ଭୀରୁ, କାପୁରୁଷ କିଏ ? ତୁ ଯେବେ ଏଡ଼େ ବୀର, ଭୟରେ ଭିକାରୀ ବେଶ ଧରି ସୀତାଙ୍କୁ ଚୋରି କରି ଆଣିଲୁ କାହିଁକି ? ପ୍ରଭୁଙ୍କର ଆଜ୍ଞା ନାହିଁ, ନଚେତ୍‌ ଏକା ଚାପୁଡ଼ାରେ ତୋର ଦଶମୁଣ୍ତ ଛିଣ୍ତାଇପକାନ୍ତି ।’’ ରାବଣ ଏହା ଶୁଣି କ୍ରୋଧରେ ଗର୍ଜିଉଠି କହିଲା–‘‘କିଏ ସେ ଅଛ ରେ, ଏ ପୋଡ଼ାମୁହାଁ ମାଙ୍କଡ଼ଟାକୁ ମୋଦକ ଗୋଳା ପରି କେହି ପାଟିରେ ପକାଇଦିଅ ।’’ ତହୁଁ ମଲ୍ଲମାନେ ଆସି ଅଙ୍ଗଦକୁ ଘେରିଗଲେ । ଅଙ୍ଗଦ ଟିକିଏ ମୁରୁକି ହସି ଭୀଷଣ ପଦାଘାତରେ ସେହି ଦୁର୍ଦ୍ଦାନ୍ତ ମଲ୍ଲମାନଙ୍କୁ ବିନାଶ କରି ରାବଣର ଜଗତିଚାଳକୁ ଭାଙ୍ଗିପକାଇ ଏକ ଲମ୍ଫରେ ରାମଚନ୍ଦ୍ରଙ୍କ ଥିବା ସ୍ଥାନରେ ଆସି ପଡ଼ିଲା । ରାମଚନ୍ଦ୍ର ତାହାଠାରୁ ସମସ୍ତ ଶୁଣି ତାହାର ବିକ୍ରମକୁ ବିସ୍ତର ପ୍ରଶଂସା କରି ତାକୁ ପୁରସ୍କୃତ କଲେ ।

 

ରାବଣ ଅଙ୍ଗଦଠାରୁ ଅପମାନ ପାଇ ରାଗରେ ଦାନ୍ତ ରିସିମି ହୋଇ ଦୁର୍ଗଦ୍ୱାରା ଖୋଲି ଯୁଦ୍ଧ କରିବା ପାଇଁ ଯୋଦ୍ଧାମାନଙ୍କୁ ଆଦେଶ ଦେଲା । ରାକ୍ଷସବୀରମାନେ ରାଜାଦେଶ ପାଇ ନାନା ପକାର ଭୀଷଣ ଅସ୍ତ୍ରଶସ୍ତ୍ର ଧରି ଗର୍ଜି ଗର୍ଜି ଧାବିତ ହେଲେ । ସମସ୍ତଙ୍କର ରୂପ ବିକୃତ, ବୀଭତ୍ସ । କାହାର ବେହେଡ଼ା ଦାନ୍ତ ଓଠ ଫୁଟାଇ ହାତୀଦାନ୍ତ ପରି ବାହାରି ପଡ଼ିଛି–କାହାର ନାକ ଦିପଖା ଚୁଲି ପରି ବେଢ଼ଙ୍ଗିଆ–କାହାର ଆଖି ଚିଲା, କାନ ଝୁଲା, ବାଳ କହରା, ମୁଣ୍ତ ଗୋଜିଆ । କାହାର ଦେହ ଅସ୍ତ୍ରଲେଖାରେ ପୂର୍ଣ୍ଣ । କାହା ଦେହରେ ଅସଂଖ୍ୟ ଅସ୍ତ୍ରଫଳା ଭାଙ୍ଗି ରହିଅଛି । ରାବଣର ଅନ୍ତଃସୁରିକାମାନେ କିଙ୍କରା-ପରିବୃତା ହୋଇ ସର୍ବୋଚ୍ଚ ପ୍ରାସାଦ ଉପରେ ବସି ଯୁଦ୍ଧ ଦେଖିବା ଅପେକ୍ଷାରେ ରହିଲେ । ଭୟଙ୍କରୀ ତେଡ଼ିମାନଙ୍କ ମଧ୍ୟରେ କେହି କୁଲାକାନୀ କେହି ମୂଳାଦାନ୍ତୀ–କେହି ବା ଡହୁକବେକୀ । କାହା ମୁହଁ ରାତିରେ ପକ୍ଷିବିଶେଷର ଉପମା ଧାରଣ କରିଅଛି । ଏହାଛଡ଼ା ଫାଲୁଆଗାଲୀ, ଓଳିଆ ପେଟୀ, ମାଣ୍ତିଆ ମୁଣ୍ତୀ, ହାଣ୍ତି ଆତୁଣ୍ତୀ ବି ଊଣା ନ ଥିଲେ ।

Image

 

ବିଂଶ ପରିଚ୍ଛେଦ

 

ଋକ୍ଷ, ବାନର, ରାକ୍ଷସ ସୈନ୍ୟ ମିଶାମିଶି ହୋଇ ମହାଘୋର ଗୋଳ ଯୁଦ୍ଧରେ ପ୍ରମତ୍ତ ହୋଇଉଠିଲେ । ରାକ୍ଷସମାନେ ନାନାବିଧ ତୀକ୍ଷ୍‍ଣ ଧାର ଅସ୍ତ୍ରଶସ୍ତ୍ରରେ ଓ ବାନରମାନେ ବୃକ୍ଷଶାଖା, ପ୍ରସ୍ତର ଖଣ୍ତରେ ଯୁଦ୍ଧ କରି ପରସ୍ପରକୁ ହତାହତ କରିବାକୁ ଲାଗିଲେ । କେତେ ମଲେ, କେତେ ଘାଉଲା ହୋଇ ଦରମରା ହେଲେ, ସେଥିର ସଂଖ୍ୟା ନାହିଁ । ବାନରମାନଙ୍କର ବିଧା ଚାପୁଡ଼ା, ଗୋଇଠା, ନଖ ଦନ୍ତର ଆଘାତରେ ସେ ଦିନ ଅନେକ ରାକ୍ଷସ ମହାରଥି ପ୍ରାଣତ୍ୟାଗ କଲେ । ରାମଚନ୍ଦ୍ର, ଲକ୍ଷ୍ମଣ ଓ ବିଭୀଷଣ ଯେତେ ବାଣ ବର୍ଷଣ କଲେ, ଶ୍ରାବଣ ମାସର ମେଘ ତେତେ ଜଳଧାରା ବର୍ଷେ ନାହିଁ । ରାମଚନ୍ଦ୍ରଙ୍କର ବଜ୍ରାଧିକ ଧନୁଷ୍ଟଙ୍କାର ଶବ୍ଦ ଶୁଣି ଶ୍ରତ୍ରୁସୈନ୍ୟର ଶକ୍ତି, ସାହସ ଅଧେ ଊଣା ହୋଇଗଲା । ଏକା, ରାମଙ୍କୁ ତ ଜଗତ ନିଅଣ୍ଟ, ତାହା ଉପରେ ପୁଣି ଲକ୍ଷ୍ମଣ । ତାଙ୍କର ଅନୁବତ, ଆଉ କି ରକ୍ଷା ଅଛି ? ଅଗ୍ନି ସଙ୍ଗରେ ବାୟୁ ମିଶିଲେ ସେ ପ୍ରଚଣ୍ତ ଶକ୍ତିକୁ ସମ୍ଭାଳିବ କିଏ ? ରାକ୍ଷସମାନେ ନିର୍ଘାତ ମାରୁଣୀ ସହି ନ ପାରି ପୃଷ୍ଠଭଙ୍ଗ ଦେଇ ପଳାଇଗଲେ । ଏହା ଦେଖି ଇନ୍ଦ୍ରଜିତ କ୍ରୋଧରେ ଥରିଉଠିଲା; ମାତ୍ର ରାମଚନ୍ଦ୍ରଙ୍କ ସହ ସମ୍ମୁଖ ସମରରେ ପ୍ରବୃତ୍ତ ହେବାକୁ ସାହସୀ ହେଲା ନାହିଁ । ତହୁଁ ମାୟାବୀର ଆକାଶ ରଥରେ ଉପରକୁ ଉଠିଯାଇ ମାୟାବିଦ୍ୟା ପ୍ରଭାବରେ ମେଘ ଉହାଡ଼ରେ ଲୁଚିରହି ଯୁଦ୍ଧ କରିବାକୁ ଲାଗିଲା । ସେ ନାଗପାଶରେ ରାମଚନ୍ଦ୍ରଙ୍କୁ ବନ୍ଧନ କରି ଜୟଶବ୍ଦ ବଜାଇ ଦୁର୍ଗକୁ ଫେରିଗଲା । ଏଣେ ରାମଚନ୍ଦ୍ର ଗରୁଡ଼କୁ ସ୍ମରଣ କରି ଲକ୍ଷ୍ମଣ ସହ କଠୋର ନାଗପାଶରୁ ମୁକ୍ତ ହୋଇ ଉଠିବସିଲେ । ବାନରମାନେ ଜୟଶବ୍ଦ କରିବାକୁ ଲାଗିଲେ । ଅନନ୍ତର ରାବଣ ବାଛି ବାଛି ବଡ଼ ବଡ଼ ଜଗଜ୍ଜେତା ବୀରମାନଙ୍କୁ ଯୁଦ୍ଧକୁ ପଠାଇଲା; ମାତ୍ର ଯେ ଆସିଲା ସେ ଆଉ ବାହୁଡ଼ି ନ ଯାଇ ରଣକ୍ଷେତ୍ରରେ ପ୍ରାଣତ୍ୟାଗ କଲା । ଧୂମ୍ରାକ୍ଷ, ବଜ୍ରଦଂଷ୍ଟ୍ର, ପ୍ରହସ୍ତ, ଅକମ୍ପନ, ଅତିକାୟ, ମହାପାର୍ଶ୍ୱ ପ୍ରଭୃତି ବିଖ୍ୟାତ ମହାବୀରମାନେ ଜଣକ ପଛରେ ଜଣେ ଆସି ରଣଯଜ୍ଞରେ ନିଜକୁ ଆହୁତି ପ୍ରଦାଦ କଲେ । ରାବଣର ଅନେକ ପୁଅ ନାତି ମଧ୍ୟ ଯୁଦ୍ଧ କରି ମଲେ । ବୀରଧାତ୍ରୀ ଲଙ୍କା କ୍ରମେ ବୀରଶୂନ୍ୟ ହୋଇ ଆସିଲା । ଏହା ଦେଖି ରାବଣ ମନେ ମନେ ଶଙ୍କିତ ହୋଇ ଉଠିଲା । ତାହାର ବିବେକ–ଦେବତା ତାକୁ ଯୁଦ୍ଧରୁ ନିବୃତ୍ତ ହେବା ପାଇଁ ବାରମ୍ବାର ଉପଦେଶ ଦେଲା; ମାତ୍ର ତାହାର ପ୍ରକୃତି ତାହା କରାଇଦେଲା ନାହିଁ । ତାହାରି ପ୍ରକୃତି ଏକା ତାହାର ଶତ୍ରୁ ହେଲା । ସେ ପ୍ରତିଜ୍ଞା କଲା–ପୃଥିବୀ ରାମଶୂନ୍ୟ ହେଉ ବା, ଅରାବଣା ହେଉ, ଯୁଦ୍ଧ କେଭେଁ ଛାଡ଼ିବ ନାହିଁ; ଆଉ କାହାକୁ ନ ପଠାଇ ଏଥର ସେ ସ୍ୱୟଂ ଯୁଦ୍ଧଯାତ୍ରା କଲା । ଅସଂଖ୍ୟ ଦିଗ୍‍ବିଜୟୀ ରାକ୍ଷସ-ବୀର ସଙ୍ଗରେ ଘେନି ମହା ସମାରୋହରେ ଯାଇ ବିଶ୍ୱତ୍ରାସୀ ସମର ଆରମ୍ଭ କଲା । ବାନରମାନେ ଦ୍ୱିଗୁଣ ଉତ୍ସାହରେ ଯୁଦ୍ଧରେ ମାତି ଉଠିଲେ । ରାବଣ ରାମଚନ୍ଦ୍ରଙ୍କର ଉପଯୁକ୍ତ ପ୍ରତିଯୋଦ୍ଧା । ସେ ଦିନ ଯୁଦ୍ଧର ତୁଳନା ନାହିଁ । ରାବଣର ବାଣ ଓ ରାମଚନ୍ଦ୍ରଙ୍କ ପ୍ରତିବାଣରେ ସୂର୍ଯ୍ୟକିରଣ ଢାଙ୍କିଗଲା । ରାମଚନ୍ଦ୍ର ଏକାକୀ ସହସ୍ର ମହାରଥ ପରି ଅସ୍ତ୍ର ବର୍ଷଣ କରି ବିପକ୍ଷ ବାହିନୀକୁ ସଂହାର କରିବାକୁ ଲାଗିଲେ ; ରାବଣର ବହୁସହସ୍ର ବନ୍ଧୁ କୁଟୁମ୍ବ, ଆତ୍ମୀୟ ଜ୍ଞାତପରିବାର ଯୁଦ୍ଧରେ ପ୍ରାଣ ହରାଇଲେ । ଜଗତରେ ଅଜେୟ ମହାବୀର ରାବଣ ତାହାର ସମଗ୍ର ଶକ୍ତି ପ୍ରୟୋଗ କରି ମହାଭୟଙ୍କର ଯୁଦ୍ଧ କଲା; ମାତ୍ର ରାମଚନ୍ଦ୍ରଙ୍କର ଅସୀମ ପ୍ରଭାବ ସହିପାରିଲା ନାହିଁ । ରାମଚନ୍ଦ୍ର ତାହାର ଧ୍ୱଜ, କିରୀଟ ଛେଦନ କଲେ । ତାହାର ଦୁର୍ଗତି ଦେଖି ବାନରମାନେ ତାଳି ମାରି ହସି ବିଦ୍ରୂପ କଲେ । ରାବଣ ପରାଜିତ, ଲାଞ୍ଛିତ ହୋଇ ଭୟରେ ପୃଷ୍ଠଭଙ୍ଗ ଦେଇ ପଳାଇଗଲା ।

 

ରାବଣ ନିଦାରୁଣ ଅପମାନ ପାଇ ସିଂହାସନ ଉପରେ ଯାଇ ଲଜ୍ଜାରେ ହେଠମୁଖ ହୋଇ ବସି ରହିଲା । ସେ ମନେ ମନେ ଭାବିଲା–‘‘ହାୟ, ବିଶ୍ୱବିଜୟୀ ରାବଣକୁ ସାମନ୍ୟ ନର ବାନର ପରାଜୟ କଲେ, ଏ ବ୍ୟଥା ହୃଦୟରେ ତପ୍ତଶେଳ ବିଦ୍ଧ ହେଲା ପରି ଯନ୍ତ୍ରଣା ଦେଉଛି । ମୋର ଏଡ଼େ ବଡ଼ପଣ ତୁଟିଗଲା, ଏବେ ଆଉ କିଏ ମୋତେ ଏ ବିପଦରୁ ଉଦ୍ଧାର କରିପାରିବ ? କୁମ୍ଭକର୍ଣ୍ଣ ଛଡ଼ା ଆଉ ସେଭଳି ଯୋଗ୍ୟ ପାତ୍ର କିଏ ? ଭାଇ ମୋର ଐରାବତର ଦାନ୍ତ ଉପାଡ଼ି ଇନ୍ଦ୍ରକୁ ପିଟିଥିଲା–ପୁଣି ଯମ, କୁବେର, ବରୁଣ ପ୍ରଭୃତିଙ୍କୁ ଜୟ କରିଅଛି, ସେ ନିଶ୍ଚୟ ନରବାନରଗୁଡ଼ାଙ୍କୁ ଗିଳିଦେଇ ଆସିବ ।’’ ରାବଣ ଏହା ଭାବି ଅନୁଚରମାନଙ୍କୁ ପଠାଇଦେଲା । ସେମାନେ କୁମ୍ଭକର୍ଣ୍ଣର କଞ୍ଚାନିଦ୍ରା ଭଙ୍ଗାଇ ଉଠାଇ ଆଣିଲେ । ରାବଣ ତାକୁ ଉପସ୍ଥିତ ବିପଦର ଆମୂଳ ବୃତ୍ତାନ୍ତ କହି ଯୁଦ୍ଧକୁ ଯିବା ପାଇଁ ଆଦେଶ ଦେଲା । କୁମ୍ଭକର୍ଣ୍ଣ ସବୁ ଶୁଣିଲା; ମାତ୍ର ସୀତା-ହରଣ ତାହା ମନକୁ ପାଇଲା ନାହିଁ । ସେ ଘୃଣା ପ୍ରକାଶ କରି କହିଲା–‘‘ତୁମ୍ଭେ ଭୁବନବିଜୟୀ ମହାରାଜାଧିରାଜ ହୋଇ ଏଡ଼େ ନିକୁଚ୍ଛ ବୁଦ୍ଧି କଲ ? ବେଳେ ବେଳେ ବିଚାର ନ କରି ତୁମ୍ଭେ ବଡ଼ ଗର୍ହିତ କାର୍ଯ୍ୟ କରି ବସ । ଛି, ଛି, ନାରୀ-ଚୋର ବୋଲି ଗୋଟାଏ କଳଙ୍କ ଉପାଧି ବହିଲ ସିନା ! ସେଥିରେ ପୌରୁଷ କିଛି ଅର୍ଜି ନାହିଁ, ବରଂ ପୌରୁଷକୁ ଖର୍ବ କରି ଆସିଅଛ । ରାମଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ସୀତାଙ୍କୁ ଚୋରାଇ ଆଣି ନିଜର ଭୀରୁତା ତାଙ୍କୁ ଜଣାଇଦେଇ ଆସିଅଛମାତ୍ର । ଏହା କଅଣ ତୁମ୍ଭ ଭଳି କ୍ଷାତ୍ରଶକ୍ତିମାନ୍‍, ଶାସ୍ତ୍ରଜ୍ଞ ବୀରପୁରୁଷର ଉଚିତ କାର୍ଯ୍ୟ ? ପଶୁବଳରେ ମାତି ବାରମ୍ବାର ବିପଦର ସମ୍ମୁଖୀନ ହେଉଅଛ, ତେବେ ବି ତୁମ୍ଭର ଚେତନା ହେଉ ନାହିଁ । ତୁମ୍ଭର ଏପରି କୁବୁଦ୍ଧି ଆମ୍ଭମାନଙ୍କର ଦୁର୍ଭାଗ୍ୟ ସିନା । ଯେଉଁ ମହାବଳ ସହସ୍ରାର୍ଜ୍ଜୁନ ତୁମ୍ଭଙ୍କୁ ବନ୍ଦୀଶାଳାରେ ରଖି ଚେଡ଼ିଦତ୍ତ ଉଚ୍ଛିଷ୍ଟ ଅନ୍ନରେ ବଞ୍ଚାଇ ରଖିଥିଲା, ତାକୁ ଯେ ମାରିଥିଲା, ସେ ପରଶୁରାମ ଯାହାଠାରେ ପରାସ୍ତ ହେଲା, ପୁଣି ଯେ ସମୁଦ୍ରକୁ ବନ୍ଧରେ ପାର ହେଲା, ସେ ରାମ କଣ ସାମାନ୍ୟ ମନୁଷ୍ୟ ? ଏଭଳି ଅସାଧ୍ୟ ସାଧନ କି କ୍ଷୁଦ୍ରପ୍ରାଣ ବ୍ୟକ୍ତି କରିପାରେ ? ତୁମ୍ଭେ କି ସାହସରେ ତାହା ସଙ୍ଗରେ ଯୁଦ୍ଧ କରିବାକୁ ଗଲ ?’’ ରାବଣ ଆଉ ସହିପାରିଲା ନାହିଁ, ମୁହଁ ଥମ୍‍ ଥମ୍‍ କରି କହିଲା–‘‘ତୁ ଏକା ବଡ଼ ଜାଣିବା ବ୍ୟକ୍ତି, ଆଉ ସମସ୍ତେ ଅଜାଣ ପଶୁ । ଦିନରାତି ଶୋଇ ଶୋଇ ତୁ ତ ଗୋଟାଏ ପଣ୍ତିତ ପାଲଟିଗଲୁଣି । ଗୁରୁଦେବଙ୍କ ପରି ଖୁବ୍‍ ଉପଦେଶ ବି ଦେଇ ଶିଖିଲୁଣି । ଗୋଟାଏ କିଛି ଭେକ ଧର, ଢେର ଚେଲା ଯୁଟିବେ । ତୋତେ ଭଟ୍ଟାଚାର୍ଯ୍ୟ ଉପାଧି ଦେଲେ ବେଶ୍‌ ମାନନ୍ତା । ତୋର ଆଉ ବିଭୀଷଣର ଏକା ଜାତକ ପରା ! ତୁ ବି ତାହାରି ପରି ନରବାନରର ଚରଣଧୂଳି ମୁଣ୍ତରେ ବୋଳିହୋଇ ଆଉ ପାଦୋଦକ ପାନ କରି କୃତାର୍ଥ ହେବୁ ଯା । ରାକ୍ଷସ-କୁଳର ଗୌରବ ଦାଉ ଦାଉ ଜଳି ଉଠିବ । ତୁମ୍ଭରି ପରି ବୀରପୁରୁଷ ଯେଉଁ ମା-ବାପ ଜନ୍ମକରନ୍ତି, ସେ ମା ବନ୍ଧ୍ୟା ଆଉ ସେ ବାପ କ୍ଳୀବ ।’’ କୁମ୍ଭକର୍ଣ୍ଣ ଅଗ୍ରଜକୁ କ୍ରୁଦ୍ଧ ହେବାର ଦେଖି ଆଉ କିଛି ନ କହି କାଳାନ୍ତକ ଶୂଳ ଅସ୍ତ୍ର ଧରି ଯୁଦ୍ଧଯାତ୍ରା କଲା ।

 

କୁମ୍ଭକର୍ଣ୍ଣର ଶରୀର ଅତି ପ୍ରକାଣ୍ତ । ତାହାର କର୍ଣ୍ଣକୁଣ୍ତ କଳସୀ ପରି । ଏହି ହେତୁ ତାହାର ନାମ କୁମ୍ଭକର୍ଣ୍ଣ ହୋଇଅଛି । ଦେହ ବଜ୍ର ପରି ଦୃଢ଼, ସେଥିରେ ସହଜରେ ବାଣ ଫୁଟେ ନାହିଁ । କୁମ୍ଭକର୍ଣ୍ଣ ସଙ୍ଗରେ ଅନେକ ବଛା ବଛା ରାକ୍ଷସବୀର ଯୁଦ୍ଧ କରିବାକୁ ଆସିଲେ । ବାନରମାନେ ଗଛ ପତର ଫିଙ୍ଗି ରଥ, ଅଶ୍ୱ, ସାରଥି ସହ ସେମାନଙ୍କୁ ଚୂର୍ଣ୍ଣ କରିଦେଲେ । କୁମ୍ଭକର୍ଣ୍ଣ ଏହା ଦେଖି କ୍ରୁଦ୍ଧ ହୋଇ ବାନର ସୈନ୍ୟମାନଙ୍କୁ ଧରି ଗିଳିବାକୁ ଲାଗିଲା, ମାତ୍ର ବାନରମାନେ ତାହା ପେଟକୁ ନ ଯାଇ ଗିରିଗୁହା ସଦୃଶ ନାକକାନ ପଥରେ ବାହାରି ଆସିଲେ । ତାହାର ପ୍ରଚଣ୍ତ ପ୍ରତାପ ସହି ନ ପାରି ବାନର ସେନା ଛତ୍ରଭଙ୍ଗ ହୋଇ ଇତସ୍ତତଃ ପଳାଇଗଲେ । ତହୁଁ ରାମଚନ୍ଦ୍ର ଆସି ତାହା ସହିତ ଯୁଦ୍ଧ କଲେ । ତାଙ୍କର ଅନେକ ବାଣ ରାକ୍ଷସ ଦେହରେ ବାଜି ବ୍ୟର୍ଥ ହେଲା । ସେ ଟହ ଟହ ହୋଇ ହସିଉଠି କହିଲା–‘‘ରାଘବ, ମୁଁ ଖର ଦୂଷଣ ପରି ସାମାନ୍ୟ ରାକ୍ଷସ ନୁହେ, ତୋର ଯେତେ ଅସ୍ତ୍ର ଅଛି ମାର, କାହିଁରେ ମୋର ରୋମ କମ୍ପିବ ନାହିଁ ।’’ ରାମଚନ୍ଦ୍ର ରାକ୍ଷସର ଏହି ଅବଜ୍ଞାସୂଚକ ପରିହାସ ବାକ୍ୟ ଶୁଣି ମହା କ୍ରୋଧରେ ମହାସ୍ତ୍ର ପ୍ରୟୋଗ କରି ତାହାକୁ ସଂହାର କଲେ । ରାବଣ ଭ୍ରାତୃମରଣ ଶୁଣି ଅନେକ ବାହୁନି କାନ୍ଦିଲା । ସେ ହତାଶାବୋଳା ଦୀର୍ଘ ନିଃଶ୍ୱାସ ପକାଇ କହିଲା, ‘‘ହାୟ, ଆଜି ମୋର ଦକ୍ଷିଣହସ୍ତ ଛିଡ଼ିପଡ଼ିଲା । ମହାବୀର କୁମ୍ଭକର୍ଣ୍ଣ ମଲା, ଆଉ ଏ ରାକ୍ଷସକୁଳର ବିପୁଳ ମାନ ମହତ୍ତ୍ୱ କିଏ ରକ୍ଷା କରିପାରିବ ?’’ ପିତାର ବିଳାପ ଶୁଣି ଇନ୍ଦ୍ରଜିତ ପ୍ରତିଜ୍ଞା କରି ଯୁଦ୍ଧ କରିବାକୁ ଆସିଲା । ଦୁଷ୍ଟ ମାୟାବୀ ମାୟା ସୀତା ନିର୍ମାଣ କରାଇ ଯୁଦ୍ଧସ୍ଥଳରେ ଆଣି ଖଡ୍‍ଗାଘାତରେ ତାହାର ଶିରଚ୍ଛେଦନ କରି ଗଡ଼କୁ ଫେରିଗଲା । ତାହାର ଦୁରୁଦ୍ଦେଶ୍ୟ ଏହି ଯେ-ପ୍ରାଣପ୍ରିୟା ସୀତାଙ୍କ ମୃତ୍ୟୁରେ ରାମଚନ୍ଦ୍ର ନିଶ୍ଚୟ ଆତ୍ମହତ୍ୟା କରିବେ । ତାହାହେଲେ ସବୁ ଅରିଷ୍ଟ ସହଜରେ ଖଣ୍ତିଯିବ । କିନ୍ତୁ ବୃଥା ଆଶା ! ଦୁଷ୍ଟର ସେ ଚାତୁରୀ ବିଭୀଷଣର ସତର୍କ ଦୃଷ୍ଟି ଅନ୍ତରାଳରେ ରହିଲା ନାହିଁ । ସେ ମନୋଗତି ଚାରପଠାଇ ବୁଝିଲା, ସୀତା ଅଶୋକ ବନରେ ନିରାପଦରେ ଅଛନ୍ତି । ରାମଚନ୍ଦ୍ର ଏହା ଶୁଣି ମିତ୍ରକୁ ଧନ୍ୟ ଧନ୍ୟ କହି ଆଲିଙ୍ଗନ କଲେ । ବାନରମାନେ ବିଭୀଷଣର ଚରିତ୍ରକୁ କୋଟି କଣ୍ଠରେ ପ୍ରଶଂସା କରିବାକୁ ଲାଗିଲେ । ତହିଁ ଇନ୍ଦ୍ରଜିତ-ବଧର ମନ୍ତ୍ରଣା ଲାଗିଲା । ସେଥିରେ ସ୍ଥିର ହେଲା-ବିଭୀଷଣ ଲକ୍ଷ୍ମଣଙ୍କୁ ସଙ୍ଗରେ ଘେନି ରାତିରେ ଲଙ୍କା ମଧ୍ୟରେ ପଶି ଇନ୍ଦ୍ରଜିତର ଯଜ୍ଞଭଙ୍ଗପୂର୍ବକ ତାହାକୁ ବଧ କରିବେ । ଏହି ପ୍ରସ୍ତାବ ଯଥାସମୟରେ କାର୍ଯ୍ୟରେ ପରିଣତ ହେଲା । ବିଭୀଷଣ ସାହାଯ୍ୟରେ ଲକ୍ଷ୍ମଣ ଲଙ୍କାଗଡ଼ରେ ପଶି ଯଜ୍ଞସ୍ଥାନରେ ଇନ୍ଦ୍ରଜିତକୁ ସଂହାର କଲେ । ପ୍ରିୟପୁତ୍ରର ମୃତ୍ୟୁରେ ରାବଣର ପିତୃ-ହୃଦୟ ଖଣ୍ତ ଖଣ୍ତ ହୋଇ ଫାଟିଗଲା । ସେ ନିସ୍ତେଜ ହୋଇପଡ଼ିଲା; ଚେତନା ପାଇ ଅସମ୍ଭାଳ କ୍ରୋଧରେ ସମର କ୍ଷେତ୍ରକୁ ଧାଇଁଲା । ସଙ୍ଗରେ ଅସଂଖ୍ୟ ବଡ଼ ବଡ଼ ବୀର ଆସିଲେ । ସେଦିନ ରାବଣ ପୁତ୍ରଶୋକରେ ଅଧୀର ହୋଇ ଅତି ଭୀଷଣ ଯୁଦ୍ଧ କରିବାକୁ ଲାଗିଲା । ଉଭୟ ପକ୍ଷରୁ ଅସଂଖ୍ୟ ସୈନ୍ୟ ନିହତ ହେଲେ । ମୃତ ବୀରମାନଙ୍କର ମୁକୁଟ, ଅଳଙ୍କାର ପ୍ରଭୃତିର ଜ୍ୟୋତିରେ ରଣଭୂମି ତାରକିତ ଦିଶିଲା ରାବଣ ଅମରତ୍ରାସ ‘‘ଶକ୍ତିଶଲ୍ୟ’ ନାମକ ଅବ୍ୟର୍ଥ ଅସ୍ତ୍ର ଲକ୍ଷ୍ମଣଙ୍କ ପ୍ରତି ପ୍ରୟୋଗ କଲା । ଲକ୍ଷ୍ମଣ ସେହି ମହାବାଣରେ ବିଦ୍ଧବକ୍ଷ ହୋଇ ଚେତନା ହରାଇ ତଳେ ପଡ଼ିଗଲେ । ରାବଣ ଏହି ଭୀଷଣ ପ୍ରତିଶୋଧ ନେଇ ସେଦିନ ଆଉ ଯୁଦ୍ଧ ନ କରି ଫେରିଗଲା ।

 

ରାମଚନ୍ଦ୍ର ପ୍ରାଣାଧିକ ଲକ୍ଷ୍ମଣଙ୍କୁ ମୃତବତ୍‌ ଦେଖି ଶଙ୍କିତ ହେଲେ; ମାତ୍ର ଧୈର୍ଯ୍ୟ ହରାଇଲେ ନାହିଁ । ଦୁର୍ବଳ ହୃଦୟ ବିପଦରେ ଅଧୀର ହୋଇପଡ଼େ ସିନା; ମାତ୍ର ମହାହୃଦୟ ମହାବିପଦରେ ସୁଦ୍ଧା ଅଟଳ । ରାମଚନ୍ଦ୍ର ଅନୁଜକୁ ବଞ୍ଚାଇବାର ଉପାୟ ଚିନ୍ତା କଲେ; କିନ୍ତୁ ତାଙ୍କୁ ଅଧିକ କ୍ଷଣ ଚିନ୍ତା କରିବାକୁ ହେଲା ନାହିଁ । ବୈଦ୍ୟରାଜ ସୁଷେଣ ରାମଚନ୍ଦ୍ରଙ୍କୁ ବିମର୍ଷ ଓ ଚିନ୍ତାନ୍ୱିତ ଦେଖି କର ଯୋଡ଼ି ଛାମୁରେ ଆସି ଜଣାଇଲା–‘‘ରଘୁପତି, ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ଗନ୍ଧମାଦନ ନାମକ ପର୍ବତରେ ବିଶଲ୍ୟକରଣୀ ଔଷଧ ଅଛି । ଏହି ରାତି ମଧ୍ୟରେ ସେହି ଔଷଧ ଆଣି ଦେଲେ ମୁଁ ଲକ୍ଷ୍ମଣଙ୍କୁ ଜୀଆଇଦେବି । ଏହି ଅସାଧ୍ୟ କାର୍ଯ୍ୟ ସାଧନ କରିବାକୁ ମହାବୀର ହନୁମାନ ଏକା ସମର୍ଥ ।’’ ରାମଚନ୍ଦ୍ର ଏହା ଶୁଣି ମହୌଷଧି ଆଣିବା ସକାଶେ ହନୁମାନକୁ ଆଦେଶ ଦେଲେ । ତହୁଁ ପାବନି ଯୋଗବଳରେ ପବନଗତିରେ ବହୁ ଦୂରବର୍ତ୍ତୀ ଗନ୍ଧମାଦନ ପର୍ବତକୁ ଯାଇ ବିଶଲ୍ୟକରଣୀ ଘେନି ଆସିଲା । ସୁଷେଣ ସେହି ଔଷଧରେ ଲକ୍ଷ୍ମଣଙ୍କୁ ଜୀଆଇଦେଲେ । ଲକ୍ଷ୍ମଣ ନିଦ୍ରାରୁ ଉଠିଲା ପରି ଉଠି ବସିଲେ । ରାମଚନ୍ଦ୍ର ହୃତନିଧି ପାଇ ଆନନ୍ଦରେ କାନ୍ଦିପକାଇଲେ । ବାନରମାନେ ମହୋଲ୍ଲାସରେ ମାତି ‘‘ଜୟ ରାମଚନ୍ଦ୍ର, ଜୟ ଲକ୍ଷ୍ମଣ ’ ଶବ୍ଦରେ ଗଗନ ପବନ କମ୍ପାଇଦେଲେ ।

Image

 

ଏକବିଂଶ ପରିଚ୍ଛେଦ

 

ଲକ୍ଷ୍ମଣ ଜୀଇଉଠିବାର ଶୁଣି ରାବଣ ଅତି ଆଶ୍ଚର୍ଯ୍ୟ ହୋଇ କହିଲା–‘‘ଯେଉଁ ଶକ୍ତିଶେଳ ବାଣରେ ଦେବତା, ଯକ୍ଷ, ରକ୍ଷ କାହାରି ନିସ୍ତାର ନାହିଁ, ସେହି ଅମୋଘ ମହାସ୍ତ୍ର କ୍ଷୁଦ୍ରଜୀବ ମନୁଷ୍ୟର ପ୍ରାଣ ସଂହାର କରିପାରିଲା ନାହିଁ, ଏହାଠାରୁ ବଳି ଆଶ୍ଚର୍ଯ୍ୟ ବ୍ୟାପାର ଆଉ କଅଣ ଅଛି ? ଉଃ, ରାମଲକ୍ଷ୍ମଣ କି ବିଷମ ବୈରୀ, ମରି ସୁଦ୍ଧା ମରୁ ନାହାନ୍ତି ! ବନରେ ପ୍ରଚଣ୍ତ ଦାବାନଳ ଚରିଆସି ଯେପରି ମହାବୃକ୍ଷର ଶାଖାପତ୍ର ନାଶି ଶେଷରେ ମୂଳକୁ ଗ୍ରାସ କରେ, ଏ ଦୂରନ୍ତ ରିପୁ ମୋ ପକ୍ଷରେ ସେହିପରି ହୋଇଅଛି । ଲଙ୍କାର ବଜ୍ରପ୍ରାଚୀରସ୍ୱରୂପ କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ ଗଲେ ଓ ଜ୍ଞାତି, ପରିବାର ପୁଅ ନାତି ସମସ୍ତେ ଗଲେ, ଖାଲି ମୁଁ ଥୁଣ୍ଟାଗଛ ପରି ଏକୁଟିଆ ଅଛି । ଯାହାହେଉ, ନିଜ ହାତରେ ତ ମୁଁ ନିଜ ଅଦୃଷ୍ଟରେ ଅଗ୍ନି ସଂଯୋଗ କରିଅଛି, ଏବେ ଆଉ ଦୁଃଖ କଲେ କଅଣ ହେବ ? ଏ ଦୁର୍ଜୟ ରିପୁ ମୋର ଶକ୍ତି ଶୋଷଣ କରିଅଛି, ମୋତେ ନ ମାରି ସେ କ୍ଷାନ୍ତ ହେବ ନାହିଁ । ତାହା ହେଉ ପଛେ; ମାତ୍ର ଯୁଦ୍ଧ କେଭେଁ ଛାଡ଼ିବ ନାହିଁ । ମୁଁ କି ଏଡ଼େ ଅଭାଜନ ଯେ, ଛାର ପ୍ରାଣ ପାଇଁ ମହତ୍ତ୍ୱ ହରାଇ ବସିବି । ସମସ୍ତଙ୍କୁ ମରାଇ ନିଜେ ବଞ୍ଚି ରହିବାକୁ କେଉଁ ଅଧମ ସୁଦ୍ଧା ଇଚ୍ଛା କରିବ ନାହିଁ । ଯେଉଁ ମାନେ ମୋ ଲାଗି ମରିଅଛନ୍ତି, ସେମାନଙ୍କ ପ୍ରେତାତ୍ମାର ସମ୍ମାନ ପାଇଁ ମୁଁ ସୁଦ୍ଧା ମରିବି । ଘୃଣିତ ଜୀବନ ଘେନି ବଞ୍ଚି ରହିବାରେ କି ଫଳ ? ପୁଣି ମହାଶ୍ମଶାନ ମଧ୍ୟରେ ଶବସିଂହାସନରେ ବସି ରାଜତ୍ୱ କରିବାରେ ବା କି ଲାଭ ? ଯେ ମୋତେ ଦେଖି ଭୟରେ ଥରୁଥିଲା, ସେ ଏବେ ଦେଖିଲେ ହସିବ, ସେ ଅପମାନ ମୁଁ ସହିପାରିବି ନାହିଁ । ଏବେ ମୁଁ ବୁଝିଲି ରାମଚନ୍ଦ୍ର ସାମାନ୍ୟ ବ୍ୟକ୍ତି ନୁହନ୍ତି–ବାସ୍ତବରେ ସେ ପରଂବ୍ରହ୍ମଙ୍କର ଅବତାର । ତାଙ୍କ ହାତରେ ସମ୍ମୁଖ ଯୁଦ୍ଧରେ ମୁଁ ମଲେ ମୁକ୍ତିଲାଭ କରିବି । ତେବେ ଏ ସୁଯୋଗ ଛାଡ଼ିବି କାହିଁକି ? ଏହି ସୌଭାଗ୍ୟ ମୃତ୍ୟୁ ମୋତେ ଅମର କରି ରଖିବ । ଭକ୍ତିରେ ଭଗବାନ ଶୀଘ୍ର ମିଳନ୍ତି ନାହିଁ; ଶତ୍ରୁ ଭାବରେ ଶୀଘ୍ର ମିଳନ୍ତି । ଅତଏବ ଯୁଦ୍ଧ କରିବା ହିଁ ମୋ ପକ୍ଷରେ ନିତାନ୍ତ ଶ୍ରେୟସ୍କର ।’’ ରାବଣ ଏହିପରି ଭାବି ଅବଶିଷ୍ଟ ରାକ୍ଷସବୀରଙ୍କୁ ଡାକି ଯୁଦ୍ଧକୁ ପଠାଇଲା; ମାତ୍ର ସେମାନେ ଆଉ ବାହୁଡ଼ି ଆସିଲେ ନାହିଁ । ନରାନ୍ତକ, ଦେବାନ୍ତକ, ତ୍ରଶିରା, କୁମ୍ଭ, ନିକୁମ୍ଭ, ମକରାକ୍ଷ, ତରଣୀସେନ ଓ ବୀରବାହୁ ପ୍ରଭୃତି ମହାବୀର ଯୁଦ୍ଧକ୍ଷେତ୍ରରେ ପ୍ରାଣତ୍ୟାଗ କଲେ । ଯେଉଁମାନେ ବର ପ୍ରଭାବରେ ଅବଧ୍ୟ, ବିଭୀଷଣ ସେମାନଙ୍କର ମୃତ୍ୟୁ ରହସ୍ୟ କହିଦେଇ ସମସ୍ତଙ୍କୁ ମରାଇଲା । ସାଧୁ ବିଭୀଷଣ ସ୍ୱୀୟ ଚରିତ୍ରର ଯେଉ ଅପୂର୍ବ ମହତ୍ତ୍ୱ ଦେଖାଇଥିଲା, ତାହା ବାସ୍ତବରେ ଅତୁଳନୀୟ । ସେଭଳି ମହତ୍ତ୍ୱ ଦେବ-ପ୍ରାଣରେ ସୁଦ୍ଧା ଦୁର୍ଲଭ । ସେ ନିଜର ପୁତ୍ର ତରଣୀସେନ ମୃତ୍ୟର ଗୁପ୍ତ ଉପାୟ କହିଦେଇ ରାମଚନ୍ଦ୍ରଙ୍କ ଦ୍ୱାରା ତାକୁ ମରାଇଥିଲା । ରାମଚନ୍ଦ୍ର ପଛରେ ତାହା ଜାଣିପାରି ଶୋକ ଓ ଅନୁତାପରେ କାନ୍ଦିପକାଇ କହିଲେ–‘‘ମିତ୍ରବର, ହାୟ, ତୁମ୍ଭର ପ୍ରାଣ କି ପାଷାଣରେ ଗଢ଼ା ହୋଇଅଛି ? ନିଜ ଆତ୍ମଜର ମରଣ-ଭେଦ କହିଦେଇ ତାକୁ ମରାଇବାକୁ କି ତୁମ୍ଭ ମନରେ ତିଳେମାତ୍ର ଦୁଃଖ ହେଲା ନାହିଁ ? ତୁମ୍ଭର ବିଭୀଷଣ ନାମ ସାର୍ଥକ । ଏଭଳି ଭୀଷଣ ଦୁଃଖ ଯେ ସହିପାରେ, ତାହାର ବିଭୀଷଣ ନାମ ଅକ୍ଷରେ ଅକ୍ଷରେ ସତ୍ୟ ।’’ ବିଭୀଷଣ ହସି ହସି କହିଲା–‘‘ପ୍ରାଣ ପାଷାଣରେ ଗଢ଼ା କାହିଁକି ହେବ ପ୍ରଭୁ ? ତୁମ୍ଭରି କୃପାଦତ୍ତ ଜ୍ଞାନ ମୋତେ ଯାହା ଶିଖାଇଅଛି, ମୁଁ ତାହାହିଁ କରିଅଛି । ସଂସାରରେ ମୁଁ କେତେ ଥର ମରି କେତେ ଥର ଜନ୍ମିଅଛି, ତାହା ତୁମ୍ଭର ଅଜ୍ଞାତ ନୁହେଁ । କେତେ ସ୍ଥାନରେ ମୋର ପରିବାର ଥିବେ; କିନ୍ତୁ ମୁଁ ତାଙ୍କୁ ଭୁଲିଯାଇଅଛି । ଆଖି ବୁଜିଲେ ବର୍ତ୍ତମାନ ସ୍ୱଜନମାନଙ୍କୁ ବି ସେହିପରି ଭୂଲିଯିବି । ସବୁ ତ ଭୁଲରେ ମିଳାଇଯାଉଅଛି, ତେବେ ବୃଥା ଦୁଃଖ କରିବି କାହିଁକି କାହା ଲାଗି ପ୍ରଭୁ ? ଏ ସଂସାରରେ ମୋର କିଏ ଅଛି ? ତେବେ ଦୁଃଖ ଏହି ଯେ, ମୋର ଭାଗ୍ୟଧର ପୁତ୍ର ‘ତରଣୀ’ ତୁମ୍ଭ ହାତରେ ମରି ବୈକୁଣ୍ଠରେ ସ୍ଥାନ ପାଇଲା; କିନ୍ତୁ ଆଜନ୍ମ ଶ୍ରୀଚରଣ-ସେବା କରି ମୋର କଣ ହେଲା–ମୁଁ ଏହି ଜଞ୍ଜାଳମୟ ସଂସାର-ବିନ୍ଧନରେ ପଡ଼ି ପଚି ସଢ଼ି ଜୀବନ୍ତ ମରଣ ଯନ୍ତ୍ରଣା ଭୋଗ କରୁଥିବି ସିନା ! ସେ ଯାହା ହେଉ, ତରଣୀସେନ ଜୀବିତ ଥିଲେ ରଣଜୟ କରି ହୁଅନ୍ତା ନାହିଁ । ସେ ସାମାନ୍ୟ ଶକ୍ତିଧର ନୁହେଁ ! ଲଙ୍କାରେ କେବଳ ଇନ୍ଦ୍ରଜିତ ତାହାର ସମକକ୍ଷ । ମୁଁ ତାହାକୁ ମରାଇ ସତ୍ୟରକ୍ଷା ଓ ଧର୍ମରକ୍ଷା କରିଅଛି ।’’ ରାମଚନ୍ଦ୍ର ଏହା ଶୁଣି ମହାମିତ୍ର ବିଭୀଷଣକୁ କୁଣ୍ଢାଇପକାଇ କହିଲେ–‘‘ସୁହୃଦ୍‌-ପ୍ରବର, ଦୁଃଖିତ ହୁଅ ନାହିଁ, ତୁମ୍ଭର ସ୍ଥାନ ମୋର ଏହି ହୃଦୟ ଭିତରେ ।’’ ବିଭୀଷଣ ସାଫଲ୍ୟ ଅଶ୍ରୁ ବିସର୍ଜନ କରି ଆନନ୍ଦ ଗଦ୍‌ଗଦ କଣ୍ଠରେ କହିଲା–‘‘ନା ପ୍ରଭୁ, ହୃଦୟରେ ସ୍ଥାନ ଲଭିବା ଭଳି ଯୋଗ୍ୟତା ମୋର ନାହିଁ–ଶ୍ରୀଚରଣ ତଳେ ମୋର ସ୍ଥାନ ନିର୍ଦ୍ଦିଷ୍ଟ ହେଉ-।’’

 

ମହୀରାବଣ ନାମରେ ରାବଣର ଗୋଟାଏ ପୁଅ ଥିଲା । ଅନ୍ୟ ବୀର ଅଭାବରେ ରାବଣ ତାହାକୁ ଯୁଦ୍ଧକୁ ପଠାଇଲା । ମହୀରାବଣ ମାୟା ବିଦ୍ୟାରେ ଖୁବ୍‍ ନିପୁଣ । ଅନ୍ୟର କଥା କିଏ ପଚାରେ ଅଦ୍ଭୁତ ମହାମାୟା ବଳରେ ସେ ସ୍ୱୟଂ ମାୟାଦେବୀଙ୍କୁ ସୁଦ୍ଧା ମୋହିତ କରିପାରେ । ସେ ରାତିରେ ଆସି ମାୟାବିଦ୍ୟା ପ୍ରଭାବରେ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ବାହ୍ୟଜ୍ଞାନ ଆଚ୍ଛନ୍ନ କରି ତାଙ୍କୁ ପାତାଳପୁରକୁ ଘେନିଯାଇ ବନ୍ଦୀ କରି ରଖିଲା । ଅସାଧ୍ୟ ସାଧନଦକ୍ଷ ପ୍ରଭୁ–ଭକ୍ତ ମହାବୀର ହନୁମାନ ପାତାଳକୁ ଯାଇ ଅସାଧାରଣ ବୁଦ୍ଧି କୌଶଳରେ ମହୀରାବଣକୁ ସବଂଶ ନିପାତ କରି ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରି ଆଣିଲା । ରାବଣ ଛଡ଼ା ଆଉ ଯୁଦ୍ଧ କରିବାକୁ କେହି ନାହିଁ । ବୀରଜନନୀ ଲଙ୍କା ଏବେ ବୀରଶୁନ୍ୟା । ଯେଉଁ ରାକ୍ଷସ ମହାବାହିନୀ ରୂପ ମହାସାଗର ଗର୍ଭରେ ଅସଂଖ୍ୟ ନକ୍ର, ଶିଶୁମାର, ତିମି, ତିମିଙ୍ଗଳ ଚହଟି ଖେଳୁଥିଲେ, ସେଥିରେ ଏବେ କ୍ଷୁଦ୍ର ମୀନ ଓ ଗେଣ୍ଡା ଶାମୁକା ଛଡ଼ା ଆଉ କିଛି ନାହିଁ । ଚାରୁ ହର୍ମ୍ୟବତୀ ସୁନ୍ଦରୀ ଲଙ୍କାପୁରୀ ବିଧବା ପରି ହତଶ୍ରୀ ଦିଶୁଛି । ପ୍ରତିମା ଦେହରୁ ରଙ୍ଗ ଛାଡ଼ିଗଲା ପରି ତାହାର ରୂପ ମଳିନ ଓ ନାରଖାର । ରାବଣ ଅନ୍ୟ ଉପାୟ ନ ଦେଖି ମହାକ୍ରୋଧରେ ଅଧୀର ହୋଇ ନିଜେ ଯୁଦ୍ଧକୁ ଆସିଲା । ହତାବଶିଷ୍ଟ ସୈନ୍ୟବୃନ୍ଦ ତାହା ସଙ୍ଗରେ ଆସିଲେ । ରାକ୍ଷସ ବାନର ମିଶାମିଶି ହୋଇ ଜୀବନର ମାୟା ତେଜି ଭୀଷଣ ସଂଗ୍ରାମରେ ପ୍ରବୃତ୍ତ ହେଲେ । ରାବଣ କେତେ ଯୁଦ୍ଧ କରିଛି, ତାହାର ସଂଖ୍ୟା ନାହିଁ; ମାତ୍ର ଏହି ଯୁଦ୍ଧ ତାହା ଜୀବନର ଶେଷ ଯୁଦ୍ଧ । ସେ ନିଜର ସମଗ୍ର ଶକ୍ତି ପ୍ରୟୋଗ କରି ଯୁଦ୍ଧ କରିବାକୁ ଲାଗିଲା । ବାନର ସେନା ଦଳ ଦଳ ହୋଇ ମରି ପଡ଼ିଗଲେ । ରାବଣର ଦୁର୍ଦ୍ଧର୍ଷ ପ୍ରତାପ କେହି ସହିପାରିଲେ ନାହିଁ । ତହୁଁ ରାମଚନ୍ଦ୍ର ଆସି ତାହା ସଙ୍ଗରେ ଯୁଦ୍ଧ କଲେ । ସେ ଯୁଦ୍ଧରେ ପଟାନ୍ତର ନାହିଁ । ପ୍ରଜ୍ଞମାନେ କହିଛନ୍ତି–ରାମରାବଣର ଯୁଦ୍ଧ ରାମ ରାବଣର ଅନୁରୂପ, ଅର୍ଥାତ୍ ତାହାର ତୁଳନା ନାହିଁ-। ଉଭୟେ ମହାରଥ, ମହାକ୍ଷତ୍ରୀ; ଧନୁର୍ବେଦରେ କେହି କାହାର ଊଣା ନୁହନ୍ତି । ସେହି ମହାଯୁଦ୍ଧରେ ସ୍ୱର୍ଗମର୍ତ୍ତ୍ୟ କମ୍ପମାନ ହେଲା । ରାମଚନ୍ଦ୍ରଙ୍କୁ ତଳେ ଠିଆ ହୋଇ ଯୁଦ୍ଧ କରିବାର ଦେଖି ଦେବରାଜ ଇନ୍ଦ୍ର ନିଜ ରଥ ପଠାଇଦେଲେ । ଦେବସାରଥି ମାତଳି ରଥ ଘେନି ଆସିଲା । ରାମଚନ୍ଦ୍ର ସେହି ଦେବରଥରେ ବସି ଯୁଦ୍ଧ କଲେ । ତାଙ୍କର ଅନେକ ପ୍ରସିଦ୍ଧ ବାଣ ରାବଣ ଉପରେ ବାଜି ବ୍ୟର୍ଥ ହେଲା । ଶେଷରେ ସେ ମାତଳିର ଉପଦେଶରେ ଅବ୍ୟର୍ଥ ବ୍ରହ୍ମାସ୍ତ୍ର ପ୍ରହାର କରି ରାବଣର ଦଶମୁଣ୍ଡ କାଟିପକାଇଲେ । ରାବଣ ପ୍ରାଣତ୍ୟାଗ କରି ରଣକ୍ଷେତ୍ରରେ ପତିତ ହେଲା । ବାନରମାନେ ଆନନ୍ଦହୁଙ୍କାର ଓ ଜୟଧ୍ୱନିରେ ପୃଥିବୀ କମ୍ପାଇଦେଲେ । ବିଭୀଷଣ ଛଡ଼ା ରାବଣର ବଂଶରେ ଆଉ କେହି ନାହାନ୍ତି । ରାମଚନ୍ଦ୍ରଙ୍କ ଆଦେଶରେ ବିଭୀଷଣ ରାଜୋଚିତ ବିଧାନରେ ଭ୍ରାତାର ଶବସଂସ୍କାର କଲା । ଅନ୍ତ୍ୟେଷ୍ଟି ପରେ ରାମଚନ୍ଦ୍ର ଧାର୍ମିକ ବିଭୀଷଣକୁ ଲଙ୍କାର ରାଜସିଂହାସନରେ ବସାଇଲେ । ମହାସତୀ ମନ୍ଦୋଦରୀକୁ ତାହାର ପଟମହିଷୀ ପଦରେ ଅଭିଷିକ୍ତ କଲେ ।

 

ଅନନ୍ତର ଜୟଶ୍ରୀମଣ୍ଡିତ ରାମଚନ୍ଦ୍ରଙ୍କ ଆଦେଶରେ ସୀତା ଅଶୋକ ବନରୁ ଆନୀତ ହେଲେ । ସତୀଶିରଟିକା ବୈଦେହୀ ଆସି ସ୍ୱାମୀଙ୍କର ପଦବନ୍ଦନ କଲେ । ତାଙ୍କର ଆନନ୍ଦାଶ୍ରୁରେ ରାମଚନ୍ଦ୍ରଙ୍କର ଶ୍ରୀଚରଣ ଧୌତ ହୋଇଗଲା । ସୀତାଙ୍କର କ୍ଷୀଣ, ମ୍ଳାନ ଶରୀର ଦେଖି ଉପସ୍ଥିତ ରାକ୍ଷସ ବାନର କାହାର ଚକ୍ଷୁ ଅନାର୍ଦ୍ର ରହିପାରିଲା ନାହିଁ । ରାମଚନ୍ଦ୍ର ସୀତାଙ୍କୁ କହିଲେ–‘‘ପ୍ରିୟେ, ତୁମ୍ଭେ ଚିରଶୁଦ୍ଧା ଓ ନିଷ୍ପାପା, ଏହା ମୁଁ ଜାଣେ, ତଥାପି ଲୋକମତ ସ୍ୱତନ୍ତ୍ର । ତୁମ୍ଭେ ଚଉଦ ମାସ କାଳ ରାକ୍ଷସ ଘରେ ବନ୍ଦିନୀ ହୋଇଥିଲ, ଏଥିରେ ତୁମ୍ଭ ଚରିତ୍ର ପ୍ରତି ଲୋକେ ସନ୍ଦେହ କରିପାରନ୍ତି । ସୁତରାଂ ତୁମ୍ଭେ ସମସ୍ତଙ୍କ ଆଗରେ ନିଜର ଶୁଦ୍ଧତାର ପରିଚୟ ଦିଅ ।’’ ସ୍ୱାମୀଙ୍କର ଏ କଠୋର ଆଦେଶ ଶୁଣି ସୀତା ଦୁଃଖିତ ବା ବିଚଳିତ ହେଲେ ନାହିଁ–ନିର୍ବିକାର ଚିତ୍ତରେ ଲକ୍ଷ୍ମଣଙ୍କୁ ଅଗ୍ନିକୁଣ୍ଡ ପ୍ରସ୍ତୁତ କରିବାକୁ କହିଲେ । ଲକ୍ଷ୍ମଣ ସୀତାଙ୍କର ଆଦେଶ ପାଳନ କଲେ । ସୀତା ସେହି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପଶି କିଛିକ୍ଷଣ ବୁଡ଼ିରହି ଅକ୍ଷତ ଶରୀରରେ ବାହାରି ଆସିଲେ । ତାଙ୍କୁ ଏହି ଭୀଷଣ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଦେଖି ସମସ୍ତେ ଧନ୍ୟ ଧନ୍ୟ କହିଉଠିଲେ । ସ୍ୱୟଂ ଅଗ୍ନିଦେବ ଆସି ସୀତାଙ୍କ ସଚରିତ୍ରତାର ସାକ୍ଷ୍ୟ ଦେଲେ । ରାମଚନ୍ଦ୍ରଙ୍କର ମୃତ ପିତା ଦେବରୂପୀ ଦଶରଥ ଇନ୍ଦ୍ରାଦି ଦେବତାମାନଙ୍କ ସହିତ ଆସି ସୀତାଙ୍କ ସପକ୍ଷରେ କହିଗଲେ । ରାମଚନ୍ଦ୍ର ଆନନ୍ଦରେ ସୀତାଙ୍କୁ ଆଲିଙ୍ଗନ କରି ଗ୍ରହଣ କଲେ । ବହୁକାଳ ବିଚ୍ଛେଦ ପରେ ରାମଚନ୍ଦ୍ର ଓ ସୀତାଙ୍କର ମିଳନ ଘଟିଲା । ବିଚ୍ଛେଦ ପରେ ଯେଉଁ ମିଳନ, ତାହାର ମଧୁରତା ଦେବଭୋଗ୍ୟ ଅମୃତରେ ନାହିଁ । ବିଚ୍ଛେଦ ସିନା ମିଳନକୁ ମଧୁମୟ କରେ ! ବିଚ୍ଛେଦ ନ ଥିଲେ ମିଳନର ମୂଲ୍ୟ ସୁଦ୍ଧା ଥାନ୍ତା ନାହିଁ । ଅନ୍ଧାର ନ ଥିଲେ ଆଲୁଅକୁ କିଏ ଗୌରବ କରନ୍ତା ? ସୀତାଙ୍କ ପ୍ରତି ଯେଉଁ ରାକ୍ଷସୀମାନେ ସଦୟ ବ୍ୟବହାର କରିଥିଲେ, ବିଭୀଷଣ ସେମାନଙ୍କୁ ଉପଯୁକ୍ତ ପୁରସ୍କାର ପ୍ରଦାନ କଲା, ଆଉ ଯେଉଁମାନେ କ୍ରୂର ବ୍ୟବହାର କରିଥିଲେ, ରାମଚନ୍ଦ୍ର ଦୟା କରି ସେମାନଙ୍କୁ କ୍ଷମା କଲେ । କ୍ଷମା ସିନା ମହାଜନର ମହାର୍ହ ଭୂଷଣ !

 

ଯୁଦ୍ଧ ଶେଷ ହେବାବେଳକୁ ରାମଚନ୍ଦ୍ରଙ୍କର ବନବାସ କଣ୍ଟ ଚଉଦବର୍ଷ ଅତୀତ ହୋଇଯାଇଥିଲା । ରାମଚନ୍ଦ୍ର ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟାକୁ ଫେରିଯିବାକୁ ଇଚ୍ଛାକଲେ । ବିଭୀଷଣର ଆଦେଶରେ ଶୂନ୍ୟଗାମୀ ପୁଷ୍ପକ ରଥ ମଣ୍ଡିତ ହୋଇ ଆସିଲା । ରାମଚନ୍ଦ୍ର ବାନରମାନଙ୍କୁ ବିଦାୟ ଦେବାକୁ ଇଚ୍ଛାକଲେ; ମାତ୍ର ସେମାନେ ରାମଚନ୍ଦ୍ରଙ୍କର ମଧୁର ସହବାସ ସୁଖ ତେଜି ନ ପାରି ଅଯୋଧ୍ୟା ପର୍ଯ୍ୟନ୍ତ ତାଙ୍କ ସଙ୍ଗରେ ଯିବାକୁ ଅଳି କଲେ । ରାମଚନ୍ଦ୍ର ଆନନ୍ଦ ସହ ସେଥିରେ ସମ୍ମତି ହୋଇ ବାନରମାନଙ୍କୁ ସଙ୍ଗରେ ଯିବାକୁ ଆଦେଶ ଦେଲେ । ବିଭୀଷଣ ସୁଦ୍ଧା ସଙ୍ଗରେ ଯିବାକୁ ଅନୁମତି ପାଇଲେ । ରାମଚନ୍ଦ୍ର ଆଉ ବିଳମ୍ବ ନ କରି ଲକ୍ଷ୍ମଣ, ସୀତା, ରାକ୍ଷସ, ବାନର ସମସ୍ତଙ୍କୁ ଘେନି ରଥରେ ବସି ଅଯୋଧ୍ୟାଭିମୁଖରେ ଯାତ୍ରା କଲେ । ଯାଉଁ ଯାଉଁ ରାମଚନ୍ଦ୍ର ଓ ସୀତା ବିଚ୍ଛେଦ କାଳର ଦୁଃଖ କଥା କୁହାକୁହି ହୋଇ ପରସ୍ପରର ମନ ହରଣ କରିବାକୁ ଲାଗିଲେ ଏବଂ ଦୁହେଁ ଦୁହିଙ୍କର ହୃଦୟ ବିନିମୟ କରି ଗତ ଦୁଃଖଦୁର୍ଗତି ସବୁ ଭୁଲିଗଲେ । ମଧୁର, ପବିତ୍ର, ନିର୍ମଳ ଦାମ୍ପତ୍ୟପ୍ରେମରେ ଦୁହିଁଙ୍କର ହୃଦୟ ଉଚ୍ଛୁଳି ଉଠିଲା । ଯଥାସମୟରେ ପୁଷ୍ପକବିମାନ ଯାଇ ଭରତର ନବସ୍ଥାପିତ ରାଜଧାନୀ ନନ୍ଦୀଗ୍ରାମରେ ଉପସ୍ଥିତ ହେଲା । ସମସ୍ତେ ରଥରୁ ଓହ୍ଲାଇ ଭରତଙ୍କଦ୍ୱାରା ଯଥୋଚିତ ସତ୍କୃତ ହୋଇ ସେହିଠାରେ ଅବସ୍ଥାନ କଲେ ।

Image

 

ଦ୍ୱାବିଂଶ ପରିଚ୍ଛେଦ

 

ନନ୍ଦୀଗ୍ରାମରେ ରାମଚନ୍ଦ୍ର, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଚାରିଭାଇଙ୍କର ମିଳନ ହେଲା । ସ୍ନେହ, ଭକ୍ତି ଓ ଆନନ୍ଦର ଅଶ୍ରୁ ପ୍ରବାହରେ ବକ୍ଷ ତିନ୍ତିଗଲା । ସେହି ତ୍ରିବେଣୀ ଅଶ୍ରୁତୀର୍ଥରେ ସମସ୍ତଙ୍କର ଶୋକ, ଦୁଃଖ ଧୋଇଗଲା । ରାମଚନ୍ଦ୍ର, ଲକ୍ଷ୍ମଣ ଓ ଭରତ ସେହିଠାରେ ମସ୍ତକରୁ ଜଟା ଖସାଇ ବଳ୍କଳ ପରିତ୍ୟାଗ କରି ନିଜ ନିଜ ସ୍ୱାଭାବିକ ବେଶରେ ସୀତାଙ୍କ ସହ ଯାଇ ଅଯୋଧ୍ୟାରେ ପ୍ରବେଶ କଲେ । ତାଙ୍କୁ ଦେଖି ପ୍ରଜା, ପୌରଜନ, ଆତ୍ମୀୟ ଓ ବନ୍ଧୁବର୍ଗ ନୂତନ ଜୀବନ ପାଇଲା ପରି ମଣିଲେ । ସେମାନଙ୍କ ହୃଦୟରେ ଆନନ୍ଦ ଉଚ୍ଛୁଳି ପଡ଼ିଲା । ହୃଦୟର ଦେବତା ପରି ସମସ୍ତେ ରାମଚନ୍ଦ୍ରଙ୍କୁ ଅର୍ଚ୍ଚନା କଲେ । ରାମଚନ୍ଦ୍ର ଶ୍ରଦ୍ଧା, ଭକ୍ତି, ସ୍ନେହ, ପ୍ରେମ, ସୌଜନ୍ୟ ପ୍ରଭୃତି ଯଥୋପଯୁକ୍ତ ଶିଷ୍ଟ ବ୍ୟବହାରରେ ସେମାନଙ୍କୁ ପରିତୁଷ୍ଟ କଲେ । ଅଯୋଧ୍ୟା ନଗରୀ ଆନନ୍ଦ ଉତ୍ସବରେ ମାତିଉଠିଲା । ତାହାର ପୂର୍ବଶ୍ରୀ ଫେରି ଆସିଲା । ସର୍ବତ୍ର ଆନନ୍ଦ-ଲହରୀ ଖେଳି ବୁଲିଲା । ନାଗରିକମାନଙ୍କ ପ୍ରାଣ ଆଭ୍ୟନ୍ତରରୁ ସୁଖ-ସନ୍ତୋଷର ମଧୁର ବଂଶୀ ବାଜିଉଠିଲା । ଶୁଭ ମୁହୂର୍ତ୍ତରେ ରାମଚନ୍ଦ୍ର ଭରତଙ୍କଠାରୁ ରାଜ୍ୟଭାର ଗ୍ରହଣ କଲେ । ଅଭିଷେକ ଉପଲକ୍ଷରେ ବହୁଦିନ ପର୍ଯ୍ୟନ୍ତ ରାଜ୍ୟରେ ନୃତ୍ୟ, ଗୀତ ପ୍ରଭୃତି ନିର୍ଦ୍ଦୋଷ ଆମୋଦର ସ୍ରୋତ ପ୍ରବାହିତ ହେଲା । ରାମଚନ୍ଦ୍ର ଶ୍ରାବଣ ମାସର ବର୍ଷଣକାରୀ ଘନ ପରି ଅଜସ୍ର ଦାନ କରିବାକୁ ଲାଗିଲେ । ସେ ମହାଦାନର ପଟାନ୍ତର ନାହିଁ । ଯେ ଯାହା ମାଗିଲା, ସେ ତାହା ପାଇଲା । ରାମଚନ୍ଦ୍ରଙ୍କ ଦାନରେ ଚିର ଦରିଦ୍ର ସୁଦ୍ଧା ଦାରିଦ୍ର୍ୟ ପାଶୋରିଗଲା । ଲୋକେ ଦାନ କରିବା ପାଇଁ ଦୁଃଖୀ ଭିକାରୀ ଖୋଜି ପାଇଲେ ନାହିଁ । ସେହି ବିପୁଳ ଦାନ ହେତୁ ରାମଚନ୍ଦ୍ରଙ୍କ ନାମରେ ଜୟ ଜୟକାର ଘୋଷିତ ହେଲା । ସଞ୍ଚୟର ସୁଖ ଦାନରେ ସିନା ! ରାଜଭଣ୍ତାରର ସଞ୍ଚିତ ଅର୍ଥରାଶି ସତ୍ପାତ୍ରରେ ଦାନ କରି ରାମଚନ୍ଦ୍ର ପରମାନନ୍ଦ ଲାଭ କଲେ । ମହାଜନମାନେ ପ୍ରାପ୍ତିରେ ଆନନ୍ଦ ଉପଭୋଗ କରିନ୍ତି ନାହିଁ–ଦାନରେ କରନ୍ତି । ଅଭିଷେକ ପରେ ରାକ୍ଷସ ବାନରମାନେ ବିଦାୟ ଘେନି ନିଜ ନିଜ ରାଜ୍ୟାଭିମୁଖରେ ପ୍ରସ୍ଥାନ କଲେ-। ସେମାନେ ସ୍ୱୀୟ ଯୋଗ୍ୟତାର ବହୁଗୁଣ ପୁରସ୍କାର ପାଇ ବିଣେଷ ସନ୍ତୋଷ ଲାଭ କଲେ । ସମସ୍ତେ ଘରକୁ ଗଲେ, କିନ୍ତୁ ରାମଚନ୍ଦ୍ରଙ୍କ ସ୍ନେହମାୟା କାଟି ନ ପାରି ନିଜ ନିଜର ମନକୁ ଅଯୋଧ୍ୟାରେ ରଖିଗଲେ ।

 

ରାମଚନ୍ଦ୍ର ରାଜା ହୋଇ ନିଜର ସୁଖ ତ୍ୟାଗ କଲେ । ମହାପ୍ରାଣ ବ୍ୟକ୍ତିମାନେ ନିଜର ସୁଖରେ ଅନ୍ୟର ସୁଖ ଗଢ଼ିଦେଇ ଆତ୍ମପ୍ରସାଦ ଉପଭୋଗ କରନ୍ତି । ସୁଖଭୋଗକୁ ସେମାନେ ସୁଖ ମଣନ୍ତି ନାହିଁ; ସୁଖତ୍ୟାଗକୁ ସୁଖ ମଣନ୍ତି । ରାମଚନ୍ଦ୍ରଙ୍କର ଶାସନନୀତି ବଡ଼ ମଧୁର । ଅପରାଧୀ ସୁଦ୍ଧା ତାଙ୍କ ସୁବିଚାରରେ ସନ୍ତୁଷ୍ଟ ହେଉଥିଲା । ସେ ଉଦାର, ନିର୍ଦ୍ଦୋଷ, ପୂର୍ଣ୍ଣାଙ୍ଗ ରାଜନୀତିର ଆଦର୍ଶ ସର୍ବପ୍ରଥମେ ଦେଖାଇଥିଲେ । ପରବର୍ତ୍ତୀ ଯୁଗରେ ମହାରାଜା ଯୁଧିଷ୍ଠିର ସେହି ଶୁଭାଦର୍ଶ ଅନୁକରଣ କରି ତାହାର ବିକାଶ ସାଧନ କରିଥିଲେ । ସେ ରାଜନୀତି ଜଟିଳତା-କୁଟିଳତା-ବର୍ଜିତ, ସରଳ ଓ ନିରାଡ଼ମ୍ୱର, ସତ୍ୟ, ନ୍ୟାୟ ଧର୍ମ ତାର ମୂଳଭିତ୍ତି । ରାମଚନ୍ଦ୍ର ରାଜଯୋଗୀ, ପ୍ରକୃତି-ପାଳନ ରୂପ କଠୋର ଯୋଗ ସାଧନରେ ସେ ପରିପକ୍ୱତା ଲାଭ କରିଥିଲେ । ତାଙ୍କର ଅବ୍ୟର୍ଥ ବାଣ ଆତୁର ତାରଣ ପାଇ ସର୍ବଦା ଜାଗ୍ରତ ଥାଏ । ରାମଚନ୍ଦ୍ରଙ୍କ ଶାସନ-ପାଳନ ଗୁଣରେ ରାଜ୍ୟରେ ରୋଗ, ଶୋକ, ଅକାଳ ମରଣ, ଦାରିଦ୍ର୍ୟ, ଚୋର ଖଣ୍ଟର ଭୟ ରହିଲା ନାହିଁ । ଲୋକେ ସ୍ୱଧର୍ମକୁ ଆଶ୍ରୟ କରି ସତ୍ୟପଥରେ ଚାଲିଲେ । ଦ୍ୱେଷ, ହିଂସା ଘୁଞ୍ଚିଗଲା, ସାମ୍ୟ ଓ ମୈତ୍ରୀଭାବ ସମସ୍ତଙ୍କର ଚରିତ୍ରର ଅଳଙ୍କାରସ୍ୱରୁପ ହେଲା । ରାମଚନ୍ଦ୍ରଙ୍କ ଅମଳରେ ଅପରାଧୀ ଅଭାବରୁ କାରାଗାରମାନ ଶୂନ୍ୟ ପଡ଼ିରହିଲା । ପ୍ରଜାମାନେ ସତ୍‌ଶିକ୍ଷା ଲାଭ କରି ସଦୁପାୟରେ ସଂସାରଯାତ୍ରା ନିର୍ବାହ କରିବାକୁ ଲାଗିଲେ; ଚୌର୍ଯ୍ୟାଦି ପାପବୃତ୍ତି ଆଶ୍ରୟ ନ ପାଇ ମରିଗଲେ । କାହାରି ଦ୍ୱାରରେ କୁଞ୍ଚି ପଡ଼ିଲା ନାହିଁ । ପ୍ରହରୀମାନେ ନିଷ୍କର୍ମ ହୋଇ ବସି ରହିବାରୁ ରାଜ୍ୟରେ ଆଉ ପ୍ରହରୀ ରଖିବା ଆବଶ୍ୟକ ହେଲା ନାହିଁ । ପ୍ରଜାମାନେ ନିରୁପଦ୍ରବ ହୋଇ ସୁଖ-ଶାନ୍ତିରେ କାଳଯାପନ କଲେ । ଅବସ୍ଥା ସ୍ୱଚ୍ଛଳ ହେତୁ ଆଧ୍ୟାତ୍ମିକ ଚିନ୍ତା ଓ ଧର୍ମଚର୍ଚ୍ଚାର ମାହେନ୍ଦ୍ର ସୁଯୋଗ ସେମାନଙ୍କ ଭାଗ୍ୟରେ ଘଟିଲା । ବଶବର୍ତ୍ତୀ ପ୍ରଜା, ଆଜ୍ଞକାରୀ ଭ୍ରାତା ଓ ପ୍ରିୟବାଦିନୀ ଦେବୀ ସ୍ତ୍ରୀଙ୍କ ସହାୟତାରେ ରାମଚନ୍ଦ୍ର ପରମ ଉଲ୍ଲାସରେ ରାଜ୍ୟଯନ୍ତ୍ର ପରିଚାଳନ କରିବାକୁ ଲାଗିଲେ । ରାଜ୍ୟର ପ୍ରଜାବର୍ଗ ତାଙ୍କର ବିଶ୍ୱାସୀ ପ୍ରହରୀ, ସୁତାରାଂ ସ୍ୱତନ୍ତ୍ର ଶରୀରରକ୍ଷୀ ପ୍ରହରୀ ସେ ରଖି ନ ଥିଲେ । ସେ ଏକାକୀ ପଦବ୍ରଜରେ ବୁଲି ପ୍ରଜାଙ୍କର ଅବସ୍ଥା ପର୍ଯ୍ୟବେକ୍ଷଣ କରନ୍ତି ।

 

ରାମଚନ୍ଦ୍ର ପରମ ସୁଖରେ ଗୁଣବତୀ ସୀତାଙ୍କ ସହ କାଳଯାପନ କରିବାକୁ ଲାଗିଲେ । ତାଙ୍କର ଦାମ୍ପତ୍ୟ ଜୀବନ କ୍ରମେ ମଧୁମୟ ହୋଇଉଠିଲା; ମାତ୍ର କାହାରି ସୁଖ ଏ ସଂସାରରେ ସ୍ଥାୟୀ ହୁଏ ନାହିଁ କିମ୍ୱା ପୂର୍ଣ୍ଣତା ପ୍ରାପ୍ତ ହୁଏ ନାହିଁ । ସୀତା ଚଉଦ ମାସକାଳ ରାକ୍ଷସ ଘରେ ଥିଲେ, ରାମଚଦ୍ର ତାଙ୍କୁ ପୁନର୍ଗ୍ରହଣ କରିଥିବା ହେତୁ ଅତି ରକ୍ଷଣଶୀଳ ପ୍ରଜାମାନେ ମନେ ମନେ ଅସନ୍ତୁଷ୍ଟ ହେଲେ; ମାତ୍ର ସେମାନଙ୍କର ସେ ଭାବ ବାହାରକୁ ସ୍ପଷ୍ଟ ପ୍ରକାଶ ପାଇଲା ନାହିଁ, ତଥାପି ଚାରିଚକ୍ଷୁ ରାମଚନ୍ଦ୍ରଙ୍କର ତାହା ଅଜ୍ଞାତ ରହିଲା ନାହିଁ, ବିଶ୍ୱାସୀ ଚାର ମୁଖରୁ ଏହି ଲୋକାପବାଦ ଶୁଣି ହୃଦୟରେ ଭୀଷଣ ଆଘାତ ପାଇଲେ; କିନ୍ତୁ ନିର୍ବିକାରରେ ଏ କଳଙ୍କ ସହ୍ୟ କରିପାରିଲେ ନାହିଁ । ତହୁଁ ଲକ୍ଷ୍ମଣଙ୍କୁ ଡାକି ସୀତାଙ୍କୁ ନେଇ ବନରେ ଛାଡ଼ି ଆସିବାକୁ ଆଦେଶ ଦେଲେ । ଲକ୍ଷ୍ମଣ ଏହା ଶୁଣି ମସ୍ତକରେ ବଜ୍ରପାତ ତୁଲ୍ୟ ମଣିଲେ । ସେ ଅଶ୍ରୁସିକ୍ତ ନେତ୍ରରେ ଅଗ୍ରଜଙ୍କୁ କହିଲେ–‘‘ଦେବ, ଲୋକପବାଦର କୌଣସି ମୂଳ ଥାଏ ନାହିଁ, ସେ ଶୂନ୍ୟରେ ଜାତହୋଇ ଶୂନ୍ୟରେ ଉଡ଼ି ବୁଲି ବଢ଼େ-। ଛାର ଲୋକପବାଦ ଭୟରେ ନିରପରାଧା, ଚିରଶୁଦ୍ଧା, ରଘୁକୁଳ-ବଧୂ ତପସ୍ୱିନୀ ସୀତାଦେବୀଙ୍କୁ ବନବାସ ଦଣ୍ଡ ପ୍ରଦାନ କଲେ ଘୋର ଅନ୍ୟାୟ ହେବ ।’’ ରାମଚନ୍ଦ୍ର କହିଲେ ତୁମ୍ଭ କଥା ସତ ଲକ୍ଷ୍ମଣ, ସୀତାଙ୍କ ଚରିତ୍ର ଯଜ୍ଞାନଳ ତୁଲ୍ୟ ଉଜ୍ଜ୍ୱଳ ଏବଂ ପବିତ୍ର, ଏହା ମୁଁ ଜାଣେ । ସେ ଲଙ୍କାର ରାକ୍ଷସ, ବାନର ଓ ଦେବଗଣଙ୍କ ସମକ୍ଷରେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ଶୁଦ୍ଧତା ପ୍ରମାଣିତ କରିଅଛନ୍ତି, ତଥାପି ଲୋକମତକୁ ଅବଜ୍ଞା କରିବା ରାଜଧର୍ମ ନୁହେଁ । ସେଥିରେ ପ୍ରଜାଏ ଅସନ୍ତୁଷ୍ଟ ହୁଅନ୍ତି । ପ୍ରଜାମାନଙ୍କ ମନତୁଷ୍ଟି ସକାଶେ ମୁଁ ପ୍ରାଣତ୍ୟାଗ କରିବାକୁ ପ୍ରସ୍ତୁତ, ସୀତା ତ୍ୟାଗ କିଛି ତାହାଠାରୁ ଗୁରୁତର ନୁହେ । ତୁମ୍ଭେ ଶୀଘ୍ର ମୋର ଆଦେଶ ପାଳନ କର ।’’ ରାମଚନ୍ଦ୍ରଙ୍କ ଆଜ୍ଞା ଅବ୍ୟର୍ଥ, ଲକ୍ଷ୍ମଣ ଏହା ଜାଣନ୍ତି । ସୁତରାଂ ଆଉ କିଛି ନ କହି ସୀତାଙ୍କୁ ରଥରେ ବସାଇ ବନକୁ ନେଇ ଗଲେ । ସ୍ୱାମୀଙ୍କର ଏ ନିଷ୍ଠୁର ଆଦେଶ ଶୁଣି ସୀତା ମୂର୍ଚ୍ଛିତ ହୋଇପଡ଼ିଲେ; କେତେକ କ୍ଷଣ ପରେ ଚେତନା ପାଇ କାନ୍ଦିଲେ । ଲକ୍ଷ୍ମଣ ତାଙ୍କୁ ଅନେକସାନ୍ତ୍ୱନା ଦେଇ ବାଲ୍ମୀକି ମୁନିଙ୍କୁ ତପୋବନରେ ଛାଡ଼ିଦେଇ ଆସିଲେ । ତେତେବେଳେ ସୀତା ପାଞ୍ଚମାସ ଗର୍ଭବତୀ ଥିଲେ । ତାଙ୍କର ବିଳାପ ଶୁଣି ମହର୍ଷି ବାଲ୍ମୀକି ଆସି ତାଙ୍କୁ ନିଜ ଆଶ୍ରମରେ ନେଇ ରଖିଲେ । ମୁନିକୁମାରୀମାନଙ୍କ ଆଶ୍ୱାସନାରେ ସୀତା ଆଶ୍ୱସ୍ତା ହୋଇ ରହିଲେ। ଯଥାସମୟରେ ସେହି ୠଷି-ଆଶ୍ରମରେ ସୀତା ଦୁଇଟି ଯାଆଁଳା ପୁଅ ଜନ୍ମକଲେ । ବାଲ୍ମୀକି ସେ ଦୁହିଙ୍କର ନାମ ଲବ, କୁଶ ରଖି ଶିଶୁ ସହ ସେମାନଙ୍କ ଜନନୀଙ୍କୁ ପ୍ରତିପାଳନ କରିବାକୁ ଲାଗିଲେ । ସୀତା ପୁତ୍ରମୁଖ ଦେଖି ସବୁ ଦୁଃଖ ପାଶୋରିଗଲେ ।

 

ମହା ସତୀ ସୀତାଙ୍କ ଚରିତ୍ର ଓ ନାରୀତ୍ୱର ମହିମା ଅତୁଳନୀୟ । ସେ ବିନା ଦୋଷରେ ଦଣ୍ଡିତ ହୋଇ ବିଚଳିତ ହେଲେ ନାହିଁ । ମାତାଙ୍କ ପରି ସେ ସର୍ବଂସହା । କଠୋର ଶାସ୍ତିକୁ ପତି-ଦେବତାଙ୍କ ଆଦେଶ ମଣି ନୀରବରେ ତାହା ଶିରୋଧାର୍ଯ୍ୟ କଲେ । ସ୍ୱାମୀଙ୍କ ପ୍ରତି ସେ ରୁଷ୍ଟ ବା ଅସନ୍ତୁଷ୍ଟ ହେଲେ ନାହିଁ, ପୂର୍ବପରି ଅଖଣ୍ଡ ଭକ୍ତି ସହ ହୃଦୟ ମଧ୍ୟରେ ତାଙ୍କୁ ପୂଜା କରିବାକୁ ଲାଗିଲେ-। ନାରୀମହତ୍ତ୍ୱର ଏ ଉଚ୍ଚାଦର୍ଶ ଭାରତ ବ୍ୟତୀତ ଜଗତରେ ଦୁର୍ଲଭ । ଏଣେ ରାମଚନ୍ଦ୍ର ସୀତାଙ୍କ ଅଭାବରେ କାତର ହୋଇ ପଡ଼ିଲେ । ଗୁଣମୟୀ ପତ୍ନୀଙ୍କର ଗୁଣରାଶି ସହସ୍ର ଗୁଣ ହୋଇ ତାଙ୍କ ଆଖି ଆଗରେ ଖେଳି ବୁଲିଲା । ସୀତାଙ୍କ ସ୍ମୃତି ତାଙ୍କୁ ଦାରୁଣ ଯନ୍ତ୍ରଣା ପ୍ରଦାନ କଲା । ଅଭାବ ସିନା ପଦାର୍ଥର ମୂଲ୍ୟ ବହୁଗୁଣ ବଢ଼ାଇଦିଏ । ଏଡ଼େ ବଡ଼ ଆଘାତ ପାଇ ସୁଦ୍ଧା ସେ ମୁହୂର୍ତ୍ତକ ଲାଗି କର୍ତ୍ତବ୍ୟ ଶିଥିଳ କରି ନ ଥିଲେ । ପ୍ରଜାଙ୍କ ବିପଦକୁ ନିଜକୃତ ପାପର ଫଳ ବୋଲି ସେ ବିଶ୍ୱାସ କରୁ-ଥିଲେ । କାହାରି ସାମାନ୍ୟ ବିପଦ ଆପଦ ଘଟିଲେ ସେ ତତ୍‍କ୍ଷଣାତ୍‍ ସେଥିର ପ୍ରତିକାରରେ ନିଜର ଶକ୍ତି ପ୍ରୟୋଗ କରୁଥିଲେ । ତାଙ୍କ ରାଜ୍ୟରେ ପ୍ରଜାମାନେ ମର୍ତ୍ତ୍ୟରେ ସ୍ୱର୍ଗସୁଖ ଭୋଗ କରୁଥିଲେ । ଏହି ହେତୁ ‘ରାମରାଜ୍ୟ’ ପ୍ରବାଦ ଅବଧି ଅମର ହୋଇ ରହିଅଛି । ରାମଚନ୍ଦ୍ରଙ୍କ ଭାଇମାନେ ଦିଗ୍‌ବିଜୟରେ ବହିର୍ଗତ ହୋଇ ଅନେକ ରାଜ୍ୟ ଜିଣିଲେ ଓ ଅନେକ ସ୍ଥାନରେ ନୂତନରାଜ୍ୟ ବସାଇଲେ । ଭାରତର ସମସ୍ତ ନରପତିଙ୍କର ମସ୍ତକ ରାମଚନ୍ଦ୍ରଙ୍କ ଛତ୍ରଛାୟା ତଳେ ରହିଲା । ଏଥିମଧ୍ୟରେ କୌଶଲ୍ୟା, କୈକେୟୀ, ସୁମିତ୍ରା ପ୍ରଭୃତି ଦଶରଥଙ୍କ ବୃଦ୍ଧା ରାଣୀମାନେ ଦେହତ୍ୟାଗ କଲେ । ରାମଚନ୍ଦ୍ର ସେମାନଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କ ନାମରେ କେତେଗୁଡ଼ିଏ ଜନ-ହିତକର ସ୍ଥାୟୀ ଅନୁଷ୍ଠାନର ବ୍ୟବସ୍ଥା କରିଦେଲେ ।

 

କେତେ କାଳ ପରେ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କଲେ । ସମସ୍ତ ରାଜା, ମୁନିୠଷି ନିମନ୍ତ୍ରିତ ହୋଇ ଆସିଲେ । ରକ୍ଷସବଳ ସହ ଲଙ୍କାରୁ ବିଭୀଷଣ ଆସିଲା, କିଷ୍କିନ୍ଧ୍ୟାରୁ ସୁଗ୍ରୀବ, ଅଙ୍ଗଦ, ହନୁମାନ ପ୍ରଭୃତି ଆସିଲେ । ବାଲ୍ମୀକି ମୁନି ତାଙ୍କର ଶିଷ୍ୟ ଲବକୁଶ ଦୁହିଙ୍କୁ ଘେନି ଯଜ୍ଞସଭାରେ ବସିଲେ । ବାଲ୍ମୀକି ଲବକୁଶଙ୍କୁ ଶସ୍ତ୍ରଶାସ୍ତ୍ର ବିଦ୍ୟାରେ ନିପୁଣ କରାଇଥିଲେ । ବିଶେଷତଃ ସଙ୍ଗୀତ ବିଦ୍ୟାରେ ଶିଶୁ ଦୁହେଁ ଅତୁଳନୀୟ । ବାଲ୍ମୀକି ସେମାନଙ୍କୁ ସ୍ୱରଚିତ ରାମାୟଣ ଶିଖାଇଥିଲେ । ଶିଶୁଦୁହେଁ ମୁନିକୁମାର ବେଶରେ ସଭା ଉଜ୍ଜ୍ୱଳ କରି ବସିଲେ । ତାପସକୁମାର ଦୁଇଟିଙ୍କର ରୂପ ଅତି ରମଣୀୟ । ବର୍ଣ୍ଣ କାଞ୍ଚନକାନ୍ତ ଉଜ୍ଜ୍ୱଳ ଗୌର । ପ୍ରତି ଅଙ୍ଗରୁ ଲାବଣ୍ୟ ନିଗିଡ଼ିପଡ଼ୁଛି । ଶରୀରରୁ ଶୌର୍ଯ୍ୟର ତେଜ ଫୁଟି ଉଠୁଅଛି । ପରିଧେୟ ଗୈରିକ ବସନ, ହସ୍ତରେ ଅକ୍ଷମାଳା ବଳୟ, କଣ୍ଠରେ ହାର ଶୋଭା ପାଉଅଛି । କଣ୍ଠର ସ୍ୱର ବି ରୂପର ଅନୁରୂପ । ଯଜ୍ଞ ଶେଷରେ ସେହି ବାଳକଦ୍ୱୟ ମୁନିଙ୍କ ଆଦେଶରେ ସଙ୍ଗୀତ ଆରମ୍ଭ କଲେ । ସେ ଦୁହେଁ ବୀଣା ବଜାଇ ଭାବରେ ତନ୍ମୟ ହୋଇ ମଧୁର ସ୍ୱରରେ ଗୀତ ଗାଇ ସଭାସ୍ଥ ସମସ୍ତ ଲୋକଙ୍କୁ ଚକିତ-ସ୍ତମ୍ଭିତ କରି ଦେଲେ । ରାମଚନ୍ଦ୍ର ସେହି ସଙ୍ଗୀତ ଶୁଣି ମୁଗ୍‍ଧ ଓ ଆତ୍ମବିସ୍ତୃତ ହୋଇଗଲେ । ମନେ ମନେ ଭାବିଲେ–ଏକାଧାରରେ ଏପରି ରୂପ, ଗୁଣ,ବିଦ୍ୟା, ବିନୟ,ପ୍ରତିଭା, ସରଳତା, ସୌଜନ୍ୟ, ଶିଷ୍ଟାଚାର-ଏ ଜଗତରେ ଦୁର୍ଲଭ । ରାମଚନ୍ଦ୍ର ବାଲ୍ମୀକିଙ୍କୁ ଶିଶୁ ଗାୟକଦ୍ୱୟଙ୍କ ପରିଚୟ ଜିଜ୍ଞାସା କଲେ । ମୁନିଙ୍କାଠାରୁ ସବୁ ଶୁଣି ଲବ-କୁଶଙ୍କୁ ନିଜର ପୁତ୍ର ବୋଲି ଜାଣିପାରି ଆନନ୍ଦରେ ଅଧୀର ହୋଇଉଠିଲେ ଏବଂ ଶିଶୁଦୁହିଙ୍କୁ ଆଣି କୋଳରେ ବସାଇ ତାଙ୍କର ଶିରଶ୍ଚୁମ୍ୱନ କଲେ । ତାଙ୍କ ଆଦେଶରେ ସୀତା ସୁଦ୍ଧା ବାଲ୍ମୀକିଙ୍କ ଆଶ୍ରମରୁ ଅଯୋଧ୍ୟକୁ ଆନୀତ ହେଲେ । ଲଙ୍କାରୁ ଆସିବା ପୂର୍ବରୁ ସୀତା ନିଜ ସତୀତ୍ୱର ଅଗ୍ନି ପରୀକ୍ଷା ଦେଇଥିଲେ । ବର୍ତ୍ତମାନ ରାମଚନ୍ଦ୍ର, ପୁଣି ତାଙ୍କୁ ପରୀକ୍ଷା ଦେଇ ଲୋକାପବାଦରୁ ମୁକ୍ତ ହେବା ସକାଶେ ଆଦେଶ ଦେଲେ । ରାମଚନ୍ଦ୍ରଙ୍କର ଏ କଠୋର ଆଦେଶ ଶୁଣି ସଭାଜନମାନେ ହାହାକାର କରିଉଠିଲେ, କେହି କେହି କାନରେ ହାତ ଦେଲେ । ପାତିବ୍ରତ୍ୟ ଧର୍ମର ପୂଜା-ଦେବତା ସୀତା ସ୍ୱାମୀଙ୍କର ଏରୂପ ଅପମାନକର ଆଦେଶ ଶୁଣି ଦାରୁଣ ଲଜ୍ଜା, କ୍ଷୋଭ ଓ ଦୁଃଖରେ ମର୍ମାହତ ହୋଇ ହଠାତ୍‌ ଅନ୍ତର୍ଦ୍ଧାନ ହୋଇଗଲେ । ରାମଚନ୍ଦ୍ର ଏହି ଅଦ୍ଭୁତ ଅବାଞ୍ଛିତ ଘଟଣା ଦେଖି ବ୍ୟାକୁଳ ହୋଇ ଅନୁତାପ କରିବାକୁ ଲାଗିଲେ । ସୀତାଙ୍କୁ ବାରମ୍ୱାର ହତମାନ କରି ସେ ନିଜକୁ ଅପରାଧୀ ମଣିଲେ; ମାତୃ ଅଭାବରେ ଲବକୁଶ ବିଳାପ କରିବାକୁ ଲାଗିଲେ । ରାଜନବର ଭିତରୁ ଶୋକ-ହାହାକାର ଉଠିଲା । ସତୀ ପତ୍ନୀର ବିଚ୍ଛେଦ-ଶୋକ ରାମଚନ୍ଦ୍ରଙ୍କୁ ଘାରି ପକାଇଲେ । ତାଙ୍କର ମନ କାହିଁରେ ଲାଗିଲା ନାହିଁ; ଯନ୍ତ୍ରଚାଳିତ ପରି ସବୁ କାର୍ଯ୍ୟ କରିବାକୁ ଲାଗିଲେ । ବିଧାତା ଦୁଃଖ ପରେ ପୁଣି ଦୁଃଖ ପଠାଏ । କିଛି କାଳ ପରେ ପୁଣି ଏକ ବିପଦ ଘଟିଲା । ଗୋଟାଏ ସାମାନ୍ୟ କାରଣରୁ ରାମଚନ୍ଦ୍ର ପ୍ରାଣାଧିକ ଭ୍ରାତା ଲକ୍ଷ୍ମଣଙ୍କୁ ବର୍ଜନ କଲେ ଲକ୍ଷ୍ମଣ ସରଯୁ ଜଳରେ ଦେହତ୍ୟାଗ କରି ସ୍ୱର୍ଗଗମନ କଲେ । ରାମଚନ୍ଦ୍ର ସୀତାଙ୍କର ଅଭାବ ସହିଥିଲେ; ମାତ୍ର ଲକ୍ଷ୍ମଣଙ୍କର ଅଭାବ ସହିପାରିଲେ ନାହିଁ । ଲକ୍ଷ୍ମଣ ବିନା ସଂସାରେ ତାଙ୍କୁ ବିଷବତ୍‌ ବୋଧହେଲା । ସେ ଚୌଦିଗ ଶୂନ୍ୟ, ଅନ୍ଧକାରମୟ ଦେଖିଲେ । ତହୁ ଜୀବନର ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରି ମହାଯାତ୍ରା ସକାଶେ ପ୍ରସ୍ତୁତ ହେବାକୁ ଲାଗିଲେ । ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପ୍ରତ୍ୟେକଙ୍କର ଦୁଇଟି ଲୋଖାଏଁ ପୁତ୍ର ଥିଲେ । ରାମଚନ୍ଦ୍ର ସେମାନଙ୍କୁ ସେମାନଙ୍କ ପିତୃବିଜିତ ବା ପିତୃ-ପ୍ରତିଷ୍ଠିତ ରାଜ୍ୟମାନଙ୍କରେ ରାଜପଦରେ ଅଭିଷିକ୍ତ କଲେ । ଅନନ୍ତର ଲବକୁଶଙ୍କୁ ଅଯୋଧ୍ୟାର ରାଜସିଂହାସନ ପ୍ରଦାନପୂର୍ବକ ପୁରୋବାସୀ ପ୍ରଜା ପ୍ରଭୃତିଙ୍କଠାରୁ ବିଦାୟ ଘେନି ସଂସାରରୁ ମହାପ୍ରସ୍ଥାନ କଲେ । ସେ ଭାଇମାନଙ୍କ ସଙ୍ଗରେ ପୁଣ୍ୟତୋୟା ସରଯୁ ଜଳରେ ତନୁ ତ୍ୟାଗ କରି ଅମର ଧାମକୁ ଗମନ କଲେ । ବୈକୁଣ୍ଠପତିଙ୍କର ମର୍ତ୍ତ୍ୟଲୀଳା ଶେଷ ହେଲା । ସେ ଦୁଷ୍ଟ ଦମନ, ଶିଷ୍ଟପାଳନ ଓ ଧର୍ମ ସଂରକ୍ଷଣ କରି ଅନନ୍ତ ପୁଣ୍ୟୈଶ୍ୱର୍ଯ୍ୟମୟ ଚିରପ୍ରିୟ ବୈକୁଣ୍ଠଧାମକୁ ପ୍ରସ୍ଥାନ କଲେ । ଜଗତରେ ଶାନ୍ତି ସଂସ୍ଥାପିତ ହେଲା ଏବଂ ଧର୍ମର ଉଜ୍ଜ୍ୱଳ ଶିଖାରେ ଜଗତ ଆଲୋକିତ ହେଲା ।

Image